ଭୁବନେଶ୍ୱର: ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତିଭାମୟୀ ହିରଣ୍ମୟୀ ମିଶ୍ର। ୧୯୯୦ ମସିହାରେ ‘କଥା ନବପ୍ରତିଭା’ ବିଶେଷାଙ୍କରେ  ପ୍ରଥମ ଗଳ୍ପ ‘ଡ୍ୟାମ୍’ ପ୍ରକାଶ ପାଇବା ପରେ ଆଉ ପଛକୁ ଫେରିନାହାନ୍ତି ସେ। ପିଲାଟି ଦିନରୁ ଲେଖାଲେଖି କରୁଥିବା ହିରଣ୍ମୟୀ ସମୟକ୍ରମେ ପାଲଟନ୍ତି ଓଡ଼ିଆ ସାହିତ୍ୟର ଜଣେ ବହୁ ପରିଚିତା ଲେଖିକା। ‘ଡ୍ୟାମ୍’ ଗଳ୍ପର ଗ୍ରହଣୀୟତା ହିରଣ୍ମୟୀଙ୍କୁ ଅଧିକରୁ ଅଧିକ ଗଳ୍ପ ଲେଖିବାକୁ ପ୍ରୋତ୍ସାହିତ କରେ ଓ ପରେ ସେ ‘ସୁଚରିତା’ ପାଇଁ ଲେଖନ୍ତି ତାଙ୍କର ଦ୍ୱିତୀୟ ଗଳ୍ପ। ନାରୀ ସ୍ୱାଧୀନତା ପାଇଁ ସଦା ଲଢ଼େଇ କରୁଥିବା ଏହି ସ୍ରଷ୍ଟା ଅନେକ ସମ୍ମାନରେ ସମ୍ମାନିତା । ସେ ପାଇଥିବା ପୁରସ୍କାରଗୁଡ଼ିକ ମଧ୍ୟରେ ରହିଛି କଲିକତାର ଭାଷା ପରିଷଦ ପକ୍ଷରୁ ‘ଜାତୀୟ ଭାଷା ପରିଷଦ ପୁରସ୍କାର’, ‘କାଦମ୍ବିନୀ ଶ୍ରେଷ୍ଠ ଗଳ୍ପ ପୁରସ୍କାର’, ଭୁବନେଶ୍ୱର ପୁସ୍ତକ ମେଳାର ‘ବନଲତା ପୁରସ୍କାର’, ‘ରବି ପଟ୍ଟନାୟକ ସ୍ମୃତି ପୁରସ୍କାର’, ‘ଟାଇମ୍‌ପାସ୍‌ ବୁକର୍‌ ପୁରସ୍କାର’, ‘ତୀରତରଙ୍ଗ ପୁରସ୍କାର’, ‘ଏକାମ୍ର ପୁସ୍ତକ ମହୋତ୍ସବ ପୁରସ୍କାର’, ‘ଫକୀର ମୋହନ ସାହିତ୍ୟ ପରିଷଦ ପୁରସ୍କାର’, ‘କହ୍ନେଇ କଥା ପୁରସ୍କାର’ ଇତ୍ୟାଦି। ଓଡ଼ିଆ ସାହିତ୍ୟ ପରମ୍ପରାକୁ ନିଜର ଗୁରୁ ବୋଲି ମାନୁଥିବା ଏହି ସ୍ରଷ୍ଟା ଆମ ସହ ନିଜ ମନର ଅନେକ ଅକୁହା କଥାକୁ ବାଣ୍ଟିଛନ୍ତି।

Advertisment

publive-image

୧.ପ୍ରଶ୍ନ: ସାହିତ୍ୟରେ ବହୁ କୃତି ପାଇଁ ଆପଣ ପୁରସ୍କୃତ ହୋଇଛନ୍ତି। ଆପଣଙ୍କ ଏପରି କୌଣସି ଲେଖା ଅଛି କି ଯେଉଁଥିପାଇଁ ଆପଣ ନିନ୍ଦିତ ହୋଇଛନ୍ତି?

ଉତ୍ତର: ହଁ, ୨୦୦୨ ମସିହାରେ ‘ବର୍ଷା ରାତିର କାହାଣୀ’ ବୋଲି ମୁଁ ଏକ ଗଳ୍ପ ଲେଖିଥିଲି। ଗଳ୍ପଟି ଦୁଇ ଜଣ ମହିଳାଙ୍କୁ ନେଇ ଏକ ଲେସ୍‌ବିୟାନ ସଂପର୍କ ଉପରେ ଆଧାରିତ ଥିଲା। ଓଡ଼ିଶାରେ ବୋଧହୁଏ ସେତେବେଳେ ତାହା ଥିଲା ପ୍ରଥମ ଲେସ୍‌ବିୟାନ ଗପ। ସେ ସମୟର ସୁପରିଚିତ ପତ୍ରିକା ‘ଧ୍ୱନୀ ପ୍ରତିଧ୍ୱନୀ’ରେ ଏହି ଗଳ୍ପଟିକୁ ନେଇ ବିଭିନ୍ନ ଲୋକଙ୍କ ପ୍ରତିକ୍ରିୟା ବାହାରିଥିଲା। ବହୁ ଖରାପ କଥା ସବୁ ଲେଖା ଯାଇଥିଲା। ମୁଁ ଜାଣିପାରୁଥିଲି ଯେ ସେମାନେ ଗଳ୍ପଟିକୁ ଠିକ୍‌ ଭାବେ ବୁଝିପାରୁ ନଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ସେହି କାହାଣୀକୁ ନେଇ ପରବର୍ତ୍ତୀ ସମୟରେ ମୁଁ ବହୁତ ପ୍ରଶଂସିତ ହୋଇଛି।

୨.ପ୍ରଶ୍ନ: ଆପଣଙ୍କୁ ଏପରି କେବେ ଅନୁଭବ ହୋଇଛି କି କଲମ ଚାଳନା କରିବା ବେଳେ ଆପଣ ପୂରାପୂରି ସ୍ୱାଧୀନ ନୁହଁନ୍ତି। ସମାଜକୁ ଡରି ଆପଣଙ୍କ କଲମ ପଛଘୁଞ୍ଚା ଦିଏ କି କେବେ?

ଉତ୍ତର: ନା, ଲେଖିବା ବେଳେ ମୁଁ ପୂରା ସ୍ୱାଧୀନ। ସେଥିପାଇଁ ତ ମୁଁ ବିବାଦୀୟ ହୋଇଛି। ଲେଖକୀୟ ଜୀବନରେ ନିନ୍ଦା ଓ ପ୍ରଶଂସା ଉଭୟ ଆସିବ। ଅନ୍ୟ କାହାର ମାନସିକ ସୀମିତତାକୁ ନେଇ ମୁଁ କେବେ ବ୍ୟସ୍ତ ହୁଏନି। ମୁଁ ଲେଖିଲା ବେଳେ କେବେ ବି ଭାବେନି କି ମୁଁ ଜଣେ  ସ୍ତ୍ରୀ ଲୋକ, ମୋତେ ଏମିତି ଲେଖିବା କଥା ନୁହେଁ। ମୁଁ ଜଣେ ସ୍ୱାଧୀନଚେତା ମଣିଷ ଯେହେତୁ ତେଣୁ ଲେଖିବା ବେଳେ ସେ ସ୍ୱାଧୀନତାକୁ ମୁଁ ସବୁବେଳେ ଉପଭୋଗ କରିଥାଏ।

୩.ପ୍ରଶ୍ନ: ଲିଭ୍‌-ଇନ୍‌-ରିଲେସନସିପ୍‌କୁ ଆପଣ କେଉଁ ଦୃଷ୍ଟିରେ ଦେଖନ୍ତି। ଆପଣ ତାହାକୁ ସମର୍ଥନ କରନ୍ତି କି?

ଉତ୍ତର: ସମୟ ବଦଳିଛି, ଜୀବନ ବଦଳିଛି। ମୋ ସମୟରେ ଲିଭ୍‌-ଇନ୍‌-ରିଲେସନସିପ୍‌କୁ ଲୋକେ ଭିନ୍ନ ଗୋଟେ ପ୍ରକାରର ସଂପର୍କ ବୋଲି ଭାବୁଥିଲେ। ବର୍ତ୍ତମାନ ମୁଁ ତାହାକୁ କୌଣସି ଖରାପ କଥା ବୋଲି ଭାବେ ନାହିଁ। ବାହା ହେବା ପରେ ବିଚ୍ଛେଦ ହେବା ଅପେକ୍ଷା ବିବାହ ପୂର୍ବରୁ ଏକାଠି ରହି ପରସ୍ପର ସହ ଜୀବନ ଯାକ ଚଳିପାରିବେ ନା ନାହିଁ, ତାହା ପରଖି ନେବାରେ କୌଣସି ଅସୁବିଧା ନାହିଁ। ଏହା ମଧ୍ୟ ସ୍ୱାଧୀନତାର ଏକ ଅଂଶ।

୪.ପ୍ରଶ୍ନ: ଆପଣ ଅନେକ ପ୍ରେମ ଗପ ଲେଖିଛନ୍ତି। ପ୍ରେମ କଥା ଲେଖିଲା ବେଳେ କେଉଁ ପୁରୁଷ ଆପଣଙ୍କ ଆଖି ସାମ୍ନାକୁ ଆସନ୍ତି?

ଉତ୍ତର: ମୁଁ କାହାରି ବି କଥା କହିପାରିବି ନାହିଁ। ମୋତେ ଜଣେ ପ୍ରେମିକ ଦେଖାଯାଏ କେବଳ, ଯିଏକି କେବେ ଆସେନା। ତା’ର ଏକ ସାଧାରଣ ଅଂଶ ହେଇକି ଆଉ କିଏ ଆସିପାରେ। କେତେବେଳେ ମୋର ତାରୁଣ୍ୟର ପ୍ରଥମ ପ୍ରେମିକ, ଯାହାଙ୍କୁ ମୁଁ ପାଇନି ଜୀବନରେ ତ ପୁଣି କେତେ ବେଳେ ମୋର ସ୍ୱାମୀ ଆସିପାରନ୍ତି, ଯାହାଙ୍କ ପାଇଁ ମୁଁ ସାରା ଜୀବନ ପ୍ରେମମଗ୍ନ ହୋଇ ରହିିଛି। ହେଲେ ସଂପୂର୍ଣ୍ଣ ରୂପେ ସେହି ପ୍ରେମିକ କେବେ ଆସନ୍ତି ନାହିଁ। ଆସନ୍ତି ନାହିଁ ବୋଲି ହିଁ ମୁଁ ସବୁବେଳେ ତାଙ୍କୁ ନେଇ ପ୍ରେମ ଗଳ୍ପ ଲେଖିପାରେ।

୫.ପ୍ରଶ୍ନ: ଯଦି ଆପଣଙ୍କର ପୁଅଟେ ଥାଆନ୍ତା ତେବେ କ’ଣ ଆପଣ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ବୋହୂ କରିଥାନ୍ତେ?

ଉତ୍ତର: ଯଦି ପୁଅ ଚାହିଁଥାନ୍ତା ତେବେ ମୁଁ ନିଶ୍ଚୟ କରିଥାନ୍ତି। ସମୟକ୍ରମେ ଯଦି ଜଣେ ଦୁଷ୍କର୍ମ ପୀଡ଼ିତା ମୋ ପୁଅ ପ୍ରେମରେ ପଡ଼ିଥାନ୍ତା ବା ମୋ ପୁଅ ତାକୁ ପ୍ରେମ କରିଥାନ୍ତା ତେବେ ମୁଁ ତାକୁ ବୋହୂ କରିଥାନ୍ତି। ଭଲପାଇବା ଓ ପ୍ରେମକୁ ମୁଁ ସବୁବେଳେ ଉଚ୍ଚରେ ରଖେ। ଯଦି ତାକୁ ମୋ ପୁଅ ପ୍ରେମ କରି ବସେ ତେବେ ସେ ପ୍ରେମିକା ହୋଇଯିବ, ଆଉ ଦୁଷ୍କର୍ମ ପୀଡ଼ିତା ହୋଇ ରହିବ ନାହିଁ। ମୋର ତ ପୁଅ ନାହିଁ, ହେଲେ ମୋ ଝିଅକୁ ନେଇ ମଧ୍ୟ ମୁଁ ସମାନ ବିବେଚନା କରେ। ମୋ ଝିଅର ବାହାଘରର ସିନ୍ଧାନ୍ତ ମୁଁ ସଂପୂର୍ଣ୍ଣ ତା ହାତରେ ଦେବାକୁ ଚାହେଁ।

୬.ପ୍ରଶ୍ନ: ସାହିତ୍ୟ ଅନେକ କୁସଂସ୍କାରକୁ ଦୂରେଇଛି। ଦୁନିଆ ଯେତେକି ବି ବଦଳିଛି ସାହିତ୍ୟର ସେଥିରେ ଅବିଶ୍ୱସନୀୟ ଭୂମିକା ରହଛି। ତେବେ, ଏମିତି କିଛି କୁସଂସ୍କାର ଅଛି କି ଯାହାକୁ ସାହିତ୍ୟ ଦୂର କରିବାରେ ବିଫଳ ହୋଇଛି?

ଉତ୍ତର: ବହୁତ ଅଛି। ଏବେ ବି ଅନେକ ଅନ୍ଧବିଶ୍ୱାସ ରହିଛି ଯେମିତିକି ପୂଜା କଲେ ଧନୀ ହେବା, ସାପ କାମୁଡ଼ିଲେ ଗୁଣିଆ ପାଖରେ ଝାଡ଼ିଦେବା, ପାଣି ବୋହି ନେଲେ ମନସ୍କାମନା ପୂର୍ଣ୍ଣ ହେବ, ଡାହାଣୀ ଲାଗିବା ଆଦି ଏମିତି ଅନେକ। ଆମେ କର୍ମରେ ବିଶ୍ୱାସ କରୁନା। କାମ କଲେ ଯେ ଜୀବନର ଉତ୍ତରୋତ୍ତର ଉନ୍ନତି ହୁଏ ତାହା ଆମେ ବୁଝୁନା। ସାହିତ୍ୟ ଯଦି କୁସଂସ୍କାର ଦୂରେଇ ପାରିଥାନ୍ତା ତେବେ ଏତେ ସବୁ ବାବା ସଂସ୍କାରରେ ନ ଥାନ୍ତେ।

୭. ପ୍ରଶ୍ନ: ଜଣେ ନାରୀ ପାଇଁ କେଉଁ ପ୍ରକାରର ସ୍ୱାଧୀନତା ନିହାତି ଜରୁରୀ, ଯାହାକି ଏଯାଏ ସମାଜ ସେ ସ୍ୱାଧୀନତା ଦେଇନାହିଁ?

ଉତ୍ତର: ଜଣେ ନାରୀ ପାଇଁ ବିଚରଣଗତ ସ୍ୱାଧୀନତା ଜରୁରୀ, ଯେଉଁଥିପାଇଁ କି ରାଷ୍ଟ୍ର ଦାୟୀ। ଆମ ରାଷ୍ଟ୍ର ଆମକୁ ସେତିକି ନିରାପତ୍ତା ଦେଇନି ବୋଲି ବହୁ ସମୟରେ ବାମାମାଆମାନେ ନିଜ ଝିଅକୁ ବାହାରକୁ ଛାଡ଼ିବାକୁ ଭୟ କରୁଛନ୍ତି। ମୋତେ ବହୁତ ଖରାପ ଲାଗେ ଯଦି ଜଣେ ୨୦ ବର୍ଷର ଭଉଣୀର ଅଙ୍ଗରକ୍ଷୀ ହୋଇ ତା’ ୧୪ ବର୍ଷର ଭାଇ ତା’ ସାଙ୍ଗରେ ଯାଏ। ମୋତେ ବହୁ ଅପମାନ ଅନୁଭବ ହୁଏ।

publive-image

(ଆପଣଙ୍କ ମୂଲ୍ୟବାନ ସମୟରୁ କିଛି ଆମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଧନ୍ୟବାଦ୍‌)