ରାଜ୍ୟର ନୂଆ ସରକାରରେ ଗୁରୁତ୍ବପୂର୍ଣ୍ଣ ଆଇନ ଓ ପୂର୍ତ୍ତ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ। ଚିଲିକା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀ ହରିଚନ୍ଦନ ରାଜ୍ୟ ରାଜନୀତିର ଜଣେ ଯୁବ ଚେହେରା। ଆଇନ ବିଭାଗର ମନ୍ତ୍ରୀ ଭାବେ ଚଳିତ ରଥଯାତ୍ରାର ସୁପରିଚାଳନା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ। ଏହି ପରିପ୍ରେକ୍ଷୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ତାଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି
ବିଭୂତି ପତି

Advertisment

ଏଥର ରଥଯାତ୍ରାରେ ଦୁଇ ଦିନ ଧରି ରଥଟଣା ହେବ। ଅଧିକ ଭକ୍ତ ସମାଗମ ହେବାର ସମ୍ଭାବନା ବି ରହିଛି। ଶୃଙ୍ଖଳିତ ନୀତିକାନ୍ତି ଓ ଭିଡ଼ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି?
ଏଥର ଏକ ବିରଳ ରଥଯାତ୍ରା ହେବାକୁ ଯାଉଛି। ତେଣୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ ଏଥିରେ କୌଣସି ସନ୍ଦେହ ନାହିଁ। ଏହାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ଶ୍ରୀମନ୍ଦିର ନୀତିକାନ୍ତିରେ ଯେପରି କୌଣସି ବିଶୃଙ୍ଖଳା ନହେବ ସେଥିପାଇଁ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି। ମହିଳାମାନଙ୍କ ପାଇଁ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଆଯାଇ ଅଧିକ ମହିଳା ସୁରକ୍ଷାକର୍ମୀ ଓ ପୁଲିସ ବ୍ୟବସ୍ଥା କରାଯାଇଛି। ଚୋରି ଓ ଅନ୍ୟ ଅପରାଧକୁ ନିୟନ୍ତ୍ରଣ କରିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାର୍କିଂସ୍ଥାନରେ ପାନୀୟ ଜଳ ଓ ଛାୟା ପ୍ରଦାନ କରିବା ଭଳି ଅସ୍ଥାୟୀ ଟେଣ୍ଟ୍ କରାଯାଇଛି। ଏହା ମହିଳା ଓ ଶିଶୁଙ୍କୁ ବର୍ଷା ଓ ଖରାରୁ ସୁରକ୍ଷା ଦେବା ସହିତ ଭକ୍ତଙ୍କ ବିଶ୍ରାମସ୍ଥଳୀ ଭାବେ କାର୍ଯ୍ୟ କରିବ।
ମହାମହିମ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ତେଣୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଚାରପତି, ସାଂସଦ-ବିଧାୟକ ଓ ବରିଷ୍ଠ ପଦାଧିକାରୀଙ୍କଠାରୁ ନେଇ ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ କିପରି ସୁରୁଖୁରୁରେ ରଥଯାତ୍ରା ଦେଖିପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ନୀତିକାନ୍ତିରେ ଯେପରି କୌଣସି ବିଶୃଙ୍ଖଳା ନ ହେବ ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ, ସରକାର ଓ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରାଯାଇଛି।

ଶ୍ରୀମନ୍ଦିରର ନୀତିକାନ୍ତି ଓ ବିଧିବ୍ୟବସ୍ଥା ସେବାୟତମାନଙ୍କ ଉପରେ ହିଁ ନିର୍ଭରଶୀଳ। ଏପରିସ୍ଥଳେ ସେମାନଙ୍କ ଲାଗି ସରକାର ଘୋଷଣା କରିଥିବା କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଆପଣଙ୍କ ଦୃଷ୍ଟିଭଙ୍ଗୀ କ’ଣ ରହିଛି?
ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ ଓଡ଼ିଶାର ଗର୍ବ, ଗୌରବ ଏବଂ ଓଡ଼ିଆ ଜାତିର ପରିଚୟ। ଜଗତର ନାଥ ଜଗନ୍ନାଥ ବିଶ୍ୱବ୍ରହ୍ମାଣ୍ଡପତି। ମହାପ୍ରଭୁ ସମଗ୍ର ମାନବଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ। ତାଙ୍କର ସେବାୟତଙ୍କ କଲ୍ୟାଣ ସବୁବେଳେ ସମସ୍ତଙ୍କର ପ୍ରଧାନ କର୍ତ୍ତବ୍ୟ। ଆମେ ଯେଉଁ ପ୍ରତିଶ୍ରୁତି ଦେଇଛୁ, ତାହାକୁ ନିଶ୍ଚିତ ପାଳନ କରିବୁ। ଆମର ମୁଖ୍ୟମନ୍ତ୍ରୀ ଏହାର ପ୍ରମାଣ କରିସାରିଲେଣି। ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ର ସହ ସେବାୟତଙ୍କର କଲ୍ୟାଣ ପାଇଁ ଆଲୋଚନା ମାଧ୍ୟମରେ ଆମେ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବୁ।

ଦେଶର ଅନ୍ୟ କେତେକ ମନ୍ଦିର ଭଳି ପୁରୀରେ ମଧ୍ୟ ସେବାୟତଙ୍କ ଲାଗି ବେତନ ବ୍ୟବସ୍ଥା କରାଗଲେ ସେମାନଙ୍କର ଉତ୍ତରଦାୟିତ୍ବ ବଢ଼ିବା ସହ ଆର୍ଥିକ ସ୍ବାବଲମ୍ବନ ମଧ୍ୟ ହୋଇପାରିବ। ଏ ଦିଗରେ ସରକାର କିଛି ଚିନ୍ତା କରୁଛନ୍ତି କି?
ଶ୍ରୀମନ୍ଦିରର ସେବାୟତଙ୍କ କଲ୍ୟାଣ ଲାଗି ସରକାର ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ସେମାନଙ୍କ ବେତନ ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ ମନ୍ଦିର ପ୍ରଶାସନ କିମ୍ବା ସେବାୟତମାନଙ୍କ ତରଫରୁ ସରକାରଙ୍କ ସହିତ କୌଣସି ଆଲୋଚନା ହୋଇନାହିଁ। ବିଭିନ୍ନ ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ସହିତ ଆଲୋଚନା ଓ ତର୍ଜମା ପରେ ଏହି ପ୍ରସଙ୍ଗ ଆଗକୁ ବଢ଼ିପାରେ। ସତ କହିବାକୁ ଗଲେ, ସେବାୟତଙ୍କ ବେତନ ପ୍ରସଙ୍ଗରେ କୌଣସି ପ୍ରସ୍ତାବ ଆସିନାହିଁ ଓ ଆଲୋଚନା ବି ହୋଇନାହିଁ।
ଆପଣଙ୍କ ସରକାର ଦାୟିତ୍ବ ନେଉ ନେଉ ଶ୍ରୀମନ୍ଦିର ଲାଗି ୫୦୦ କୋଟି ଟଙ୍କାର କର୍ପସ୍ ଫଣ୍ଡ୍ କରିଛନ୍ତି। ଏହା କିଭଳି ଭାବେ ମନ୍ଦିର ପରିଚାଳନାକୁ ସହାୟକ ହେବ?
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଅନେକ କାର୍ଯ୍ୟ ବାକିଅଛି। ସେ ସବୁ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଏବଂ ଏହାକୁ ଶୀଘ୍ର ଶେଷ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ସହାୟତାକୁ ଅପେକ୍ଷା କରିବା ଅନାବଶ୍ୟକ। ଯଥାଶୀଘ୍ର ଛୋଟବଡ଼ କାର୍ଯ୍ୟ ଆରମ୍ଭ କରି ଶେଷ କରିବାରେ ଏହି କର୍ପସ ପାଣ୍ଠି ସହାୟକ ହେବ। ଶ୍ରୀମନ୍ଦିରର ଉନ୍ନତି ଓ ବିକାଶ କାର୍ଯ୍ୟ ଏହି ପାଣ୍ଠି ମାଧ୍ୟମରେ ସହଳ କରାଯାଇପାରିବ। ଖର୍ଚ୍ଚ ହୋଇଥିବା ଅର୍ଥ ସରକାର ସମୟକ୍ରମେ ଭରଣା କରିବେ। ଅନେକ ସମୟରେ ଏଏସ୍ଆଇର ରକ୍ଷଣାବେକ୍ଷଣ କାର୍ଯ୍ୟ ବିଳମ୍ବିତ ହେଉଛି। ଏହାକୁ ଆଖି ଆଗରେ ରଖି ପାଣ୍ଠିର ବ୍ୟବସ୍ଥା କରାଯାଇଛି। ମୁଁ ଏଏସ୍ଆଇ ପଦାଧିକାରୀଙ୍କ ସହିତ ଆଲୋଚନା କରିଛି ଏବଂ ସେମାନେ ଅନେକ ଆବଶ୍ୟକ ନିର୍ମାଣ ଓ ମରାମତି କାର୍ଯ୍ୟ ଆରମ୍ଭ କରିସାରିଲେଣି।

ଶ୍ରୀମନ୍ଦିର ସ୍ବତ୍ବଲିପି (ରେକର୍ଡ ଅଫ୍ ରାଇଟସ୍) ୬୦ ବର୍ଷ ପୁରୁଣା। ୪ ପିଢ଼ି ପୁରୁଣା ହୋଇଥିବାରୁ ଅନେକ ସମୟରେ ଏହା ନୀତି ବିଶୃଙ୍ଖଳାର କାରଣ ବି ହେଉଛି। ରେକର୍ଡ ଅଫ୍ ରାଇଟସ୍‌କୁ ନବୀକରଣ କରାଯିବା ଏକ ବଡ଼ ଆହ୍ବାନ। ଏ ଦିଗ ପ୍ରତି ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ?
ସ୍ବତ୍ବଲିପିକୁ ଆମେ ସଂପୂର୍ଣ୍ଣ ଡିଜିଟାଇଜ୍‌ କରିବା ପାଇଁ ଉଦ୍ୟମ କରୁଛୁ। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ମୁଁ ନିଜେ ସ୍ବତ୍ବଲିପିକୁ ଡିଜିଟାଇଜ୍‌ କରିବାକୁ ମତ ଦେଇଥିଲି। ଏହା ଏକ ଯୁଗୋପଯୋଗୀ ପଦକ୍ଷେପ ହେବ ଏବଂ ଆଗାମୀ ପରିବର୍ତ୍ତନ ସବୁକୁ ସେଥିରେ ସହଜରେ ସାମିଲ କରାଯାଇପାରିବ। ମହାପ୍ରଭୁଙ୍କ ଲୀଳାଖେଳାର ଯେଉଁସବୁ ବିଧିବ୍ୟବସ୍ଥାର ବର୍ଣ୍ଣନା ସେଥିରେ ରହିଛି, ଯଦି ଏବେଠାରୁ ତାହାକୁ ସୁରକ୍ଷିତ ରଖା ନ ଯାଏ ତେବେ ଆଗାମୀ ଦିନରେ ସେସବୁର ସ୍ପଷ୍ଟ ଚିତ୍ର ହୁଏତ ମିଳି ନପାରେ।
ମୋର କହିବା କଥା, ୧୯୭୧ ମସିହାରେ ଏଭଳି ଏକ ରଥଯାତ୍ରା ହୋଇଥିଲା, ଯେଉଁଥିରେ ତିନୋଟି ପର୍ବର ନୀତିକାନ୍ତି ଗୋଟିଏ ଦିନରେ ହୋଇଥିଲା। ୧୯୭୧ର ସେହି ଘଟଣା ସ୍ବତ୍ବଲିପିରେ ଉଲ୍ଲେଖ ଥିବା ନୀତିକାନ୍ତି ଆଜି ପ୍ରାୟତଃ ଅସ୍ପଷ୍ଟ ଏବଂ ସେଥିରୁ ଅନେକ ତଥ୍ୟ ଉଦ୍ଧାର କରିବା କଷ୍ଟକର ହୋଇପଡୁଛି। ତେଣୁ ସ୍ବତ୍ବଲିପିକୁ ଡିଜିଟାଇଜ୍ କରିବା ଆବଶ୍ୟକ ହୋଇପଡ଼ିଲାଣି। ଏହାଫଳରେ ଦସ୍ତାବିଜ୍‌ଟି ସୁରକ୍ଷିତ ରହିପାରିବ। ସେହିସବୁ ନୀତିକାନ୍ତିର ତଥ୍ୟ ଓ ରେକର୍ଡ ଦେଖି ପରବର୍ତ୍ତୀ ପିଢ଼ିର ସେବାୟତ ଓ ପ୍ରଶାସକ ଶ୍ରୀମନ୍ଦିରର ପରମ୍ପରା ସଂପର୍କରେ ଅବଗତ ହୋଇପାରିବେ।

ଶ୍ରୀମନ୍ଦିର ସଂସ୍କାର ଲାଗି ସରକାର ବସାଇଥିବା ଜଷ୍ଟିସ୍ ବି. ପି. ଦାସ କମିସନ୍‌ଙ୍କ ରିପୋର୍ଟ ଓ ତାଙ୍କର ପରାମର୍ଶକୁ ଆପଣଙ୍କ ସରକାର ବିଚାରକୁ ନେବେ କି? ଏ ଦିଗରେ କୌଣସି ପଦକ୍ଷେପ ନେବେ କି?
ଜଷ୍ଟିସ୍ ବି. ପି. ଦାସ କମିସନ୍‌ ଯେଉଁ ରିପୋର୍ଟ ଦେଇଥିଲେ ସେହି ରିପୋର୍ଟ ଆଧାରରେ କେତେକ ପରିବର୍ତ୍ତନ କରାଯାଇଛି ଏବଂ ଆଉ କିଛି ମଧ୍ୟ କରିବାକୁ ଆମ ସରକାର ପ୍ରସ୍ତୁତ ହୋଇଛନ୍ତି। ପୁରୀର ସମଗ୍ର ବିକାଶ ସହିତ ଏହାକୁ ବିଶ୍ବର ଅନ୍ୟତମ ଆଧୁନିକ ଆଦର୍ଶ ସୁପ୍ରସିଦ୍ଧ ତୀର୍ଥକ୍ଷେତ୍ରରେ ପରିଣତ କରିବା ଆମର ଲକ୍ଷ୍ୟ। ଏହା ସହିତ ମନ୍ଦିରର ଉନ୍ନତୀକରଣ, ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଏସବୁ ପାଇଁ ଜଷ୍ଟିସ୍ ବି. ପି. ଦାସ କମିସନ୍‌ଙ୍କ ରିପୋର୍ଟରୁ ନେଇ ସବୁବର୍ଗର ସେବାୟତ, ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀଙ୍କ ସମେତ ଏଏସ୍ଆଇର ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ଓ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସେଥିପାଇଁ ଆମେ ପ୍ରସ୍ତାବ ଦେଇଛୁ, ରଥଯାତ୍ରା ପରେ ଏ ପ୍ରସଙ୍ଗରେ ଚର୍ଚ୍ଚା ହେବ।

ଆପଣଙ୍କ ବାପା ତିନିତିନି ଥର ରାଜ୍ୟର ଆଇନ ମନ୍ତ୍ରୀ ଥିଲେ- ୧୯୭୭, ୨୦୦୦ ଓ ୨୦୦୪ରେ। ଏସବୁ ବ୍ୟାପାରରେ ତାଙ୍କ ସହ ପରାମର୍ଶ କଲେଣି?
ଯେକୌଣସି ସମୟରେ କିମ୍ବା କାର୍ଯ୍ୟରେ ମୁଁ ଯଦି କୌଣସି ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହୁଏ କିମ୍ବା ସମସ୍ୟା ସମାଧାନରେ ବାଧା ଉପୁଜେ ତେବେ ନିଶ୍ଚିତ ମୁଁ ମୋ ବାପାଙ୍କ ପରାମର୍ଶ ନେଇଥାଏ। ତାଙ୍କର ଅଭିଜ୍ଞ ପରାମର୍ଶ ମୋର ସମସ୍ୟାକୁ ସମାଧାନ କରିବାରେ ସର୍ବଦା ସହାୟକ ହୋଇଥାଏ।