ଚଳିତ ବିଧାନସଭା ବଜେଟ୍ ଅଧିବେଶନ ବେଶ୍ ସରଗରମ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀ ଦଳ ବିଧାୟକମାନଙ୍କର ପ୍ରତିବାଦ ହଙ୍ଗାମାକୁ ମୁକାବିଲା କରୁଛନ୍ତି ଶାସକ ଦଳ। ତେବେ ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ଦଳ ସଦସ୍ୟଙ୍କ ହଙ୍ଗମା ଗ୍ରହଣୀୟ ନ ହେବାରୁ ବାଚସ୍ପତି କଂଗ୍ରେସ ବିଧାୟକମାନଙ୍କୁ ଗୃହକାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଏଭଳି ବିରୋଧ ଓ ବିକ୍ଷୋଭକୁ ଗୁରୁତର ବିଶୃଙ୍ଖଳା ବୋଲି ସରକାରୀ ଦଳ କହୁଥିବା ବେଳେ ବିେରାଧୀ ଦଳ ଏହାକୁ ଗଣତନ୍ତ୍ରର ସ୍ବର ବୋଲି ଆଖ୍ୟା ଦେଇଛନ୍ତି। ଏଣେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛି ଏବଂ ସରକାର ମୁକାବିଲାମୂଳକ ମନୋଭାବ ପୋଷଣ କରିଛନ୍ତି। ଏହି ପ୍ରକରଣକୁ ନେଇ ସାମ୍ନାସାମ୍ନି ହୋଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ। ଉଭୟଙ୍କ ସହିତ ସାମ୍ନାସାମ୍ନି ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି
ବିଜେଡି ଶାସନ ଦମନଲୀଳାର ନକଲ କଲେ ବିଜେପି ସରକାର: ତାରାପ୍ରସାଦ ବାହିନୀପତି
ବିଧାନସଭା ବଜେଟ୍ ଅଧିବେଶନ ଆଲୋଚନାରେ ହାଉସ୍ କମିଟି ଗଠନ ପ୍ରସ୍ତାବକୁ ନେଇ ବିରୋଧ ପ୍ରଦର୍ଶନ କରି ଗୃହ ଚଳାଇ ନ ଦେବା କେତେଦୂର ଯଥାର୍ଥ?
ବିଧାନସଭାରେ ରାଜ୍ୟର ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ହାଉସ୍ କମିଟି ଗଠନ ପ୍ରସ୍ତାବ କ’ଣ ଗୁରୁତ୍ବପୂର୍ଣ୍ଣ ନୁହେଁ? ବିଗତ ୨୪ ବର୍ଷର ନବୀନ ସରକାରେର ପରୀ, କୁନ୍ଦୁଲି ଓ ମମିତା ମେହେର ଭଳି ଏକାଧିକ ଘଟଣା ଘଟିଥିବା ବେଳେ ବର୍ତ୍ତମାନର ବିଜେପି ସରକାରରେ ମଧ୍ୟ ଏଭଳି ଘଟଣା ଘଟିଚାଲିଛି। ତେଣୁ ନାରୀ ସୁରକ୍ଷା ପ୍ରସଙ୍ଗରେ ହାଉସ୍ କମିଟି ଗଠନ ବର୍ତ୍ତମାନ ନିତାନ୍ତ ଆବଶ୍ୟକ। ଏଭଳି ଦାବିକୁ ସରକାର ଅଗ୍ରାହ୍ୟ କରିଦେଲେ। ତେଣୁ ବିରୋଧ ପ୍ରଦର୍ଶନ ହେବା ସ୍ବାଭାବିକ।
ଜଣେ ବରିଷ୍ଠ ବିଧାୟକ ହିସାବରେ ଆପଣ ବିତର୍କ ନ କରି ଗୃହରେ ବିରୋଧ ପ୍ରଦର୍ଶନ କରିବା ନାମରେ ଯେଉଁଭଳି ବିଶୃଙ୍ଖଳିତ ଆଚରଣ କରୁଛନ୍ତି, ତାହା କ’ଣ ଠିକ୍?
ଆମ ନ୍ୟାଯ୍ୟ ଦାବି ପ୍ରତି ସରକାର ଓ ବାଚସ୍ପତି ଦୃଷ୍ଟି ନ ଦେବା ଏବଂ ଏହାକୁ ଗ୍ରହଣ ନ କରିବା କ’ଣ ଠିକ୍? ଆମ ଦାବି ଗ୍ରହଣ ନ କରି, ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନ କରି ଯେଭଳି ଭାବରେ ବିଧାୟକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ତାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ବାଚସ୍ପତି ସର୍ବଦା ନିରପେକ୍ଷତା ଅବଲମ୍ବନ କରିବା ଉଚିତ। ବାଚସ୍ପତି ଗୃହରେ ପୁଲିସ ପୂରାଇଦେଲେ। ଶାସକ ଦଳର ବିଧାୟକମାନଙ୍କୁ ସେ କୈଫିୟତ୍ ବି ତଲବ କରୁନାହାନ୍ତି। ବାଚସ୍ପତିଙ୍କ ନିକଟରେ ନିରପେକ୍ଷତା ଦେଖିବାକୁ ମିଳୁନାହିଁ। ଏହା କ’ଣ ଗୃହର ଶୃଙ୍ଖଳା ଓ ମର୍ଯ୍ୟାଦା ଉଲ୍ଲଂଘନ କରୁନାହିଁ? ତେଣୁ ଆପଣ କେଉଁଭଳି ତର୍କ ଓ ବିରୋଧ ପ୍ରଦର୍ଶନର ତରିକା କଥା କହୁଛନ୍ତି?
ବିଧାନସଭା ଘେରାଉ ବେଳେ ଆପଣଙ୍କ ଆନ୍ଦୋଳନକାରୀଙ୍କ ଟେକାପଥର ମାଡ଼ରେ ସାମ୍ବାଦିକ, ପୁଲିସ ଓ ସାଧାରଣ ଜନତା ଆହତ ହେଲେ। ଏହା କେଉଁଭଳି ଅହିଂସା?
ମୁଁ ସ୍ପଷ୍ଟଭାବେ କହିବାକୁ ଚାହେ, ଆମେ କୌଣସି ପ୍ରକାର ହିଂସା ଆଚରଣ ପ୍ରଦର୍ଶନ କରିନାହୁଁ। ଯେଉଁମାନେ ଟେକାପଥର ମାଡ଼ କରିଛନ୍ତି ସେମାନଙ୍କୁ ଆମ ଆନ୍ଦୋଳନ ଭଣ୍ଡୁର କରିବା ପାଇଁ ଷଡ୍ଯନ୍ତ୍ର କରି ପଠାଯାଇଥିଲା। ସେମାନେ ଆମ କର୍ମୀ ନୁହନ୍ତି। ଏକଥା ଆମ ଦଳର ସଭାପତି ମଧ୍ୟ ସ୍ପଷ୍ଟ ଭାବରେ କହିସାରିଛନ୍ତି।
ଆପଣ ପରୋକ୍ଷରେ ବିଜେଡି ସହିତ ସାମିଲ ହୋଇ ବିଧାନସଭା ଚଳାଇ ଦେଉନାହାନ୍ତି। ବିଜେଡି ଏସ୍ସି/ଏସ୍ଟି ସଂରକ୍ଷଣ ବ୍ୟବସ୍ଥା ଦାବିରେ ଯେଉଁଭଳି ଭାବରେ ଲଣ୍ଠନ ଓ ଗଙ୍ଗାପାଣି ଛିଞ୍ଚି ଗୃହରେ ବିରୋଧ ପ୍ରଦର୍ଶନ କରୁଛି, ତାହାକୁ ନେଇ କ’ଣ କହିବେ?
ବିଜେଡି ଓ ବିଜେପି ଗଣତନ୍ତ୍ରରେ ବିଶ୍ବାସ କରନ୍ତିନାହିଁ। ଆମେ କାହାଦ୍ବାରା ପରିଚାଳିତ ହେଉନାହୁଁ। ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଥିବା ସମୟରେ ୨୦୧୨ ମସିହାରେ କଂଗ୍ରେସ ଆନ୍ଦୋଳନକାରୀଙ୍କ ଉପରେ ସେତେବେଳର ବିଜେଡି ସରକାର ପୁଲିସ ପ୍ରଶାସନକୁ ନେଇ ଯେଉଁଭଳି ଭାବରେ ବର୍ବର ଦମନଲୀଳା କରିଥିଲା, ତାହାକୁ ମୁଁ ଆଜି ବି ଭୁଲିନି। ତାହାର ଅବିକଳ ନକଲ କରିଛି ବିଜେପି ସରକାର। ଉଭୟ ଏକଚ୍ଛତ୍ରବାଦରେ ବିଶ୍ବାସ କରନ୍ତି। ବିଜେଡିର ଆନ୍ଦୋଳନ, ବିରୋଧ ପ୍ରଦର୍ଶନ ଓ ସେମାନଙ୍କର ଦାବି ଉପରେ ମୋର କୌଣସି ମତ ଦେବାର ନାହିଁ।
ଗୃହ ଚଳାଇ ନ ଦେବାର ଷଡ୍ଯନ୍ତ୍ର ଦିଲ୍ଲୀରୁ ହୋଇଛି: ଇରାଶିଷ ଆଚାର୍ଯ୍ୟ
ଆପଣଙ୍କ ସରକାର କଂଗ୍ରେସର ହାଉସ୍ କମିଟି ଗଠନ ଦାବି ଗ୍ରହଣ ନ କରିବାର କାରଣ କ’ଣ?
ବିଧାନସଭାରେ କଂଗ୍ରେସ ଓ ବିଜେଡିର ହତାଶା ତଥା ନିରାଶାଭାବର ପ୍ରତିଫଳନ ଦେଖିବାକୁ ମିଳୁଛି। ଆଲୋଚନା, ତର୍କବିତର୍କ ନ କରି ବାରମ୍ବାର ବିରୋଧ ପ୍ରଦର୍ଶନ ନାମରେ ବିଶୃଙ୍ଖଳିତ ଆଚରଣ କରିବା ଆଦୌ ଗ୍ରହଣୀୟ ନୁହେଁ। ପାଞ୍ଚ ପାଞ୍ଚଥରର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କଠାରେ କ’ଣ ଏଭଳି ବିଶୃଙ୍ଖଳା ଶୋଭାପାଏ? ବିରୋଧୀ ଦଳ ଆଲୋଚନାକୁ ଆସନ୍ତୁ। ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରନ୍ତୁ। ଜନସାଧାରଣଙ୍କ ଉନ୍ନତି ଓ ରାଜ୍ୟର ପ୍ରଗତି ପାଇଁ ଗଠନମୂଳକ ପ୍ରସ୍ତାବ ଦିଅନ୍ତୁ। ହାଉସ୍ କମିଟି ଗଠନ ବିଧାନସଭାର ରୁଲ୍ସ୍ ଓ ପ୍ରୋସିଡିଙ୍ଗ୍ ନିୟମ ଅନୁଯାୟୀ କରାଯାଇଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ଏହା ବିରୋଧୀ ଦଳର ବିଧାୟକମାନେ ଭଲ ଭାବରେ ଜାଣିଛନ୍ତି।
ବିଧାନସଭା ଘେରାଉରେ ପୁଲିସର ଆକ୍ରମଣ ଓ ଲାଠିଚାଳନାର ଦମନଲୀଳା ଅମାନୁଷିକ ନୁହେଁ କି?
ମୁଁ ପ୍ରଥମେ ପଚାରିବାକୁ ଚାହେ ଲୋୟର ପିଏମ୍ଜିର ଆନ୍ଦୋଳନ ସ୍ଥାନକୁ ଟେକାପଥର କିଏ ଆଣିଲା ଏବଂ କେଉଁଠୁ ଆସିଲା? ପ୍ରଥମେ ଟେକାପଥର ମାରି ପୁଲିସକୁ ଆକ୍ରମଣ କରି ଆଇନଶୃଙ୍ଖଳା ପରିସ୍ଥିତି କିଏ ଆରମ୍ଭ କରିଥିଲେ?
କଂଗ୍ରେସ ବିଧାୟକମାନଙ୍କ ପ୍ରତିବାଦକୁ ବିଶୃଙ୍ଖଳାର ନାମ ଦେଇ ନିଲମ୍ବନ କରିବା ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟ ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ କ’ଣ କହିବେ?
ଯେଉଁ ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହରେ କଂଗ୍ରେସ ବିଧାୟକମାନେ ହାଉସ୍ କମିଟି ଗଠନ କଥା କହିଲେ ସେହି ପ୍ରସଙ୍ଗର ଲମ୍ବା ଫର୍ଦ୍ଦ ମୁଁ ଖୋଲିବାକୁ ଚାହୁନି। କିନ୍ତୁ ମୁଁ ଏତିକି କହିବି, ୨୪ ବର୍ଷର ବିଜେଡି ଶାସନ ସମୟରେ କଂଗ୍ରେସ ବିଧାୟକମାନେ ଏଭଳି ଦାବି କାହିଁକି କରି ନ ଥିଲେ? ବାଚସ୍ପତି ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ଗୃହ ଚଳାଇ ନ ଦେବା କ’ଣ ବିଶୃଙ୍ଖଳା ନୁହେଁ? ଆପଣ କହନ୍ତୁ, ଏଭଳି ପରିସ୍ଥିତିରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅତୀତରେ କ’ଣ ଗ୍ରହଣ କରାଯାଇ ନାହିଁ? ମୁଲତବୀ ପ୍ରସ୍ତାବରେ ଅଂଶଗ୍ରହଣ କରି ଗୃହରେ ଆମେ ତଥ୍ୟ ଦେଲୁ, ବିଗତ ନବୀନ ସରକାରଙ୍କର ଶେଷ ଏକ ବର୍ଷ ମଧ୍ୟରେ ଏବଂ ଆମର ୯ ମାସ ସରକାରର ଶାସନ ସମୟରେ ମହିଳା ଅପରାଧ ୪.୨ ପ୍ରତିଶତ ହ୍ରାସ ପାଇଛି। ଏହାପରେ ମଧ୍ୟ ଗୃହ ଚଳାଇ ନ ଦେବା କେତେଦୂର ଯଥାର୍ଥ? ଏ ଷଡ୍ଯନ୍ତ୍ର ଦିଲ୍ଲୀରୁ ହୋଇଛି।
ବାଚସ୍ପତିଙ୍କ ନିରପେକ୍ଷତା ଓ ଗୃହରେ ପୁଲିସ ଭର୍ତ୍ତି କରିବା ଅଭିଯୋଗକୁ ନେଇ କ’ଣ ମତ ଦେବେ? ଏସ୍ସି/ଏସ୍ଟି / ଓବିସି ସଂରକ୍ଷଣକୁ ଆପଣ ଏଡ଼ାଇ ଯାଉଛନ୍ତି କାହିଁକି?
ବିଜେଡି ଓ କଂଗ୍ରେସ ମିଶି ଏଭଳି ଷଡ୍ଯନ୍ତ୍ର ରଚାଇ ଅଭିଯୋଗ ଆଣୁଛନ୍ତି। ମୁଁ ପ୍ରଥମେ ଅରୁଣ ସାହୁଙ୍କୁ ମନେପକାଇ ଦେବାକୁ ଚାହେ ଯେମିତି ଲଣ୍ଠନ ଧରି ସେମାନେ ବିଧାନସଭାର ପବିତ୍ର ଗୃହରେ ବିରୋଧ ପ୍ରଦର୍ଶନ କଲେ, ଯଦି ନିଜର ୨୪ ବର୍ଷର ଶାସନ କାଳରେ ଏପରି କରିଥାନ୍ତେ ତେବେ ହୁଏତ ବିଜେଡିର ଲମ୍ବା ଅପରାଧ ତାଲିକା ଆହୁରି ଲମ୍ବି ନ ଥାନ୍ତା। ଅନୁତପ୍ତ ବିଜେଡି ବିଧାୟକମାନେ ସେହି ପାପମୋଚନ କରିବାକୁ ବିଧାନସଭାରେ ଗଙ୍ଗାଜଳ ସିଞ୍ଚନକଲେ। ବିଜେଡି ସରକାର ସମୟର ଅନେକ ଅପରାଧ ଓ ଦମନଲୀଳା, ଏପରିକି ନିରୀହ ଜନସାଧାରଣଙ୍କୁ ପୁଲିସ ଗୁଳିକରି ମାରିବା ଘଟଣାକୁ ଆଜି କଂଗ୍ରେସ ଭୁଲିଯାଉଛି କେମିତି? ବିଧାନସଭାରେ ପୁଲିସ ପୂରାଇବା ଅଭିଯୋଗ ଭିତ୍ତିହୀନ। କାରଣ ଆଇନଶୃଙ୍ଖଳା ରକ୍ଷାକରିବା ପୁଲିସର ଦାୟିତ୍ବ। ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ରାଜା ସ୍ବାଇଁ ଗୃହରେ ଯେଉଁ ପ୍ରଶ୍ନ ଉଠାଇଛନ୍ତି ସେ ତାଙ୍କ ସରକାରରେ ବାଚସ୍ପତି ଥିବା ପ୍ରମିଳା ମଲ୍ଲିକଙ୍କ ସମୟକୁ ଦେଖନ୍ତୁ ଏବଂ ଅନ୍ୟ ଦୁଇଜଣ ଦିବଂଗତ ବାଚସ୍ପତିଙ୍କ କଥା ବର୍ତ୍ତମାନ ମୁଁ ଅାଉ ଉଠାଇବାକୁ ଚାହୁନାହିଁ। ବାଚସ୍ପତି ସଂପୂର୍ଣ୍ଣ ନିରପେକ୍ଷତା ଅବଲମ୍ବନ କରୁଛନ୍ତି। ଯେଉଁ ଏସ୍ସି/ଏସ୍ଟି/ ଓବିସି ସଂରକ୍ଷଣ ଦାବି କଥା ଅରୁଣ ସାହୁ ୯ ମାସର ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ସେଥିଲାଗି ତାଙ୍କ ୨୪ ବର୍ଷର ସରକାର କ’ଣ କରୁଥିେଲ?