ନିକ୍ ଲୋ’ କୋଲକାତାରେ ବ୍ରିଟିସ୍ ଉପ ଉଚ୍ଚ ଆୟୁକ୍ତ ଭାବେ ଅବସ୍ଥାପିତ ଅଛନ୍ତି। ସେ ଓଡ଼ିଶା ସମେତ ୧୩ ଭାରତୀୟ ରାଜ୍ୟ ଯଥା ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ୍, ତ୍ରିପୁରା ଏବଂ ଆଣ୍ଡାମାନ୍-ନିକୋବର ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ବ୍ରିଟେନ୍ (ୟୁନାଇଟେଡ୍ କିଙ୍ଗଡମ୍) ତରଫରୁ ପ୍ରତିନିଧିତ୍ବ କରୁଛନ୍ତି। ଭାରତରେ ତାଙ୍କ କାର୍ଯ୍ୟକାଳକୁ ଆସନ୍ତାକାଲି (ଶୁକ୍ରବାର) ବର୍ଷେ ପୂରିବ। ଏହି ଅବସରରେ ଏକ ଇ-ମେଲ୍ ସାକ୍ଷାତକାରରେ ଦୈନିକ ‘ସମ୍ବାଦ’ ସହ ସେ ନିଜ ଅନୁଭୂତି ବାଣ୍ଟିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ର: ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦୀର୍ଘ ବର୍ଷର ସାଂସ୍କୃତିକ ସଂପର୍କ ଦୁଇ ମହାନ ରାଷ୍ଟ୍ର ମଧ୍ୟରେ ଏକ ‘ଜୀବନ୍ତ ସେତୁ’ ବା ‘ଲିଭିଂ ବ୍ରିଜ୍’ ଗଠନ କରିଛି। ଏହା ଉପରେ କ’ଣ କହିବେ?
ଉ: ବ୍ରିଟେନ୍ ଓ ଭାରତର ଲୋକ-ଲୋକଙ୍କ ମଧ୍ୟରେ ଥିବା ଶକ୍ତିଶାଳୀ ସମ୍ପର୍କକୁ ବର୍ଣ୍ଣନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଲିଭିଂ ବ୍ରିଜ୍’ ଶବ୍ଦର ପ୍ରୟୋଗ କରିଛନ୍ତି। ଏହି ସଂପର୍କ ଦୁଇ ଦେଶର ସରକାର-ସରକାର ସଂପର୍କଠାରୁ ଅଲଗା ଅଟେ। ବ୍ରିଟେନ୍ରେ ୧୫ ଲକ୍ଷରୁ ଊର୍ଧ୍ବ ଭାରତୀୟ ବସବାସ କରୁଛନ୍ତି, ଯେଉଁମାନଙ୍କର ବ୍ରିଟେନ୍ ପ୍ରତି ବିଭିନ୍ନ କ୍ଷେତ୍ରରେ ବିପୁଳ ଅବଦାନ ରହିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଦାହରଣ ସ୍ବରୂପ, ଆମର ଜାତୀୟ ସ୍ବାସ୍ଥ୍ୟସେବା (ଏନ୍ଏଚ୍ଏସ୍)ରେ ୨୭ ହଜାରରୁ ଅଧିକ ଭାରତୀୟ କାର୍ଯ୍ୟରତ। ଏହା ଭାରତ ପାଇଁ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏଇ ଯେମିତି ‘ମିଲେନିୟମ୍ ନ୍ୟୁରୋସର୍ଜନ’ର ଡାକ୍ତର ରବିନ୍ ସେନ୍ଗୁପ୍ତାଙ୍କୁ ଉଦାହରଣ ନିଆଯାଇପାରେ। ଦୀର୍ଘ ୪ ଦଶନ୍ଧି ବ୍ରିଟେନ୍ରେ କାର୍ଯ୍ୟ କରିବା ପରେ ସେଠାରୁ ଫେରି କୋଲକାତାରେ ଏକ ଅତ୍ୟାଧୁନିକ ସ୍ନାୟୁ ବିଜ୍ଞାନ ଅନୁସନ୍ଧାନ ଏବଂ ଚିକିତ୍ସା କେନ୍ଦ୍ର ‘ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋ ସାଇନ୍ସେସ୍’ ପ୍ରତିଷ୍ଠା କରିଛନ୍ତି।
‘ଲିଭିଂ ବ୍ରିଜ୍’ର ଅନ୍ୟ ଏକ ମୂଳଦୁଆ ହେଉଛି ଶିକ୍ଷା। ବ୍ରିଟେନ୍ରେ ବାକି ଦେଶର ଛାତ୍ରମାନଙ୍କ ସଂଖ୍ୟା ଅପେକ୍ଷା ଭାରତୀୟ ଛାତ୍ରଙ୍କ ସଂଖ୍ୟା ସର୍ବାଧିକ। ବ୍ରିଟେନ୍ରେ ଥିବା ବିଶ୍ବର ନାମକରା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ପାଇଁ କେବଳ ଗତ ଆର୍ଥିକ ବର୍ଷରେ ପ୍ରାୟ ୫୦ ହଜାର ଭାରତୀୟ ଛାତ୍ରଙ୍କୁ ଭିସା ମିଳିଥିଲା। ଏହି ସଂଖ୍ୟା ତା’ ପୂର୍ବବର୍ଷ ତୁଳନାରେ ୧୩୬ ପ୍ରତିଶତ ଅଧିକ।
ଲଣ୍ଡନରେ ‘ବଙ୍ଗଳା’ ହେଉଛି ବହୁଳ ଭାବେ କୁହାଯାଉଥିବା ‘ବିଦେଶୀ’ ଭାଷା ଏବଂ ମୋ ସହରରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଖବର ଦେଖି ମୋତେ ଖୁସି ଲାଗିଥିଲା। ବ୍ରିଟେନ୍ ଏବଂ ଭାରତ ପରସ୍ପରର ସଂସ୍କୃତି ଏବଂ ପରମ୍ପରାକୁ ଗ୍ରହଣ କରନ୍ତି। ଆମର ସମାନ ଆଇନ ବ୍ୟବସ୍ଥା ଅଛି, କ୍ରିକେଟ୍ ପ୍ରତି ମଧ୍ୟ ସମ ଉତ୍ସାହ। ବ୍ରିଟେନର ଜାତୀୟ ତଥା ଲୋକପ୍ରିୟ ଖାଦ୍ୟ ମାଛ ଏବଂ ଚିପ୍ସର ସ୍ଥାନ ଏବେ ଚିକେନ୍ ଟିକ୍କା ମସାଲା ନେଇଛି। ଏହି ସବୁ ଜିନିଷ ଦୁଇ ଦେଶ ମଧ୍ୟରେ ଏକ ଅତୁଳନୀୟ ସଂପର୍କ ଗଠନ କରେ।
ପ୍ର: କୋଭିଡ୍-୧୯ ମହାମାରୀ ‘ଜୀବନ୍ତ ବ୍ରିଜ୍’କୁ କିପରି ପ୍ରଭାବିତ କରିଛି?
ଉ: ଶତାବ୍ଦୀର ସର୍ବବୃହତ୍ ଜନସ୍ବାସ୍ଥ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତି କୋଭିଡ୍-୧୯ ମହାମାରୀ। ବିଶ୍ବର କୌଣସି ଦେଶ ଏହା ପ୍ରଭାବରୁ ବର୍ତ୍ତି ପାରିନାହାନ୍ତି। ବିଶ୍ୱସ୍ତରରେ ନିର୍ଣ୍ଣାୟକ ଏବଂ ସମନ୍ୱିତ କାର୍ଯ୍ୟ ଦ୍ବାରା ଏଥିରୁ ମୁକ୍ତି ପାଇ ହେବ ବୋଲି ମୁଁ ବିଚାର କରେ। ମୋର ଦୃଢ଼ ବିଶ୍ବାସ, ଏଭଳି ବିଶ୍ବସଂକଟ ସମୟରେ ଦୁଇ ଦେଶ ମଧ୍ୟରେ ଥିବା ‘ଲିଭିଂ ବ୍ରିଜ୍’ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବ। ମହାମାରୀର ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଉଭୟ ଭାରତ ଓ ବ୍ରିଟେନ୍ ଅନ୍ତର୍ଜାତୀୟସ୍ତରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି; ତାହା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହଯୋଗରେ ଆଷ୍ଟ୍ରାଜେନେକା ଓ ସେରମ୍ ଇନ୍ଷ୍ଟିଚ୍ୟୁଟ୍ର ‘କୋଭିସିଲ୍ଡ’ ଟିକା ପ୍ରସ୍ତୁତ ହେଉ ବା ଉଭୟ ଦେଶର ଅଧିକାରୀଙ୍କ ମିଳିତ ଭାବରେ ପ୍ରସ୍ତୁତ ହୋଇଥିବା ଉଚ୍ଚାଭିଳାଷୀ ଜି-୨୦ କାର୍ଯ୍ୟପ୍ରଣାଳୀ।
ଲକ୍ଡାଉନ୍ ବେଳେ ଭାରତରେ ଫସି ରହିଥିବା ବ୍ରିଟେନ୍ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ସମୟରେ ଆମେ ଭାରତ ସରକାରଙ୍କ ପକ୍ଷରୁ ଅକୁଣ୍ଠଚିତ୍ତ ସହଯୋଗ ପାଇଥିଲୁ। ଏହାବ୍ୟତୀତ ବ୍ରିଟେନ୍କୁ ୨.୮ ନିୟୁତ ପ୍ୟାକେଟ୍ ପାରାସିଟାମଲ୍ ଏବଂ ୧୧ ମିଲିୟନ୍ ମେଡିକାଲ୍ ଗ୍ରେଡ୍ ଫେସ୍ମାସ୍କ ରପ୍ତାନୀ ଅନୁମୋଦନ କରିଥିବାରୁ ଆମେ ଭାରତ ନିକଟରେ କୃତଜ୍ଞ। ଆମର ଜାତୀୟ ସ୍ବାସ୍ଥ୍ୟସେବା (ଏନ୍ଏଚ୍ଏସ୍)ରେ ଆଗଧାଡ଼ିରେ କାର୍ଯ୍ୟରତ ହଜାର ହଜାର ଭାରତୀୟଙ୍କ ଅବଦାନ ମଧ୍ୟ ସର୍ବଦା ସ୍ମରଣୀୟ ରହିବ। ଏଠାରେ ଅକ୍ସଫୋର୍ଡର ଅନୁସନ୍ଧାନ ଦଳରେ କାର୍ଯ୍ୟ କରୁଥିବା କୋଲକାତାର ଚନ୍ଦ୍ର ଦତ୍ତ ଏବଂ କରୋନା ଭାଇରସ୍ରୁ ପ୍ରୋଟିନ୍ ଅଲଗା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦଳର ନେତୃତ୍ବ ନେଉଥିବା କୋଲକାତାର ଏକାଡେମିକ୍ ସୁମି ବିଶ୍ବାସଙ୍କ ଅବଦାନ ମଧ୍ୟ ଉଲ୍ଲେଖନୀୟ। ଏହି ମହାମାରୀ ନିଶ୍ଚିତ ଚାଲିଯିବ, ଆମର ଲିଭିଂ ବ୍ରିଜ୍ ସେମିତି ଅକ୍ଷୁଣ୍ଣ ରହିବ ବୋଲି ମୋର ବିଶ୍ବାସ ରହିଛି।
ପ୍ର: ବ୍ରିଟେନ୍ରେ ମିଆଦପୂର୍ଣ୍ଣ କାର୍ଯ୍ୟ କିମ୍ବା ପାଠ ପଢ଼ୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଭିସା ଏକ ପ୍ରମୁଖ ଚିନ୍ତା ଭାବେ ଉଭା ହୋଇଛି। ଏଭଳି ସମସ୍ୟାର ସମାଧାନ ପାଇଁ ଭିସା ନୀତିରେ କିଛି ନୂତନତା କିମ୍ବା ପରିବର୍ତ୍ତନ ଅଣାଯାଇଛି କି?
ଉ: ଲକ୍ଡାଉନ୍ କାରଣରୁ ଯେଉଁମାନେ ସ୍ବଦେଶ ଫେରିବାକୁ ଅସମର୍ଥ ହୋଇଥିଲେ, ସେମାନଙ୍କ ପାଇଁ ଗତ ୬ ମାସ ଏକ କଠିନ ସମୟ ଥିଲା। ଏହି ସମୟରେ ଇଂଲଣ୍ଡରେ ଚାକିରି କିମ୍ବା ପାଠ ପଢ଼ିବା କ୍ଷେତ୍ରରେ ସେମାନେ ନାନା ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଏ ବିଷୟରେ ମୁଁ ସଂପୂର୍ଣ୍ଣ ଅବଗତ ଅଛି। କିନ୍ତୁ ଏଠାରେ କହିବାକୁ ଚାହୁଛି ଯେ ଯେଉଁମାନେ ଆମ ସହ ଯୋଗାଯୋଗ କରିଛନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ବହୁତ କଠିନ ପରିଶ୍ରମ କରିଛୁ ଏବଂ ବହୁ ମାତ୍ରାରେ ସଫଳ ହୋଇଛୁ ମଧ୍ୟ। ଏଇ କେଇଘଣ୍ଟା ପୂର୍ବରୁ ଜଣେ ଭାରତୀୟ ଯୁବତୀ ତାଙ୍କ ଭିସା ପାଇଥିବାରୁ ମୋତେ ମେସେଜ୍ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନର କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରିଟେନ୍ରେ ଥିବା ପ୍ରବାସୀଙ୍କ ପାଇଁ ଆମେ ଭିସା ନିୟମକୁ ଯଥାସମ୍ଭବ ନମନୀୟ କରିଛୁ। ଭ୍ରମଣ ଜନିତ ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ସ୍ବଦେଶ ଫେରିବାକୁ ଅସମର୍ଥ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆମେ ଭିସା ଅବଧିକୁ ବୃଦ୍ଧି କରିଥିଲୁ। ଅପରପକ୍ଷେ ଯେଉଁମାନେ ବ୍ରିଟେନ୍କୁ ଏବେ ଯାତ୍ରା କରିବାରେ ସକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ଅନ୍ଲାଇନ୍ରେ ପାଠପଢ଼ାର ସୁବିଧା ଉପଲବ୍ଧ କରାଯାଇଛି।
ପ୍ର: ଡିଜିଟାଲ୍ ଶିକ୍ଷା ଏବଂ ଅନ୍ଲାଇନ୍ ପାଠ୍ୟକ୍ରମର ଆଗମନକୁ ଦୃଷ୍ଟିରେ ରଖି ଭାରତୀୟ ଛାତ୍ରଛାତ୍ରୀମାନେ ବ୍ରିଟେନ୍ ଯାତ୍ରା ନକରି ଶିକ୍ଷା ଗ୍ରହଣ କରିବା ଏବଂ ଡିଗ୍ରି ହାସଲ କରିବା ପାଇଁ କେଉଁ ଉପାୟ ଉପଲବ୍ଧ?
ଉ: ଭାରତର ଏତେସଂଖ୍ୟକ ଛାତ୍ର ବ୍ରିଟେନ୍ରେ ଅଧ୍ୟୟନ କରିବାକୁ ପସନ୍ଦ କରିବା ଆମ ପାଇଁ ଗର୍ବର ବିଷୟ। କିନ୍ତୁ ଏଇ କରୋନା ମହାମାରୀ ସେମାନଙ୍କ ନିକଟ ଭବିଷ୍ୟତ ଯୋଜନାକୁ ନିଶ୍ଚିତ ପ୍ରଭାବିତ କରିବ। ମୁଁ ନିଶ୍ଚିତ କରିବାକୁ ଖୁସି ଯେ ଶିକ୍ଷାବର୍ଷ ୨୦୨୦-୨୧ ପାଇଁ ଦୂରତା (ଅନଲାଇନ୍)/ ମିଶ୍ରିତ ଶିକ୍ଷଣ ଅନୁମତି ଦିଆଯିବ, ଯଦି ପରିସ୍ଥିତି ଅନୁମତି ଦେବା ମାତ୍ରେ ଛାତ୍ରମାନେ ମୁହାଁମୁହିଁ ଶିକ୍ଷଣ ପାଇଁ ଇଚ୍ଛା ପ୍ରକାଶ କରିବେ। ଛାତ୍ରଛାତ୍ରୀମାନେ ଧ୍ୟାନ ଦେବା ଉଚିତ ଯେ ସାମ୍ପ୍ରତିକ ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ଲାଭ କରିବାକୁ ହେଲେ, ସେମାନଙ୍କୁ ୬ ଏପ୍ରିଲ ୨୦୨୧ ପୂର୍ବରୁ ବ୍ରିଟେନ୍ରେ ପ୍ରବେଶ କରିବା ସହ ଶେଷ ସେମିଷ୍ଟର୍ ସମାପ୍ତ କରିବା ଆବଶ୍ୟକ। ତେବେ ଯାଇ ସେମାନଙ୍କୁ ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ପାଇଁ ଅନୁମତି ମିଳିପାରିବ। ତେବେ ତୁମ ପ୍ରଶ୍ନର ଉତ୍ତରରେ ମୁଁ କହିବାକୁ ଚାହିବି ଯେ ମୋ ଦେଶରେ ବିଶ୍ୱବିଦ୍ୟାଳୟକୁ ଯିବା ଏକାଡେମିକ୍ ଅଧ୍ୟୟନଠାରୁ ବହୁତ ଅଧିକ। ଏହା ଏକ ନିଶ୍ଚିତକାରୀ, ଜୀବନ ବୃଦ୍ଧି, ସମୃଦ୍ଧ ଅଭିଜ୍ଞତା; ଯେଉଁଥିପାଇଁ ଆମର ଛାତ୍ର ଅଭିଜ୍ଞତା ସନ୍ତୋଷ ହାର ଏତେ ଉଚ୍ଚ ରହିଛି।
ପ୍ର: କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଅଧ୍ୟୟନ ପରବର୍ତ୍ତୀ କାର୍ଯ୍ୟ ସୁଯୋଗ ଦୃଷ୍ଟିରୁ ଇମିଗ୍ରେସନ୍ ନୀତିରେ କିଛି ପରିବର୍ତ୍ତନ ହେବ କି?
ଉ: ମୁଁ ଆନନ୍ଦିତ ଯେ ଆମେ ବ୍ରିଟେନ୍ର ଭିସା ପ୍ରଣାଳୀରେ ସକାରାତ୍ମକ ପରିବର୍ତ୍ତନ କରୁଛୁ, ଯାହା ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବ। ଆପଣ କେଉଁଠାରୁ ଆସିଛନ୍ତି, ତା’ ଅପେକ୍ଷା ଆପଣଙ୍କ ପାଖରେ କି କୌଶଳ ଅଛି, ତାହା ଗୁରୁତ୍ବପୂର୍ଣ୍ଣ। ମୋର ବିଶ୍ୱାସ ଯେ ଏଥିରୁ ଭାରତ ଉପକୃତ ହେବ। ଅନ୍ତର୍ଜାତୀୟ ଛାତ୍ରମାନଙ୍କ ପାଇଁ ବ୍ରିଟେନ୍ ଆସନ୍ତାବର୍ଷ ନୂତନ ଅନ୍ତର୍ଜାତୀୟ ପ୍ରତିଯୋଗିତାମୂଳକ ଗ୍ରାଜୁଏଟ୍ ମାର୍ଗ ପ୍ରବର୍ତ୍ତନ କରିବ। ଏହା ଭାରତ ସମେତ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀମାନଙ୍କୁ କାମ କରିବାକୁ କିମ୍ବା କାମ ଖୋଜିବାକୁ ସୁଯୋଗ ଦେବ, ଯେଉଁମାନେ ସ୍ନାତକ କିମ୍ବା ସ୍ନାତକୋତ୍ତର ଶିକ୍ଷା ଶେଷ ପାଇଁ ୨ ବର୍ଷ ଓ ପିଏଚ୍ଡି ସମାପ୍ତ କରିବାକୁ ୩ବର୍ଷ ପାଇଁ ଅବସ୍ଥାନ କରିବେ।
ପ୍ର: ବ୍ରିଟିସ୍ ଉପ ଉଚ୍ଚଆୟୁକ୍ତ କୋଲକାତା ପାଇଁ ସବୁଜ ପୁନରୁଦ୍ଧାର ଉପରେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ୱର ପରି ପୂର୍ବ ଭାରତର ଅନ୍ୟାନ୍ୟ ଅଂଶରେ ଏହାର ବିସ୍ତାର ବିଷୟରେ କି ପଦକ୍ଷେପ ନିଆଯାଉଛି?
ଉ: ଅନ୍ତର୍ଭୁକ୍ତ ସହରାଞ୍ଚଳ ବିକାଶ, ଭିତ୍ତିଭୂମିରେ ବିନିଯୋଗ, ଶକ୍ତି କ୍ଷେତ୍ରରେ ଗଠନମୂଳକ ସଂସ୍କାର ଆଦି କ୍ଷେତ୍ରରେ ବ୍ରିଟେନ୍ ୨୫ ବର୍ଷରୁ ଊର୍ଧ୍ବ ସମୟ ଧରି ଓଡ଼ିଶା ସରକାରଙ୍କ ସହଭାଗିତାରେ କାର୍ଯ୍ୟ କରିଆସୁଛି। ତେବେ ବର୍ତ୍ତମାନ କୋଭିଡ୍-୧୯ ଯୋଗୁଁ ସୃଷ୍ଟି ହୋଇଥିବା ବହୁଳ ଭାବେ ସ୍ଥାନାନ୍ତର ଦେଶାନ୍ତର ଓ ବେକାରୀ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ଚିନ୍ତା କରାଯାଇଛି। ଓଡ଼ିଶା ସମେତ ୬ଟି ରାଜ୍ୟରେ ଜଳବାୟୁ ପ୍ରତିରୋଧକ ଭିତ୍ତିଭୂମିର ବିକାଶ (ଆଇସିଆର୍ଜି) କାର୍ଯ୍ୟକ୍ରମ ପାଇଁ ୨୫ ମିଲିୟନ୍ ୟୁରୋ ଖର୍ଚ୍ଚ ପାଇଁ ଯୋଜନା ରହିଛି। ଭୁବନେଶ୍ୱରରେ ଆମର ଏକ ସକ୍ରିୟ ବ୍ରିଟିସ୍ ସୂଚନା କେନ୍ଦ୍ର ଅଛି, (ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ସାବଧାନତା ଅନୁଯାୟୀ ସାମୟିକ ଭାବରେ ବନ୍ଦ) ଯାହା ବ୍ରିଟେନ୍ରେ ସୂଚନା ଭଣ୍ଡାର ଭାବରେ କାର୍ଯ୍ୟ କରେ।
ପ୍ର: ଓଡ଼ିଶା ଆସିଲେ ଆପଣ କେଉଁ ସ୍ଥାନ ବୁଲିବାକୁ ପସନ୍ଦ କରିବେ?
ଉ: ସାଇ ଅନ୍ତର୍ଜାତୀୟ ବିଦ୍ୟାଳୟ ଦ୍ୱାରା ଆୟୋଜିତ ସାଇମୁନ୍-୨୦୨୦ ସମ୍ମଳିନୀରେ ବକ୍ତା ଭାବେ ମୁଁ ଗତ ଅଗଷ୍ଟ ମାସରେ ଓଡ଼ିଶା ଯାଇଥିଲି। ମୋ ପୂର୍ବଜ ବ୍ରୁସ୍ ବକନେଲ ଓଡ଼ିଶା ବୁଲିବାକୁ ବହୁତ ଭଲ ପାଉଥିଲେ। କୋଣାର୍କ ଏବଂ ଜଗନ୍ନାଥ ମନ୍ଦିର ସମେତ ଅନେକ ସୁନ୍ଦର ଦର୍ଶନୀୟ ସ୍ଥାନ ସେ ବୁଲିଥିଲେ। ବାରମ୍ବାର ବାତ୍ୟା ଦ୍ବାରା ପ୍ରପୀଡ଼ିତ ଅଞ୍ଚଳ ଲୋକମାନଙ୍କ ଦମ୍ଭ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ସେହିପରି ରେଶମ ବୁଣା ଏବଂ ତାରକସି କାମ ଭଳି ଅନେକ ପାରମ୍ପାରିକ ହସ୍ତଶିଳ୍ପ ସଂପର୍କରେ ସେ ମୋ ସହ ବିସ୍ତୃତ ଆଲୋଚନା କରିଥିଲେ। ତେଣୁ ଓଡ଼ିଶାରେ ବୁଲିବା ପାଇଁ ସ୍ଥାନଗୁଡ଼ିକର ଏକ ଲମ୍ବା ତାଲିକା ମୋ ପାଖରେ ଅଛି। ମୁଁ ଓଡ଼ିଶାକୁ ଭଲ ପାଏ। ଓଡ଼ିଶାର ପର୍ଯ୍ୟଟନ ପ୍ରୋତ୍ସାହନ ଅଭିଯାନର ଭବିଷ୍ୟତ ମଧ୍ୟ ଉଜ୍ଜ୍ବଳ ବୋଲି ମୁଁ ଭାବୁଛି।