ପାରମ୍ପରିକ ଖାଦ୍ୟରେ ଔଷଧୀୟ ଗୁଣ ଅଛି: ଗୀତାଞ୍ଜଳି ପଦ୍ମନାଭନ

ଏମ୍‌ସ (ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ୍‌ ସାଇନ୍ସେସ୍), ଭୁବନେଶ୍ବରର ନିର୍ଦ୍ଦେଶିକା ଅଛନ୍ତି ଡାକ୍ତର ଗୀତାଞ୍ଜଳି ପଦ୍ମନାଭନ। ପୂର୍ବରୁ ସେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏବଂ ଜିପ୍‌ମର୍‌, ପୁଡୁଚେରିରେ କାର୍ଯ୍ୟ କରିଥିବା ବେଳେ ୨୦୧୬ରେ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସହିତ ‘ରବିବାର ସମ୍ବାଦ’ ତରଫରୁ ଆଲୋଚନା କରିଛନ୍ତି କ୍ଷେତ୍ରବାସୀ ନାଏକ

୨୦୧୬ରେ ଆପଣ ଏମ୍‌ସ ଭୁବନେଶ୍ବରର ନିର୍ଦ୍ଦେଶିକା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପାଞ୍ଚ ବର୍ଷ ମଧ୍ୟରେ ଆପଣ କି କି ସଫଳତା ପାଇଛନ୍ତି?
ମୁଁ ଦାୟିତ୍ବ ଗ୍ରହଣ କଲାବେଳେ ଭିତ୍ତିଭୂମି ନିର୍ମାଣ ସବୁଠୁ ବଡ଼ ଆହ୍ବାନ ଥିଲା। ଏ ମଧ୍ୟରେ କୋଠାବାଡ଼ି, ହଷ୍ଟେଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଷାଠିଏ ଭାଗ ସଂପୂର୍ଣ୍ଣ ହୋଇଛି। ସେତେବେଳେ ନ୍ୟୁକ୍ଲିୟର ମେଡିସିନ୍, ରେଡିଓ ଅନ୍‌କୋଲଜି ଆଦି ବିଭାଗ ଆରମ୍ଭ ହୋଇ ନ ଥିଲା। ପରେ ବିଭିନ୍ନ ବିଭାଗରେ ସୁପର ସ୍ପେସାଲିଟି ସୁବିଧା ଉପଲବ୍ଧ ହୋଇଛି। ମୋର ସବୁଠୁ ବଡ଼ ଉପଲବ୍ଧି ହେଉଛି ମେଡିକାଲ୍ ପାଠ୍ୟକ୍ରମରେ ସଂସ୍କାର ଓ ପରିବର୍ତ୍ତନ। ଏଥିରେ ଆମେ ସଫଳ ହୋଇଛୁ। ଏଠାରେ ଯୋଗ ଦେବା ପରେ ଦୁଇ ବର୍ଷ ପର୍ଯ୍ୟନ୍ତ ଆମେ ଗବେଷଣା କ୍ଷେତ୍ରରେ ବିଶେଷ ସଫଳ ହୋଇ ନ ଥିଲୁ। ଆମ ପାଖରେ ଗବେଷଣା ପାଇଁ ଭିତ୍ତିଭୂମି ଏବଂ ଉପକରଣର ଅଭାବ ଥିଲା। ଏବେ ସେ ଅଭାବ ଆଉ ନାହିଁ। ଏବେ ଗବେଷଣା ପାଇଁ ଅନୁଦାନ ପ୍ରଦାନ କରୁଥିବା ସଂସ୍ଥାଗୁଡ଼ିକ ଏମ୍‌ସ ଭୁବନେଶ୍ବରକୁ ପସନ୍ଦ କରୁଛନ୍ତି। ସ୍ନାୟୁ ବିଜ୍ଞାନରେ ଗବେଷଣା ପାଇଁ ବ୍ରେନ୍ ବ୍ୟାଙ୍କ୍, ସ୍ତନ କର୍କଟ ଓ ଫୁସଫୁସ କର୍କଟ ସମ୍ବନ୍ଧୀୟ ଗବେଷଣା କେନ୍ଦ୍ର, ଏଡ୍‌ଭାନ୍‌ସ ସେଣ୍ଟର ଅଫ୍ ମାଇକୋଲଜି ଆଦି କେନ୍ଦ୍ର ପାଇଁ ଏମ୍‌ସ ଭୁବନେଶ୍ବର ତାଲିକାଭୁକ୍ତ ହୋଇଛି। ଫାକଲ୍‌ଟି ଏବଂ ପ୍ରଶାସନିକ ବିଭାଗରେ ନିଯୁକ୍ତି ଦିଆଯାଇଛି। ମେଡିକାଲ୍ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆମେ ପ୍ରଦୂଷଶ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରଶଂସିତ ହୋଇଛୁ। ସୋଲାର ପାନେଲ୍‌ ଦ୍ବାରା ବିଜୁଳି ଶକ୍ତି ଯୋଗାଣ ଆମର ଅନ୍ୟ ଏକ ସଫଳତା। ଉତ୍ତମ ଚିକିତ୍ସା ସେବା ଯୋଗୁ ଆମେ କାୟାକଳ୍ପ ପୁରସ୍କାର ମଧ୍ୟ ପାଇଛୁ।

କେଉଁ କେଉଁ କାମ କରିବାରେ ଆପଣ ବିଫଳ ହୋଇଛନ୍ତି?
କୋଭିଡ୍-୧୯ ଯୋଗୁ କିଛି କାମ ସଂପୂର୍ଣ୍ଣ ହୋଇପାରିନାହିଁ। ଲୋକଙ୍କ ରହିବା ପାଇଁ ଧର୍ମଶାଳା ନିର୍ମାଣ କାର୍ଯ୍ୟ ଚାଲିଛି। ପ୍ରଶାସନିକ କାର୍ଯ୍ୟ ପାଇଁ କୋଠା ନିର୍ମାଣ କରିବାକୁ ଶହେ କୋଟି ଟଙ୍କାର ଅନୁଦାନ ଆସିଥିଲା। ତାହା ସଂପୂର୍ଣ୍ଣ ହୋଇନି। ବାଲେଶ୍ବର ଏମ୍‌ସ ସାଟେଲାଇଟ୍ ସେଣ୍ଟର ଏଯାଏ ଆରମ୍ଭ କରିପାରିନାହୁଁ। ବର୍ଣ୍ଣ ସେଣ୍ଟର ପାଇଁ ଏନ୍‌ଟିପିସି ଆର୍ଥିକ ଅନୁଦାନ ଯୋଗାଇ ଦେଇଛି। ତାହା ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନି।

YouTube

କୋଭିଡ୍-୧୯ର ପ୍ରଥମ ଓ ଦ୍ବିତୀୟ ଲହର ସମୟରେ ଏମ୍‌ସ ଭୁବନେଶ୍ବର କେମିତି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ କରିଥିଲା?
ଆମେ ଦୁଇଟି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲୁ। ଗୋଟେ ପରାମର୍ଶ ଦେବା ପାଇଁ ଏବଂ ଅନ୍ୟଟି କାମ କରିବା ପାଇଁ। ପ୍ରତିଦିନ ଭର୍ଚୁଆଲ୍ ମାଧ୍ୟମରେ ମୁଁ ସମୀକ୍ଷା ବୈଠକ କରୁଥିଲି। ଆୟୁଷ ଭବନକୁ କୋଭିଡ୍- ଆଇସିୟୁରେ ପରିଣତ କରିଥିଲୁ। ଡାକ୍ତର, ନର୍ସ, ସୁରକ୍ଷା କର୍ମୀ ସମସ୍ତଙ୍କୁ ସଚେତନ କରିଥିଲୁ ଓ ତଦନୁଯାୟୀ ତାଲିମ ଦେଇଥିଲୁ।

କୋଭିଡ୍ ସମୟରେ ଏକାଧିକ ଥର ଏମ୍‌ସ ଓପିଡି ବନ୍ଦ କରିଦିଆଯାଇଥିଲା। ଏହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ସଂପର୍କରେ ଆପଣ କ’ଣ କହିବେ?
ଲକ୍‌ଡାଉନ୍ ଏବଂ ସଟ୍‌ଡାଉନ୍ ସମୟରେ ଆମେ ବାଧ୍ୟ ହୋଇ ଓପିଡି ସେବା ବନ୍ଦ କରିଥିଲୁ। କିନ୍ତୁ ଗୁରୁତର ରୋଗୀଙ୍କ ପାଇଁ ହସ୍‌ପିଟାଲ୍ ବନ୍ଦ ହୋଇ ନ ଥିଲା। କାଜୁଆଲିଟି, ଗର୍ଭବତୀ ମହିଳାଙ୍କ ପାଇଁ ଲେବର୍‌ ରୁମ୍, ଡାଏଲିସିସ୍, କ୍ୟାନ୍‌ସର୍‌ କେଆର ଆଦି ବିଭାଗ ଖୋଲା ରହିଥିଲା। ସାଧାରଣ ରୋଗୀଙ୍କ ପାଇଁ ଆମେ ଟେଲିମେଡିସିନ୍ ସେବା ଆରମ୍ଭ କରିଥିଲୁ। ତାହା ଖୁବ୍ ସଫଳ ହୋଇଥିଲା। ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍ ଯୋଗେ ମଧ୍ୟ ସେବା ଯୋଗାଇ ଦିଆଯାଉଥିଲା। ଓପିଡି ବନ୍ଦ କରିବାର ଅନ୍ୟ ଏକ କାରଣ ହେଲା ଯେ, ଏଠାରେ ଜଣେ ରୋଗୀଙ୍କ ସହିତ ଆଉ ତିନି ଜଣ ଲୋକ ସହାୟକ ଭାବରେ ଆସିଥାନ୍ତି। ସେ ସମୟରେ ଗହଳି ବଢ଼ିଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିଲା।

ଅଭିଯୋଗ ହେଉଛି ଯେ ଏମ୍‌ସକୁ ଅନେକ ନୂଆ ଯନ୍ତ୍ରପାତି ଆସିଛି, କିନ୍ତୁ ତାହା ଚଳାଇବା ପାଇଁ ତାଲିମପ୍ରାପ୍ତ ଲୋକ ନାହାନ୍ତି। ଏହା ସତ କି?
ଏହା ସତ ନୁହେଁ। କୋଭିଡ୍‌ ପାଇଁ ଆମେ ଦୁଇଟି ଏକ୍‌ମୋ ମେସିନ୍ ଆଣିଥିଲୁ। ଏହି ମେସିନ୍ ଚଳାଇବା ପାଇଁ ଏକ୍‌ମୋ ଟିମ୍ ଗଠନ କରାଯାଇଛି। ସେଥିରେ ତାଲିମପ୍ରାପ୍ତ ଲୋକମାନେ ଅଛନ୍ତି। ଜଣେ ରୋଗୀ ପାଇଁ ନିହାତି ଆବଶ୍ୟକ ହେଲେ ଯାଇ ଏକ୍‌ମୋ ମେସିନ୍ ବ୍ୟବହାର କରାଯାଏ। ଥରେ ତାହାର ଉପଯୋଗ କରାଗଲେ ସେଠାରୁ ବାହାର କରିବା କଷ୍ଟକର ହୋଇଯାଏ। ଏହି ମେସିନ୍‌ ଜରିଆରେ ଆମେ ଜ‌ଣେ ଛୋଟ ଶିଶୁର ଜୀବନ ବଞ୍ଚାଇପାରିଛୁ।

ଏମ୍‌ସରେ ଚିକିତ୍ସିତ ହେବାପାଇଁ ପ୍ରତିଦିନ ହଜାର ସଂଖ୍ୟାରେ ରୋଗୀ ଲାଇନ୍ ଲଗାଉଛନ୍ତି। ଦୂରଦୂରାନ୍ତରୁ ‌ଅନେକ ରୋଗୀ ଅାସି ରାତିରୁ ଅପେକ୍ଷା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଶହ ଶହ ରୋଗୀ ଚିକିତ୍ସା ନ ପାଇଁ ଫେରିଯାଉଛନ୍ତି। କିଭଳି ସମସ୍ତ ରୋଗୀଙ୍କୁ ଚିକିତ୍ସା ମିଳିପାରିବ?
ଓଡ଼ିଶାରେ ଉତ୍ତମ ସ୍ବାସ୍ଥ୍ୟ ସେବାର ଚାହିଦା ବହୁତ ବେଶୀ। ଆମର ସେବା ଉଚ୍ଚମାନର। ପ୍ରାଇଭେଟ୍‌ ହସପିଟାଲକୁ ଯାଉଥିବା ଲୋକେ ଏବେ ଏମ୍‌ସକୁ ଆସୁଛନ୍ତି ଏବଂ ନିଃଶୁକ୍ଳ ସେବା ପାଉଛନ୍ତି। ଏମ୍‌ସ ଭୁବନେଶ୍ବରଠୁ ପାଞ୍ଚ ଗୁଣା ବଡ଼ ହସ୍‌ପିଟାଲ୍‌ ନିର୍ମିତ ହେଲେ ସୁଦ୍ଧା ଏ ସମସ୍ୟାର ସମାଧାନ ସମ୍ପୂର୍ଣ୍ଣ ଭାବରେ ହୋଇପାରିବ ନାହିଁ। ମେଡିସିନ୍ ବିଭାଗରେ ପ୍ରତିଦିନ ତିନି ଚାରି ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। କିନ୍ତୁ ସବୁ ବିଭାଗରେ ଶହ ଶହ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ ନାହିଁ। କାରଣ ପ୍ରାୟ ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥାଏ। ଏହା ସମୟସାପେକ୍ଷ।

ରୋଗୀମାନେ କହୁଛନ୍ତି ଯେ ଅପରେସନ୍‌ ପାଇଁ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଏହାର କାରଣ କ’ଣ?
ଆମ ପାଖରେ ଯେତିକି ଅପରେସନ୍ ଥିଏଟର୍ ଅଛି ତାହା ତୁଳନାରେ ଅଧିକ ରୋଗୀ ଆସୁଛନ୍ତି। ତେଣୁ ଏଭଳି ଅସୁବିଧା ହେଉଛି।

Telegraph India

ଏମ୍‌ସ ଭୁବନେଶ୍ବରରେ ଏବେ କେତେ ପଦବି ଖାଲି ଅଛି ଏବଂ ସେସବୁ ପୂରଣ କରିବା ପାଇଁ ଆପଣ କି ପଦକ୍ଷେପ ନେଉଛନ୍ତି?
ଏବେ ପ୍ରାୟ ଚାଳିଶ ପ୍ରତିଶତ ପଦବି ଖାଲିପଡ଼ିଛି। ନିଯୁକ୍ତି ପାଇଁ ଆମେ ଏମ୍‌ସ ନୂଆଦିଲ୍ଲୀର ନିର୍ଦ୍ଦେଶାବଳୀ ଅନୁସରଣ କରୁଛୁ। ଖାଲିପଡ଼ିଥିବା ପଦବିଗୁଡ଼ିକରେ ଅନୁଷ୍ଠାନର ପୁରୁଣା ଅଭିଜ୍ଞ କର୍ମଚାରୀଙ୍କ ପାଇଁ ପଚାଶ ପ୍ରତିଶତ ସଂରକ୍ଷଣ ରହିଛି। ଦିଲ୍ଲୀ ତୁଳନାରେ ଏମ୍‌ସ ଭୁବନେଶ୍ବର ନୂଆ ହୋଇଥିବାରୁ ଏହି ସଂରକ୍ଷିତ ପଦପଦବିଗୁଡ଼ିକ ପୂରଣ ହୋଇପାରୁନାହିଁ। ଏଠିକାର କର୍ମଚାରୀଙ୍କ ଅଭିଜ୍ଞତା ବଢ଼ିଲେ ତାହା ପୂରଣ ହେବ। ଅନ୍ୟ ପଦବିଗୁଡ଼ିକ ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଛି।

 ଅନେକ ଅଭିଜ୍ଞ ଡାକ୍ତର ଏମ୍‌ସ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏଠାରେ କ’ଣ ଅସୁବିଧା ହେଉଛି?
ଏ ମଧ୍ୟରେ କେତେକ ଡାକ୍ତର ଅବସର ଗ୍ରହଣ କରିଛନ୍ତି ଏବଂ ବାହାରୁ ଆସି କାମ କରୁଥିବା କେତେକ ଡାକ୍ତର ନିଜ ରାଜ୍ୟକୁ ଯିବାକୁ ଚାହିବାରୁ ସେମାନେ ଯାଇଛନ୍ତି।

ଡାକ୍ତରମାନଙ୍କୁ ପଦୋନ୍ନତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଥିବାରୁ ଡାକ୍ତରମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେମାନେ ଏଥିପାଇଁ ଏମ୍‌ସ ଛାଡୁଛନ୍ତି ବୋଲି କୁହାଯାଉଛି। ଆପଣ କ’ଣ କହିବେ?
ଫାକଲ୍‌ଟି ପ୍ରମୋସନ ପାଇଁ ଆମେ ଏପିଏସ୍ (ଆସେସ୍‌ମେଣ୍ଟ ପ୍ରମୋସନ୍‌ ସ୍କିମ୍) ନିୟମ ଅନୁସରଣ କରୁଛୁ। ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବିରେ ଯୋଗ ଦେଇଥିବା ଜଣେ ଡାକ୍ତର ତିନି ବର୍ଷ କାମ କଲାପରେ ଏପିଏସ୍ ଅନୁଯାୟୀ ଏକ ପରୀକ୍ଷା ଦେଇଥାନ୍ତି। ଏଥିପାଇଁ ଚୟନ କମିଟି ଗଠନ କରାଯାଇଥାଏ। କମିଟି ସୁପାରିସ କଲାପରେ ତାଙ୍କୁ ପରବର୍ତ୍ତୀ ରୢାଙ୍କ୍‌କୁ ପଦୋନ୍ନତି ମିଳିଥାଏ। ଏଥର ପରୀକ୍ଷା ଦେଇଥିବା ୩୯ ଜଣ ଡାକ୍ତରଙ୍କ ମଧ୍ୟରୁ ୧୧ ଜଣ ଉତ୍ତୀର୍ଣ୍ଣ ହୋଇନାହାନ୍ତି। ତେଣୁ ସେମାନଙ୍କର ପଦୋନ୍ନତି ହୋଇନାହିଁ। ସେମାନେ ଓଡ଼ିଶା ହାଇକୋର୍ଟରେ ମାମଲା ଦାଏର କରିଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ବେଳେ ଆମେ ଏ ସମ୍ପର୍କରେ ସମୀକ୍ଷା କରିବୁ ବୋଲି ଆମ ପରିଚାଳନା ବୋର୍ଡର ଅଧ୍ୟକ୍ଷ କହିଛନ୍ତି।

ଆପଣଙ୍କର ଅନୁଷ୍ଠାନର ଡାକ୍ତର କହୁଛନ୍ତି ଯେ ପଖାଳ ଖାଇଲେ ରୋଗ ପ୍ରତିରୋଧକ ଶକ୍ତିି ବଢ଼େ। ଏଭଳି ଗବେଷଣାକୁ ନେଇ କିଛି ଡାକ୍ତର ସନ୍ଦେହ ପ୍ରକାଶ କରୁଛନ୍ତି। ଏ ପ୍ରସଙ୍ଗରେ ଆପଣଙ୍କର ମତ କ’ଣ?
ପଖାଳ ଓଡ଼ିଶାର ପାରମ୍ପରିକ ଖାଦ୍ୟ। ଫର୍‌ମେଣ୍ଟେସନ୍ ଉପରେ ଗବେଷଣା ପାଇଁ ଗେଜ୍ ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ଅନୁଦାନ ଦେଇଥିଲା। ଏକ ପ୍ରାଥମିକ ଗ‌େବଷଣାରୁ ଆମ ଗବେଷକମାନେ ଜାଣିବାକୁ ପାଇଥିଲେ ଯେ ପଖାଳରୁ ସର୍ଟ ଚେନ୍‌ ଫ୍ୟାଟି ଏସିଡ୍‌ ମିଳୁଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏହି ପ୍ରାଥମିକ ତଥ୍ୟ ଗେଜ୍ ଫାଉଣ୍ଡେସନ୍‌କୁ ପ୍ରଦାନ କରାଯାଇଥିଲା ଏବଂ ସେମାନେ ଏହାକୁ ମଂଜୁର କରିଥିଲେ। ଏବେ ସମ୍ପୂର୍ଣ୍ଣ ଗବେଷଣା କାର୍ଯ୍ୟ କରାଯିବ। ଏହା ଏକ ବୈଜ୍ଞାନିକ ମତ। ଏବେ ଏହି ମତଟି ସାଧାରଣ ‌ଲୋକଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ଅନୁଚିତ। କିନ୍ତୁ ଏହା ନିରାଟ ସତ ଯେ, ଆମ ପାରମ୍ପରିକ ଖାଦ୍ୟରେ ଅନେକ ଔଷଧୀୟ ଗୁଣ ଅଛି।

ଆପଣଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଓଡ଼ିଶାର କେଉଁ ଅନୁଭୂତି ଆପଣ ଭୁଲିପାରିବେ ନାହିଁ? ପୁଣି ଥରେ ନିର୍ଦ୍ଦେଶକ ଭାବେ କାମ କରିବା ପାଇଁ ଆପଣ ଆଗ୍ରହୀ କି?
ଓଡ଼ିଆ ଲୋକଙ୍କ ହୃଦୟ ଖୋଲା ଏବଂ ସେମାନେ ଦୟାବାନ୍। ଏମ୍‌ସ ଭୁବନେଶ୍ବରର ସମସ୍ତ ଡାକ୍ତର, କର୍ମଚାରୀ, ରାଜ୍ୟର ବିଭିନ୍ନ ବର୍ଗର ଲୋକ ତଥା ଓଡ଼ିଶା ସରକାର ମୋତେ ବହୁତ ସହଯୋଗ କରିଛନ୍ତି। ଏଥିପାଇଁ ମୁଁ କୃତଜ୍ଞ। ସରକାରୀ ସ୍ତରରେ ପରବର୍ତ୍ତୀ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଚାଲିଛି ଏବଂ ମୋ ନାଁ ତାଲିକାରେ ରହିଛି। ମୁଁ ସାକ୍ଷାତକାରରେ ଯୋଗ ଦେବି।

ସମ୍ବନ୍ଧିତ ଖବର