‘ଏସ୍‌ଏଚ୍‌ଜି ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ କରାଯାଉ’

‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ‘ମହିଳା ଉଦ୍ୟୋଗ କର୍ମଶାଳା’ରେ ୧୯ ମିନିଟ୍‌ର ଭାଷଣ ଦେଇ ରାତାରାତି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଅଖ୍ୟାତ ପଲ୍ଲୀର ଜୟନ୍ତୀ ଏକ୍କା, ଯିଏକି କଲ୍ୟାଣୀ ସ୍ବୟଂ ସହାୟକ ଗୋଷ୍ଠୀର ଅଧ୍ୟକ୍ଷା। ମିସନ ଶକ୍ତି ଜରିଆରେ ‌ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମା‌ନଙ୍କ ଉନ୍ନତି ଓ ତାଙ୍କ ଜୀବନରେ ଏହାର ପ୍ରଭାବ ବିଷୟରେ ସେଦିନ ନିଜର ଅନୁଭୂତି ବଖାଣି ସେ ମୁଖ୍ୟମନ୍ତ୍ରୀ ତଥା ମଞ୍ଚରେ ଥିବା ବିଶିଷ୍ଟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଦିନର ଅନୁଭୂତିକୁ ସେ କିଭଳି ସାଇତି ରଖିଛନ୍ତି ଓ ତାଙ୍କର କ’ଣ ସ୍ବପ୍ନ ରହିଛି, ସେ ସମ୍ପର୍କରେ ‘ସମ୍ବାଦ’ ସହ ଆଳାପ ସମୟରେ କହିଛନ୍ତି ଶ୍ରୀମତୀ ଏକ୍କା।

ଏତେ ବଡ଼ ମଞ୍ଚରେ ଭା‌ଷଣ ଦେଇ ‌କ’ଣ ଅନୁଭବ କରୁଛନ୍ତି?
ମୁଁ ଭାଷଣ ଦେଉ ନଥିଲି। ମୋ ଜୀବନର ଅଙ୍ଗେଲିଭା କଥାକୁ ଖାଲି ଅନ୍ୟମାନଙ୍କୁ କହୁଥିଲି। ଏତେ ବଡ଼ ମଞ୍ଚ ମୁଁ ଜୀବନରେ ପ୍ରଥମ ଥର ପାଇଁ ଦେଖିଲି। ମୁଁ ଜାଣି ନଥିଲି ମତେ ମଞ୍ଚକୁ ଡାକିବେ ଆଉ କିଛି କହିବାକୁ କହିବେ। ଗାଁରେ ଏସ୍‌ଏଚ୍‌ଜିରେ କାମ କରୁଥିବାରୁ ବଡ଼ ବଡ଼ ବାବୁମାନଙ୍କ ସହ କଥା ହେବାର ଅଭ୍ୟାସ ଥିଲା। ‌ତେଣୁ ସାହସର ସହ ଯାହା ମନକୁ ଆସିଲା ତାହା କହି ଚାଲିଲି। କିନ୍ତୁ ଏହା ପରେ ଆମ ଗାଁରେ ମତେ ଏଭଳି ସ୍ବାଗତ କରିବେ ମୁଁ ଭାବି ନଥିଲି। ମୁଁ ବସ୍‌ରୁ ଓହ୍ଲାଉ ଓହ୍ଲାଉ ଆଦିବାସୀ ଗୀତ ଓ ନୃତ୍ୟ ସହ ଫୁଲମାଳ ପିନ୍ଧାଇ ‌ମୋତେ ସମସ୍ତେ ପାଛୋଟି ନେଇଥିଲେ। ତା’ଠାରୁ ଅଧିକ ସମ୍ମାନ ଓ ଖୁସି ମୋ ପାଇଁ କିଛି ନାହିଁ।

ଏହାପରେ ଆପଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି, ମୁଖ୍ୟମନ୍ତ୍ରୀ କ’ଣ କହିଲେ?
ହଁ ଭେଟିଛି। ତାଙ୍କୁ ଭେଟିବା କୌଣସି ସ୍ବପ୍ନଠାରୁ କମ୍‌ ନଥିଲା ମୋ ପାଇଁ। ମୁଖ୍ୟମନ୍ତ୍ରୀ ମତେ କହିଲେ,କ’ଣ ମାଗୁଛ ମାଗ। ତୁମର ସବୁ ଦାବି ପୂରଣ ହେବ। କିନ୍ତୁ ମୁଁ କିଛି ମାଗି ନଥିଲି। ତାଙ୍କ ଆଶୀର୍ବାଦ ମାଗିଲି। ଆଉ କହିଲି, ଦରକାର ହେଲେ ଭବିଷ୍ୟତରେ ନିଶ୍ଚୟ କିଛି ମାଗି ନେବି।

କ’ଣ ମାଗିବେ ବୋଲି ସ୍ଥିର କରିଛନ୍ତି?
ବହୁ ଭାବିଲା ପରେ ଏବେ ଭାବୁଛି, ଓଡ଼ିଶାର ମହିଳାମାନେ ଏସ୍‌ଏଚ୍‌ଜି ମାଧ୍ୟମରେ ନିଜ ଉଦ୍ୟମରେ ହାତ ତିଆରି ବହୁ ଦେଶୀ ସାମଗ୍ରୀ ତିଆରି କରୁଛନ୍ତି। ଯାହାକି ସହରର ଯେକୌଣସି ମଲ୍‌ରେ ବିକ୍ରି ହୋଉଥିବା ଦାମିକା ଜିନିଷଠାରୁ ଅଧିକ ଶୁଦ୍ଧ ଓ ଉନ୍ନତ। ତେବେ ଏହି ସବୁ ଦେଶୀ ସାମଗ୍ରୀ ତଥା ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବ୍ରାଣ୍ଡିଂ ହେଉ। ଏହାକୁ ବଡ଼ ବଡ଼ ମଲ୍‌ରେ ବିକ୍ରି କରାଯିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ଏସବୁ ରପ୍ତାନୀର ବ୍ୟବସ୍ଥା କରିବା ପାଇଁ ସରକାରୀସ୍ତରରେ ଉଦ୍ୟମ ହେଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ କହିବି। ପୁଣି ଆମ ଜିଲ୍ଲା ତଥା ଅଞ୍ଚଳରୁ ମଦକୁ ସମ୍ପୂର୍ଣ୍ଣ ନିଷେଧ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥନା କରିବି। କାରଣ ଏହି ମଦ ହିଁ ଏକ କାରଣ ଯାହା ଦ୍ବାରା ଆଦିବାସୀଙ୍କ ବିକାଶ ସମ୍ଭବ ହେଉନି।

ଆପଣଙ୍କ ସ୍ପଷ୍ଟ ଓ ନିର୍ଭୀକ ଭାଷଣ ଓ ନେତୃତ୍ବକୁ ଦେଖି ଯଦି ମୁଖ୍ୟମନ୍ତ୍ରୀ ଆପଣଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଅନ୍ତି, ତେବେ କ’ଣ ଆପଣ ରାଜନୀତିକୁ ଓହ୍ଲାଇବେ?
ମୁଁ ରାଜନୀତି କରିବା କଥା କେବେ ଭାବିନି। ଯଦି ଟିକେଟ ମିଳେ ଚିନ୍ତା କରିବି।

ଆପଣଙ୍କ କଲ୍ୟାଣୀ ସ୍ବୟଂ ସହାୟକ ଗୋଷ୍ଠୀ କେମିତି କାମ କରେ?
ଅନ୍ୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଭଳି ଆମେ ଟଙ୍କା ସୁଧରେ ଲଗାଇ ତାର ଲାଭାଂଶ ବାଣ୍ଟି ନେଉନାହୁଁ। ଆମେ ଏହି ଟଙ୍କା ଆଣି ଅଙ୍ଗନୱାଡ଼ି ପାଇଁ ଛତୁଆ, ମଧ୍ୟାହ୍ନ ଭୋଜନ, ଧାନ କିଣି ଚାଉଳ ବ୍ୟବସାୟ ଓ ସେବାଶ୍ରମକୁ ପନିପରିବା ଦେବା ଆଦି ବିଭିନ୍ନ ପ୍ରକାର ବ୍ୟବସାୟ କରୁଛୁ। ଲାଭାଂଶକୁ ଭବିଷ୍ୟତ ସୁରକ୍ଷା ପାଇଁ ସଂରକ୍ଷିତ ରଖୁଛୁ।

ସେ ଦିନ ମଞ୍ଚରେ ଆଉ କ’ଣ ମୁଖ୍ୟମନ୍ତ୍ରୀଙ୍କୁ କହିବାକୁ ଚାହୁଁଥିଲେ?
ବ୍ୟବସାୟରେ ସବୁ ବେଳେ ସମାନ ନଥାଏ। କେବେ ଲାଭ ତ’ କେବେ କ୍ଷତି। ତେବେ ଆମ କଲ୍ୟ‌ାଣୀ ଏସ୍‌ଏଚ୍‌ଜିରେ ୧୦ ଜଣ ସଦସ୍ୟ ଓ ପ୍ରଡ୍ୟୁସର ଗ୍ରୁପରେ ଆମେ ୪୧ ଜଣ ସଦସ୍ୟ ଅଛୁ। ପ୍ରତିଦିନ ପ୍ରତି ସଦସ୍ୟଙ୍କ ମଜୁରି ୧୦୦ ଟଙ୍କା ଥିବା ‌ବେଳେ ବର୍ଷକୁ ଯାହା ବି ଲାଭ ହୁଏ ସେଥିରୁ ପ୍ରତି ସଦସ୍ୟଙ୍କ ନାମରେ ବର୍ଷକୁ ୧୨ ହଜାର ଟଙ୍କାର ଏଲ୍‌ଆଇସି କରିଛୁ। ପୁଣି କାହାର ଝିଅ ବାହାଘର ହେଲେ ଗ୍ରୁପ୍‌ ପକ୍ଷରୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛୁ। ବାକି ଟଙ୍କା ବ୍ୟବସାୟରେ ଲାଗିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ସଦସ୍ୟଙ୍କ ଝିଅ ବାହାଘରକୁ ୫୦ ହଜାର ଲେଖାଏଁ ୨ ଲକ୍ଷ ଟଙ୍କା ଦିଆଗଲାଣି। ସେଦିନ ଏହିସବୁ କଥା ହିଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବାକୁ ଥିଲା ଓ ତାଙ୍କ ମିସନ ଶକ୍ତି କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣାଇବାକୁ ଥିଲା। କିନ୍ତୁ ଆଉ ଭାଷଣର ସୁଯୋଗ ମିଳି ନଥିଲା।

ଆଗକୁ କ’ଣ ସ୍ବପ୍ନ ରହିଛି?
– ଆମ ମହିଳା ଗୋଷ୍ଠୀର ବ୍ୟବସାୟ ବନ୍ଦ ହୋଇଗଲେ, ଆମର ଲାଭର ସବୁ ପଇସାରେ ଏକ କଲ୍ୟାଣୀ ନାଇଟ୍‌ କୋଚ୍‌ ମଧ୍ୟପ୍ରଦେଶରୁ ପୁରୀ ପର୍ଯ୍ୟନ୍ତ ଚଲାଇବାର ସ୍ବପ୍ନ ଅଛି। ଯେଉଁ ବସ୍‌ରେ ଗାଡ଼ି ଚାଳକଠାରୁ ଆରମ୍ଭ କରି କଣ୍ଡକ୍ଟର ଓ ହେଲ୍‌ପର୍‌ ସମସ୍ତେ ମହିଳା ହିଁ ରହିବେ। ପୁଣି ଉଡ଼ାଜାହଜରେ ଉଡ଼ିବାର ସ୍ବପ୍ନ ବି ଅଛି। ତେବେ ମୋ ଭାଷଣରେ ମୁଖ୍ୟମନ୍ତ୍ରୀ ଉଡ଼ାଜାହାଜରେ ଉଡ଼ିବାର ଇଚ୍ଛା କଥା ଶୁଣିଥିବାରୁ, ଏହି ସ୍ବପ୍ନ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ମତେ ପ୍ରତିଶ୍ରୁତି ଦେଇଛନ୍ତି। ଦୁଇ ଝିଅଙ୍କୁ ସରକାରୀ ଅଧିକାରୀ କରିବାର ମଧ୍ୟ ମୋର ସ୍ବପ୍ନ ରହିଛି।

ସାକ୍ଷାତ: ସସ୍ମିତା ସାହୁ

ସମ୍ବନ୍ଧିତ ଖବର