ଜୀବନର ଦ୍ବିତୀୟ ଇନିଂସ୍‌ରେ ଅନେକ ବିଶ୍ବ ଚାମ୍ପିଅନ୍ ସୃଷ୍ଟି ମୋ’ ଲକ୍ଷ୍ୟ: ଲିଆଣ୍ଡର

ଗୋଟିଏ ନୁହେଁ, ଦୁଇଟି ନୁହେଁ.. ଦଶଟି ବି ନୁହେଁ, ୧୮ଟା ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ବିଜେତା, ସର୍ବାଧିକ ୭ ଥର ଅଲିମ୍ପିକ୍ ଖେଳିବାରେ ବିଶ୍ବର ଏକମାତ୍ର ଟେନିସ୍ ତାରକା, ଆମ କ୍ରୀଡ଼ାଜଗତର ଜୀବନ୍ତ କିଂବଦନ୍ତି ଲିଆଣ୍ଡର ପେସ୍ ‘ସମ୍ବାଦ’ର ୪ର୍ଥ ପ୍ରେରଣାଦାୟୀ ବକ୍ତୃତା ରଖିବା ପାଇଁ ଭୁବନେଶ୍ବର ଆସିଥିଲେ। ‘ସମ୍ବାଦ’ ପରିବାର ତରଫରୁ ତାଙ୍କୁ ଭେଟିଥିଲେ ଅରବିନ୍ଦ ଦାସ

‘ସମ୍ବାଦ’: ରାଜ୍ୟର ସର୍ବବୃହତ୍ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ଗ୍ରୁପ୍ ତରଫରୁ ଆପଣଙ୍କୁ ସ୍ବାଗତ କରୁଛୁ। ସମ୍ଭବତଃ ଏହା ଆପଣଙ୍କର ପ୍ରଥମ ଓଡ଼ିଶା ଗସ୍ତ। କେମିତି ଲାଗୁଛି?
ଲିଆଣ୍ଡର: ନମସ୍କାର। ଏହା ଭୁବନେଶ୍ବରକୁ ମୋର ଦ୍ବିତୀୟ ଗସ୍ତ। ହକି ବିଶ୍ବକପ୍‌ରେ ଯୋଗଦେବାକୁ ପ୍ରଥମ ଥର ଆସିଥିଲି। ବହୁତ ଭଲ ଲାଗିଥିଲା। ଓଡ଼ିଶା ଏତେ ସୁନ୍ଦର ଭାବେ ଅନ୍ତର୍ଜାତୀୟ କ୍ରୀଡ଼ା ମହୋତ୍ସବକୁ ଆୟୋଜନ କରିବା ଜଣେ ଭାରତୀୟ ଭାବେ ମୋତେ ଗର୍ବିତ କରିଥିଲା। ଓଡ଼ିଶା ବିଶେଷ କରି ଭୁବନେଶ୍ବରକୁ ନୈତିକ ମନୋବଳ ଯୋଗାଇବା ଉଦ୍ଦେଶ୍ୟରେ ଆସିଥିଲି। ଓଡ଼ିଶା ଆମ ଦେଶର ଏତେ ବଡ଼ ସାମର୍ଥ୍ୟକୁ ସାରା ବିଶ୍ବରେ ପ୍ରଦର୍ଶିତ କରିବା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

‘ସମ୍ବାଦ’: ଭୁବନେଶ୍ବର ଆମ ଦେଶର କ୍ରୀଡ଼ା ରାଜଧାନୀର ମାନ୍ୟତା ହାସଲ ଦିଗରେ ଅଗ୍ରସର। ଆପଣଙ୍କର ମତ..?
ଲିଆଣ୍ଡର: କ୍ରୀଡ଼ା କ୍ଷେତ୍ରରେ ଦେଶର ଏକ ନମ୍ବର ରାଜ୍ୟ..।

‘ସମ୍ବାଦ’: ଆପଣଙ୍କୁ ଆମେ ଅଲିମ୍ପିକ୍ ପିଲା ହିସାବରେ ଜାଣୁ। ବାପା ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ ଆପଣଙ୍କ ଭଳି କାଂସ୍ୟପଦକ ହାସଲ କରିଥିଲେ। ୧୯୭୩ରେ ଆପଣଙ୍କର ଜନ୍ମ। ମା’ ଭାରତୀୟ ଜାତୀୟ ବାସ୍କେଟ୍‌ବଲ୍‌ ଦଳର ଅଧିନାୟିକା ଥିଲେ। କ୍ରୀଡ଼ା ପରିବାରରେ ଆପଣଙ୍କ ଜନ୍ମ। ସେ ଦୃଷ୍ଟିରୁ ଆପଣ ବହୁତ ଭାଗ୍ୟବାନ ନୁହନ୍ତି କି?
ଲିଆଣ୍ଡର: ଭାରତରେ ଜନ୍ମ ହୋଇଥିବାରୁ ନିଜକୁ ଗର୍ବିତ ମନେ କରୁଛି। ଆମ ଦେଶର ସଂସ୍କୃତି ଓ ଐତିହ୍ୟ ମହାନ। ଏକ କ୍ରୀଡ଼ା ପରିବାରରେ ଜନ୍ମ ହୋଇଥିବାରୁ ମୂଳରୁ କ୍ରୀଡ଼ା-ଶିକ୍ଷାର ମାନ ବଢ଼ାଇବା ଦିଗରେ ବ୍ରତୀ ହୋଇଆସିଛି। ମୋ ମା’ ଜଣେ ଜାତୀୟ ବାସ୍କେଟବଲ୍ ଖେଳାଳି ଥିଲେ। ବାପା ୧୯୭୨ ମ୍ୟୁନିକ୍ ଅଲମ୍ପିକ୍ସରେ ପଦକଧାରୀ। ଯାହାର ବାପାମା’ ଦୁଇଜଣ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାବିତ୍‌ ଥିବେ, ସେ ମୂଳରୁ କ୍ରୀଡ଼ାବିତ୍‌ ହେବା ସ୍ବାଭାବିକ ଥିଲା। ଘରେ ମୁଁ ଓ ମୋର ଦୁଇ ଭଉଣୀଙ୍କ ପାଇଁ ବାପାମା’ କିଭଳି ବାତାବରଣ ତିଆରି କରିଥିବେ, ଅନୁମେୟ। ଦୁଇଟି ଗୋଡ଼ ମୋର ମୂଳରୁ ଶକ୍ତିଶାଳୀ ଥିଲା। ପ୍ରଥମେ କୋଲକାତାରେ ଫୁଟବଲ ଖେଳୁଥିଲି। ସ୍କୁଲ୍ ଜୀବନରେ ପ୍ରାୟ ପ୍ରତିଟି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିଲି।

‘ସମ୍ବାଦ’: ବାପାଙ୍କ ୧୦ ନମ୍ବର ଜର୍ସି ଓ ମା’ ପିନ୍ଧୁଥିବା ୫ ନମ୍ବର ଜର୍ସିକୁ ଆପଣ ଇସ୍ତ୍ରି କରି ସାଇତି ରଖୁଥିଲେ। ସେମିତି ସପ୍ତାହକୁ ଥରେ ଆପଣ ବାପାଙ୍କର ଅଲମ୍ପିକ ପଦକକୁ ପଲିସ୍ କରି ଚକାଚକ୍ କରିଦେଉଥିଲେ। ନିଶ୍ଚୟ ପିଲାଟି ଦିନରୁ ବହୁତ ଗର୍ବ ଅନୁଭବ କରୁଥିବେ..?
ଲିଆଣ୍ଡର: ହଁ, ମୋତେ ସେତେବେ‌ଳକୁ ଛଅ-ସାତ ବର୍ଷ ବୟସ ହେଉଥାଏ। ପ୍ରତି ରବିବାର ମୁଁ ମୋ ବାପାଙ୍କ ଅଲିମ୍ପିକ ପଦକକୁ ସଫା କରେ। ଜଣେ ଅଲିମ୍ପିଆନ୍ ହେବାକୁ ସେଇଟା ମୋତେ ପ୍ରେରଣା ଯୋଗାଇଥିଲା। ବାପାମା’ଙ୍କ ଜର୍ସି ଇସ୍ତ୍ରି କରିବା ମୋତେ ତ୍ରିରଙ୍ଗା ପାଇଁ ଖେଳିବା ଦିଗରେ ବହୁତ ଉତ୍ସାହିତ କରିଛି।

ମଣିଷ ହିଁ ପ୍ରତ୍ୟେକଙ୍କ ଜୀବନର ଶ୍ରେଷ୍ଠ ସମ୍ପଦ
ଲୋକଙ୍କୁ ବଦଳାଇବା ବଦଳରେ ସେମାନଙ୍କୁ ଗ୍ରହଣ କରିବାରେ ବିଶ୍ବାସ କରେ

‘ସମ୍ବାଦ’: ଏତେ ଲମ୍ବା ସମୟ ଧରି କ୍ରୀଡ଼ା ଜଗତରେ ଉଚ୍ଚ ସ୍ତରର ପ୍ରଦର୍ଶନ ସହ ଆପଣ ତିଷ୍ଠିରହିବାର ରହସ୍ୟ କ’ଣ? ଏମିତିରେ ଆପଣ ବହୁତ ଦୀର୍ଘକାୟ ନୁହନ୍ତି; ଆପଣଙ୍କର ସିଙ୍ଗଲ୍ ବେକ୍‌ହ୍ୟାଣ୍ଡ ମଧ୍ୟ ଟେନିସ୍ ପାଇଁ ବହୁତ ଅନୁକୂଳ ନୁହେଁ। ତଥାପି ପ୍ରତିଦ୍ବନ୍ଦ୍ବିତାମୂଳକ ଟେନିସ୍‌ରେ ସାଢ଼େ ତିନି ଦଶନ୍ଧି ତିଷ୍ଠିରହିବା..! ପ୍ରତିଭା ସହ ଆଉ କ’ଣ?
ଲିଆଣ୍ଡର: ମୁଁ ଭାବେ, ଭାରତୀୟ ହେବାର ଏକ ଭିନ୍ନ ଶକ୍ତି ରହିଛି। ମୋ’ ଜମାନା ଓ ମୋ’ ପ୍ରଶଂସକମାନ‌େ ମୋତେ ଏଥିପାଇଁ ଶକ୍ତି ଦେଇଛନ୍ତି। କୋଟିକୋଟି ଭାରତୀୟ ୩୦ ବର୍ଷ ଧରି ମୋ ପଛରେ ରହିବା ମୋର ସବୁଠୁ ବଡ଼ ଶକ୍ତି। ଦେଶ ପାଇଁ ନିଜର ଶ୍ରେ‌ଷ୍ଠତ୍ବ ପ୍ରତିପାଦିତ କରିବା ମୋ’ ପାଇଁ ସବୁଠୁ ବଡ଼ ଆହ୍ବାନ। ତ୍ରିରଙ୍ଗାର ପ୍ରତିନିଧିତ୍ବ କଲାବେଳେ ଯେଭଳି ମୋ’ ସମୟର ଦେଶବାସୀ ମୋତେ ଉପରକୁ ଉଠାଇବାରେ ସହଯୋଗ କରିଛନ୍ତି, ତାହା ଭୁଲିବାର ନୁହେଁ। ୩୧ ବର୍ଷର ଖେଳ ଜୀବନରେ ଆପଣ ଯଦି ମୁଁ ଖେଳିଥିବା ଅଲମ୍ପିକ, ଗ୍ରାଣ୍ଡସ୍ଲାମ୍ ମ୍ୟାଚ୍, ଡେଭିସ୍ କପ୍ କିମ୍ବା ଅନ୍ୟ ମ୍ୟାଚ୍ କଥା କହିବେ, ଯେତେବେଳେ ମୁଁ ଭାରତ ପାଇଁ ଖେଳେ ତାହା ମୋ ପାଇଁ ଶ୍ରେଷ୍ଠ ମୁହୂର୍ତ୍ତ ହୁଏ।

‘ସମ୍ବାଦ’: ଆପଣ ପିଢ଼ି ପରେ ପିଢ଼ିର ଖେଳାଳିଙ୍କ ସହ ଖେଳିଛନ୍ତି। ନବେ ଦଶକରେ ନରୱେର ଖେଳାଳି କ୍ରିଷ୍ଟିଆନୋ ରୁଡ୍‌ଙ୍କ ସହ ଖେଳିଲେ। ୨୦୧୯ରେ ତାଙ୍କ ପୁଅ କାସ୍ପରଙ୍କ ସହ ମଧ୍ୟ ଖେଳିଲେ। ତାଙ୍କ ସହ ଖେଳିଲା ବେଳେ ‘ତେରେ ବାପ୍ କେ ସାଥ୍ ଖେଲା ହୁଁ’ ଭଳି ଭାବନା ମନକୁ ଆସୁଥିଲା ବୋଲି ଆପଣ କହନ୍ତି…।
ଲିଆଣ୍ଡର: ହଁ। ମୁଁ ଏକାଧିକ ପିଢ଼ିର ଖେଳାଳିଙ୍କ ସହ ଖେଳିଛି। ୧୯୯୧ରେ ବାପ ଖ୍ରିଷ୍ଟିଆନୋଙ୍କ ସହ ୟୁଏସ୍ ଜୁନିୟର୍‌ରେ, ପୁଅ କାସ୍ପରଙ୍କ ସହ ୨୦୧୯ରେ ୟୁଏସ୍ ଓପନ୍‌ରେ ଖେଳିବାର ମଜା ଅଲଗା। ବାପପୁଅ ପିଟର୍ ଓ ସାବାଷ୍ଟିନ୍ କୋଡ଼ାଙ୍କ ସହ ବି ଖେଳିଛି। ୨୦୦୬ରେ ମାର୍ଟିନ୍‌ଙ୍କ ସାଥୀ ହୋଇ ୟୁଏସ୍‌ ଓପନ୍ ଜିତିଥିଲୁ, ସେବର୍ଷ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ ଯାଏ ଯାଇଥିଲୁ। ଏବେ ତାଙ୍କ ପୁଅ ସାଙ୍ଗେ ଖେଳୁଛି।

‘ସମ୍ବାଦ’: ୧୩୫ ଜଣ ଡବଲ୍ସ ଯୋଡ଼ି ଓ ୨୪ ଜଣ ମିକ୍ସଡ ଡବଲ୍ସ ଯୋଡ଼ି! ଅବିଶ୍ବସନୀୟ ଉପଲବ୍‌ଧି ସତରେ..!!
ଲିଆଣ୍ଡର: ଏହାର ଶ୍ରେୟ ମୁଁ ଭାରତୀୟ ସଂସ୍କୃତିକୁ ଦେବି। ଆମେ ଯୋୖଥ ପରିବାରରେ ବଢ଼ିବା ଶିଖିଥାଉ। ବିଶ୍ବର ବୃହତ୍ତମ ଗଣତନ୍ତ୍ରରେ ଆମେ ଗୋଷ୍ଠୀ-ଜୀବନରେ ବିଶ୍ବାସ କରିଥାଉ। ଆମେ ଲୋକଙ୍କ ସହ ଯୋଡ଼ିହୋଇ ବଞ୍ଚିବା ଶିଖିଥାଉ। ଲୋକଙ୍କ ପ୍ରକୃତି ବଦଳାଇବା ବଦଳରେ ଆମେ ସେମାନଙ୍କୁ ଗ୍ରହଣ କରିବାରେ ବିଶ୍ବାସ କରୁ। ଭାରତରେ ବଢ଼ିବାର ଏକ ଭଲ ଦିଗ ହେଲା, ଲୋକଙ୍କ ଭଲମନ୍ଦ ବିଚାର କରି ସେମାନଙ୍କ ସହ ମିଶିବା। ନିଜ ଦୁର୍ବଳତାକୁ ଅନ୍ୟମାନଙ୍କର ସାମର୍ଥ୍ୟ ଦ୍ବାରା ଭରଣା କରିବା; ସେହିପରି ଅନ୍ୟର ଦୁର୍ବଳତାକୁ ନିଜ ସାମର୍ଥ୍ୟରେ ଢାଙ୍କିବା।

‘ସମ୍ବାଦ’: କ୍ରୀଡ଼ା ଜୀବନର ଆଦ୍ୟାବସ୍ଥାରେ ଆପଣଙ୍କୁ ମଧ୍ୟ ସଂଘର୍ଷ କରିବାକୁ ପଡ଼ିଛି। ଏମିତି ଗୋଟିଏ କାହାଣୀ କୁହନ୍ତୁ ଯାହା କି ଯୁବବର୍ଗ ପାଇଁ ପ୍ରେରଣାର ଉତ୍ସ ହେବ।
ଲିଆଣ୍ଡର: ମୋ ଜୀବନରେ ସଂଘର୍ଷର ଏତେ କାହାଣୀ ଅଛି, ଯଦି କହିବା ଆରମ୍ଭ କରିବି, ବର୍ଷେ ଲାଗିଯିବ। ତେବେ ମୁଁ ଯୋଉ ମୋର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି, ସେଥିରେ ମୋ ଦ୍ବାରା ଅର୍ଜିତ ସବୁ କ୍ରୀଡ଼ା ଜ୍ଞାନକୁ ମୁଁ ବିତରଣ କରିବା ଚାହିବି। ମୋ ବାପାଙ୍କ ୫୦ ବର୍ଷର ଅଭିଜ୍ଞତା, ତାଙ୍କର ଅଲମ୍ପିକ ଜ୍ଞାନ, ମୋର ଗ୍ରାଣ୍ଡ ସ୍ଲାମ୍ ଜ୍ଞାନ, ପାରଦର୍ଶିତା ହାସଲର ସୂତ୍ର-ଏ ସମସ୍ତ ଜ୍ଞାନକୁ ମୁଁ ମୋ କ୍ୟାରିୟରରେ ହାସଲ କରିଥିବା କ୍ରୀଡ଼ାଶିକ୍ଷା ରୂପକ ବାହନ ମାଧ୍ୟମରେ ଯୁବବର୍ଗ ପାଖରେ ପହଞ୍ଚାଇବାକୁ ଚାହିବି। ମୋର ଅନୁଭବ, ଲୋକେ ଅଧିକ ବିଶ୍ବ ଚାମ୍ପିଅନ୍, ଗ୍ରାଣ୍ଡ ସ୍ଲାମ୍ ଚାମ୍ପିଅନ୍ ତିଆରି ହେବା ଚାହାନ୍ତି। ଲୋକେ ବିଶ୍ବର ୧ ନମ୍ବର ସ୍ଥାନରେ ନିଜ ଦେଶର କ୍ରୀଡ଼ାବିତଙ୍କୁ ଦେଖିବାକୁ ଚାହାନ୍ତି। ଲୋକେ ପିରାମିଡ୍‌ର ଶୀର୍ଷରେ ଆମ ପିଲାଙ୍କୁ ଦେଖିବାକୁ ଚାହାନ୍ତି।

‘ସମ୍ବାଦ’: ଆପଣ ତେବେ ନିଜ ଦ୍ବିତୀୟ ଇନିଂସ ପାଇଁ ଏବେଠୁ ପୂରା ପ୍ରସ୍ତୁତ ହୋଇସାରିଲେଣି..!
ଲିଆଣ୍ଡର: ହଁ, ଆମେ ଏକ ପେସାଦାର ଟେନିସ୍‌ ଏକାଡେମି କରି ତାକୁ ଶୀର୍ଷରେ ପହଞ୍ଚାଇପାରିବା। ତେବେ ମୋ ଫୋକସ୍ ମୁଖ୍ୟତଃ ଉକ୍ତ ପିରାମିଡ୍‌ର ସବା ତଳସ୍ତର ଉପରେ ରହିବ। ଆମ ପାଇଁ ଚିନ୍ତାର କାରଣ ହେଲା, ଆମେ ବିଶ୍ବରେ ମେଦବହୁଳତା, ମଧୁମେହ ଆଦିରେ ୧ ନମ୍ବର। ମାନସିକ ସ୍ବାସ୍ଥ୍ୟ ମଧ୍ୟ ଏକ ବଡ଼ ପ୍ରସଙ୍ଗ ବୋଲି ମୁଁ ଭାବେ। ଲୋକେ ଚାପଗ୍ରସ୍ତ ହୋଇପଡ଼ୁଛନ୍ତି। ଆମେ ଯଦି ଲୋକଙ୍କର ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଯତ୍ନ ନେଇପାରିବା, ଏକ ସୁନ୍ଦର ସମାଜ ଗଠନ ହୋଇପାରିବ।

‘ସମ୍ବାଦ’: ଆପଣ ତ ନିଜର ଯୋଗଦାନ କଥା କହିଲେ। ଆନୁଷ୍ଠାନିକ ଭାବେ ସରକାର ଏ ଦିଗରେ ନିର୍ଦ୍ଦିଷ୍ଟ ଭାବେ କ’ଣ କରିବା ଆପଣ ଚାହାନ୍ତି?
ଲିଆଣ୍ଡର: ଯଦି ଆମେ ସମସ୍ତେ ଏକାଠି ହୋଇ କ୍ରୀଡ଼ାକୁ ଯୁବବର୍ଗର ଉନ୍ମେଷର ଏକ ବାହନ ଭାବେ ବ୍ୟବହାର କରିବା ଆମ ଲକ୍ଷ୍ୟ ହାସଲ ହୋଇପାରିବ। ଆମ ଦେଶରେ ୭୪୫ ନିୟୁତ ଲୋକ ୨୫ ବର୍ଷରୁ କମ୍ ବୟସର ଅଟନ୍ତି। ଆପଣ ଓ ମୋ ଭଳି ଲୋକଙ୍କୁ ଯେମିତି ଆମ ବାପାମା’ ଭଲ ସୁଯୋଗ ଦେଲେ, ସେଇ ୭୪୫ ନିୟୁତ ଭବିଷ୍ୟତଙ୍କୁ ସେଭଳି ସୁଯୋଗ ଯୋଗାଇବା ହିଁ ମୋର ଲକ୍ଷ୍ୟ।

‘ସମ୍ବାଦ’: ଆପଣ ଆଉ ଗୋଟେ ଦୃଷ୍ଟିରୁ ମଧ୍ୟ ଭାଗ୍ୟଶାଳୀ। ପ୍ରଥମେ ଫୁଟ୍‌ବଲ ଖେଳାଳି ହେବାକୁ ଯାଉଥିଲେ। ଯାହା ହଉ ଶେଷରେ ଜଣେ କିଂବଦନ୍ତି ଟେନିସ୍ ତାରକାରେ ପରିଣତ ହେଲେ। ଫୁଟ୍‌ବଲର ସ୍ଥିତି ଯାହା ଓ ବାଇଚୁଙ୍ଗ ଭୁତିଆ, ସୁନୀଲ ଛେତ୍ରୀଙ୍କ ଭଳି ଆମ ଦେଶର ଗର୍ବଗୋୖରବଙ୍କୁ ଆମେ ଯେତିକି ସମ୍ମାନ ଦେଉଛୁ ଆପଣ ମଧ୍ୟ ଫୁଟ୍‌ବଲ ଖେଳିଥିଲେ ବୋଧହୁଏ ହତାଶ ହୋଇଥା’ନ୍ତେ। ଜୀବନର ସେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଟି ଠିକ୍ ଥିଲା..।
ଲିଆଣ୍ଡର: ସୁନୀଲ ଓ ବାଇଚୁଙ୍ଗ ଉଭୟେ ମୋର ବହୁତ ଭଲ ବନ୍ଧୁ। ସେଇ ଦୁଇ ଭଲ ମଣିଷଙ୍କ ପ୍ରତି ମୋର ପ୍ରଗାଢ଼ ସମ୍ମାନ ରହିଛି। ମୋ କ୍ୟାରିୟର କଥା ଯଦି କହୁଛନ୍ତି, ଜଣେ ମଣିଷ ତା’ ଜୀବଦ୍ଦଶାରେ ଗୋଟିଏ ଗ୍ରାଣ୍ଡ ସ୍ଲାମ୍ ପାଇଲେ ବି କୃତକୃତ୍ୟ ହୋଇଯିବ। ୧୮ ଗ୍ରାଣ୍ଡସ୍ଲାମ୍, ୩୦ ଥର ଫାଇନାଲ୍‌କୁ ଯିବା, ୭ ଥର ଅଲମ୍ପିକ୍‌ରେ ଭାଗନେବା- ଏସବୁ ମୋ ଉପରେ ଆଶୀର୍ବାଦ ଛଡ଼ା ଆଉ କିଛି ନୁହେଁ।

‘ସମ୍ବାଦ’: କ୍ରିକେଟ୍‌ର ପ୍ରାଧାନ୍ୟକୁ ନେଇ ଆମ ଦେଶରେ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କର ଗୋଟିଏ ସାଧାରଣ ଅଭିଯୋଗ ରହିଛି। ଅଭିଯୋଗଟି ହେଲା, ବିଭିନ୍ନ ଖେଳ ମଧ୍ୟରେ ଏକ ଜାତିଭେଦ ପ୍ରଥା ରହିଛି। କ୍ରିକେଟ୍‌କୁ ଉଚ୍ଚ ଜାତିର ମାନ୍ୟତା ଦିଆଯାଉଥିବା କଥାକୁ ଅନେକେ ନାପସନ୍ଦ କରନ୍ତି। ସିଧା କହିବାକୁ ଗଲେ, ଆପଣଙ୍କ ଭଳି ଟେନିସ୍ ତାରକାମାନେ ତେନ୍ଦୁଲକର କିମ୍ବା କୋହଲିଙ୍କ ଭଳି କ୍ରିକେଟ ତାରକାଙ୍କୁ ନେଇ ଈର୍ଷା କରିବା ସ୍ବାଭାବିକ ନୁହେଁ କି?
ଲିଆଣ୍ଡର: ଆପଣ ଜାଣନ୍ତି, ଈର୍ଷା କରିବା ଆଦୋୖ ଭଲ ନୁହେଁ। କ୍ରିକେଟ ଅଧିକ ଚର୍ଚ୍ଚାରେ ରହୁଥିବାରୁ ତଥା ଅଧିକାଂଶ କପୋର୍ରେଟ୍ ସ୍ପନ୍‌ସର୍‌ସିପ୍ ନେଇଯାଉଥିବାରୁ ବହୁ କ୍ରୀଡ଼ାବିତ୍‌ କ୍ରିକେଟକୁ ଗାଳିମନ୍ଦ କରନ୍ତି। ମୁଁ କିନ୍ତୁ ଭାବେ କ୍ରିକେଟ ପ୍ରଶଂସା ପାଇଁ ଯୋଗ୍ୟ। ଆପଣ ଯଦି କ୍ରିକେଟ କିପରି ପରିଚାଳିତ ହେଉଛି ଦେଖିବେ, ଯଦି ଆଇପିଏଲ, ବିସିସିଆଇ, ଜାତୀୟ ଦଳ ଆଦି କିପରି ବ୍ୟବସ୍ଥିତ ଭାବେ କାମ କରୁଛନ୍ତି ସେଥିରୁ ଶିଖିବେ, କ୍ରିକେଟ ପ୍ରତି ଅପେ ସମ୍ମାନ ଆସିଯିବ। ଏବେ କବାଡ୍ଡି, ବ୍ୟାଡ୍‌ମିଣ୍ଟନ, ଫୁଟ୍‌ବଲ ଲିଗ୍ ହେଉଛି। ମୁଁ ଭାବୁଛି, ଆଇପିଏଲ୍ ହିଁ ଦେଶରେ ପ୍ରଥମେ ଏହି ଲିଗ୍ ପରମ୍ପରା ଆରମ୍ଭ କରିଥିଲା। ଭୁବନେଶ୍ବର ଏ ଦିଗରେ ଅଗ୍ରଗଣ୍ୟ ଥିବା ଆପଣ ଜାଣନ୍ତି।

‘ସମ୍ବାଦ’: ପଡ଼ିଆରେ ସେମାନେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ। ୱିମ୍ବେଲଡନ୍, ୟୁଏସ୍ ଓପନ୍‌ରେ ମୁହାଁମୁହିଁ ହୁଅନ୍ତି। ଅଥଚ ମହାନ୍ ତାରକା ନାଭ୍ରାତିଲୋଭା ଓ କ୍ରିସ୍ ଏଭର୍ଟ ଉଭୟେ ଉଭୟଙ୍କର ଘନିଷ୍ଠ ବନ୍ଧୁ। ଆପଣ ନିଜେ ଲେଖିଥିବା ପଢ଼ିଛି, କମ୍ୟୁନିଷ୍ଟ ଶାସିତ ଚେକୋସ୍ଲାଭାକିଆରୁ ତରୁଣୀ ନାଭ୍ରାତିଲୋଭା ଆମେରିକା ଚାଲିଆସିଲେ। ତାଙ୍କୁ କ୍ରିସ୍ ଏଭର୍ଟଙ୍କ ଘରେ ସୋଫାରେ ଶୋଇବାକୁ ପଡ଼ୁଥିଲା। ମହେଶ ଭୂପତିଙ୍କ ସାଙ୍ଗେ ଆପଣଙ୍କର ବି ଏପରି ଘନିଷ୍ଠ ସମ୍ପର୍କ ସମ୍ଭବ ହୋଇ ନଥା’ନ୍ତା କି?
ଲିଆଣ୍ଡର: ମୁଁ ଭାବେ, ଆମେ ଦୁହେଁ ଦେଶ ପାଇଁ ଯାହା ଅର୍ଜିଛୁ ତାହା ଚମତ୍କାର। ଆମ ଦୁହିଁଙ୍କ ମଧ୍ୟରୁ ସିନିୟର ପାର୍ଟନର ଭାବେ ଏବେ ମୁଁ ଭାବେ, ମୁଁ ଓ ମହେଶ ଗ୍ରାଣ୍ଡ ସ୍ଲାମ୍ ଜିତିବା ସହ ସେତେବେଳେ ଆମ ଚାରିକଡ଼େ ଥିବା ବନ୍ଧୁମାନଙ୍କ ସ୍ବାର୍ଥକୁ ଆମେ ସଭିଏଁ ଜଗୁଥିଲୁ। ଆମେ ମଧ୍ୟ ଆମ ଦିହିଁଙ୍କ ସମ୍ପର୍କକୁ ସେମିତି ସୁରକ୍ଷା ଦେବାର ଉଚିତ ଥିଲା। ତେବେ ଆମେ ଦୁହେଁ ଦୁହିଁଙ୍କୁ ବହୁତ ସମ୍ମାନ କରୁ। ଯେବେ ବି ଆମେ ଦୁହେଁ ଗୋଟିଏ ପ୍ରକୋଷ୍ଠରେ କିମ୍ବା କଫିଟେବୁଲ୍‌ରେ ଏକାଠି ହେଉ, ବହୁତ ମଜା କରୁ। ତେଣୁ ଆମର ଡାଉନ୍‌କୁ ଦେଖିବା ବଦଳରେ ଅପ୍ସକୁ ଦେଖିଲେ ଆମ ସମ୍ପର୍କ ବହୁତ ଭଲ ଲାଗିବ..।

‘ସମ୍ବାଦ’: ହଁ, ସେ ତ ଏଇ କିଛିଦିନ ତଳେ ଆପଣଙ୍କ ଅବସର ଯୋଜନା ଶୁଣି କହିଥିଲେ, ଆପଣଙ୍କ ପାଖରେ ଆହୁରି ବର୍ଷକର ଖେଳ ବାକି ଅଛି..।
ଲିଆଣ୍ଡର: ଦୁଇଜଣ ଯୁବବନ୍ଧୁଙ୍କ ଭିତରେ ଯେମିତି ଘନିଷ୍ଠ ସମ୍ପର୍କ ରହେ, ଆମ ଦୁହିଁଙ୍କର ମଧ୍ୟ ସେମିତି ସମ୍ପର୍କ। ପ୍ରସିଦ୍ଧ ଚଳଚ୍ଚିତ୍ର ‘ଶୋଲେ’ରେ ଜୟ ଓ ବୀରୁ ଭୂମିକାରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଭଳି ବନ୍ଧୁତ୍ବକୁ ଦେଖିଲେ ସେଥିରେ ଥିବା ମ୍ୟାଜିକ୍‌କୁ ବୁଝିପାରିବେ।

‘ସମ୍ବାଦ’: ଠିକ୍ କଥା। ତେବେ ୟେ ଦିଲ୍ ମାଙ୍ଗେ ମୋର୍। ଆମେ ଭାବୁ ଭୂପତିଙ୍କର ସହ ଆପଣଙ୍କର ସମ୍ପର୍କ ଆହୁରି ଭଲ ଥିଲେ ଭାରତୀୟ ଟେନିସ୍ ଅଧିକ ଲାଭବାନ ହୋଇଥା’ନ୍ତା।
ଲିଆଣ୍ଡର: ତେବେ ଆମେ ଦୁହେଁ ଦେଶବାସୀଙ୍କୁ ଦେଖେଇଦେଲୁ ଯେ ଭାରତୀୟମାନେ ବିଶ୍ବବିଜୟୀ ହୋଇପାରିବେ। ଆମେ ବର୍ଷବର୍ଷ ଧରି ବିଶ୍ବର ନମ୍ବର ୱାନ୍ ହୋଇଥିଲୁ। ଆମେ ଗ୍ରାଣ୍ଡ ସ୍ଲାମ୍ ଜିତିଥିଲୁ। ଯଦି ମୋର ଠିକ୍ ମନେ ଥାଏ ଆମେ ଏକାଠି ରେକର୍ଡ ୪୩ଟି ଡେଭିସ୍ କପ୍ ମ୍ୟାଚ୍ ଜିତିଛୁ। ଦୁଇଜଣ ଯୁବକ ଏକାଠି ୧୫ ବର୍ଷ ଧରି ଦେଶପାଇଁ ଏତେ କରିବା ପଛରେ କେତେ ଅଧ୍ୟବସାୟ ଥିବ ଅନୁମାନ କରନ୍ତୁ।

‘ସମ୍ବାଦ: ୧୯୯୮ରୁ ୨୦୦୦-ଏହି ତିନିବର୍ଷକୁ ଆପଣଙ୍କ ଟେନିସ ଜୀବନର ଶ୍ରେଷ୍ଠ ସମୟ କହିପାରିବା କି?। ୧୯୯୮ରେ ମହାନ ତାରକାର ପିଟ୍‌ ସାମ୍ପ୍ରାସ୍‌ଙ୍କୁ ଧୂଳି ଚଟାଇଲେ। ୧୯୯୯ରେ ଡବଲ୍ସ ଡବଲ୍। ୨୦୦୦ରେ ଆପଣଙ୍କ ପ୍ରିୟ ଖେଳାଳି ରୋଜର୍ ଫେଡେରର୍‌ଙ୍କୁ ପରାସ୍ତ କଲେ..।
ଲିଆଣ୍ଡର: ଯଦି ମୋ କ୍ୟାରିୟରକୁ ଦେଖିବେ, ଆଦ୍ୟାବସ୍ଥାରେ ସିଙ୍ଗଲ୍ସରେ ମୁଁ ବେଶ ପାରଙ୍ଗମ ଥିଲି। ପ୍ରଥମେ ସାମ୍ପ୍ରାସଙ୍କୁ ଓ ପରେ ପରେ ଫେଡେରର୍‌ଙ୍କୁ ପରାସ୍ତ କରିବା ଓ ତା’ଭିତରେ ଅଲମ୍ପିକ୍ ପଦକ ପାଇବା। ସେ ଦୃଷ୍ଟିରୁ ବେଶ ସୁଦୀର୍ଘ ଥିଲା ମୋ ସିଙ୍ଗଲ୍ସ କ୍ୟାରିୟର। ତା’ପରେ ମୁଁ ଦେଖିଲି, ଆମେ ଦୁଇ ଯୁବକ ଏକାଠି ହେଲେ ଡବଲ୍ସରେ ଗ୍ରାଣ୍ଡ ସ୍ଲାମ୍ ଜିତିପାରିବୁ। ଆମେ ଯେ ଗ୍ରାଣ୍ଡସ୍ଲାମ୍ ଚାମ୍ପିଅନ୍ ହୋଇପାରିବୁ ତାହା ଦେଶବାସୀଙ୍କ ଆଗରେ ପ୍ରମାଣ କରି ଦେଖାଇବା ଆମପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ଥିଲା। ପୂର୍ବରୁ ତାହା କେହି କରି ଦେଖାଇନଥିଲେ। ମୁଁ କ୍ୟାରିୟର୍‌ରେ ଯେତେବେଳେ ଯାହା କରିଛି ସେଥିରେ ଭାରତର ମର୍ଯ୍ୟାଦାକୁ ହିଁ ଆଖିଆଗରେ ରଖି କରିଛି। ନିଜ ଉପରେ ବିଶ୍ବାସ ରଖି ପରିଶ୍ରମ କଲେ ଆମେ ଯେ ବିଶ୍ବ ଚାମ୍ପିଅନ୍ ହୋଇପାରିବା ତାହା ଆମ ଲୋକଙ୍କୁ ଦେଖେଇଦେବା ହିଁ ଅଭିପ୍ରାୟ ଥିଲା।

‘ସମ୍ବାଦ’: ଆପଣ ନିଜେ ଜଣେ କିଂବଦନ୍ତି ତାରକା। ବିଭିନ୍ନ ସମୟରେ ଲିଜା ରେମଣ୍ଡ, ମାର୍ଟିନା ନାଭ୍ରାତିଲୋଭା, ମାର୍ଟିନା ହିଙ୍ଗିସ୍, ସାନିଆ ମିର୍ଜାଙ୍କ ଭଳି ମହିଳା କିଂବଦନ୍ତି ତାରକାଙ୍କ ସହ ମିକ୍ସଡ ଡବଲ୍ସରେ ପାର୍ଟନର ହୋଇଛନ୍ତି। କାହା ସହ ପାର୍ଟନର୍ ହେବା ଆପଣଙ୍କୁ ସବୁଠୁ ଅଧିକ ସନ୍ତୋଷ ଦେଇଛି?
ଲିଆଣ୍ଡର: (ହସିଦେଇ) ମୁଁ ଜଣଙ୍କ ନାମ ଧରିଲେ ଆପଣ ମୋତେ ଅସୁବିଧାରେ ପକାଇବେ! ମୋର ପ୍ରତ୍ୟେକ ପାର୍ଟନର୍ ବେଶ ସ୍ବତନ୍ତ୍ର ଅଟନ୍ତି। ୩୦ ବର୍ଷର ଲମ୍ବା କ୍ୟାରିୟରରେ ମୋର ପ୍ରତ୍ୟେକ ପାର୍ଟନରଙ୍କ ସହ ‌ମୋର ସ୍ବତନ୍ତ୍ର ସମ୍ପର୍କ ରହିଛି।

‘ସମ୍ବାଦ’: ଆପଣଙ୍କର ଦୁଇ ଖେଳସାଥୀ, ଉଭୟ ମାର୍ଟିନାଙ୍କ ମଧ୍ୟରୁ ଜଣେ ନେତୃତ୍ବ ନିଅନ୍ତି। ଆଉ ଜଣେ ଅନୁକରଣ କରନ୍ତି। ଆପଣଙ୍କୁ କେଉଁଟା ଭଲ ଲାଗେ, ନାଭ୍ରାତିଲୋଭାଙ୍କ ନେତୃତ୍ବ ନେବାର ଶୈଳୀ ନା ହିଙ୍ଗିସ୍‌ଙ୍କ ଅନୁକରଣ ଶୈଳୀ?
ଲିଆଣ୍ଡର: ମାର୍ଟିନା ନାଭ୍ରାତିଲୋଭା ଦଳରେ ଜଣେ ସ୍ବାଭାବିକ ନେତୃତ୍ବ ନିଅନ୍ତ। ମୋତେ ଦୀର୍ଘ କ୍ୟାରିୟରର ବାଟ ଦେଖାଇଛନ୍ତି। ସେ ମୋତେ ଖାଦ୍ୟପେୟ, ଯୋଗ, ମାନସିକ ସ୍ବାସ୍ଥ୍ୟ -ସବୁକିଛି ଶିଖାଇଛନ୍ତି। ସେ ମୋ ପାଇଁ ଜଣେ ପ୍ରେରଣା ଅଟନ୍ତି।

‘ସମ୍ବାଦ’: ଅନ୍ୟ ପକ୍ଷ‌େର ଅନ୍ୟ ମାର୍ଟିନା ଜଣକ ଜଣେ ‘ଫଲୋଅର’ ଅଟନ୍ତି..।
ଲିଆଣ୍ଡର: ମାର୍ଟିନା ହିଙ୍ଗିସ ମୋର ଜଣେ ସାନ ଭଉଣୀ ଭଳି ଲାଗନ୍ତି। ଆମ ଉଭୟଙ୍କ କ୍ୟାରିୟରର ଅପେକ୍ଷାକୃତ ମାନ୍ଦାବସ୍ଥାରେ ଆମେ ଏକାଠି ଖେଳୁଥିଲୁ। କୋର୍ଟ ବାହାରେ ମଧ୍ୟ ତାଙ୍କ ସହ ମୋର ଘନିଷ୍ଠତା ରହିଆସିଛି।

‘ସମ୍ବାଦ’: ଆପଣ କାହାକୁ ପସନ୍ଦ କରିବେ, ଜଣେ ‘ଲିଡର୍‌ଙ୍କୁ ନା ଜଣେ ‘ଫଲୋଅର୍‌’ଙ୍କୁ?
ଲିଆଣ୍ଡର: ମୁଁ ଭାବେ, ବିଶ୍ବର ସବୁ ଆଗଧାଡ଼ିର ସଫଳ ବ୍ୟକ୍ତି ଉଭୟ ପ୍ରବୃତ୍ତିର ମଣିଷଙ୍କୁ ଭଲ ପାଇବାକୁ ବାଧ୍ୟ। ଯେତେବେଳେ ଯିଏ ଉପଯୋଗୀ ସେତେବେଳେ ତାକୁ ମାନି ଚଳିବାକୁ ହେବ।

‘ସମ୍ବାଦ’: ସେହିପରି ଆପଣ ଫେରେରା, ଫେଡେରର୍, ଇଭାନିସେଭିଚ୍, ସାମ୍ପ୍ରାସ୍‌ଙ୍କ ଭଳି ମହାନ୍ ଖେଳାଳିଙ୍କୁ ମଧ୍ୟ ହରାଇବାର ଗୋୖରବ ହାସଲ କରିଛନ୍ତି। ସେଥିରୁ କେଉଁଟିକୁ ଆପଣଙ୍କୁ ସବୁଠୁ ଅଧିକ ଉତ୍‌ଫୁଲ୍ଲିତ କରିଥିଲା?
ଲିଆଣ୍ଡର: ଏତେଗୁଡ଼ିଏ ଉଜ୍ଜଳ ମୁହୂର୍ତ୍ତରୁ ଗୋଟିଏ ଦୁଇଟିକୁ ବାଛିବା ବଡ଼ କଷ୍ଟ। ତେବେ ନିଜ ବାପାମା’ଙ୍କ ଉପସ୍ଥିତିରେ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସର ପୁରସ୍କାର ପୋଡିୟମ୍‌ ଉପରେ ନିଜ ବାମ କଡ଼େ ଆନ୍ଦ୍ରେ ଆଗାସି ଓ ତାଙ୍କ ବାମ କଡ଼େ ସର୍ଗେଇ ବୁବ୍‌କାଙ୍କ ସହ ଛିଡ଼ା ହୋଇ ମେଡାଲ୍‌ ପାଇବାର ସ୍ମୃତି ନିଆରା। ଭାରତୀୟ, ଆମେରିକୀୟ ଓ ସ୍ପେନିସ୍ ଜାତୀୟ ସଂଗୀତର ମୂର୍ଚ୍ଛନା ଭାସିଆସୁଥିବା ବେଳେ ଆମ ଦେଶର ଜାତୀୟ ପତାକା ଉଠିବାର ଦୃଶ୍ୟ ଆଜି ବି ସ୍ମୃତିକୁ ରୋମନ୍ଥନ କରେ। ମୁଁ ଏଣିକି ନିଜ ମେଡାଲ୍ ପଲିସ୍ କରିପାରିବି ବୋଲି ମୋ ବାପାଙ୍କୁ କହିପାରିଲି। ଆଗରୁ କେବଳ ମୋ ବାପାଙ୍କ ମେଡାଲ୍ ପଲିସ୍ କରୁଥିଲି। ଏଣିକି ଆମ ଦୁହିଁଙ୍କ ମେଡାଲ୍ ପାଖାପାଖି ରହିବ।

‘ସମ୍ବାଦ’: ଆପଣ ବାପାଙ୍କ ଅଲମ୍ପିକ୍ ପଦକ ସଫା କରୁଥିଲେ ସତ, ଅଥଚ ଆପଣଙ୍କର ସବୁ ପଦକ, ଟ୍ରଫି ଆପଣଙ୍କ ପାଖରେ ନିଜେ ସାଇତି ରଖିନାହାନ୍ତି। ଏଠିସେଠି ପଡ଼ିଛି। ଅବସର ପରେ ସବୁଗୁଡ଼ିକ ଏକାଠି କରିବାକୁ ଚେଷ୍ଟା କରିବେ କି?
ଲିଆଣ୍ଡର: ୨୫-୩୦ ବର୍ଷ ଧରି ଯେଉଁମାନେ ମୋର ସହଯୋଗୀ ରହିଆସିଛନ୍ତି ସେମାନଙ୍କ ପାଖେ ମୋର ଅନେକ ଟ୍ରଫି ରହିଯାଇଛି। ସେତେବେଳେ ମୋର ଯିଏ ମ୍ୟାନେଜର ଥିଲେ ସେ ନ୍ୟୁୟର୍କରେ ରହନ୍ତି। ତାଙ୍କ ସହଯୋଗରେ ଯେଉଁ ୪ଥର ମାୟାମିରେ ଟ୍ରଫି ଜିତିଥିଲି ସେ ସବୁ ତାଙ୍କ ଘରେ ସଜାହୋଇ ରଖାଯାଇଛି। ମୋ କୋଚ୍ ଫ୍ଲୋରିଡ଼ାରେ ରହନ୍ତି। ଆଟ୍‌ଲାଣ୍ଟାରୁ ଆଣିଥିବା ଟର୍ଚ୍ଚଟି ସହ ଅନେକ ଆମେରିକୀୟ ଟ୍ରଫି ତାଙ୍କ ପାଖରେ ଅଛି। ମୋ ବାପା ଓ ମା’ଙ୍କ କୋଲକାତାସ୍ଥିତ ଘରେ ମୋର ସବୁ ଜୁନିୟର ଟ୍ରଫି ଓ ଅଲମ୍ପିକ୍ ମେଡାଲ୍ ରହିଛି।

‘ସମ୍ବାଦ’: ଆପଣ ତାହାହେଲେ ଜୀବନରେ ବନ୍ଧୁତ୍ବକୁ ବହୁତ ଗୁରୁତ୍ବ ଦିଅନ୍ତି..!
ଲିଆଣ୍ଡର: ଜୀବନର ସବୁଠୁ ବଡ଼ ସମ୍ପଦ ହେଲେ ଲୋକେ। ଏମିତିରେ ଟେନିସ ଭଳି ଏକ ବ୍ୟକ୍ତିଗତ ଓ ଏକାକିତ୍ବ ଥିବା ଖେଳରେ ବଞ୍ଚିବା ସେତେ ସହଜ ନୁହେଁ। ମୁଁ କେତେ ଟ୍ରଫି ପାଇଲି ବା କେତେ ବିଶ୍ବ ଚାମ୍ପିଅନ୍‌ସିପ୍ ଜିଣିଲି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ମୁଁ କେତେ ବନ୍ଧୁ ଜୀବନରେ ଅର୍ଜିଲି ତାହା ମୋ ପାଇଁ ସବୁଠୁ ବଡ଼ ଉପଲବ୍ଧି। ମୁଁ ଗଢ଼ିଥିବା ସମ୍ପର୍କମାନ ହିଁ ମୋ ପାଇଁ ସବୁବେଳେ ସ୍ବତନ୍ତ୍ର।

‘ସମ୍ବାଦ’: ଏବକାର ତିନି ମହାନ ତାରକା ଫେଡେରର୍, ନାଦାଲ୍ ଓ ଜୋକୋଭିକ୍‌ଙ୍କ ମଧ୍ୟରୁ କାହାକୁ ଆପଣ ଶ୍ରେଷ୍ଠତମ କହିବେ?
ଲିଆଣ୍ଡର: ମୋ ମତରେ ଫେଡେରର୍ ସର୍ବକାଳୀନ ମହାନତମ। ରେକର୍ଡ କହେ ସେ ସବୁ ସର୍‌ଫେସ୍‌ରେ ଜିତିଛନ୍ତି, ସବାର୍ଧିକ ଗ୍ରାଣ୍ଡସ୍ଲାମ୍ ମଧ୍ୟ ତାଙ୍କ ଖାତାରେ ଅଛି। ତେବେ ଏହା ମଧ୍ୟ କହାଯାଇପାରିବ ନାହିଁ କି ରାଫେଲ୍ ନାଦାଲ୍ କେବେ ବି ଫ୍ରେଞ୍ଚ ଓପନ୍ ଜିଣିପାରିବେ ନାହିଁ। ଯଦି ସେ ଏହି ଟୁର୍ଣ୍ଣାମେଣ୍ଟ ବି ଜିତିବାରେ ସକ୍ଷମ ହୁଅନ୍ତି, ସେ ଫେଡେରର୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗିପାରିବେ। ଏମିତିରେ ଫେଡେରର୍ ଓ ନାଦାଲ୍‌ ଉଭୟ ବୟସରେ ଜୋକୋଭିକ୍‌ଙ୍କଠାରୁ ବଡ଼। ଏମାନେ ଦୁହେଁ ଅବସର ଗ୍ରହଣ କରିବା ପରେ ଜୋକୋଭିକ୍ ଦୁଇତିନିବର୍ଷ ଖେଳିବାର ସମ୍ଭାବନା ରହିଛି। ତେଣୁ ସେ ଉଭୟଙ୍କର ରେକର୍ଡ ଭାଙ୍ଗିପାରିବେ। ବଡ଼ କଥା ହେଲା ଏବେ ବିଶ୍ବ ଟେନିସରେ ଏକାସାଙ୍ଗେ ତିନିଜଣ ସର୍ବକାଳୀନ ମହାନତମ ତାରକାଙ୍କର ଆବିଭାର୍ବ ହୋଇଛି।

‘ସମ୍ବାଦ’: ଉପଲବ୍‌ଧି ଦୃଷ୍ଟିରୁ ଆପଣଙ୍କୁ ଆମେ ଭାରତୀୟ ଟେନିସ ତାରକାଙ୍କ ଗହଣରେ ସବା ଉପରେ ରଖୁ। ଆପଣଙ୍କ ବିଚାରରେ ଅବଶିଷ୍ଟ ତାରକାମାନଙ୍କ ମଧ୍ୟରୁ କିଏ ମହାନତମ? ଅମ୍ରିତରାଜ, କ୍ରିଷ୍ଣନ୍, ଭୂପତି ନା ମିର୍ଜା?
ଲିଆଣ୍ଡର: ମୁଁ ଭାବେ, ଭିନ୍ନ ଭିନ୍ନ ଯୁଗର ଖେଳାଳିଙ୍କ ମଧ୍ୟରେ ତୁଳନା ଅନେକ କଷ୍ଟ। କାରଣ କିଛି ଖେଳାଳି କାଠ ରାକେଟ୍‌ରେ ଖେଳୁଥିଲେ। କିଛି ଖେଳାଳିଙ୍କ ଜମାନା ବେଳକୁ ଗ୍ରାଫାଇଟ୍ ରାକେଟ୍‌ ଆସିଯାଇଥିଲା। ବଙ୍ଗୀୟ ମା’ ଓ ପର୍ତ୍ତୁଗୀଜ ବାପାଙ୍କର ପଶ୍ଚିମବଙ୍ଗ‌େର ଜନ୍ମିତ ମୋ ଭଳି ଜଣେ ଯୁବକ ନିଜକୁ ଭାରତୀୟ ଭାବେ ଗର୍ବ କରେ। ମୁଁ ବହୁତ ଖୁସି ଯେ ୩୦ ବର୍ଷର କ୍ୟାରିୟର ମୋତେ ଗୋଟିଏ କଥାରେ ଗଭୀର ଆତ୍ମବିଶ୍ବାସ ଦେଇଛି। ଆମ ପରବର୍ତ୍ତୀ ପିଢ଼ିର ଖେଳାଳିମାନେ ଆମ ସବୁ ରେକର୍ଡ ଭାଙ୍ଗିବାର ସମ୍ଭାବନା ମୁଁ ଦେଖିପାରୁଛି। ସେଇଟା ହିଁ ଏବେ ମୋର ପ୍ରଥମ କାମ ହେବ। ଆମ ଦେଶରେ ଖେଳର ଅଭିବୃଦ୍ଧି ବିଶେଷ କରି ଓଡ଼ିଶା ଖେଳରେ ୧ ନମ୍ବର ସ୍ଥାନରେ ଥିବା ଦୃଷ୍ଟିରୁ ଆମେ ଯଦି କ୍ରୀଡ଼ା ପିରାମିଡ୍‌ର ଉଭୟ ଶୀର୍ଷ ଓ ପାଦ ଦେଶରେ କ୍ରୀଡ଼ା ପାଠ୍ୟକ୍ରମ ସୃଷ୍ଟି କରିପାରନ୍ତେ, ଆମେ ଏକ ବଳିଷ୍ଠ ସମାଜ ବିଶେଷ କରି ଶକ୍ତିଶାଳୀ ଯୁବବର୍ଗ ପାଇପାରିବା। ମଧୁମେହ ଓ ମେଦବହୁଳତାରେ ୧ ନମ୍ବର ସ୍ଥାନରେ ଥିବା ଆମ ଦେଶ ଯଦି ଏଥିରୁ ନିଜକୁ ମୁକଳାଇପାରନ୍ତା, ବହୁତ ଭଲ ହୁଅନ୍ତା। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଏହା ହେଲେ ଆମର ସବୁ ପିଲା ଚାମ୍ପିଅନ୍ ହେବାପାଇଁ ମଧ୍ୟ ସମାନ ସୁଯୋଗ ପାଇପାରନ୍ତେ।

‘ସମ୍ବାଦ’: କିନ୍ତୁ ଆଉ ଏକ ଚିନ୍ତାର କାରଣ..। ଭୂପତି, ଲିଆଣ୍ଡର, ସାନିଆ ଯେଭଳି ଏକ କ୍ରୀଡ଼ା ଲିଗାସି ଗଢ଼ିବାରେ ସକ୍ଷମ ହୋଇଥିଲେ, ସେପରି ସ୍ତରକୁ ପରବର୍ତ୍ତୀ ପିଢ଼ି ଆସିପାରୁନାହାନ୍ତି।
ଲିଆଣ୍ଡର: ମୁଁ ସେମିତି ଭାବୁନାହିଁ। ଆ‌ମ ଦେଶରେ ଏବେ ସବୁ ଖେଳରେ ପିଲାମାନେ ପ୍ରଭୂତ ସମ୍ଭାବନା ସୃଷ୍ଟି କରୁଥିବା ମୁଁ ଦେଖୁଛି। ତେବେ ନୂଆ ଜମାନାର ପିଲାଏ, ଯୋଉମାନଙ୍କୁ ଆମେ ନେକ୍ସଟ ଜେନେରେସନ୍ ବା ଜେନ୍-ଏକ୍ସ ବୋଲି କହିବା, ସେମାନେ ଆଜିକାଲି ବହୁତ ଚାପଗ୍ରସ୍ତ ହେଉଥିବା ଦେଖାଯାଉଛି। ଏବେ କମ୍ପୁଟର୍, ଗେଜେଟ୍, ସ୍ମାର୍ଟଫୋନ୍‌ରେ ସେମାନେ ମଜ୍ଜି ରହୁଛନ୍ତି। ମୋବାଇଲ୍‌ରେ ଅନେକ ମନୋରଂଜନ ଚ୍ୟାନେଲ୍ ରହୁଛି..।

‘ସମ୍ବାଦ’: କ୍ରୀଡ଼ାକ୍ଷେତ୍ରର ସାଧାରଣ ସ୍ତରରେ ଉନ୍ନତି ପରିଲକ୍ଷିତ ହୋଇଥାଇପାରେ, କିନ୍ତୁ ଆଉ ଲିଜେଣ୍ଡ୍ ତିଆରି ହେଉନାହାନ୍ତି..। ଟେନିସ୍ କଥା ଦେଖନ୍ତୁ..।
ଲିଆଣ୍ଡର: ଲିଜେଣ୍ଡ୍ ତିଆରି ହେବା ଏତେ ସହଜ ନୁହେଁ। ମୁଁ ଭାବେ, ‘ଲିଜେଣ୍ଡ’ ଶବ୍ଦକୁ ଅତି ହାଲୁକା ଭାବେ ବ୍ୟବହାର କରାଯାଏ। କଳାତ୍ମକ ଉତ୍କର୍ଷ ହାସଲ କରିବାକୁ ହେଲେ ଦୁଇତିନି ଦଶନ୍ଧିର ଅଧ୍ୟବସାୟ ଲୋଡ଼ା। ଏହି ସୁଦୀର୍ଘ ଯାତ୍ରାରେ ଧୈର୍ଯ୍ୟ ଆବଶ୍ୟକ। ଭାରତ ତୃଣମୂଳ ସ୍ତରରେ ଉନ୍ନତି କରୁଛି। ସେଥିରୁ କ୍ରିମ୍‌ତକ କାଢ଼ି ଭଲ ଖେଳାଳିଙ୍କୁ ମହାନ ଖେଳାଳିରେ ପରିଣତ କରିବାକୁ ହେବ। ମୋ ନିଜ ଅଭିଜ୍ଞତାରୁ କହୁଛି, ମୁଁ ଯେମିତି ସଫଳତା ପାଇବା ଭଳି ଭାଗ୍ୟବାନ ହୋଇପାରିଲି ସେଭଳି ସୁଯୋଗ ଆମ ପିଲାଙ୍କ ପାଇଁ କରେଇବାକୁ ହେବ।

‘ସମ୍ବାଦ’: ତାହା ଆପଣ ନିଜ ଦ୍ବିତୀୟ ଇନିଂସରେ ବୋଧହୁଏ କରି ଦେଖାଇବାକୁ ଯାଉଛନ୍ତି। ଆପଣଙ୍କ ଶେଷ ଗର୍ଜନ (ଲାଷ୍ଟ ରୋର୍) କଥା କହାଯାଉ। ଆପଣ ଚାହାନ୍ତି ଆପଣ ଆଉ ଏକ ଗ୍ରାଣ୍ଡସ୍ଲାମ୍ ବିଜୟୀ ଓ ଅଲିମ୍ପିଆନ୍ ତିଆରି କରିବେ। ଆହୁରି ଅନେକ ଚାମ୍ପିଅନ୍ ବନାଇବା ଆପଣଙ୍କର ଏକ ସ୍ବପ୍ନ। ଜୀବନର ଦ୍ବିତୀୟ ଇନିଂସକୁ ନେଇ ଆପଣଙ୍କର କ’ଣ ନିର୍ଦ୍ଦିଷ୍ଟ ଯୋଜନା ଅଛି? ରାହୁଲ ଦ୍ରାବିଡ୍ ଓ ପୁଲେଲା ଗୋପୀଚାନ୍ଦଙ୍କ ଭଳି ଆପଣ ମଧ୍ୟ ଅବସର ପରେ ଯୁବ ପ୍ରତିଭାମାନଙ୍କୁ ତାଲିମ ଦେବା କଥା ଚିନ୍ତା କରୁଥିବା କହିଛନ୍ତି।
ଲିଆଣ୍ଡର: ମୁଁ ‘ଭାରତର କାନ୍ଥ’ ରାହୁଲ ଦ୍ରାବିଡ଼୍, ଗୋପୀ, ସୋୖରଭ ଗାଙ୍ଗୁଲି, କୁମ୍ବଲେ ପ୍ରମୁଖଙ୍କୁ ନେଇ ଗର୍ବ କରେ। ଏମାନେ ସମସ୍ତେ ଅତ୍ୟନ୍ତ ମହାନ କ୍ରୀଡ଼ାବିତ୍‌। ଅବସର ପରେ ସେମାନେ ନିଜନିଜ ଘରକୁ ଫେରିଯାଇ ଯଦି ପରିବାର ସାଙ୍ଗେ ସମୟ କଟାଇଥା’ନ୍ତେ, ଇତିହାସରେ ନିଜ ନାମ କିପରି ରହିବ ତାକୁ ନେଇ ବ୍ୟସ୍ତ ରହିଥା’ନ୍ତେ, ନିଜ ନିଜ ଟ୍ରଫିକୁ ନେଇ ସ୍ମୃତି ରୋମନ୍ଥନ କରନ୍ତେ କାହାରି ଆପତ୍ତି ରହନ୍ତା ନାହିଁ। କିନ୍ତୁ ସେମାନେ ଯେପରି ନିଜନିଜ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କଲେ, କ୍ରୀଡ଼ା ପ୍ରଶାସନ, ପ୍ରଶିକ୍ଷଣ ସହ ଯୋଡ଼ି ହୋଇରହିଲେ, ସେମାନେ ମୋର ଜୀବନର ଆଦର୍ଶ। ଦୁଃସମୟରେ ମୁଁ ମଧ୍ୟ ସେମାନଙ୍କ ସାହଚର୍ଯ୍ୟ, ପରାମର୍ଶ ଲୋଡ଼େ। ଗୋପୀଚାନ୍ଦଙ୍କ କଥା ଧରାଯାଉ। ସେ କେବଳ ଅଲ୍-ଇଂଲଣ୍ଡ କ୍ଲବ୍‌ରେ କମାଲ୍ କଲେନାହିଁ, ଦୁଇଦୁଇ ଜଣ ବିଶ୍ବ ଚାମ୍ପିଅନ୍ ମଧ୍ୟ ସୃଷ୍ଟି କଲେ। ‘ଭାରତର କାନ୍ଥ’ କୁହାଯାଉଥିବା ରାହୁଲ ଦ୍ରାବିଡ଼୍ କେବଳ ଆମ ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ନୁହନ୍ତି, ଖେଳିବା ବେଳେ ଯେପରି ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କଲେ, ଖେଳ ଛାଡ଼ିବା ପରେ ୧୯ ବର୍ଷରୁ କମ୍ ବର୍ଗର ଟିମ୍‌କୁ ନେଇ ଯେଭଳି ବିଶ୍ବ ଚାମ୍ପିଅନ୍ ବନାଇଲେ, ତାହା ଅବିଶ୍ବସନୀୟ। ସୋୖରଭ ଦା’ଙ୍କୁ ଦେଖନ୍ତୁ। କୋଲକାତାରେ ବଢ଼ିଲେ, ୧୯୯୧ ପରବର୍ତ୍ତୀ ସମୟରେ ସଲ୍ଟଲେକ୍ ଏକାଡେମିରୁ ଶିଖିଲେ। ଆମେ ଦୁହେଁ ବହୁତ ଘନିଷ୍ଠ ବନ୍ଧୁ। ନିକଟରେ ଆମେ ଦୁହେଁ ଇଂଲଣ୍ଡରେ ଥିଲୁ। ମୋ’ ଦ୍ବିତୀୟ ଇନିଂସ ବିଷୟରେ ଆମେ ବିସ୍ତୃତ ଆଲୋଚନା କରିଥିଲୁ। ମୁଁ କ’ଣ କରିବା ଉଚିତ, ସେ ନେଇ ସେ ମୋତେ ପରାମର୍ଶ ଦେଇଥିଲେ। ଯଦିଓ ସେ ଏକ ବ୍ୟାପକ କ୍ଷେତ୍ରକୁ ଇଙ୍ଗିତ କରିଥିଲେ, ମୁଁ ତାଙ୍କ ନିଜ ଭଳି ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ହିଁ ମନୋନିବେଶ କରିବା ଚାହେ।

‘ସମ୍ବାଦ’: ବ୍ୟାଡ୍‌ମିଣ୍ଟନ ତାରକା ପ୍ରକାଶ ପାଦୁକୋନ୍ ଓ ବିଲିଆର୍ଡସ ମାଷ୍ଟର ଗୀତ୍‌ ସେଠୀଙ୍କ ସହ ଆପଣ ମଧ୍ୟ ‘ଅଲମ୍ପିକ୍ ଗୋଲ୍‌ଡ୍ କ୍ବେଷ୍ଟ’ର ଅନ୍ୟତମ ନିର୍ଦ୍ଦେଶକ ଅଛନ୍ତି। ଏ ଦିଗରେ କିଛି ଅଗ୍ରଗତି ହୋଇଛି କି?
ଲିଆଣ୍ଡର: ‘ଅଲମ୍ପିକ୍ ଗୋଲ୍‌ଡ୍ କ୍ବେଷ୍ଟ’ ଏକ ଭଲ ସଂଗଠନ। କ୍ରୀଡ଼ାବିତ୍‌ଙ୍କ ପାଇଁ ଏହା ବହୁତ ଭଲ କାମ କରୁଛି। କ୍ରୀଡ଼ାଜଗତର ବହୁ ନାମକରା ହସ୍ତୀ ସେଥିରେ ସଂପୃକ୍ତ ଅଛନ୍ତି। ମୁଁ ସମ୍ମାନ ଦେଉଥିବା ପ୍ରକାଶ ପାଦୁକୋନ, ନିରବ ବଜାଜ, ବିଶ୍ବନାଥନ ଆନନ୍ଦ..। ତେବେ ଯଦି ସାରା ଦେଶର ସ୍ଥିତି ଦେଖିବା, ଅନେକ ଫାଉଣ୍ଡେସନ୍ ଏ ଦିଗରେ କାମ କରିବାକୁ ଆଗେଇଆସିଲେଣି। ‘ଅଲମ୍ପିକ୍ ଗୋଲ୍‌ଡ୍ କ୍ବେଷ୍ଟ’, ମିତ୍ତଲ, ଜିନ୍ଦଲ୍, ରିଲାଏନ୍ସ ଫାଉଣ୍ଡେସନ୍ – ଏମାନେ ସମସ୍ତେ ତୃଣମୂଳ ସ୍ତରରେ କାମ କରୁଛନ୍ତି। ଆମ କ୍ରୀଡ଼ା ଭିତ୍ତିଭୂମି ବହୁଗୁଣିତ ହୋଇଛି। ତେବେ ଆମେ ଗ୍ରାମାଞ୍ଚଳରେ ଓ ସ୍କୁଲରେ ଯଦି ପ୍ରଚେଷ୍ଟା ନକରିବା, ଶୀର୍ଷରେ ଉତ୍କର୍ଷ ହାସଲ ସମ୍ଭବ ହେବନାହିଁ। ତେଣୁ ମୁଁ କେବଳ ଶୀର୍ଷ ସ୍ତର ନୁହେଁ, ପିରାମିଡ୍‌ର ପାଦଦେଶରେ ମଧ୍ୟ ମନୋନିବେଶ କରୁଛି।

‘ସମ୍ବାଦ’: କ୍ରୀଡ଼ା ଜୀବନରେ ଆପଣଙ୍କ ଏକାଗ୍ରତା ଭଙ୍ଗ କରିବା ଭଳି ସେମିତି କେହି ଥିଲା କି?
ଲିଆଣ୍ଡର: ବେଶି ନୁହେଁ। ମୁଁ ମଦଠୁ ଦୂରରେ, କେବେ ଧୂମପାନ କରେନି। ନିଶା ଛୁଏଁନି। ଜୁଆ ମଧ୍ୟ ଖେଳେନାହିଁ। ମୋ ଜୀବନ ଅତ୍ୟନ୍ତ ଶୃଙ୍ଖଳିତ। ଜଣେ ଭଲ ନେତା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରେ। କଳାତ୍ମକ ଉତ୍କର୍ଷ ହାସଲ ପାଇଁ ବହୁତ ତ୍ୟାଗ ଓ ଶୃଙ୍ଖଳା ଯେତେ ଆବଶ୍ୟକ। ଉତ୍କର୍ଷ ହାସଲ ପ୍ରକ୍ରିୟାର ପରିଶ୍ରମକୁ ଉପଭୋଗ କରିବା ଦରକାର।
‘ସମ୍ବାଦ’: ଟୋକିଓ ଅଲମ୍ପିକ୍ସ ପାଇଁ ଆପଣଙ୍କ ଟିକଟ୍ କଟାସରିଥିବ..? ନିଜ ରେକର୍ଡ ନିଜେ ଭାଙ୍ଗିବେ..।
ଲିଆଣ୍ଡର: ଏବେ ଫେବ୍ରୁଆରି। ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହ ଦୂର ଅଛି। ମୁଁ ଅଲିମ୍ପିକ୍ ରେକର୍ଡ ଭାଙ୍ଗିବା କଥା ଭାବି ଉଲ୍ଲସିତ।

‘ସମ୍ବାଦ’: ଗୋଆରୁ କୋଲକାତା ଦେଇ ମୁମ୍ବାଇ। ଜୀବନର ଏ ଯାତ୍ରାକୁ ନେଇ ଆପଣ କେତେ ସନ୍ତୁଷ୍ଟ? କିଛି ଅବସୋସ ଅଛି କି?
ଲିଆଣ୍ଡର: ଏ ଜୀବନ କାହାଣୀର ବର୍ଣ୍ଣନ ବହୁତ ଲମ୍ବା। ମୁଁ ସତରେ ନିଜକୁ ବହୁତ ଭାଗ୍ୟବାନ ଭାବେ। ମୁଁ କୋଲକାତାର ବାଲିଗଂଜରେ ଗଳି ଫୁଟବଲ ବା ଗଳି କ୍ରିକେଟ ଖେଳିବା ବେଳେ କେବେ ଭାବି ନଥିଲି ଯେ ଏତେ ସବୁ ହାସଲ କଲାପରେ ଆପଣଙ୍କ ସହ ଏମିତି ଆଜି ବସିପାରିବି। ମୋତେ ଯେତେ ପ୍ରଶଂସା ମିଳିଛି ତାକୁ ନେଇ ଗର୍ବିତ। ତେବେ ସେତିକିରେ ମୁଁ ବସିଯିବା ଲୋକ ନୁହେଁ। ମୁଁ ମୋ ବାପାମା’ଙ୍କୁ ଖୁସି କରିପାରିଛି। ସେ ନେଇ ମୁଁ ଗର୍ବିତ। ତେବେ ଯୋଉଦିନ ମୁଁ ବି ବିଶ୍ବ ଚାମ୍ପିଅନ୍ ସୃଷ୍ଟି କରିପାରିବି, ଯୋଉଦିନ ଭାରତରେ ମୁଁ ପ୍ରମାଣ କରିଦେଇପାରିବି ଯେ ଆମେ ବି ଶହଶହ ଅଲମ୍ପିକ୍ ଆଥ୍‌ଲେଟ ତିଆରି କରିପାରୁ, ସେଦିନ ମୁଁ ସବୁଠୁ ବେଶି ଖୁସି ହେବି।

‘ସମ୍ବାଦ’: ଆମ ରାଜ୍ୟର ଯୁବବର୍ଗ ପାଇଁ ଆପଣଙ୍କର ବାର୍ତ୍ତା..।
ଲିଆଣ୍ଡର: କଠୋର ପରିଶ୍ରମ, ଗଭୀର ଆତ୍ମବିଶ୍ବାସ ଓ ଜୀବନତମାମ କଳାର ଉପାସକ ସାଜି ଯଦି ମୁଁ ବିଶ୍ବ ଚାମ୍ପିଅନ୍ ହୋଇପାରିଲି, ତୁମେମାନେ ମଧ୍ୟ ହୋଇପାରିବ।
ବହୁତ ବହୁତ ଧନ୍ୟବାଦ।

(କନକ ନ୍ୟୁଜ୍‌ରେ ପ୍ରସାରିତ ସାକ୍ଷାତକାରର କିୟଦଂଶ)

ସମ୍ବନ୍ଧିତ ଖବର