ଭବିଷ୍ୟତରେ ଏଭଳି ବଦଳିଯିବ ହୋଟେଲର ସବୁ ବ୍ୟବସ୍ଥା: ରୁମ୍‌ରେ ପ୍ରବେଶ ପାଇଁ ଦରକାର ହେବ ନାହିଁ ଚାବି, ସବୁ ସେବା ଯୋଗାଇବ ରୋବର୍ଟ

ନୂଆଦିଲ୍ଲୀ : ଧିରେ ଧିରେ ଦେଶ ଓ ଦେଶରେ ରହୁଥିବା ଲୋକଙ୍କ ଜୀବନର ଶୈଳୀ ବଦଳିବାରେ ଲାଗିଛି । ପୂର୍ବରୁ କୌଣସି କାମ ପାଇଁ ଲୋକେ ନିଜ ପକେଟରେ ଟଙ୍କା ଧରି ଯାଉଥିବା ବେଳେ ଏବେ କେବଳ ମୋବାଇଲ୍‌ର ଗୋଟେ ବଟନ ଟିପିବା ପରେ ଟଙ୍କା କାରବାର ହୋଇ ଯାଉଛି । ସମୟ ଅଭାବ ହେତୁ ଲୋକେ ସବୁ କାମ ଘରେ ବସି କରିବାକୁ ପସନ୍ଦ କରୁଛନ୍ତି । ଲୋକଙ୍କ ଚାହିଦା ଦେଖି ସେହି ଅନୁସାରେ ଟେକ୍ନୋଲୋଜିରେ ମଧ୍ୟ ପରିବର୍ତ୍ତନ ଅଣାଯାଉଛି । ଏବେ ହୋଟେଲ ରୁମ୍‌ରେ ପ୍ରବେଶ ପାଇଁ ଲୋକେ ଚାବିର ବ୍ୟବହାର କରୁଥିବା ବେଳେ ଭବିଷ୍ୟତରେ ସେ ସବୁ ବ୍ୟବସ୍ଥା ବଦଳିଯିବ ବୋଲି ଚୀନର ବଡ଼ ବ୍ୟାବସାୟିକ ସଂସ୍ଥା  ଅଲିବାବା ଗ୍ରୁପ୍‌ର ଏକ ହୋଟେଲର ଭିଡିଓରୁ ସ୍ପଷ୍ଟ ଜଣା ପଡ଼ୁଛି ।

ଚୀନ୍‌ର ହଙ୍ଗ୍‌ଜୁରେ ଥିବା ଅଲିବାବା ଗ୍ରୁପ୍‌ର ଫ୍ଲାଏଜୁ ହୋଟେଲରେ ଏବେ ଲୋକଙ୍କୁ ହାଇଟେକ୍‌ ସୁବିଧା ମିଳୁଥିବା ଜଣାପଡ଼ିଛି । ପ୍ରବେଶ କରିବାଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥାକୁ ସହଜ କରି ଦିଆଯାଇଛି । ଚୀନ୍‌ର ବାସିନ୍ଦା ଫ୍ଲାଏଜୁ ମୋବାଇଲ ଆପ୍‌ ଜରିଆରେ ରୁମ୍‌ ବୁକ୍‌ କରିବା ସହ ସେ କେଉଁ ଫ୍ଲୋର୍‌ରେ ରହିବାକୁ ଚାହୁଁଛନ୍ତି ବା କେଉଁ ଦିଗକୁ ତାଙ୍କ ରୁମ୍‌ ରହିବା ଦରକାର, ତାହା ବାଛି ପାରିବେ । ବିଦେଶରୁ ଯାଉଥିବା ଯାତ୍ରୀମାନେ ହୋଟେଲକୁ ଯାଇ ହୋଟେଲ ଷ୍ଟାଫ୍‌ଙ୍କ ସହାୟତା ନେଇ କିଓସ୍କ ଜରିଆରେ ରୁମ୍‌ ବୁକ୍‌ କରି ପାରିବେ । ଏହା ସହ ରୁମ୍‌ରେ ପ୍ରବେଶ କରିବା ପାଇଁ ସେମାନଙ୍କୁ କୌଣସି ଚାବିର ଆବଶ୍ୟକତା ପଡ଼ିବ ନାହିଁ । ହୋଟେଲରେ ପହଞ୍ଚିବା ପରେ ସେମାନେ ଚାବି ଅପେକ୍ଷା ମୁହଁ ଦ୍ୱାରା ଚିହ୍ନଟ ପ୍ରକ୍ରିୟାକୁ ଆପଣାଇ ପାରିବେ। ରୁମ୍‌କୁ ପ୍ରବେଶ କରିବା ପୂର୍ବରୁ କବାଟରେ ଲାଗିଥିବା କ୍ୟାମେରାରେ ନିଜ ମୁହଁ ଦେଖାଇବା ପରେ କବାଟଟି ଆପେ ଆପେ ଖୋଲିଯିବ ।

ଏହି ହୋଟେଲରେ ୨୯୦ଟି ରୁମ୍‌ ଥିବା ବେଳେ ପ୍ରତିରୁମ୍‌ରେ  ଟିମେଲ ଜେନି ରଖାଯାଇଛି, ଯାହା ସାହାଯ୍ୟରେ କେବଳ ଭଏସ କମାଣ୍ଡ ଦେଇ ଲୋକେ ଟିଭି ଚଲାଇବାଠାରୁ ଆରମ୍ଭ କରି ତାପମାତ୍ରା ନିୟନ୍ତ୍ରଣ କରିବା, ଲାଇଟ୍‌ ଜଳାଇବା ବା ବନ୍ଦ କରିବା, ଝରକାରେ ଲାଗିଥିବା ପରଦାକୁ ମଧ୍ୟ ଠିକ୍‌ କରି ପାରିବେ । ଏହା ସହ ମିନେରାଲ ପାଣି ସହ ଖାଇବାଠାରୁ ଆରମ୍ଭ କରି ଯଦି କିଛି ଜିନିଷ ଦରକାର କରନ୍ତି, ତେବେ ଲୋକେ ଟିମେଲ ଜେନିକୁ ଭଏସ୍‌ କମାଣ୍ଡ ଦେଇ ପାରିବେ ।

FlyZoo

ଏହା ପରେ ହୋଟେଲରେ ଥିବା ରୋବଟ ରୁମ୍‌ ପାଖରେ ଆସି ତୁରନ୍ତ ଅର୍ଡର କରାଯାଇଥିବା ଜିନିଷ ଯୋଗାଇ ଦେବେ । ଚେକ୍‌ ଆଉଟ୍‌ ସମୟରେ କାହାକୁ କିଛି ଜଣାଇବାର ଆବଶ୍ୟକତା ନାହିଁ । ରୁମ୍‌ରୁ ବାହାରିବା ମାତ୍ରେ ଆପେ ଆପେ ଚେକ୍‌ ଆଉଟ୍‌ର ସୂଚନା ହୋଟେଲ କର୍ମଚାରୀଙ୍କୁ ମିଳିଯିବ । ଯଦି ଆପଣ ସମୟ ପୂର୍ବରୁ ବାହାରିବାକୁ ଚାହୁଁଛନ୍ତି, ତେବେ ଫ୍ଲାଏଜୁ ମୋବାଇଲ ଆପ୍‌ ଜରିଆରେ ଆପଣ ଜଣାଇ ପାରିବେ ।

ସମ୍ବନ୍ଧିତ ଖବର