ରୋବଟ୍‌ ତିଆରି ହେବା ଦିନରୁ ଗବେଷକମାନେ ତା’କୁ ସମ୍ପୂର୍ଣ୍ଣ ବାସ୍ତବ ନ ହେଲେ ବି ମନୁଷ୍ୟ ସଦୃଶ ଦେଖାଯିବା ଭଳି କରିବାକୁ ଯଥାସମ୍ଭବ ଉଦ୍ୟମ କରିଆସୁଛନ୍ତି। ସମ୍ପ୍ରତି ବୈଜ୍ଞାନିକମାନେ ସେ ସମସ୍ୟା ସମାଧାନ ପାଇଁ ଉପାୟ ପାଇଛନ୍ତି। ତାହା ହେଉଛି ରୋବଟ୍‌ ଦେହରେ ମଣିଷ ଚର୍ମ ଆବରଣ ଦେବା। ଟୋକିଓ ବିଶ୍ବବିଦ୍ୟାଳୟ, ହାଭାର୍ଡ ବିଶ୍ବବିଦ୍ୟାଳୟ ଓ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ରିସର୍ଚ ସେଣ୍ଟର୍‌ ଫର୍‌ ନ୍ୟୁରୋଇଣ୍ଟେଲିଜେନ୍‌ସ୍‌ର ଗବେଷକମାନେ ଜୀବନ୍ତ ମନୁଷ୍ୟ ଚର୍ମକୋଷ ଦ୍ବାରା ରୋବଟ୍‌ ଲାଗି ସତସତିକା ଚର୍ମାବରଣ ତିଆରି କରିଛନ୍ତି। ସେମାନଙ୍କର ଉକ୍ତ ଗବେଷଣା ଆଲେଖ୍ୟ ‘ସେଲ୍‌ ରିପୋର୍ଟସ୍‌ ଫିଜିକାଲ୍‌ ସାଇନ୍‌ସ୍’ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି। ରୋବଟ୍‌କୁ ମଣିଷ ସଦୃଶ ଚେହେରା ପ୍ରଦାନ କରିବାରେ ସେମାନଙ୍କର ଏ ଉଦ୍ୟମ ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ। ଏହାଦ୍ବାରା ରୋବଟ୍‌ ଦୀର୍ଘଦିନ ବ୍ୟବହାର ଉପଯୋଗୀ ରହିବା ସହିତ ଅନେକ କ୍ଷେତ୍ରରେ ବ୍ୟବହୃତ ହୋଇପାରିବ।

Advertisment

ଗବେଷକ ଦଳର ମୁଖ୍ୟ ମିଚିଓ କାୱାଇ କହନ୍ତି, ‘‘ଅସ୍ତ୍ରୋପଚାର ସମୟରେ ବାହାରୁଥିବା ଅତିରିକ୍ତ ଚର୍ମ ଟିସ୍ୟୁ ଓ କୋଲେଜେନ୍‌ ଟିସ୍ୟୁରୁ ପ୍ରାପ୍ତ ଚର୍ମକୋଷ କଲ୍‌ଚର୍‌ କରାଯାଇ ଏହି ଚର୍ମ ତିଆରି କରାଯାଇଛି।’’ ଆଗ ସେମାନେ ରୋବଟ୍‌ ମୁହଁରେ ଏହି ଚର୍ମ ଢାଙ୍କିବାକୁ ବା ଲଗାଇ ରଖିବାକୁ କ୍ଷୁଦ୍ର ହୁକ୍‌ ବ୍ୟବହାର କରିଥିଲେ। କିନ୍ତୁ, ଏହାଦ୍ବାରା ଉକ୍ତ ଚର୍ମ ଫାଟିଗଲା।  ତେଣୁ, ଅନ୍ୟ ଉପାୟରେ ଚର୍ମ ରୋପଣ କରିବାକୁ ଚେଷ୍ଟା ଚାଲିଲା, ମାତ୍ର ତାହା ମନୁଷ୍ୟ ଚର୍ମ ପରି ସମାନ ନ ହୋଇ ଗୁବା ଗୁବା ଦିଶିଲା। ଗବେଷକମାନଙ୍କ ମନ ମାନିଲାନାହିଁ। ପରିଶେଷରେ ସେମାନେ ‘ପର୍‌ଫରେସନ୍‌ ଆଙ୍କର୍‌ ଷ୍ଟ୍ରକ୍‌ଚର୍‌’ ପଦ୍ଧତିରେ ରୋବଟ୍‌ ଦେହରେ ଚର୍ମ ଲଗାଇଲେ। ଏ ପଦ୍ଧତିରେ ରୋବଟ୍‌ରେ ଆବୃତ କରାଯାଇଥିବା ଚର୍ମ ଅବିକଳ ମଣିଷ ଚର୍ମ ପରି ସ୍ବାଭାବିକ ଦିଶିଲା।

ରୋବଟ୍‌ ଦେହରେ ଚର୍ମ ଆବରଣ କରିବା ସମ୍ଭବ ହେଲା ଯେ, କିନ୍ତୁ ତାହା କି କାମରେ ଆସିବ? ଏ ପ୍ରଶ୍ନର ଉତ୍ତର ଦେଇ କାୱାଇ କହନ୍ତି, ‘‘ଏହାର ମୂଳ ଉଦ୍ଦେଶ୍ୟ ହେଉଛି ରୋବଟ୍‌ ବାହ୍ୟାବରଣ ନଷ୍ଟ ବା କ୍ଷତାକ୍ତ ହେଲେ ଆପେ ମରାମତି ହୋଇଯିବ। ଫଳରେ ରୋବଟ୍‌ ଚେହେରା ଭଲ ଦିଶିବ ଓ ବହୁଦିନ କାର୍ଯ୍ୟକ୍ଷମ ରହିବ। କୃତ୍ରିମ ବୁଦ୍ଧିମତ୍ତା ବିକଶିତ ହୋଇ ଚାଲିଥିବାରୁ ଚର୍ମାଚ୍ଛାଦିତ ରୋବଟ୍‌ ସୂକ୍ଷ୍ମକାର୍ଯ୍ୟ ବି କରିପାରିବ।’’ କୃତ୍ରିମ ଚର୍ମ ସିନା ତିଆରି ହୋଇଗଲା, କିନ୍ତୁ ଏଥିରେ କିଛି ବାଧା ବି ରହିଛି। ଏହି ଚର୍ମରେ ରକ୍ତପ୍ରବାହୀ ଶିରା ନ ଥିବାରୁ ରୋବଟ୍‌କୁ ବହୁ ସମୟ ପର୍ଯ୍ୟନ୍ତ ବାହାରେ ଛାଡ଼ିଲେ ତାହା ଶୁଖି ନଷ୍ଟ ହୋଇଯିବ। ତେଣୁ, ଏ ଚର୍ମକୁ ପୋଷକତତ୍ତ୍ବ ଓ ଆର୍ଦ୍ରତା ଯୋଗାଇବାକୁ ଉଦ୍ୟମ ଚାଲିଛି। ‘‘ଆଉ ଗୋଟାଏ ଅସୁବିଧା ହେଉଛି କାଠିନ୍ୟ। ପ୍ରାକୃତିକ ଚର୍ମ ନମନୀୟ, କିନ୍ତୁ କୃତ୍ରିମ ଚର୍ମ ଅତି କଠିନ। ପୁଣି ଏହାକୁ ଆର୍ଦ୍ର ଓ ନମନୀୟ କରାଗଲେ ଅଣୁଜୀବ ନଷ୍ଟ କରିଦେଇ ପାରନ୍ତି। ତେଣୁ, ଏଥିରେ ଜୀବାଣୁରହିତ ଗୁଣ ବିକଶିତ କରାଯିବା ଆବଶ୍ୟକ’’ ବୋଲି ଅନ୍ୟତମ ଗବେଷକ ଶୋଜି ତାକେଉଚି କହିଛନ୍ତି।