ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ସୂଚନା ପ୍ରଯୁକ୍ତି, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, ଡାଟା ସେଣ୍ଟର ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରକୁ ୨୦,୯୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୪୯,୦୦୦ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ଜୋହୋ, ଏମ୍ଭି ଫୋଟୋଭୋଲ୍ଟାଇକ୍ ପାୱାର, ସ୍ମାର୍ଟସିଙ୍କ ଇନୋଭେସନ୍ସ, କେନିସ୍ ସର୍କିଟ୍ସ ଇଣ୍ଡିଆ, ଭିଷ୍ଟା ଗ୍ଲୋବାଲ୍ ଡବ୍ଲୁଏଲ୍ଏଲ୍, ହେଟେରୋଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ, ସାନ୍କୋଡ୍ ଟେକ୍ନୋଲୋଜିସ୍, ନେକ୍ସଜେନ୍ ହାଇଟେକ୍ ଏନର୍ଜି, ଭିଭିଡିଏ୍ ଟେକ୍ନୋଲୋଜିସ୍ ରାଜ୍ୟରେ ପୁଞ୍ଜିନିବେଶ କରିବା ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ନାସ୍କମ୍, ୱାଧୱାନି ଫାଉଣ୍ଡେସନ, ସେମିକଣ୍ଡକ୍ଟର ଫ୍ୟାବ୍ଲେସ୍ ଆସେଲରେଟର ଲ୍ୟାବ୍, ବେଙ୍ଗାଲୁରୁ ସହ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଏହି ସହଯୋଗିତାରେ ରାଜ୍ୟରେ ଏକ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବ। ଏହି ଅବସରରେ ‘ଇଏସ୍ଡିଏମ୍: ନେକ୍ସଟ୍ ଫ୍ରଣ୍ଟିୟର୍ କାଟାଲାଇଜିଂ ଓଡ଼ିଶାଜ୍ ଟେକ୍ ରିଭଲ୍ୟୁସନ୍’ ଓ ‘ଅନ୍ଲକିଂ ଦି ପୋଟେନ୍ସିଆଲ୍ ଅଫ୍ ଟାୟାର-୨ ସିଟିଜ୍: ଜିସିସି ଆଣ୍ଡ୍ ଫିନ୍ଟେକ୍ ଅପର୍ଚୁନିଟିଜ୍’ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଥିଲେ ଯେ ୨୦୪୭ ସୁଦ୍ଧା ଓଡ଼ିଶା ଏକ ୧.୫ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ ହେବ। ରାଜ୍ୟର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଟେକ୍ ବିଜନେସ୍ ପାର୍କ, ଆଇଟି କ୍ଲଷ୍ଟର, ଜିସିସି ପାର୍କ, ଫିନ୍ଟେକ୍ କ୍ଲଷ୍ଟର ଓ ଡାଟା ସେଣ୍ଟର ନେଟ୍ୱର୍କ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।
ଏହି ଅବସରରେ ପାୱାର ଇଲେକ୍ଟ୍ରୋନିକ୍ସ ପାଇଁ ସେମିକଣ୍ଡକ୍ଟର ଉତ୍ପାଦ ନିର୍ମାଣ କରୁଥିବା ସଂସ୍ଥା ସିକ୍ସେମ୍ ଭୁବନେଶ୍ବରରେ ୨୫୦୦ କୋଟି ଟଙ୍କା ନିବେଶରେ ଏକ କମ୍ପାଉଡ୍ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବ ବୋଲି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ବରୁ ଆର୍ଆଇଆର୍ ପାୱାର ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ସିଲିକନ୍ କାର୍ବାଇଡ୍ ନିର୍ମାଣ କରିବା ଲାଗି ଇନ୍ଫୋଭାଲିର ଇଏମ୍ସି ପାର୍କରେ କାରଖାନା ସ୍ଥାପନ କରିବା ଘୋଷଣା କରିଥିଲା। ଏହା ହେଉଛି ରାଜ୍ୟର ଦ୍ବିତୀୟ ପ୍ରମୁଖ ସେମିକଣ୍ଡକ୍ଟର ନିବେଶ।
ସେଲ୍ଫି ମାନିଆ
ଭୁବନେଶ୍ବର: ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍କୁ ନେଇ ଭବ୍ୟ ଆୟୋଜନ କରାଯାଇଥିବାବେଳେ ଅନେକ ଆକର୍ଷଣୀୟ ସାଜସଜ୍ଜା ମଧ୍ୟ ହୋଇଛି। ସେହି ସବୁ ସ୍ଥାନରେ ପରିଦର୍ଶକମାନେ ସେଲ୍ଫି ନେଉଥିବା ଓ ଫଟୋ ଉଠାଇଉଥିବାର ଦେଖିବାକୁ ମିଳିଛି। କନ୍କ୍ଲେଭ୍ରେ ନିଜ ଉପସ୍ଥିତି ଜାହିର କରିବା ଏବଂ ତାହାର ସ୍ମୃତିକୁ ସାଇତି ରଖିବା ଲାଗି ଯେଭଳି ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ଭଳି ଦେଖିବାକୁ ମିଳିଛି। ଶିଳ୍ପପତିଙ୍କଠାରୁ ଆରମ୍ଭ କରି ଯୁବ ଉଦ୍ୟୋଗୀ, ଛାତ୍ରଛାତ୍ରୀ ସମସ୍ତ ଏହି ଧାରା ସାମିଲ ହୋଇଥିଲେ। ତାହା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍କୁ ଏକ ସେଲ୍ଫି ହବ୍ରେ ପରିଣତ କରିବାର ଭ୍ରମ ସୃଷ୍ଟି କରିଛି।
ଆଦାନୀ ଗ୍ରୁପ୍ ୨.୩ ଲକ୍ଷ କୋଟି ଖଟାଇବ
ଭୁବନେଶ୍ବର: ଆଦାନୀ ଗ୍ରୁପ୍ ଆସନ୍ତା ପାଞ୍ଚ ବର୍ଷରେ ରାଜ୍ୟର ଶକ୍ତି, ସିମେଣ୍ଟ, ଶିଳ୍ପ ପାର୍କ, ଆଲୁମିନିୟମ୍ ପ୍ରକଳ୍ପ ଓ ସହରାଞ୍ଚଳ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ୨.୩ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ପ୍ରତିବଦ୍ଧ ଥିବା ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର ମୁଖ୍ୟ କରନ୍ ଆଦାନୀ କହିଛନ୍ତି। ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରିବା ଅବସରରେ ସେ ଜଣାଇଛନ୍ତି ଧାମରା ଏୟାରଷ୍ଟ୍ରିପ୍ରୁ ସଫଳତାର ସହ ବିମାନ ଅବତରଣର ପରୀକ୍ଷଣ ହୋଇଛି। କମ୍ପାନି ଭୁବନେଶ୍ବର ବିମାନବନ୍ଦରର ଇଭି ଚାର୍ଜିଂ ବ୍ୟବସ୍ଥା, ଭଦ୍ରକରେ ଏଲ୍ଏନ୍ଜି ତଥା ମଲ୍ଟି ଫୁଏଲ୍ ହବ୍, ବାଲେଶ୍ବରରେ ସିଏନ୍ଜି ଷ୍ଟେସନ୍, ଭଦ୍ରକରେ ପ୍ରଥମ ଡୋମେଷ୍ଟିକ୍ ପିଏନ୍ଜି ଗ୍ୟାସ୍ ଚାର୍ଜିଂ ଓ ବର୍ଣ୍ଣର ଏବଂ ରାଇରଙ୍ଗପୁରରେ ସିଏନ୍ଜି ଷ୍ଟେସନ୍ ସ୍ଥାପନ କରିବ ବୋଲି ସେ କହିଛନ୍ତି।