ଷ୍ଟକ ବଜାରରେ ନିବେଶକ ହରାଇଲେ ତିନି ଲକ୍ଷ କୋଟି

ମୁମ୍ବାଇ: ଦଲାଲ୍‌ ଷ୍ଟ୍ରିଟ୍‌ର ନିବେଶକଙ୍କ ବେଳା ଏବେ ଭଲନାହିଁ। ଗତ ଦୁଇଦିନ ହେଲା ସେମାନଙ୍କ ନିବେଶ ମୂଲ୍ୟ କମି କମି ଯାଉଛି। ଦୁଇଦିନରେ ସେନ୍‌ସେକ୍ସ ୮୦୦ ପଏଣ୍ଟ ତଳକୁ ଖସିଯାଇଛି। ଗତକାଲି ସେନ୍‌ସେକ୍ସ ୫୦୫ ପଏଣ୍ଟ କମିଥିବା ବେଳେ ଆଜି ୨୯୫ ପଏଣ୍ଟ କମିଯାଇଛି। ଏହି ଦୁଇଦିନରେ ନିବେଶକମାନେ ପ୍ରାୟ ୩ ଲକ୍ଷ କୋଟି ( ୨ ଲକ୍ଷ ୭୨ ହଜାର କୋଟି) ଟଙ୍କା ହରାଇଛନ୍ତି। ଦେଶରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସହିତ ଚଳନ୍ତି ଖାତା ନିଅଣ୍ଟ ବୃଦ୍ଧି ଏବଂ ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି ତୀବ୍ରତର ହେବା ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଆଦି ଯୋଗୁ ନିବେଶକମାନେ ଭୟଭୀତ ହୋଇ ପଡ଼ିଛନ୍ତି।

ମଙ୍ଗଳବାର ସେନ୍‌ସେକ୍ସ ୨୯୫ ପଏଣ୍ଟ ହ୍ରାସ ଘଟି ୩୭,୨୯୦ ପଏଣ୍ଟକୁ ଖସିଆସିଛି। ଏଥିଯୋଗୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନି ଗୁଡ଼ିକର ବଜାର ପୁଞ୍ଜି ଗତ ଦୁଇ ଦିନ ମଧ୍ୟରେ ୨,୭୨,୫୪୯.୧୫ କୋଟି ଟଙ୍କା ହ୍ରାସ ଘଟି ୧,୫୩,୬୪,୪୭୦ କୋଟି ଟଙ୍କାକୁ ଖସିଆସିଛି। ଜିଓଜିଟ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡର ଗବେଷଣା ବିଭାଗ ମୁଖ୍ୟ ବିନୋଦ ନାୟାର କୁହନ୍ତି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁ ନିବେଶକମାନେ ଅଧିକ ସଂଖ୍ୟାରେ ସେୟାର ବିକ୍ରି କରୁଛନ୍ତି। ସେନ୍‌ସେକ୍ସରେ ଥିବା ୩୦ଟି କମ୍ପାନି ମଧ୍ୟରୁ ୨୪ଟି କମ୍ପାନିର ଷ୍ଟକ୍‌ ମୂଲ୍ୟ ହ୍ରାସ ଘଟିଛି। ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ୧୮୦୫ଟି ଷ୍ଟକ୍‌ ମୂଲ୍ୟ ହ୍ରାସ ଘଟିଥିବାବେଳେ ୮୮୧ଟିର ମୂଲ୍ୟ ବୃଦ୍ଧି ଘଟିଥିଲା ଏବଂ ୧୬୨ଟି ଷ୍ଟକ୍‌ ମୂଲ୍ୟ ଅପରିବର୍ତ୍ତିତ ରହିଥିଲା।

ସମ୍ବନ୍ଧିତ ଖବର