ସ୍ବଳ୍ପ ସାମଗ୍ରୀରେ ପ୍ରସ୍ତୁତ ରେଶମୀ ବୁଢ଼ିଆଣି ଜାଲ ପରି ଜଟିଳ ତଥା ସୂକ୍ଷ୍ମ କାରିଗରି ଦ୍ବାରା ଅନୁପ୍ରାଣିତ ହୋଇ ଗବେଷକମାନେ ଏକ ଭିନ୍ନ ଚମତ୍କାରିତା ଦେଖାଇଛନ୍ତି। ଏକ ଅଭିନବ କୌଶଳରେ ସେମାନେ ଏଭଳି ଏକ ଉପଯୋଗୀ ତଥା ପରିବେଶ ଅନୁକୂଳ ସେନ୍‌ସର୍‌ ଉଦ୍ଭାବନ କରିଛନ୍ତି ଯାହା ଶରୀରର ବିଭିନ୍ନ ସ୍ଥାନରେ ମୁଦ୍ରିତ ହୋଇପାରିବ ଏବଂ ଅଦୃଶ୍ୟ ଓ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିବ। ସଂପୃକ୍ତ ସେନ୍‌ସର୍‌ ପାଇଁ ବ୍ୟବହୃତ ତନ୍ତୁଗୁଡ଼ିକ ଆମ କେଶ ଠାରୁ ପଚାଶଗୁଣ ପତଳା ବୋଲି ଜଣାଯାଇଛି।

Advertisment

ଏହି ଅଭିନବ ଜୈବଇଲେକ୍ଟ୍ରୋନିକ ‘ବୁଢ଼ିଆଣି ରେଶମ’କୁ ‘ପେଡଟ୍: ପିଏସ୍ଏସ୍’ ନାମକ ଏକ ପ୍ରକାର ପଲିମର୍‌, ହାଇଲୋନିକ ଅମ୍ଳ ଓ ପଲିଥିନ୍ ଅକ୍ସାଇଡ୍‌ର ମିଶ୍ରଣରୁ ବୁଣାଯାଇଛି। ଏହି ଉଚ୍ଚ କ୍ଷମତାସଂପନ୍ନ ତନ୍ତୁ ଚର୍ମରେ ସହଜରେ ଲାଖି ରହିପାରୁଛି। ମନୁଷ୍ୟର ଆଙ୍ଗୁଠି ଟିପ ଓ ଡାଲିଆ ଫୁଲର ମଞ୍ଜି ପରି ଜୈବିକ ପୃଷ୍ଠତଳ ଉପରେ ତାହାର ପ୍ରୟୋଗର ପରୀକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଉକ୍ତ ତନ୍ତୁ ଚର୍ମକୁ ସ୍ପର୍ଶ କରିଥିବାର ଅନୁଭବ ମଧ୍ୟ ହେଉ ନାହିଁ। ଏଥି ସହିତ ଏହା ଶରୀର ସଂପର୍କିତ ଉଚ୍ଚମାନର ତଥ୍ୟ ପ୍ରଦାନ କରୁଛି। ଆମେ ସମ୍ପ୍ରତି ସ୍ମାର୍ଟଵାଚ୍ ପରି ପରିଧାନଯୋଗ୍ୟ ଜ୍ଞାନକୌଶଳକୁ ଧାରଣ କରୁଛେ। ମାତ୍ର ବେଳେବେଳେ ତାହା ପରିଧାନ କରିବାକୁ ଅସ୍ବସ୍ତିକର ମନେ ହେବା ସହ ଚର୍ମର ପ୍ରାକୃତିକ ସମ୍ବେଦନଶୀଳତାକୁ ମଧ୍ୟ ପ୍ରତିରୋଧ କରିଥାଏ। ସେ ଦୃଷ୍ଟିରୁ ଏହି ‘ବୁଢ଼ିଆଣି ରେଶମ’ ତନ୍ତୁ ଏକ ଶ୍ରେଷ୍ଠ ବିକଳ୍ପ ଭାବେ ଉଭା ହୋଇଛି। ଏହି ଜୈବଇଲେକ୍ଟ୍ରୋନିକ୍ ସେନ୍‌ସର୍‌ଗୁଡ଼ିକ ବିଶେଷ କରି ସ୍ବାସ୍ଥ୍ୟ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହେବ। ଏଥି ସହିତ କୃଷି ଓ ପରିବେଶ ନିରୀକ୍ଷଣ ଯାଏ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏହାକୁ ପ୍ରୟୋଗ କରିବା ଲାଗି ଗବେଷକମାନେ ଆଶା ରଖିଛନ୍ତି।