ହୋଟେଲରେ ମା’କୁ ଏକା ଛାଡ଼ି ଚାଲି ଯାଇଥିଲା ଆଇପିଏସ୍‌ ପୁଅ, ୮ମାସ ପରେ ଘରକୁ ଫେରାଇ ନେବା ସହ ଜଣାଇଲେ ଛାଡ଼ିଯିବାର କାରଣ

ଉଜ୍ଜୈନ : ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୨୦୧୮ ଡିସେମ୍ବରରେ ଦିଲ୍ଲୀରୁ ଉଜ୍ଜୈନ ବୁଲି ଆସିଥିବା ଜଣେ ଆଇପିଏସ୍‌ ଅଫିସର ନିଜ ମା’କୁ ହୋଟେଲରେ ଏକା ଛାଡ଼ି ଚାଲିଯାଇଥିବା ଘଟଣା ଏବେ ସାମ୍ନାକୁ ଆସିବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ସବୁଠାରୁ ବଡ଼ କଥା ହେଲା ୮ମାସ ସେବାଧନ ଆଶ୍ରମରେ ରହିବା ପରେ ଏବେ ଆଇପିଏସ୍‌ ପୁଅ ଫେରି ନିଜ ମା’କୁ ଘରକୁ ନେଇଥିବା ଜଣା ପଡ଼ିଛି । ଏହା କେବଳ ସେବାଧନ ଆଶ୍ରମର ମୁଖ୍ୟ ସୁଧୀରଭାଇ ଗୋଏଲ ଓ ସମାଜସେବୀ ଯଶୋବନ୍ତ ଭଣ୍ଡାରିଙ୍କ ପାଇଁ ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ୨୦୦୪ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅବିନାଶ ମିଶ୍ର ନିଜ ମା’ଙ୍କୁ ନେଇ ୮ମାସ ତଳେ ଉଜ୍ଜୈନ ଯାଇଥିଲେ । ସେଠାରେ କିଛି ସମୟ ଭିତରେ ଆସିବି ବୋଲି କହି ମା’ଙ୍କୁ ହୋଟେଲରେ ଛାଡ଼ି ଚାଲି ଆସିଥିଲେ ଆଇପିଏସ୍‌ ଅଫିସର ଅବିନାଶ ମିଶ୍ର । ଗୋଟେ ଦିନ ବିତିଯିବା ପରେ ଆଇପିଏସ୍‌ ଅଫିସର ଅବିନାଶ ମିଶ୍ର ନ ଫେରିବାରୁ ହୋଟେଲ କର୍ତ୍ତୃପକ୍ଷ ଏ ନେଇ ଜିଲ୍ଲାପାଳଙ୍କୁ ସଂପର୍କ କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ଜିଲ୍ଲା ମହିଳା ସଶକ୍ତିକରଣ ଅଧିକାରୀ ବୃଦ୍ଧ ମହିଳାଙ୍କୁ ସହରର ଓ୍ଵାନ୍‌-ଷ୍ଟପ୍‌ ସେଣ୍ଟରରେ ନେଇ ରଖିଥିଲେ । ସେଠାରେ ରହିବାର ସମୟସୀମା ଧାର୍ଯ୍ୟ ଥିବାରୁ ଗୋଟେ ମାସ ପରେ ବୃଦ୍ଧାଙ୍କୁ ସେବାଧନ ଆଶ୍ରମକୁ ଅଣାଯାଇଥିଲା । ବୃଦ୍ଧାଙ୍କ ସମସ୍ୟା ବିଷୟରେ ଜାଣି ସେବାଧନ ଆଶ୍ରମର ମୁଖ୍ୟ ସୁଧୀରଭାଇ ଗୋଏଲ ଦିଲ୍ଲୀ ଯାଇ ଆଇପିଏସ୍‌ ଅଫିସର ଅବିନାଶ ମିଶ୍ରଙ୍କୁ ଭେଟିଥିଲେ ।

oneindia.com

ନିଜ ମା’ଙ୍କୁ ଘରକୁ ଫେରାଇ ଆଣ ବୋଲି ବୁଝାଇବା ପରେ ଆଇପିଏସ୍‌ ଅଫିସର ଅବିନାଶ ମିଶ୍ର ଶେଷରେ ନିଜ ମା’ଙ୍କୁ ଦିଲ୍ଲୀ ଫେରାଇ ଆଣିବା ପାଇଁ ରାଜି ହୋଇଥିଲେ । ଏଭଳି ଛାଡ଼ି ଆସିବାର କାରଣ ସୁଧୀରଭାଇ ଅବିନାଶଙ୍କୁ ପଚାରିବା ପରେ, ମୋର ପ୍ରଥମ ପୋଷ୍ଟିଂ ମାଓବାଦୀ ପ୍ରବଣ ଅଞ୍ଚଳରେ ହୋଇଥିଲା । ଯାହାଦ୍ୱାରା ମୋ ମା’ଙ୍କ ଜୀବନ ପ୍ରତି ବିପଦ ଥିବାରୁ ମୁଁ ତାଙ୍କୁ ଉଜ୍ଜୈନରେ ଛାଡ଼ି ଆସିଥିଲି ବୋଲି ସେ କହିଥିଲେ । ତେବେ ୮ମାସ ପରେ ଅବିନାଶ ନିଜ ମା’ଙ୍କୁ ଭେଟିବା ପରେ ଦୁହେଁ ଭୋ ଭୋ ହୋଇ କାନ୍ଦି ପକାଇଥିବା ଦେଖାଯାଇଥିଲା ।

ସମ୍ବନ୍ଧିତ ଖବର