ଅନ୍‌ଲାଇନ୍‌ରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ପାଠ ପଢ଼ାଉଛନ୍ତି ଆଇପିଏସ୍‌ ଅଧିକାରୀ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବା ବେଳେ ଛାତ୍ରଛାତ୍ରୀମାନଙ୍କର ଏକମାତ୍ର ଭରସା ପାଲଟିଛି ଅନ୍‌ଲାଇନ୍‌ କ୍ଲାସେସ୍‌। ଏପରିସ୍ଥିତିରେ ୟୁପିଏସ୍‌ସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ସପ୍ତାହକୁ ଥରେ ଅନ୍‌ଲାଇନ୍‌ କ୍ଲାସ୍‌ ଜରିଆରେ ପାଠ ବୁଝାଉଥିବା ଆଇପିଏସ୍‌ ଅଧିକାରୀ ସୂରଜ ସିଂହ ପରିହାର।

ସେ ୨୦୧୩ ଓ ୨୦୧୪ ମସିହାରେ ହିନ୍ଦୀ ମାଧ୍ୟମରେ ୟୁପିଏସ୍ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସର୍ବଭାରତୀୟ ସ୍ତରରେ ୩୩୪ ଏବଂ ୧୮୯ ରାଙ୍କ୍‌ ରଖିଥିଲେ। ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ ବି ସେ ୟୁପିଏସ୍‌ସି ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ଶିକ୍ଷା‌ ଦେବାକୁ ନିଜର ନୈତିକ କର୍ତ୍ତବ୍ୟ ବୋଲି ଭାବନ୍ତି। ନିଜର ବଡ଼ପଣ ଦେଖାଇ ସେ ପ୍ରତି ସପ୍ତାହ‌ରେ ଏକ ୱେବିନାର୍ ଆୟୋଜନ କରି ଅନ୍‌ଲାଇନ୍‌ ଜରିଆରେ ପରୀକ୍ଷାର୍ଥୀମାନଙ୍କର ବିଭିନ୍ନ ପ୍ରକାରର ପ୍ରଶ୍ନକୁ ନେଇ ଥିବା ସନ୍ଦେହକୁ ଦୂର କରୁଛନ୍ତି।

ସେ ଏବେ ସୁଦ୍ଧା ହଜାର ହଜାର ପରୀକ୍ଷାର୍ଥୀଙ୍କ ସନ୍ଦେହ ଦୂର କରି ସେମାନଙ୍କୁ ସେମାନଙ୍କ ପ୍ରସ୍ତୁତିରେ ସାହାଯ୍ୟ କରିଛନ୍ତି। ସୂରଜ ୟୁପିଏସସି ଆଶାୟୀମାନଙ୍କ ପାଇଁ ଏକ ପ୍ରକାରର କୋଚ୍‌ ପାଲଟି ଯାଇଛନ୍ତି। ସେ  ନିଜର ବିଭିନ୍ନ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବ୍ୟବହାର କରି ଆଶାୟୀମାନଙ୍କ ସହିତ ଯୋଗାଯୋଗରେ ରହି ସେମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି।

ସୂରଜ ସାପ୍ତାହିକ ୱେବିନାର୍ ଆୟୋଜନ କରିବା ପୂର୍ବରୁ ସୋସିଆଲ୍‌ ମିଡିଆରେ ଅଧିକ ସକ୍ରିୟ ରହୁଥିଲେ ବୋଲି କହିିଛନ୍ତି। ଜାଣିରଖନ୍ତୁ ଯେ ସୂରଜ ଇନଷ୍ଟାଗ୍ରାମ, ଫେସବୁକ୍, ଇ-ମେଲ୍ ଏବଂ ଟ୍ୱିଟରରେ ସକ୍ରିୟ ରହିଛନ୍ତି। ଏପର୍ଯ୍ୟନ୍ତ ତିନୋଟି ଅନ୍ଲାଇନ୍ କ୍ଲାସ୍‌ ଆୟୋଜିତ ହୋଇପାରିଛି, ପ୍ରଥମଟିରେ ପ୍ରାୟ ୨୫୦୦ ଆଶାୟୀ, ଦ୍ୱିତୀୟରେ ୩୦୦୦ ଆଶାୟୀ  ଏବଂ ଶେଷରେ ୧୩୦୦୦ ଆଶାୟୀ ଅଂଶଗ୍ରହଣ କରିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର

Comments are closed.