ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଜଣେ ଆଇପିଏସ୍ ଅଧିକାରୀଙ୍କ ଫଟୋ ସେୟାର କରିଛନ୍ତି। ଏହି ଆଇପିଏସ୍ ଅଧିକାରୀଙ୍କ ନାମ ହେଉଛି ସନ୍ତୋଷ ମିଶ୍ରା । ଫଟୋ ସେୟାର କରି ବଜରଙ୍ଗ ପୁନିଆ ଲେଖିଛନ୍ତି ଯେ ଏହି ବ୍ୟକ୍ତି ଜଣକ ଦେଶସେବା ପାଇଁ ୫୦ ଲକ୍ଷ ଟଙ୍କାର ଏକ ବିଦେଶୀ ଚାକିରି ଛାଡିଛନ୍ତି।
ବଜରଙ୍ଗ ପୁନିଆ ତାଙ୍କ ପୋଷ୍ଟ ସହିତ ଦୁଇଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଆଇପିଏସ୍ ଅଧିକାରୀ ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ଶିକ୍ଷାଦାନ କରୁଥିବା ଦେଖିବାକୁ ମିଳୁଛି। ବଜରଙ୍ଗ ପୁନିଆଙ୍କ ପୋଷ୍ଟ ଅନୁଯାୟୀ, ଆଇପିଏସ୍ ସନ୍ତୋଷ ମିଶ୍ରା କାମ କରିବା ପରେ ଅବଶିଷ୍ଟ ସମୟ ଗରିବ, ଅସହାୟ ଓ ଆର୍ଥିକ ଭାବେ ଦୁର୍ବଳ ଥିବା ପିଲାଙ୍କୁ ଶିକ୍ଷିତ କରିବାରେ ଲାଗିଥାଆନ୍ତି। ସେ ଆମେରିକାର ନ୍ୟୁୟର୍କ ସହରରେ ଚାକିରି କରୁଥିଲେ। ଏଥିପାଇଁ ତାଙ୍କ ବେତନ ଥିଲା ୫୦ ଲକ୍ଷ ଟଙ୍କା । କିନ୍ତୁ ସେ ଏହି ଚାକିରି ଛାଡ଼ି ଭାରତ ଆସି ଲୋକଙ୍କ ପାଇଁ କାମ କରିବାକୁ ପସନ୍ଦ କରିଥିଲେ।
rispect 🙏🏽❤️ @IPS_SantoshMpic.twitter.com/mKZWaKbSS1
— Bajrang Punia 🇮🇳 (@BajrangPunia) January 20, 2022
ସନ୍ତୋଷ ମିଶ୍ରା ବର୍ତ୍ତମାନ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏସପି ଭାବରେ କାର୍ଯ୍ୟ କରୁଛନ୍ତି। ସେ ଟ୍ୱିଟରରେ ବହୁତ ଲୋକପ୍ରିୟ । ବିହାରର ବାସିନ୍ଦା ସନ୍ତୋଷ ମିଶ୍ର ୨୦୧୨ ବ୍ୟାଚର ଆଇପିଏସ୍ ଅଧିକାରୀ। ୨୦୧୧ ମସିହାରେ ସେ ଆମେରିକାର ସଫ୍ଟୱେୟାର ଇଞ୍ଜିନିୟର ଚାକିରି ଛାଡିଥିଲେ । ସେତେବେଳେ ଆମେରିକାରେ ତାଙ୍କର ଦରମା ୫୦ ଲକ୍ଷ ଟଙ୍କା ଥିଲା । ଏହା ପରେ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ନିଜେ ପ୍ରଥମ ପ୍ରୟାସରେ ଦେଶର ସବୁଠୁ ବଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆଇପିଏସ୍ ଅଧିକାରୀ ହୋଇଥିଲେ।
ଆଇପିଏସ୍ ସନ୍ତୋଷ ମିଶ୍ରାଙ୍କ ଅନୁଯାୟୀ, ସେ ପାଟନା ଜିଲ୍ଲାର ଜଣେ ଅବସରପ୍ରାପ୍ତ ସେନାଙ୍କ ପୁଅ। ବିହାର ସ୍କୁଲରୁ ଦଶମ ଏବଂ ଦ୍ୱାଦଶ ପାସ କରିବା ପରେ ସେ ପୁନେ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ।
ଏହା ପରେ ସେ ୟୁରୋପର କମ୍ପାନିରେ କାମ ପାଇଥିଲେ। ୟୁରୋପରେ ୪ ବର୍ଷ କାମ କରିବା ପରେ ସେ ଆମେରିକା ଯାଇଥିଲେ। ସେଠାରେ ସାତ ବର୍ଷ କାମ କରିବା ପରେ ସେ ଭାରତ ଫେରି ଆସିଥିଲେ। ବାସ୍ତବରେ ତାଙ୍କ ମନ ଦେଶ ସେବା ପ୍ରତି ଟାଣି ହୋଇ ଆସିଥିଲା। ତେଣୁ ସେ ବାର୍ଷିକ ୫୦ଲକ୍ଷ ଟଙ୍କାର ପ୍ୟାକେଜ୍ ଛାଡି ଦେଇଥିଲେ ।