ରାଗୁଆ ଲଙ୍କା ଖାଇ ରେକର୍ଡ କରିଛନ୍ତି ଲୌହ ପାକସ୍ଥଳୀଧାରୀ ଗ୍ରେଗ୍‌ ବାର୍ଲୋ

ଲୋକପ୍ରିୟ ହେବା ଏବଂ ରେକର୍ଡ କରିବା ନିଶାରେ ଲୋକେ କେତେ କ’ଣ ଅବିଶ୍ବସନୀୟ କାର୍ଯ୍ୟକଳାପ କରୁଥିବାର ଦେଖିବାକୁ ମିଳିଛି। ଏହି କ୍ରମରେ ମେଲବର୍ଣ୍ଣରେ ରହୁଥିବା ଗ୍ରେଗ୍‌ ବାର୍ଲୋ ନାମକ ଜଣେ ଯୁବକ ଥରକେ ସର୍ବାଧିକ ୧୬୦ଟି ‘କାରୋଲିନା ରିପର’ ଲଙ୍କା ଖାଇ ବିଶ୍ବ ରେକର୍ଡ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘କାରୋଲିନା ରିପର’ ହେଉଛି ପୃଥିବୀର ସବୁଠୁ ରାଗୁଆ ଲଙ୍କା ଭିତରୁ ଗୋଟିଏ। ଜଣେ ଅଭ୍ୟାସଗତ ରାଗ ଖାଦକ ମଧ୍ୟ ଏଭଳି ୧୦ରୁ ଅଧିକ ଲଙ୍କା ଖାଇବା କଷ୍ଟକର ବ୍ୟାପାର। ତେବେ ‘ଲୌହ ପାକସ୍ଥଳୀ’ ବା ‘ଆଇରନ୍‌ ଗଟ୍‌ସ’ ନାମରେ ପରିଚିତ ଗ୍ରେଗ୍‌ ଏହା କରି ଦେଖାଇଛନ୍ତି। ତାଙ୍କର ପିଲାଟି ବେଳୁ ରାଗୁଆ ଲଙ୍କା ବା ରାଗୁଆ ସସ୍‌ ଖାଇବାରେ ସଉକ ରହି ଆସିଛି। ତେବେ ଏହି ଗୁଣଟି କିପରି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବ, ସେଥିପାଇଁ ସେ ଅଭ୍ୟାସ ଜାରି ରଖିଥିଲେ। ତେଣୁ ରାଗୁଆ ଲଙ୍କା ଖାଇବା ପ୍ରତିଯୋଗିତା ଆୟୋଜନ କରୁଥିବା ‘ଲିଗ୍‌ ଅଫ୍‌ ଫାୟାର’ ସଂଗଠନ ସହ ସେ ଯୋଗାଯୋଗ କରିଥିଲେ। ତେବେ ଲଙ୍କାଖିଆ ପ୍ରତିଯୋଗୀଙ୍କ ପାଇଁ ‘କାରୋଲିନା ରିପର’ ହଜମ କରିବା ଏକ ଆହ୍ବାନ ଥିଲା।

ମାତ୍ର ରାଗ ଲଙ୍କା ଖାଇବାରେ ବିଶ୍ବ ଚାମ୍ପିଅନ୍‌ ହେବାର ନିଶାରେ ଥିବା ଗ୍ରେଗ୍‌ ତାହାକୁ ଅତି ସହଜରେ ଗ୍ରହଣ କରିଥିଲେ। ଏଥିପାଇଁ କୌଣସି ଶାରୀରିକ ପ୍ରତିକୂଳ ପ୍ରତିକ୍ରିୟା ଆଶଙ୍କାରେ ସେ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ତାଙ୍କୁ ଘଟଣାସ୍ଥଳରେ ସତର୍କ କରି ରଖିଥିଲେ। ଶେଷରେ ଗତବର୍ଷ ମେ’ ପହିଲାରେ ସେ ୧୬୦ଟି ‘କାରୋଲିନା ରିପର’ ଯାହାର ମୋଟ ଓଜନ ଏକ କେଜି ପାଖାପାଖି ହେବ, ତାହାକୁ ଖାଇ ନିଜ ନାମରେ ଏହି ବିରଳ ବିଶ୍ବ ରେକର୍ଡ ଦରଜ କରିପାରିଛନ୍ତି।

ଏକାଥରକେ ଏପରି ଏତେ ସଂଖ୍ୟକ ପୃଥିବୀର ସବୁଠୁ ରାଗୁଆ ଲଙ୍କା ଖାଇବା ଘଟଣା ପ୍ରତିଯୋଗିତାର ଖୋଦ୍‌ ଆୟୋଜକମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା। ପୂର୍ବରୁ ଏହି ରେକର୍ଡ ଜଣେ ଆମେରିକୀୟଙ୍କ ନାମରେ ରହିଥିଲା ଯିଏ ୧୨୩ଟି ‘କାରୋଲିନା ରିପର’(ପ୍ରାୟ ୭୧୪ ଗ୍ରାମ୍‌) ଖାଇ ପାରିଥିଲେ।

ସମ୍ବନ୍ଧିତ ଖବର