ଯୁବ ବୟସରେ ଅନିୟମିତ ହୃଦ୍‌ସ୍ପନ୍ଦନ

ଏକ ଅଧ୍ୟୟନ ଅନୁଯାୟୀ, ମୋଟ ହୃଦ୍‌ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କଠାରେ ଅନିୟମିତ ହୃତ୍‌ସ୍ପନ୍ଦନ ଦେଖାଦେଇଥାଏ। ଏହା ପ୍ରାୟ ସବୁ ବୟସ ବର୍ଗର ଲୋକଙ୍କ ଠାରେ ରହିଥିବା ବେଳେ ଯୁବ ବୟସ ବର୍ଗରେ ତାହା ସର୍ବାଧିକ ବୋଲି ଜଣାଯାଇଛି। ବିଭିନ୍ନ କାରଣରୁ ହୃଦ୍‌ସ୍ପନ୍ଦନରେ ଅନିୟମିତତା ଦେଖା ଦେଉଥିବା ବେଳେ ବିଶେଷ କରି ଯୁବକମାନଙ୍କ କ୍ଷେତ୍ରରେ ତାହା ଜନ୍ମଗତ ହୃତ୍‌ପିଣ୍ଡରେ ତ୍ରୁଟି, ଅନ୍ତର୍ନିହିତ ଚିକିତ୍ସା ଅବସ୍ଥା, କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା, ଜୀବନଶୈଳୀ, ମାନସିକ ଚାପ ଓ ଉତ୍କଣ୍ଠା ପରି କାରଣରୁ ହୋଇଥାଏ। ଏଥି ସହିତ ଫୁସ୍‌ଫୁସ୍‌ ରୋଗ କିମ୍ବା ରକ୍ତରେ ସୋଡିଅମ୍‌ ଓ ପୋଟାସିଅମ୍‌ ପରି ଖଣିଜର ଅସନ୍ତୁଳନ ଯୋଗୁଁ ମଧ୍ୟ ଅନିୟମିତ ହୃଦ୍‌ସ୍ପନ୍ଦନ ଦେଖାଦେଇଥାଏ। ଯୁବକମାନଙ୍କ ଠାରେ ଏହାର ଲକ୍ଷଣ ସ୍ବରୂପ, ଛାତି ଧଡ଼ ଧଡ଼ ଲାଗିବା, ମୁଣ୍ଡ ବୁଲାଇବା ବା ଅତି ହାଲକା ଲାଗିବା, ଚେତା ହରାଇ ବସିବା, ଘନ ଘନ ପ୍ରଶ୍ବାସ ନେବା ଓ ଥକ୍କା ଅନୁଭବ କରିବା ଆଦି ପରିଲକ୍ଷିତ ହୋଇଥାଏ।

ରୋଗୀଠାରେ ରୋଗର ମାତ୍ରା ନିରୂପିତ ହେଲା ପରେ ବିଭିନ୍ନ ପ୍ରକାର ଚିକିତ୍ସା ପଦ୍ଧତି ଦ୍ବାରା ସେଥିରୁ ଉପଶମ ମିଳିପାରିବ। ରୋଗର ମାତ୍ରା ନିରୂପଣ ପାଇଁ ଇଲେକ୍ଟ୍ରୋକାର୍ଡିଓଗ୍ରାମ୍‌ (ଇସିଜି), ହୋଲ୍ଟର ନିରୀକ୍ଷଣ, ଇଭେଣ୍ଟ ରେକର୍ଡର ଓ ଇକୋକାର୍ଡିଓଗ୍ରାମ୍‌ ସାହାଯ୍ୟରେ ହୃଦ୍‌ସ୍ପନ୍ଦନ ଅନିୟମିତତାର ବିଶ୍ଳେଷଣ ହୋଇପାରିବ। ଯଦିଓ ଔଷଧ ଦ୍ବାରା ଏହି ଅନିୟମିତତାକୁ ନିୟନ୍ତ୍ରଣ କରିହେବ, ତେବେ ଅଧିକାଂଶ କ୍ଷେତ୍ରରେ ମାନସିକ ଚାପ ହ୍ରାସ, ନିୟମିତ ବ୍ୟାୟାମ, ସ୍ବାସ୍ଥ୍ୟପ୍ରଦ ସୁଷମ ଖାଦ୍ୟ ଭକ୍ଷଣ ବଜାୟ ରଖିବା ଏବଂ କ୍ୟାଫିନ୍‌(କଫି ସେବନ) ଓ ନିକୋଟିନ୍‌(ଧୂମପାନ) ପରି ରାସାୟନିକଠାରୁ ଦୂରେଇ ରହିଲେ ଯୁବକମାନଙ୍କର ଅନିୟମିତ ହୃଦ୍‌ସ୍ପନ୍ଦନ ଦୂର ହୋଇପାରିବ। ବିଭିନ୍ନ ପ୍ରକାର ଲକ୍ଷଣରୁ ଆଗୁଆ ହୃତ୍‌ପିଣ୍ଡର ସ୍ଥିତି ଜାଣିବା ଗୁରୁତ୍ବପୂର୍ଣ୍ଣ। ତେବେ ହୃତ୍‌ପିଣ୍ଡର ଅବସ୍ଥା ଜାଣିବା ପାଇଁ ବର୍ତ୍ତମାନ ଉପଲବ୍‌ଧ ଥିବା ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରାଂଶ ଓ ଚିକିତ୍ସା ପଦ୍ଧତି ଦ୍ବାରା ଯୁବକମାନେ ନିଜ ଅବସ୍ଥାରେ ପରିବର୍ତ୍ତନ ଆଣି ସ୍ବାଭାବିକ ଜୀବନ ନିର୍ବାହ କରିପାରିବେ।

ସମ୍ବନ୍ଧିତ ଖବର