ଶିକ୍ଷାନୁଷ୍ଠାନର ରାଜନୀତିକରଣ, ବିଦ୍ୟାଳୟରେ ଦଣ୍ଡମୁକ୍ତ ଅଞ୍ଚଳ ତଥା ମଧ୍ୟାହ୍ନ ଭୋଜନ, ପ୍ରାଥମିକ ଶିକ୍ଷାର ଅଧୋଗତି ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ରସଂଘ ନିର୍ବାଚନରେ ରାଜନୈତିକ ଦଳର ପ୍ରତ୍ୟକ୍ଷ ଯୋଗଦାନ ଭଳି ସମ୍ବେଦନଶୀଳ ପ୍ରସଙ୍ଗ ସହିତ ଭାରତରେ ମାନବସମ୍ବଳର ଉପଯୁକ୍ତ ବିନିଯୋଗ ଉପରେ ରାଜ୍ୟର ଜଣାଶୁଣା ଶିକ୍ଷାବିତ୍ ତଥା ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍ ସନ୍ତୋଷ କୁମାର ତ୍ରିପାଠୀଙ୍କ ସହ ‘ରବିବାର ସମ୍ବାଦ’ର ଆଲୋଚନା
ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବାର ସୂଚନା ମିଳିସାରିଲାଣି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସିଧାସଳଖ ରାଜନୈତିକ ଦଳ ମାଧ୍ୟମରେ ଛାତ୍ରସଂସଦ ନିର୍ବାଚନ ଚିନ୍ତାଧାରା ସହ ଆପଣ ଏକମତ କି?
ଏହା ଆଦୌ ଗ୍ରହଣୀୟ ନୁହେଁ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କର ସମାଜରେ ନୈତିକ ଅଧୋପତନ ହେଉଛି ଏବଂ ଶିକ୍ଷାନୁଷ୍ଠାନରେ ରାଜନୈତିକ ହିଂସା ବୃଦ୍ଧି ପାଉଛି। ଏପରିକି କେତେକ ଛାତ୍ରଛାତ୍ରୀ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଧମକ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଛାତ୍ରଛାତ୍ରୀମାନେ ରାଜନୀତି ବିଷୟରେ ଜାଣିବା ଦରକାର। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଛାତ୍ର ସଂଘ ନିର୍ବାଚନ ନିତାନ୍ତ ଆବଶ୍ୟକ। ଏହା ଗଣତନ୍ତ୍ରର ମୂଳଦୁଆ ଏବଂ ଏହା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ। କିନ୍ତୁ ଏହାର ଅର୍ଥ ନୁହେଁ ଛାତ୍ର ସଂଗଠନ ପ୍ରତ୍ୟକ୍ଷ ଭାବେ ରାଜନୈତିକ ଦଳ ସହ ସାମିଲ ହୋଇ ସେହିସବୁ ଦଳର ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେବେ ଓ ନିର୍ବାଚନ ଲଢ଼ିବେ। ବେଳେବେଳେ ଏହା ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ମଧ୍ୟ କ୍ଷମତାରେ ଥିବା ରାଜନୈତିକ ଦଳର ହାତବାରିଶି ହେବାକୁ ବାଧ୍ୟ କରୁଛି। ଏହାଦ୍ବାରା ରାଜନୈତିକ ବିଭକ୍ତୀକରଣ ସୃଷ୍ଟି ହୋଇ ଶିକ୍ଷାନୁଷ୍ଠାନରେ ହିଂସା ବୃଦ୍ଧି ପାଉଛି। ହିଂସାକାଣ୍ଡ ପରେ ଅପରାଧରେ ଜଡ଼ିତ ଥିବା ଛାତ୍ର ସଂଗଠନ ନେତାଙ୍କୁ ରାଜନୈତିକ ଦଳ ପରୋକ୍ଷ ଓ ପ୍ରତ୍ୟକ୍ଷ ସମର୍ଥନ ଦେବାକୁ ପଛାଉ ନାହାନ୍ତି। ଶିକ୍ଷାନୁଷ୍ଠାନରେ ଏଭଳି କାର୍ଯ୍ୟ କୌଣସି ପରିସ୍ଥିତିରେ ସହଣୀୟ ନୁହେଁ, ଗ୍ରହଣୀୟ ତ ବହୁ ଦୂରର କଥା।
ଅନେକ ଅଭିଯୋଗ କରନ୍ତି, ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଧୋଗତି ହୋଇଛି। ଏଥିସହ ମଧ୍ୟାହ୍ନ ଭୋଜନ ଭଳି ବ୍ୟବସ୍ଥାରେ ଶିକ୍ଷକଙ୍କ ସଂପୃକ୍ତି ଶିକ୍ଷାଦାନକୁ ପ୍ରଭାବିତ ହେଉଥିବା ମତ ପ୍ରକାଶ ପାଉଛି। ଏହା ଠିକ୍?
ହଁ। ବିଗତ ଦିନରେ ବିଦ୍ୟାଳୟ ସବୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ବାରା ପରିଚାଳିତ ଓ ନିୟନ୍ତ୍ରିତ ହେଉଥିଲା। ଗାଁଗଣ୍ଡା ଓ ସାହିର ମୁରବିମାନେ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗ ଯୋଗାଇ ବିଦ୍ୟାଳୟର ତତ୍ତ୍ବାବଧାନ କରୁଥିଲେ। ଏହାସହିତ ‘ବିଡିଓ’ଙ୍କ ମାଧ୍ୟମରେ ବିଦ୍ୟାଳୟସମୂହର ପ୍ରାଶାସନିକ ନିୟନ୍ତ୍ରଣ ଚାଲୁଥିଲା। ଆଜିକାଲି ସେଭଳି ବିକେନ୍ଦ୍ରୀକରଣ ବ୍ୟବସ୍ଥାରେ ବିଦ୍ୟାଳୟ ପରିଚାଳନା ହେଉନାହିଁ। ଏଥିସହ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ଅନେକ ସରକାରୀ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ବ ନେବାକୁ ପଡୁଛି। ମୁଁ ଆଦୌ ବର୍ତ୍ତମାନର ମଧ୍ୟାହ୍ନ ଭୋଜନ ପରିଚାଳନା ବ୍ୟବସ୍ଥା ସପକ୍ଷରେ ନୁହେଁ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରୁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସଂପୂର୍ଣ୍ଣ ଦୂରେଇ ରଖିବା ଉଚିତ। କାରଣ, ଏହାଦ୍ବାରା ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ମଧ୍ୟାହ୍ନ ଭୋଜନ ପରିଚାଳନା ପାଇଁ ଅନ୍ୟମାନଙ୍କୁ ନିଯୁକ୍ତି ଦେବା ଆବଶ୍ୟକ। ମୁଁ ଜାଣିବାରେ ୮୦ ଦଶକ ମଧ୍ୟଭାଗରୁ ପ୍ରାଥମିକ ଶିକ୍ଷାର ଅଧୋଗତି ଆରମ୍ଭ ହେଲା। ବିଦ୍ୟାଳୟରେ ସପ୍ତାହାନ୍ତ ବଗିଚା ଓ ସଫେଇ କାର୍ଯ୍ୟ ବାଧ୍ୟତାମୂଳକ ହେବା ଦରକାର। ଏହାଦ୍ବାରା ପରିବେଶ ସୁରକ୍ଷା ଓ ପାରିପାର୍ଶ୍ବିକ ପରିମଳ ବ୍ୟବସ୍ଥା ପରିଷ୍କାର ପରିଚ୍ଛନ୍ନ ରଖିବା ଶିକ୍ଷା ଦିଆଯାଇଥାଏ।
ସଂକ୍ଷେପରେ ସନ୍ତୋଷ କୁମାର
ଶିକ୍ଷାବିତ୍ ସନ୍ତୋଷ କୁମାର ତ୍ରିପାଠୀ ଜଗତସିଂହପୁର ଜିଲ୍ଲାର କାଦୁଅାପଡ଼ା ପଞ୍ଚାୟତ ଅନ୍ତର୍ଗତ ଦାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ବାପା ସାରଦାଚରଣ ତ୍ରିପାଠୀ ଶିକ୍ଷକ ଥିବାରୁ ବିଦ୍ୟାଳୟ ଜୀବନରୁ ସନ୍ତୋଷଙ୍କୁ ଶୃଙ୍ଖଳିତ ତଥା ପୂର୍ଣ୍ଣାଙ୍ଗ ଛାତ୍ର ଭାବେ ଗଢ଼ିତୋଳିବାକୁ ଉଦ୍ୟମ କରିଥିଲେ। ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମେଧାବୃତ୍ତି ପାଉଥିଲେ। ୧୯୭୬ ମସିହାରେ ଗାଦୀବ୍ରହ୍ମ ବିଦ୍ୟାପୀଠରୁ ହାଇସ୍କୁଲ୍ ଶିକ୍ଷା, ବେସିକ୍ ସାଇନ୍ସ କଲେଜରୁ ଆଇ.ଏସ୍ସି. ଏବଂ ସ୍ବାମୀ ବିବେକାନନ୍ଦ କଲେଜରୁ ପ୍ରାଣୀ ବିଜ୍ଞାନ ଅନର୍ସ (ସମ୍ମାନ)ରେ ସ୍ନାତକ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ‘ମାନବ ସମ୍ବଳ ପରିଚାଳନା ଓ ଶିଳ୍ପ ସଂପର୍କ’ରେ ସ୍ନାତକୋତ୍ତର, ଏମ୍ଫିଲ୍ ଓ ପି.ଏଚ୍ଡି. କରିଥିଲେ। ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପର୍ସନାଲ୍ ମ୍ୟାନେଜ୍ମେଣ୍ଟ୍ ଭଳି ଖ୍ୟାତିସଂପନ୍ନ ଅନୁଷ୍ଠାନରୁ ସେ ଗୋଲ୍ଡ୍ ମେଡାଲ୍ ମଧ୍ୟ ପାଇଥିଲେ। ଜଣେ ଦକ୍ଷ ମାନବ ସମ୍ବଳ ପରିଚାଳନା ବିଶେଷଜ୍ଞ ଓ ଶିକ୍ଷାବିତ୍ ଭାବେ ପ୍ରଫେସର ତ୍ରିପାଠୀ ସୁପରିଚିତ। ବ୍ୟସ୍ତବହୁଳ ଶିକ୍ଷାଦାନ ଓ ପ୍ରାଶାସନିକ କାର୍ଯ୍ୟ ସହିତ ପ୍ରଫେସର୍ ତ୍ରିପାଠୀ ବିଶ୍ୱବିଦ୍ୟାଳୟ ନିକଟବର୍ତ୍ତୀ ନୂଆପାଢ଼ି ଓ ମର୍ଦ୍ଦରାଜପୁର ଆଦିବାସୀ ଓ ହରିଜନ ଗ୍ରାମବାସୀଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟକ୍ରମ ପରିଚାଳନା କରି ଅନ୍ୟ ବିଶ୍ୱବିଦ୍ୟାଳୟ ପାଇଁ ନୂତନ ଆଦର୍ଶ ବାର୍ତ୍ତା ବାଣ୍ଟିଛନ୍ତି। ଚାନ୍ଦିପୁର ସମୁଦ୍ର ଉପକୂଳରେ ଜୈବବିବିଧତାର ସୁରକ୍ଷା ସଚେତନତା ସହିତ ପ୍ଲାଷ୍ଟିକ୍ ସଫେଇ କାର୍ଯ୍ୟକ୍ରମକୁ ନେଇ ମଧ୍ୟ ପ୍ରଫେସର ତ୍ରିପାଠୀ ଚର୍ଚ୍ଚାରେ ରହିଛନ୍ତି। ବିଶ୍ବବିଦ୍ୟାଳୟ ପରିସର ଭିତରକୁ ଯାନବାହନ ପ୍ରବେଶ ଉପରେ ନିେଷଧାଦେଶ ଜାରି କରି ସେ ପରିବେଶ ପ୍ରୀତି ଓ ଦାୟିତ୍ବେବାଧର ପରିଚୟ ଦେଇଛନ୍ତି।
ସେହିପରି ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯିବା ଉପରେ ଆପଣଙ୍କ ମତ କ’ଣ? ଜଣେ ଶିକ୍ଷାବିତ୍ ଭାବେ ଆପଣ ଏହାକୁ ସମର୍ଥନ କରନ୍ତି?
ଆଜିକାଲି ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟିତ୍ରୀଙ୍କର ଅନ୍ତରଙ୍ଗ ସଂପର୍କେର ଅବକ୍ଷୟ ଘଟିଛି। ଆମ ସମୟରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସବୁଠି ଉଭୟଙ୍କ ସଂପର୍କ ନିବିଡ଼ ଥିଲା। ଦଣ୍ଡମୁକ୍ତ ବିଦ୍ୟାଳୟ ପ୍ରସଙ୍ଗ ଉପରେ ମୁଁ ସହମତ ନୁହେଁ। କାରଣ, ଭକ୍ତି ଓ ଭୟ ନ ରହିଲେ ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟିହେବା କଷ୍ଟକର। ଏହାର ଅର୍ଥ ନୁହେଁ ହିଂସ୍ର ହୋଇ ଛାତ୍ରଛାତ୍ରୀମାନଙ୍କୁ ଦଣ୍ଡଦେବା। ପ୍ରାଚୀନ ଗୁରୁକୁଳ ଓ ଆମ ସମୟର ଶିକ୍ଷାପଦ୍ଧତି ଅନୁଧ୍ୟାନ କଲେ ଏହା ସହଜରେ ବୁଝାପଡ଼ିବ। ଗୁରୁଶିଷ୍ୟ ପରମ୍ପରାରେ ଅଧୋଽଗତି ଦେଖାଦେଇଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଶିକ୍ଷୟିତ୍ରୀ ଆପଣାର ଭାବୁଥିବା ନଜିର୍ ମିଳୁନାହିଁ। ଶିକ୍ଷା ବ୍ୟାବସାୟକରଣ ଯୋଗୁଁ ପାରମ୍ପରିକ ଗୁରୁଶିଷ୍ୟ ସଂପର୍କର ବନ୍ଧନ ଭାଙ୍ଗିଯାଇଛି।
ଭାରତରେ ବେକାରି ସମସ୍ୟା ବୃଦ୍ଧି ପାଉଛି। ମାନବ ସମ୍ବଳର ଉତ୍ତମ ପରିଚାଳନା ପାଇଁ ଆପଣ କେଉଁଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦେବେ?
ଭାରତରେ ମାନବ ସମ୍ବଳ ପରିଚାଳନା ଆଜି ସବୁଠାରୁ ବଡ଼ ଆହ୍ବାନ ପାଲଟିଛି। ସେଥିପାଇଁ ଚାକିରି ଢାଞ୍ଚାରେ ପରିବର୍ତ୍ତନ ଆବଶ୍ୟକ। ଭାରତ ଏକ ଗ୍ରାମବହୁଳ ଓ କୃଷିପ୍ରଧାନ ଦେଶ। କିନ୍ତୁ, ସମ୍ପ୍ରତି ଭାରତର କୃଷି ବ୍ୟବସ୍ଥା ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି। ତେଣୁ, ଗ୍ରାମାଞ୍ଚଳର ବିକାଶ ଓ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଲେ ମାନବ ସମ୍ବଳର ସଦ୍ ବିନିଯୋଗ ହୋଇପାରିବ। ଏହା ଜନସାଧାରଣଙ୍କର ଅର୍ଥନୈତିକ ପ୍ରଗତିରେ ବି ସହାୟକ ହେବ। ଗ୍ରାମୀଣ ହସ୍ତ ଓ କୁଟୀରଶିଳ୍ପକୁ ଅଧିକ ପ୍ରୋତ୍ସାହନ ଦେଇପାରିଲେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ସୃଜନଶୀଳତାକୁ ଆଗକୁ ବଢ଼ାଇପାରିଲେ ମାନବ ସମ୍ବଳର ସଦ୍ ବିନିଯୋଗ ହେବ ଏବଂ ଶିଳ୍ପର ବାସ୍ତବ ବିକାଶ ଘଟିବ। ‘ଭୋକାଲ୍ ଫର୍ ଲୋକାଲ୍’ ଓ ଦକ୍ଷତା ବିକାଶ ଭଳି ସରକାରୀ ଯୋଜନା ଅଧିକରୁ ଅଧିକ କାର୍ଯ୍ୟକାରୀ ହେବା ଉଚିତ। କିନ୍ତୁ ଏହାର ସଠିକ୍ ପରିଚାଳନା ଓ ରୂପାୟନ ସମସ୍ତଙ୍କର ଦାୟିତ୍ବ।
ଓଡ଼ିଶା ପରିପ୍ରେକ୍ଷୀରେ ଏ ପ୍ରସଙ୍ଗରେ ଆପଣଙ୍କ ମତ କ’ଣ?
କୃଷିଭିତ୍ତିକ ଶିଳ୍ପ ପ୍ରତି ଅଧିକ ଧ୍ୟାନଦେବା ଆବଶ୍ୟକ। ଓଡ଼ିଶା ପରିପ୍ରେକ୍ଷୀରେ ଦୁଇଟି କଥା କହୁଛି। ବାଲେଶ୍ବର ଓ ଜଗତସିଂହପୁର ଭଳି ଜିଲ୍ଲାରେ ଯଦି ଆପଣ ପାନ-ମୀନ-ଧାନ ଚାଷ ପାଇଁ ଉଚିତ ସମୟରେ ଏବଂ ଠିକ୍ ଭାବେ ସରକାରୀ ସହାୟତା ଯୋଗାଇ ପାରିବେ ତେବେ ବ୍ୟାପକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟିହେବ। ପରବର୍ତ୍ତୀ ସମୟରେ ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଆର୍ଥିକ ପ୍ରଗତି କରି ଜନସାଧାରଣଙ୍କୁ ସ୍ବାବଲମ୍ବୀ କରିବ। ସେହିପରି ଓଡ଼ିଶାର ବ୍ୟାପକ ଅଞ୍ଚଳରେ ତାଳ ଓ ଖଜୁରି ଗଛ ରହିଛି। ଯଦି ଏଥିରୁ ଉତ୍ପାଦିତ ସାମଗ୍ରୀ ପାଇଁ ପ୍ରୋତ୍ସାହନ ଦିଆଯାଏ ତେବେ ଓଡ଼ିଶା ସ୍ବାବଲମ୍ବୀ ହେବ ଏବଂ ଯୁବପିଢ଼ି ଆତ୍ମନିର୍ଭରଶୀଳ ହୋଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/19/oBY0L8jxQuEINhBAGiQV.jpg)