ଭୁବନେଶ୍ବର: ଏ ବର୍ଷ ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଗଣମାଧ୍ୟମରେ ଏ ନେଇ ବାଦବିବାଦ ଚାଲିଛି। ଏକ ବୈଦ୍ୟୁତିକ ଗଣମାଧ୍ୟମରେ ବିତର୍କ ଶୁଣିବା ପରେ ବି ହରିବାବୁଙ୍କ ମନରୁ ସଂଶୟ ଦୂର ହେଲା ନାହିଁ । କାରଣ ବିତର୍କ କରିବାବାଲା ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇ ଦୁଇ ପ୍ରକାର ମତ ଦେଉଛନ୍ତି। ହରି ବାବୁ ତାଙ୍କ ଘରେ ଥିବା ୫-୬ଟି ପାଞ୍ଜି ଓଲଟେଇ ଦେଖିଲେ। ମୁକ୍ତିମଣ୍ଡପ ପଣ୍ଡିତସଭା ଅନୁମୋଦିତ ପାଞ୍ଜିରେ ୨୦ ତାରିଖରେ ହେବ ବୋଲି ଲେଖା ଥିବା ବେଳେ ଅନ୍ୟ ସବୁ ପାଞ୍ଜି ୨୧ ତାରିଖରେ ଦେଇଛନ୍ତି। ସନ୍ଦେହମୋଚନ ପାଇଁ ପାଞ୍ଜିକାର ମାଗୁଣି ପଣ୍ଡିତଙ୍କ ଘରକୁ ଗଲେ। ପ୍ରାତଃଭ୍ରମଣ ସାରି ପଣ୍ଡିତେ ତାଙ୍କ ଅଗଣାରେ ଚଉକି ପକାଇ ବସି ପ୍ରାତରାଶ କରୁଥିଲେ। ହରିବାବୁଙ୍କୁ ଦେଖି କହିଲେ- ଆସନ୍ତୁ, ଆସନ୍ତୁ ହରିବାବୁ, ଆମ ସାଙ୍ଗରେ ଟିକେ ଜଳଯୋଗ କରନ୍ତୁ । 

Advertisment

ହରିବାବୁ- ନାଇଁ, ମୁଁ ଘରୁ ଖାଇ ଆସିଛି। 
ପଣ୍ଡିତେ- ହଉ, ତା’ ହେଲେ ଚା ଟିକେ ହଉ ! ହେ ମାଳତୀ! ଦୁଇ କପ୍ ଅଦା-ମହୁ-ତୁଳସୀ ପକା ଚା ଆଣ। ଚିନି ପଡ଼ିବନି। (ତା’ପରେ ହରିବାବୁଙ୍କ ପଚାରିଲେ) ଏଥର ଆଗମନର ଅଭିପ୍ରାୟ କହିବା ହୁଅନ୍ତୁ।
ହରିବାବୁ- କଥା କ’ଣ କି, ଏବର୍ଷ ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ବନ୍ଦ୍ବ ଉପୁଜିଛି। ଅକ୍ଟୋବର ୨୦ ନା ୨୧ କେଉଁ ଦିନ ପାଳନ ହେବ- ସେ ନେଇ ଆପଣଙ୍କ ମତ କ’ଣ କୁହନ୍ତୁ।

ପଣ୍ଡିତେ- କିଛି ପାଞ୍ଜିକାର ଶାସ୍ତ୍ର ପଢ଼ୁନାହାନ୍ତି। ଆଉ ମୁକ୍ତିମଣ୍ଡପ ପଣ୍ଡିତସଭାରେ ତ ଜ୍ୟୋତିଷଶାସ୍ତ୍ର ଉପରେ ଜ୍ଞାନ ଥିଲାବାଲା କେହି ନାହାନ୍ତି। ତେଣୁ ସେମାନେ ଭୁଲ ନିଷ୍ପତ୍ତି ନେଉଛନ୍ତି। ‘ଆମ ପାଞ୍ଜି’ ଦେଖ, ସେଥିରେ ୨୦ ତାରିଖରେ କାଳୀପୂଜା ଏବଂ ୨୧ ତାରିଖରେ ଦୀପାବଳି ଓ ପୟାଶ୍ରାଦ୍ଧ ହେବ ବୋଲି ଲେଖା ଅଛି । ଏ ତିନିଟା ପର୍ବର ତିଥି ହେଉଛି ଅମାବାସ୍ୟା । ଅମାବାସ୍ୟା ମଧ୍ୟରାତ୍ରକୁ ଥିଲେ କାଳୀପୂଜା ହୁଏ। ସେହି ହିସାବରେ ୨୦ ତାରିଖରେ ଦିଆଯାଇଛି। କାରଣ ଅମାବାସ୍ୟା ୨୦ ତାରିଖ ଦିବା ୦୩ଟା ୪୫ରୁ ଆରମ୍ଭ ହୋଇ ୨୧ ତାରିଖ ସୂର୍ଯ୍ୟାସ୍ତ (୫ଟା ୧୫) ପରେ ସନ୍ଧ୍ୟା ୦୫ଟା ୫୪ ପର୍ଯ୍ୟନ୍ତ ରହୁଛି। ଦୀପାବଳିରେ ସନ୍ଧ୍ୟାରେ ଦୀପଦାନ କରାଯାଏ, କାଉଁରିଆ କାଠି ଜାଳି ବଡ଼ବଡ଼ୁଆ ଡକାଯାଏ ଓ ସେମାନଙ୍କୁ ଆଲୁଅ ଦେଖାଇ ବିଦାୟ ଦିଆଯାଏ। ଏହାର କାର୍ଯ୍ୟକାଳ ପ୍ରଦୋଷ। ଦୁଇଦିନ ପ୍ରଦୋଷକୁ ଥିଲେ ପରଦିନ ପାଳନୀୟ ବୋଲି ଶାସ୍ତ୍ର କହିଛି। ଆଉ ମହାଳୟା ଶ୍ରାଦ୍ଧ ଯେଉଁମାନେ କରିପାରି ନ ଥାନ୍ତି, ସେମାନେ ଦିନରେ ପୟାଶ୍ରାଦ୍ଧ କରନ୍ତି। ଏହାର କାର୍ଯ୍ୟକାଳ ପଞ୍ଚଧା ବିଭକ୍ତ ଦିନମାନର ୪ର୍ଥ ଭାଗରୂପ ଅପରାହ୍ଣ। ଏହାର କାର୍ଯ୍ୟକାଳକୁ ପୂର୍ବଦିନ ତିଥି ଅଳ୍ପ ଥିବା ବେଳେ ପରଦିନ ପୂରା ରହୁଥିବାରୁ ଏହା କେବଳ ପରଦିନ ଅର୍ଥାତ୍ ୨୧ ତାରିଖରେ ହିଁ ପାଳନୀୟ। ଅର୍ଥାତ୍ କେବଳ ୨୧ ତାରିଖରେ ହିଁ ଅପରାହ୍ଣରେ ପୟାଶ୍ରାଦ୍ଧ କରି (ଯେଉଁମାନେ ମହାଳୟା ଶ୍ରାଦ୍ଧ କରି ନ ଥିବେ) ସନ୍ଧ୍ୟାରେ ଦୀପଦାନ ପୂର୍ବକ ବଡ଼ବଡ଼ୁଆ ଡାକିବା ଉଚିତ। ଏଥିରେ ଆଉ ସନ୍ଦେହ ରହିଲା କେଉଁଠି?

ହରିବାବୁ- ଆଉ ସେମାନେ ଯେଉଁ ଯୁକ୍ତି କରୁଛନ୍ତି? 
ପଣ୍ଡିତେ- ସେମାନେ ପାଞ୍ଜିରେ ଭୁଲ୍ କରିଛନ୍ତି। ଏବେ ନିଜ ଦୋଷ ଲୁଚେଇବାକୁ ନିଜର ଭୁଲ ସପକ୍ଷରେ ଯୁକ୍ତି କରିବାକୁ ବାଧ୍ୟ। 
ହରିବାବୁ- ପଣ୍ଡିତସଭା ତ ସେମାନଙ୍କୁ ପ୍ରମାଣପତ୍ର ଦେଇଛି। 

ଏଥର ପଣ୍ଡିତେ ଚିଡ଼ିଉଠି କହିଲେ- ପଣ୍ଡିତସଭା ନୁହଁ ହେ, ଅପଣ୍ଡିତସଭା କହ। କାରଣ ସେମାନଙ୍କ ମଧ୍ୟରେ କେହି ଜ୍ୟୋତିର୍ବିଦ୍ ପଣ୍ଡିତ ନାହାନ୍ତି। ତା’ଛଡ଼ା ଏ ପଣ୍ଡିତସଭାର କାର୍ଯ୍ୟକାଳ ୨୦୨୦ ମସିହାରୁ ପୂରିଯାଇଛି। ତା’ପରେ ଆଉ ନିର୍ବାଚନ ହୋଇନାହିଁ। ତେଣୁ ଏ ଯେଉଁ ପଣ୍ଡିତସଭା ଅଛି, ତାହା ଅବୈଧ। ସେମାନଙ୍କର କି ଅଧିକାର ଅଛି, ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ବିନା ଅନୁମ‌ୋଦନରେ ପ୍ରମାଣପତ୍ର ଦେବାକୁ? 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨