ଏକ ସର୍ଭେ ଅନୁସାରେ ୪୨% ବୟସ୍କ ବ୍ୟକ୍ତି ସ୍ନାନ କରି ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରନ୍ତି ଓ ୨୫% ବ୍ୟକ୍ତି ରାତିରେ ଗାଧୋଇବାକୁ ପସନ୍ଦ କରନ୍ତି। ୟୁନାଇଟେଡ୍‌ କିଙ୍ଗଡମ୍‌ର ଲିସେଷ୍ଟର ବିଶ୍ୱବିଦ୍ୟାଳୟର କ୍ଲିନିକାଲ୍ ଅଣୁଜୀବବିଜ୍ଞାନ ବିଭାଗର ଅଧ୍ୟାପକ ଡକ୍ଟର ପ୍ରିମରୋଜ୍ ଫ୍ରିଷ୍ଟୋନଙ୍କ ଅନୁଯାୟୀ, ଏ ଭିତରୁ ଗୋଟିଏ ପସନ୍ଦ ଅଧିକ ସ୍ବାସ୍ଥ୍ୟପ୍ରଦ। ଶରୀର ସଫା ରଖିବା ଓ ଜୀବାଣୁ ବୃଦ୍ଧିକୁ ରୋକିବା ପାଇଁ ଗାଧୋଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଅନ୍ୟଥା ସଂକ୍ରମଣ ଓ ଦୁର୍ଗନ୍ଧ ସୃଷ୍ଟି ହୋଇପାରେ। ଗାଧୋଇବା ମଧ୍ୟ ଆମ ମାନସିକ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ବୋଲି ବିଶେଷଜ୍ଞମାନଙ୍କ ମତ। ତେବେ କେତେବେଳେ ଗାଧୋଇବା ଉଚିତ, ତାହା ହିଁ ମୁଖ୍ୟ ପ୍ରସଙ୍ଗ। 

Advertisment

ସକାଳ ସ୍ନାନ ପ୍ରଶଂସକମାନେ କହନ୍ତି ଯେ ଏହା ସେମାନଙ୍କୁ ଉଠିବା ଓ ଉର୍ଜାପୂର୍ଣ୍ଣ ଅନୁଭବ କରିବାରେ ସାହାଯ୍ୟ କରେ। ଅପରପକ୍ଷେ, ରାତ୍ରିସ୍ନାନ ଭକ୍ତମାନଙ୍କର ଯୁକ୍ତି ହେଲା, ଶୋଇବା ପୂର୍ବରୁ ତମାମ ଦିନର ମଇଳା ଓ ଧୂଳିକୁ ଘଷି ଛଡ଼ାଇବା ଜରୁରି। ତେବେ ଡକ୍ଟର ପ୍ରିମରୋଜ୍ ଫ୍ରିଷ୍ଟୋନଙ୍କ ଅନୁଯାୟୀ ସକାଳେ ଗାଧୋଇବା ଅଧିକ ଲାଭଦାୟକ। କାରଣ ବିଛଣାରେ ଜମିଥିବା ବ୍ୟାକ୍ଟେରିଆଗୁଡ଼ିକ ରାତିରେ ଶରୀରରେ ଲାଖିରହିଥିଲେ ସେଗୁଡ଼ିକ ସଫା ହୋଇଯାଆନ୍ତି ଓ ଦିନସାରା ଶରୀରରୁ ଦୁର୍ଗନ୍ଧ ବାହାରିବାର ଆଶଙ୍କା ହ୍ରାସ ପାଏ। ଦୀର୍ଘ ସମୟ ସତେଜ ରହିବା ପାଇଁ ସକାଳୁ ସ୍ନାନ କରିବା ସହିତ ନିୟମିତ ବିଛଣା ଚାଦର ବଦଳାଇବା ବେଶ୍ ଉପାଦେୟ ସାବ୍ୟସ୍ତ ହୋଇଥାଏ।