ଦିଗ୍ବଳୟ ନିକଟରେ ଚନ୍ଦ୍ର ଆମକୁ ବଡ଼ ଦେଖାଯାଏ ଏବଂ ସୁଦୂର ଆକାଶରେ ଦେଖିଲେ ଏହା ଛୋଟ ଦିଶେ। ସାଧାରଣତଃ ଆଲୋକର ପ୍ରତିସରଣ ଯୋଗୁଁ ଦିଗ୍ବଳୟରେ ଚନ୍ଦ୍ର ବଡ଼ ଦିଶେ ବୋଲି ଏକ ଧାରଣା ରହିଆସିଥିଲା। ମାତ୍ର ଏହା ଆମ ମସ୍ତିଷ୍କର ଭ୍ରାନ୍ତି ବୋଲି ପ୍ରମାଣିତ ହୋଇଛି। ଆମେରିକାରେ ଥିବା ବ୍ରାଣ୍ଡାଇସ୍ ବିଶ୍ବବିଦ୍ୟାଳୟର ମନୋବିଜ୍ଞାନ ପ୍ରଫେସର ମର୍ସିସ ହରସେନ୍ସନ୍ ଏହି ଭ୍ରାନ୍ତି ଦୂର କରିଛନ୍ତି।
ଚନ୍ଦ୍ର ଆକାରର ତାରତମ୍ୟକୁ ବିଶ୍ଳେଷଣ କରିବାକୁ ଯାଇ ସେ ଦୁଇଟି ପରୀକ୍ଷାର ସହାଯ୍ୟ ନେଇଥିଲେ। ପ୍ରଥମଟିରେ ଏକ କ୍ୟାମେରାକୁ ନେଇ ଜହ୍ନର ଦୁଇଟି ଫଟୋ ଉତ୍ତୋଳନ କରିଥିଲେ; ଗୋଟିଏ ଦିଗ୍ବଳୟ ନିକଟରେ ଏବଂ ଅନ୍ୟଟି ସୁଦୂର ଆକାଶ ବକ୍ଷରେ। ଫଟୋ ଦୁଇଟିକୁ ନିରୀକ୍ଷଣ କରି ଜଣାପଡ଼ିଥିଲା ଯେ ଆକାଶରେ ଅବସ୍ଥିତି ନେଇ ଜହ୍ନର ଆକାରରେ କୌଣସି ପରିବର୍ତ୍ତନ ହୁଏ ନାହିଁ।
ଅନ୍ୟ ପରୀକ୍ଷଟି ଅତି ସରଳ; ଗୋଟିଏ କାଗଜକୁ ସିଲିଣ୍ଡର୍ ଆକୃତିର କରି ତାହା ମଧ୍ୟ ଦେଇ ଆମେ ଯଦି ଚନ୍ଦ୍ରକୁ ନିରୀକ୍ଷଣ କରିବା ତେବେ ସ୍ଥାନ ପରିବର୍ତ୍ତନ ଦ୍ବାରା ଜହ୍ନର ଆକାରରେ କୌଣସି ପରିବର୍ତ୍ତନ ହେଉନଥିବା ଲକ୍ଷ୍ୟ କରିହେବ। ସେ ମଧ୍ୟ ଚଳଚ୍ଚିତ୍ରରେ ଜହ୍ନକୁ ବଡ଼ କରି ଦେଖାଯାଉଥିବା ଦୃଶ୍ୟର ବ୍ୟାଖ୍ୟା କରିଛନ୍ତି। ଚଳଚ୍ଚିତ୍ରରେ କ୍ୟାମେରାମ୍ୟାନ୍ ଅତି ଚତୁରତାର ସହ ଲମ୍ବା ଲେନ୍ସ ବ୍ୟବହାର କରି ଫ୍ରେମ୍ ମଧ୍ୟରେ ସୁଉଚ୍ଚ ଅଟ୍ଟାଳିକା, ପାହାଡ଼ ଏବଂ ଗଛଲତାକୁ ସ୍ଥାନ ଦେଇ ଚନ୍ଦ୍ରକୁ ବଡ଼ କରି ଦେଖାଇଥାନ୍ତି। ବିରାଟ ଅଟ୍ଟାଳିକା ଓ ବୃକ୍ଷ ଆଦିର ପ୍ରଚ୍ଛଦରେ ରହି ଚନ୍ଦ୍ର ଅପେକ୍ଷାକୃତ ବଡ଼ ଦେଖାଯାଏ।