ଅନ୍ଧ ଭାବେ ବିଶ୍ବାସ କରିବାର ପରିଣତି କେତେ ଭୟଙ୍କର ହୋଇପାରେ ତାହାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଜଣେ ସ୍ପେନୀୟ ବୃଦ୍ଧ ମହିଳାଙ୍କ କ୍ଷେତ୍ରରେ। ଜଣେ ଠକ ଫୋନ୍‌ରେ ସ୍ବୟଂ ଈଶ୍ବର ବୋଲି ପରିଚୟ ଦେଇ ତାଙ୍କ ଠାରୁ ୩ ଲକ୍ଷ ୟୁରୋ ବା ପାଖାପାଖି ୨ କୋଟି ୭୬ ଲକ୍ଷ ଟଙ୍କା ଠକି ନେଇଛି। ସ୍ପେନ୍‌ର ଲିଅନ୍‌ରେ ବାସ କରୁଥିବା ଏସ୍ପରାଞ୍ଜା ନାମ୍ନୀ ଏହି ମହିଳା ଖୁବ୍ ଈଶ୍ବର ବିଶ୍ବାସୀ। ଏହାର ଲାଭ ଉଠାଇବା ଲାଗି ଜଣେ ସ୍ଥାନୀୟ ଦୋକାନୀ ତାଙ୍କୁ ଧାର୍ମିକ ରହସ୍ୟ ଜାଲରେ ପକାଇବା ଆରମ୍ଭ କରିଥିଲା। ୨୦୧୩ ମସିହାରେ ତାଙ୍କୁ ଠକ ଦୋକାନୀ ଫୋନ୍ କରି କହିଥିଲା, ‘ତୁମେ ମାଆ ମେରିଙ୍କ ଦ୍ବାରା ବଛାଯାଇଥିବା ଜଣେ କୁଆଁରୀ ସନ୍ନ୍ୟାସିନୀ’। ସ୍ବୟଂ ଭଗବାନ ଫୋନ୍ କରିଛନ୍ତି ବିଶ୍ବାସ କରି ମହିଳାଜଣକ ନିଜର ସବୁ କିଛି ଉତ୍ସର୍ଗ କରିଦେବାକୁ ପ୍ରସ୍ତୁତ ହୋଇଗଲେ। ଠକ ଜଣକ ଈଶ୍ବରଙ୍କ ପରିଚୟ ଦେଇ ବୃଦ୍ଧାଙ୍କୁ ଆଦେଶ ଦେଇଥିଲା ଯେ ସେ ଈଶ୍ବରଙ୍କ ବ୍ୟାଙ୍କ୍‌ରେ ନିୟମିତ ଟଙ୍କା ରଖନ୍ତୁ।

Advertisment

ଏହି ଟଙ୍କାରୁ ସର୍ବାଧିକ ସୁଧ ମିଳିବ ଏବଂ ସ୍ବର୍ଗକୁ ଗଲା ପରେ ଉକ୍ତ ଟଙ୍କାରେ ସେ ନିଜର ଘର ତିଆରି କରିପାରିବେ ବୋଲି ତାଙ୍କୁ ପ୍ରତିଶ୍ରୁତି ମିଳିଥିଲା। ତେଣୁ ସେ ପାଖ ଦୋକାନସ୍ଥିତ ଏକ ହୁଣ୍ଡିରେ ନିୟମିତ ନିଜର ସଞ୍ଚିତ ଅର୍ଥ ରଖିଚାଲିଥିଲେ। ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେ ଦୁଇଟି ବ୍ୟାଙ୍କ ଋଣ ମଧ୍ୟ କରିଥିଲେ। ଛଅ ବର୍ଷରେ ସେ ଏହିଭଳି ଭାବରେ ପ୍ରାୟ ତିନି ଲକ୍ଷ ୟୁରୋରୁ ଅଧିକ ମୁଦ୍ରା ସେଥିରେ ପକାଇଥିବା ଜଣାଯାଇଛି। ଏ ବିଷୟରେ କାହାକୁ କିଛି ଜଣାଇଲେ ପରିବାରର ସମସ୍ତେ ମୃତ୍ୟୁବରଣ କରିବେ ବୋଲି ଛଦ୍ମବେଶୀ ଠକ ଧମକ ଦେଇଥିବାରୁ ଏସ୍ପରାଞ୍ଜା ନିଜ ପିଲାମାନଙ୍କୁ ବି କିଛି ଜଣାଇନଥିଲେ। ତେବେ ପିଲାମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସବୁ ଖାଲି ହୋଇଯାଇଥିବା ଦେଖିଲା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ନିକଟରେ ଈଶ୍ବରଙ୍କ ପରିଚୟ ଦେଇ ବୃଦ୍ଧାଙ୍କୁ ଠକିଥିବା ଅଭିଯୁକ୍ତ ଦୋକାନୀ ବିରୋଧରେ କୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଏଥିପାଇଁ ଠକ ଦୋକାନୀ ୮ ବର୍ଷର ଜେଲ୍‌ ଦଣ୍ଡ ଭୋଗିପାରେ।