ବିଶେଷ ଭୌଗୋଳିକ ସ୍ଥିତି କିମ୍ବା ଉଲ୍ଲେଖନୀୟ ଇତିହାସ ପାଇଁ ଅନେକ ଦ୍ବୀପ ପରିଚିତ। ଡେନ୍ମାର୍କର ‘ଲିଟଲା ଡିମୁନ୍’ ଦ୍ବୀପ ଏକ ଭିନ୍ନ କାରଣ ପାଇଁ ଚର୍ଚ୍ଚାର ବିଷୟ ହୋଇଛି। ଡେନ୍ମାର୍କର ଫାରୋ ଦ୍ବୀପପୁଞ୍ଜ ଅନ୍ତର୍ଗତ ଏହି କ୍ଷୁଦ୍ରତମ ଦ୍ବୀପ ତାହାର ଅନନ୍ୟ ପାଣିପାଗ ପାଇଁ ପ୍ରସିଦ୍ଧ। ବେଳେ ବେଳେ ଦ୍ବୀପ ଉପରେ ମୁକୁଟ ସଦୃଶ ଘେରି ରହିଥିବା ମେଘଖଣ୍ଡ ମନରେ ପରୀରାଇଜ ଦୃଶ୍ୟର ଭ୍ରମ ସୃଷ୍ଟି କରିଥାଏ। ସାଧାରଣତଃ ପର୍ବତ ଶିଖର ଉପରେ ଆର୍ଦ୍ର ବାୟୁ ପ୍ରବାହିତ ହେଲେ ଏପରି ମେଘଖଣ୍ଡ ସୃଷ୍ଟି ହୋଇଥାଏ।
ଏ ପ୍ରକ୍ରିୟା ଏହିପରି- ଯେତେବେଳେ ସ୍ଥଳଭାଗ ଉପରକୁ ଗତି କରୁଥିବା ପବନ ସିଧାସଳଖ ପର୍ବତ ଉପର ବାୟୁ ପ୍ରବାହକୁ ଆଘାତ କରେ, ସେତେବେଳେ ପର୍ବତର ତଳ ପାର୍ଶ୍ବରେ ଏକ ପ୍ରକାର ତରଙ୍ଗ ସୃଷ୍ଟି ହୋଇଥାଏ। ଏହି ତରଙ୍ଗ ପ୍ରଭାବରେ ତଳକୁ ଖସୁଥିବା ଆର୍ଦ୍ରବାୟୁ ବାଷ୍ପୀଭୂତ ହୋଇ ପରେ ପର୍ବତ ଶିଖରରେ ଏକ ବିଶାଳ ଉଡ଼ନ୍ତା ଥାଳିଆ ଆକାରର ବାଦଲରେ ଘନୀଭୂତ ହୋଇଥାଏ।
ଡିମୁନ୍ ଦ୍ବୀପର ଆଉ ଏକ ବିଶେଷତ୍ବ ହେଲା, ଏଠାରେ ମାନବ ଜନବସତି ନାହିଁ। ତେବେ ଏହି ରହସ୍ୟମୟ ଦ୍ବୀପକୁ ପର୍ଯ୍ୟଟକମାନେ ବୁଲିବାକୁ ଗଲେ ସେଠାରେ ମଣିଷ ବଦଳରେ ମେଣ୍ଢା ପଲଙ୍କୁ ଦେଖିପାରିବେ। ନିଓଲିଥିକ୍ ଯୁଗରୁ ସେଠାରେ ମେଣ୍ଢା ରହୁଛନ୍ତି। ଊନବିଂଶ ଶତାବ୍ଦୀ ବେଳକୁ ଶିକାର ଯୋଗୁଁ ସେମାନଙ୍କର ବଂଶ ଲୋପ ପାଇଯାଇଥିଲା। ପରେ ସେଠାରେ ମେଣ୍ଢା ପାଳନ କରାଯାଇଥିଲା ଏବଂ ମେଷପାଳକମାନେ ବର୍ଷକୁ ଥରେ ଉକ୍ତ ଦ୍ବୀପକୁ ଯାଇ ସେମାନଙ୍କ ମେଣ୍ଢାଙ୍କର ହିସାବ ରଖନ୍ତି। ସେଠିକି ମଣିଷର ପାଦ ଚିହ୍ନ ପଡ଼ିବାର ପ୍ରମାଣ ହେଉଛି ସୀମାନ୍ତ ପାହାଡ଼ର ପଥର ଦାଢ଼ରେ ଲାଗିଥିବା ଦଉଡ଼ି, ଯାହା ସାହାଯ୍ୟରେ ମେଷପାଳକମାନେ ଉକ୍ତ ଦ୍ବୀପକୁ ପ୍ରବେଶ କରିଥା’ନ୍ତି। ପର୍ବତାରୋହଣର ଯେତେ ଦକ୍ଷତା ଥିଲେ ବି ଡିମୁନ୍ ଦ୍ବୀପ ବୁଲିବାକୁ ଯିବା ବିପଜ୍ଜନକ। ସମୁଦ୍ର ଶାନ୍ତ ଥିବା ସମୟରେ ଡଙ୍ଗା ସାହାଯ୍ୟରେ ସେଠିକି ଯାଇହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/133effde-903a-4c85-8c23-a58195fdde5e.jpg)