ମାଇନସ୍ ୯୦ଡିଗ୍ରି ତାପମାତ୍ରାରେ ୪୦୩ଦିନ ରହିଥିଲେ ୫୬ବର୍ଷୀୟ ମହିଳା

ନୂଆଦିଲ୍ଲୀ: ଇସ୍ରୋର ଜଣେ ମହିଳା ବୈଜ୍ଞାନିକ ଇତିହାସ ରଚିଛନ୍ତି। ୫୬ ବର୍ଷ ବୟସରେ ବି ସେ ଆଟାର୍କଟିକା ଭଳି ଥଣ୍ଡା ଦେଶରେ ଯେଉଁଠାରେ ତାପମାତ୍ରା ମାଇନସ୍ ୯୦ଡିଗ୍ରି ପର୍ଯ୍ୟନ୍ତ ଚାଲି ଯାଇଥାଏ ସେଠାରେ ୪୦୩ ଦିନ ପର୍ଯ୍ୟନ୍ତ ରହିଥିଲେ। ଏହି ମହିଳା ବୈଜ୍ଞାନିକଙ୍କ ନାମ ମଙ୍ଗଳା ମଣି । ଯିଏକି ଏହା ପୂର୍ବରୁ କେବେ ବି ଏଭଳି ବରଫାବୃତ୍ତ ସ୍ଥାନ ଗସ୍ତ କରି ନ ଥିଲେ।

ମଙ୍ଗଳା ୨୩ ଜଣ ସଦସ୍ୟଙ୍କ ସହିତ ଏକ ଯାଞ୍ଚ ଦଳ ସହିତ ୨୦୧୬ ନଭେମ୍ବରରେ ଆଟାର୍କଟିକାସ୍ଥିତ ଭାରତର ରିସର୍ଚ୍ଚ ଷ୍ଟେସନ୍‌ ଭାରତୀକୁ ଯାଇଥିଲେ। ଏହି ଦଳରେ ମଙ୍ଗଳା ଜଣେ ମାତ୍ର ମହିଳା ଥିଲେ। ତାଙ୍କୁ ନାରୀ ଶକ୍ତିର ପ୍ରତୀକ ବୋଲି କୁହାଯାଉଛି।

ମଣି ଗତବର୍ଷ ଡିସେମ୍ବରରେ ନିଜ ମିସନ ପୂରା କରି ଫେରିଥିଲେ। ମଙ୍ଗଳା କହିଛନ୍ତି, ଆଟାର୍କଟିକା ମିସନ୍‌ ମୋ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ସେଠାକାର ଜଳବାୟୁ ବହୁତ ଭିନ୍ନ। ଆମେ ଆମର ରିସର୍ଚ୍ଚ ଷ୍ଟେସନ୍‌ରୁ ବାହାରିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିଥାଉ। ପ୍ରତ୍ୟେକଙ୍କୁ ପୋଲର ପୋଷାକ ପରିଧାନ କରିବାକୁ ପଡ଼ିଥାଏ। ଅନେକ ଥର ଉଷ୍ମତା ପାଇଁ ଷ୍ଟେସନ୍‌କୁ ଫେରିବାକୁ ପଡ଼ିଥାଏ। ଆଶ୍ଚର୍ଯ୍ୟର କଥା ହେଉଛି ମୋର ଟିମ୍‌ ସଦସ୍ୟମାନେ ସେଠାରେ ମୋର ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ଏହି ମିସନ୍‌ରେ ସାମିଲ ହେବା ପୂର୍ବରୁ ଦିଲ୍ଲୀସ୍ଥିତ ଏମ୍ସରେ ଏକ ସପ୍ତାହ ଯାଏଁ ମୋର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟାବସ୍ଥାକୁ ପରଖା ଯାଇଥିଲା। ଏହାପରେ ଉତ୍ତରାଖଣ୍ଡର ଅଲି ଓ ବଦ୍ରୀନାଥରେ ୯,୦୦୦ ଓ ୧୦,୦୦୦ ଫୁଟ ଉଚ୍ଚକୁ ନିଆଁ ଯାଇଥିଲା। ସେଠାରେ ମୋର ଶାରୀରିକ କ୍ଷମତାକୁ ପରୀକ୍ଷା କରା ଯାଇଥିଲା।

ବର୍ଷ ୨୦୧୬-୨୦୧୭ ସମୟରେ ମଙ୍ଗଳା ପ୍ରଥମ ମହିଳା ବୈଜ୍ଞାନିକ ଥିଲେ ଯିଏକି ଷ୍ଟେସନ୍‌କୁ ଯାଇଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଚୀନ ଓ ରୁଷ ରିସର୍ଚ୍ଚ ଷ୍ଟେସନ୍‌ର ଟିମ୍‌ରେ ବି କୌଣସି ମହିଳା ସାମିଲ ନଥିଲେ।

ସମ୍ବନ୍ଧିତ ଖବର