ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ କାର୍ଯ୍ୟରତ ଦିଗେନ୍ଦ୍ରନାଥ ସ୍ବାଇଁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଶାନ୍ତିସ୍ବରୂପ ଭଟ୍ଟନାଗର ପୁରସ୍କାର ବିଜୟୀ ହୋଇଛନ୍ତି। ଷ୍ଟ୍ରକ୍ଚରାଲ୍ ଇଞ୍ଜିନିୟରିଂ ବିଭାଗରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଦିଗେନ୍ଦ୍ରନାଥ ଓ ତାଙ୍କ ସହଯୋଗୀ ରକେଟ୍ର ବିଭିନ୍ନ ଅଂଶର ଗଠନାତ୍ମକ ଅଖଣ୍ଡତା ପରୀକ୍ଷା କରିଥାଆନ୍ତି। ଉତ୍କ୍ଷେପଣ ଯାନର (ଏଲ୍.ଭି.) ବିଭିନ୍ନ ଅଂଶର କାର୍ଯ୍ୟକାରିତା ଓ ଦକ୍ଷତା ଯାଞ୍ଚ କରିବା, ସେଗୁଡ଼ିକରେ ଆବଶ୍ୟକ ଢାଞ୍ଚାଗତ ପରିବର୍ତ୍ତନ କରିବା, ଏହାର ପରୀକ୍ଷାମୂଳକ ପ୍ରୟୋଗ ତଥା ଅପ୍ଟିକାଲ୍ ଉପକରଣଗୁଡ଼ିକୁ ବିକଶିତ କରିବା ଆଦି କାର୍ଯ୍ୟ ସେମାନେ କରିଥାଆନ୍ତି। ନିକଟରେ ଇସ୍ରୋରେ କାର୍ଯ୍ୟରତ ଏହି ଓଡ଼ିଆ ବୈଜ୍ଞାନିକଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ଅନ୍ୟତମ ଶ୍ରେଷ୍ଠ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ କରିଥିଲେ। ‘ଇସ୍ରୋ ଦିବସ’ ଅବସରରେ ଏହି ପ୍ରତିଭାଶାଳୀ ଓଡ଼ିଆ ବୈଜ୍ଞାନିକଙ୍କ ସହିତ ‘ରବିବାର ସମ୍ବାଦ’ର ସ୍ୱତନ୍ତ୍ର ଆଲୋଚନା।
୧୯୬୯ ମସିହାରେ ଇସ୍ରୋ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ଆମେ କେତେ ଅଗ୍ରଗତି କରିଛନ୍ତି? ବିଶ୍ବରେ ଆମ ସ୍ଥାନ କେଉଁଠି?
ଆମେ ନିଜ ପ୍ରଯୁକ୍ତିରେ ରକେଟ୍ ଡିଜାଇନ୍ ସହ ସ୍ୱଦେଶୀ ଲଞ୍ଚ୍ପ୍ୟାଡ୍ରୁ ଏହାର ଉତ୍କ୍ଷେପଣ କରୁଛୁ। ଯେକୌଣସି ଆକାରର ଉପଗ୍ରହ ନିର୍ମାଣ କରିପାରୁଛୁ ଏବଂ ଏହାର ସଫଳ ଉତ୍କ୍ଷେପଣ ମଧ୍ୟ କରୁଛୁ। ଅନ୍ୟ ଦେଶର ଉପଗ୍ରହକୁ ମଧ୍ୟ ଇସ୍ରୋ ମହାକାଶକୁ ପଠାଉଛି। ତେବେ ଆମେ ଗବେଷଣା କ୍ଷେତ୍ରରେ ନିବେଶ ଏବଂ ରକେଟ୍ ଓ ଉପଗ୍ରହ ପ୍ରେରଣ ସଂଖ୍ୟାରେ କିଛିଟା ପଛରେ ଅଛୁ। ଆମେରିକା ପ୍ରତିବର୍ଷ ମହାକାଶ କାର୍ଯ୍ୟକ୍ରମ ପାଇଁ ୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଥିବା ବେଳେ ରୁଷ୍ ଓ ଚୀନ୍ ପ୍ରାୟ ୨୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଛନ୍ତି, କିନ୍ତୁ ଭାରତ ମାତ୍ର ୧.୮ ବିଲିୟନ୍ ଡଲାର୍ ଖର୍ଚ୍ଚ କରୁଛି। ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆମେ ଅନ୍ୟମାନଙ୍କ ସହିତ ପାଖାପାଖି ସ୍ଥିତିରେ ରହିଛୁ। ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ ଅବତରଣ କରାଇଲୁ। ଏହା ଏକ ଅସାଧାରଣ ସଫଳତା। ବର୍ତ୍ତମାନ ନିବେଶ ଓ କାର୍ଯ୍ୟ ପରିମାଣ ବୃଦ୍ଧି କରିବାର ଯଥେଷ୍ଟ ଆବଶ୍ୟକତା ରହିଛି।
‘ଅପରେସନ୍ ସିନ୍ଦୂର’ରେ ଇସ୍ରୋର ଭୂମିକା କିପରି ଗୁରୁତ୍ବପୂର୍ଣ୍ଣ ଥିଲା?
ଏଥିରେ ଆମ ଉପଗ୍ରହରୁ ଚିତ୍ର ଉତ୍ତୋଳନ ସାମର୍ଥ୍ୟର ସମ୍ପୂର୍ଣ୍ଣ ଉପଯୋଗ କରାଯାଇଥିଲା। ଯୁଦ୍ଧ କି ସାମରିକ ଉତ୍ତେଜନା ହେଉ କିମ୍ବା ନ ହେଉ, ଆମେ କ୍ରମାଗତ ଭାବେ ପଡ଼ୋଶୀ ଦେଶଗୁଡ଼ିକର ଚିତ୍ର ଉତ୍ତୋଳନ କରିଥାଉ। ଆମେ ସୀମାବର୍ତ୍ତୀ ଅଞ୍ଚଳରେ ନିର୍ମାଣ, ଭୂଖଣ୍ଡରେ ପରିବର୍ତ୍ତନ କିମ୍ବା ପ୍ରତିରକ୍ଷା ଘାଟି ସ୍ଥାପନ ଆଦି ଗତିବିଧିର ଚିତ୍ର ଉତ୍ତୋଳନ କରିଥାଉ। ଏପରି ସମସ୍ତ ବିଷୟରେ ଆମେ ସବୁବେଳେ ବିସ୍ତୃତ ତଥା ସଠିକ୍ ତଥ୍ୟ ସଂଗ୍ରହକରୁ। ଉପଗ୍ରହ ଟ୍ରାକିଂ ମାଧ୍ୟମରେ ଏହିପରି ଚିତ୍ର ଉତ୍ତୋଳନ କରାଯାଏ। ଏଥିରେ ଉଭୟ ବନ୍ଧୁତ୍ୱ ଥିବା ଓ ନଥିବା ଦେଶ ଅନ୍ତର୍ଭୁକ୍ତ। ଯେହେତୁ ଉପଗ୍ରହଗୁଡ଼ିକ ପୃଥିବୀ ଚାରିପଟେ ଘୂରି ବୁଲୁଛନ୍ତି, ଆମେ ଆମେରିକା, ରୁଷ୍, ଚୀନ୍ କିମ୍ବା ଅନ୍ୟ କୌଣସି ବି ଦେଶର ଫଟୋ ନେଇପାରୁ। ସେମାନେ ମଧ୍ୟ ଆମର ଦେଶର ଚିତ୍ର ନେଇପାରିବେ। ତେଣୁ ଇସ୍ରୋର ଭୂମିକା ଦେଶର ସୁରକ୍ଷା ପାଇଁ ସବୁବେଳେ ଗୁରୁତ୍ବପୂର୍ଣ୍ଣ। ଏସବୁ ଦାୟିତ୍ୱ ନିର୍ବାହ କରିବା, ଦେଶକୁ ସୁରକ୍ଷିତ ରଖି ଅଗ୍ରଗତି କରାଇବା ଏବଂ ମାତୃଭୂମିର ସେବା କରିବାକୁ ଆମର ପ୍ରତ୍ୟେକ କର୍ମଚାରୀ ଅଙ୍ଗୀକାରବଦ୍ଧ।
‘ନାସା’ ସହିତ ‘ଇସ୍ରୋ’ର କୌଣସି ସମ୍ପର୍କ ରହିଛି କି? ତଥ୍ୟ ଆଦାନପ୍ରଦାନ ହୋଇଥାଏ କି?
ବୈଜ୍ଞାନିକ ତଥ୍ୟ ‘ମୁକ୍ତତଥ୍ୟ’ ନୀତି ଆଧାରିତ। ତେଣୁ, ସମସ୍ତ ବୈଜ୍ଞାନିକ ମିସନ୍ର ତଥ୍ୟ ଆମ ବିଜ୍ଞାନ ତଥ୍ୟ କେନ୍ଦ୍ରରେ ଜମା କରାଯାଇଥାଏ। ସବୁ ଦେଶର ବୈଜ୍ଞାନିକମାନେ ଏହା ବ୍ୟବହାର କରିପାରିବେ। ସେମାନଙ୍କ ତଥ୍ୟ ମଧ୍ୟ ଆମେ ବ୍ୟବହାର କରିପାରିବୁ। କିନ୍ତୁ ଏହି ନୀତି ରଣନୈତିକ ବା ସାମରିକ ସଂପର୍କିତ ତଥ୍ୟ ଆଦାନ ପ୍ରଦାନ ପାଇଁ ପ୍ରଯୁଜ୍ୟ ନୁହେଁ। ସେ ତଥ୍ୟ କାହା ସହ ବିନିମୟ କି ସାର୍ବଜନୀନ କରଯାଏ ନାହିଁ।
ମହାକାଶ ପ୍ରଯୁକ୍ତି ବିକାଶ କ୍ଷେତ୍ରରେ ଆମ ପ୍ରଗତିରେ ବାଧା ସୃଷ୍ଟିକରିବା ପାଇଁ ଅନ୍ୟ ଦେଶଗୁଡ଼ିକ ଉଦ୍ୟମ କରୁଛନ୍ତି କି?
ଆମେ ସମ୍ଭାବ୍ୟ ବାଧାବିଘ୍ନର ପୂର୍ବାନୁମାନ କରୁଛୁ। ଆମେ ଚେଷ୍ଟା କରୁଛୁ ଯେ ନିତାନ୍ତ ଆବଶ୍ୟକ ଉତ୍ପାଦ ପାଇଁ ଆମେ କିପରି ଅନ୍ୟ ଦେଶ ଉପରେ ନିର୍ଭରଶୀଳ ନହେବୁ। ଏହାଦ୍ବାରା ହିଁ ସ୍ୱଦେଶୀକରଣ ଅଥବା ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମର ଗୁରୁତ୍ବ ରହିବ। ଏହାର ଅର୍ଥ ନୁହେଁ ଯେ ଆମେ କିଛି ଆମଦାନି କରିବୁ ନାହିଁ, ସବୁକିଛି ଏଠାରେ ଉତ୍ପାଦନ କରିବୁ। ବିଗତ ୫୦ ବର୍ଷ ମଧ୍ୟରେ ଆମେ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ସ୍ତରରେ ଜଟିଳ ସାମଗ୍ରୀ ଉତ୍ପାଦନ ପାଇଁ ସୁବିଧା କରିଛୁ। ଦେଶ ଦେଶ ମଧ୍ୟରେ ମହାକାଶ ବିଜ୍ଞାନ ଗବେଷଣା ଲାଗି ପ୍ରତିଯୋଗିତା ଚାଲିଛି। କମ୍ପ୍ୟୁଟର୍ ଓ ବୈଷୟିକ ଜ୍ଞାନ ବୃଦ୍ଧିରେ ଅନ୍ୟକୁ ଅସୁବିଧାରେ ପକାଇବାକୁ ସବୁବେଳେ କିଛି ଖଳ ପ୍ରକୃତିର ଦେଶ ଓ କେତେକ ଗବେଷକ ଚେଷ୍ଟା କରିଥାନ୍ତି।
ମହାକାଶ ଗବେଷଣା ଓ ଅଭିଯାନ ପ୍ରକ୍ରିୟାରେ ସମ୍ପ୍ରତି ଭାରତୀୟ ଶିଳ୍ପଜଗତ କେତେ ମାତ୍ରାରେ ସାମିଲ ହୋଇଛି?
ପୂର୍ବରୁ ମହାକାଶ ଅଭିଯାନ ପାଇଁ ବଡ଼ ଧରଣର ଉତ୍ପାଦନ ଲାଗି କୌଣସି ଶିଳ୍ପ ନଥିଲା। ଇସ୍ରୋର ଆବଶ୍ୟକ ସମସ୍ତ ଉତ୍ପାଦନ ଯୋଗାଣକାରୀମାନଙ୍କ ଠାରୁ ସଂଗ୍ରହ କରାଯାଉଥିଲା। ବର୍ତ୍ତମାନ ସେ ପରିସ୍ଥିତି ବଦଳିଯାଇଛି। ଆଜି ଭାରତରେ ୪୫୦ରୁ ଅଧିକ କମ୍ପାନି ମହାକାଶ ଅଭିଯାନରେ ସହେଯାଗ କରୁଛନ୍ତି। ଗତ ଛଅବର୍ଷ ମଧ୍ୟରେ ପ୍ରାୟ ୨୦୦ କମ୍ପାନି ସ୍ୱାଧୀନ ଭାବରେ ଇଂଜିନିୟରିଂ ଉପକରଣ ଡିଜାଇନ୍ କରୁଛନ୍ତି ଏଥିସହ ସେମାନେ ସମ୍ପୂର୍ଣ୍ଣ ରକେଟ୍ ନିର୍ମାଣ କରି ଉତ୍କ୍ଷେପଣ କରିବାକୁ ସମର୍ଥ ହେଲେଣି। ଏହି ଉଦ୍ୟୋଗ ସବୁ ଏବେ କାର୍ଯ୍ୟକ୍ଷମ ଏବଂ ସେମାନଙ୍କୁ ଦୀର୍ଘକାଳୀନ ନିବେଶ ଯୋଗାଇବା ଲାଗି ଏକ ସୁଦୃଢ଼ ନିବେଶକ ଢାଞ୍ଚା ମଧ୍ୟ ବିକଶିତ ହେଉଛି। ଏହି କମ୍ପାନି ସବୁ ଇସ୍ରୋର ଆବଶ୍ୟକତା ପୂରଣ କରିବା ସହ ବିଶ୍ୱ ବଜାରରେ ମଧ୍ୟ ପ୍ରବେଶ କରିଛନ୍ତି।
ସ୍ପେସ୍ଏକ୍ସ ଭଳି ଘରୋଇ ସଂସ୍ଥାଗୁଡ଼ିକୁ ଇସ୍ରୋ ସହିତ ମିଶି କାର୍ଯ୍ୟ କରିବା ଦିଗରେ ଭାରତ ସରକାରଙ୍କ ନୀତି କ’ଣ? ଏହା ସୁଫଳ ଦେଉଛି ତ?
ଏହା ହିଁ ହେଉଛି ଆମ ମହାକାଶ ନୀତିର ସଠିକ୍ ଦିଗ। କେନ୍ଦ୍ର ସରକାରଙ୍କ ଯୋଜନା ହେଉଛି ଏକ ସକ୍ରିୟ ଘରୋଇ ମହାକାଶ ପରିସଂସ୍ଥାନ ବ୍ୟବସ୍ଥା ପରିଚାଳନା କରିବା। ଯେଉଁଠି ଭାରତୀୟ କମ୍ପାନି ସବୁ ନିଜସ୍ୱ ମହାକାଶ ପ୍ରଯୁକ୍ତିବିଦ୍ୟା ବିକାଶ କରିବେ, ଉପକରଣ ଉତ୍ପାଦନ କରିବେ ଏବଂ ବଜାରରେ ପ୍ରବେଶ କରିବେ। ଇସ୍ରୋ ବର୍ତ୍ତମାନ ଗବେଷଣା ଓ ବିକାଶଠାରୁ ଆରମ୍ଭ କରି ଉତ୍ପାଦନ ଓ ଉତ୍କ୍ଷେପଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦକ୍ଷତା ହାସଲ କରିଛି। ଇସ୍ରୋ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଗବେଷଣା ଓ ବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଅବଶ୍ୟ ଏହା ସେତେବେଳେ କରାଯିବ, ଯେତେବେଳେ ନିୟମିତ କାର୍ଯ୍ୟକ୍ଷମ ଉତ୍ପାଦନ ଓ ଉତ୍କ୍ଷେପଣ ଧୀରେ ଧୀରେ ଘରୋଇ କ୍ଷେତ୍ରକୁ ସ୍ଥାନାନ୍ତର କରାଯାଇପାରିବ। ଫଳରେ ‘ଦେଶୀ ସ୍ପେସ୍ଏକ୍ସ’ ଭଳି କମ୍ପାନି ସବୁ ଉନ୍ନତି କରିପାରିବେ।
ସମସ୍ତଙ୍କ ମନରେ ଧାରଣା ରହିଛି ଯେ କୌଣସି ଉତ୍କ୍ଷେପଣ ପୂର୍ବରୁ ଇସ୍ରୋ ବୈଜ୍ଞାନିକମାନେ ଦିନରାତି ଅନିଦ୍ରା ରହି କାର୍ଯ୍ୟ କରନ୍ତି। ଏହା କେତେଦୂର ସତ?
ପରୀକ୍ଷା ସମୟରେ ଆପଣ ଟିକିଏ ଅଧିକ ସମୟ ପାଠ ପଢ଼ନ୍ତି ନା, ନାହିଁ? ଠିକ୍ ସେହିପରି ଏକ ଉତ୍କ୍ଷେପଣ ହେଉଛି ୨୪x୭ କାର୍ଯ୍ୟ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦିନରାତି ନଶୋଇ ଆମେ କାମ କରୁଥାଉ। ବୈଜ୍ଞାନିକମାନେ ନିଜ ନିଜ ସମୟରେ ଆସି ନିଜ କାମ କରନ୍ତି ଏବଂ ଦାୟିତ୍ୱ ସମ୍ଭାଳନ୍ତି। ଆମ ପାଖରେ ଦଶନ୍ଧି ଦଶନ୍ଧି ଧରି ନିର୍ମିତ କାଉଣ୍ଟ୍ଡାଉନ୍ ପ୍ରକ୍ରିୟା ଏବଂ ବିସ୍ତୃତ ପ୍ରୋଟୋକଲ୍ ଅଛି। ଏହି ପ୍ରୋଟୋକଲ୍ ଆମ ଡି.ଏନ୍.ଏ.ରେ ରହିଛି। ଅଭ୍ୟାସ, ବିଫଳତା ଓ ସଫଳତା ମାଧ୍ୟମରେ ଏହା ବର୍ଷ ବର୍ଷ ଧରି ପରିମାର୍ଜିତ ହୋଇଛି। ଆମ ପାଖରେ ତିନି ମାସ ପାଇଁ କାର୍ଯ୍ୟ କରିବାର ଖସଡ଼ା ପ୍ରସ୍ତୁତି ତାଲିକାକ୍ରମ ଅଛି। ପ୍ରକଳ୍ପ, ମିସନ୍ ଓ ପରିଚାଳନା ଭଳି ବିଭିନ୍ନ ବିଭାଗର ନିର୍ଦ୍ଦେଶକମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରନ୍ତି। ଯେତେବେଳେ ବି କୌଣସି ଉତ୍କ୍ଷେପଣ ହୋଇଥାଏ, ଏହି ପ୍ରକ୍ରିୟା ସୁରୁଖୁରୁରେ ଚାଲିଥାଏ।
ପ୍ରତ୍ୟେକ ମିସନ୍ରେ ବିଫଳତାର ଭୟ ରହିଥାଏ?
ପ୍ରତ୍ୟେକ ଅଭିଯାନରେ ବିଫଳତାର ଆଶଙ୍କା ଅଥବା ସଫଳତା ସମ୍ଭାବନା ଥାଏ। ଜୀବନ ସଫଳତା ଓ ବିଫଳତା ଆଧାରରେ ପରିଚାଳିତ ହୋଇଥାଏ। ବିଫଳତା ନଥିଲେ ସଫଳତା ଆସି ନଥାଏ। ଅବଶ୍ୟ ଅନେକ ସମୟରେ ବିଫଳତା ଅଦୃଶ୍ୟ ହୋଇଥାଏ। ଭୁଲ୍ରୁ ହିଁ ମଣିଷ ଶିକ୍ଷାଲାଭ କରେ ଏବଂ ଭୁଲ୍ ହିଁ ଗୋଟିଏ ପ୍ରକାରର ବିଫଳତା। ଆମର ଲକ୍ଷ୍ୟ ହେଉଛି ସଫଳତା ସମ୍ଭାବନା ବୃଦ୍ଧି କରିବା ଏବଂ ବିଫଳତା ହ୍ରାସ କରିବା। ବସ୍ତୁଗତ ତ୍ରୁଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି କୌଣସି ଉପକରଣ ତ୍ରୁଟି ଯୋଗୁଁ ମିସନ୍ ବିଫଳ ହୁଏ, ସେଥିରୁ ଆମକୁ ସଫଳତାର ସୂତ୍ର ପ୍ରାପ୍ତହୁଏ। ବିଫଳତାର ଭୟ ଭିତରେ ବଞ୍ଚିଲେ ଜୀବନରେ ସଫଳତା ମିଳିବାର ସମ୍ଭାବନା ନଥାଏ।