ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏପରି ଏକ ଯାତ୍ରା- ଯାହାର ପ୍ରତିଛତ୍ରରେ ସମଭାବର ନିଦର୍ଶନ ମିଳେ। ଏହି ଯାତ୍ରାରେ ସମସ୍ତଙ୍କର ଗୁରୁତ୍ବ ରହିଥାଏ। କାହା ପ୍ରତି ଊଣା ବା ନ୍ୟୂନ ଭାବ ନ ଥାଏ। ରଥଟଣା ଏହାର ଏକ ସୁନ୍ଦର ନିଦର୍ଶନ। ଶ୍ରୀଜଗନ୍ନାଥଙ୍କର ଏହି ରଥଯାତ୍ରାର ରଥସଂଖ୍ୟା ତିନି। ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନ। ‘ନନ୍ଦିଘୋଷ’ ସାନଭାଇ ଜଗନ୍ନାଥଙ୍କ ରଥ; ‘ତାଳଧ୍ବଜ’ ବଡ଼ଭାଇ ବଳଭଦ୍ରଙ୍କ ରଥ ଓ ‘ଦେବଦଳନ’ ସାନଭଉଣୀ ସୁଭଦ୍ରାଙ୍କ ରଥ। କିନ୍ତୁ ରଥଟଣା କ୍ଷେତ୍ରରେ କାହାରି ମନ ଊଣା ନ ହେବା ପରି ବ୍ୟବସ୍ଥା ରହିଛି।

Advertisment

ପ୍ରତିବର୍ଷ ରଥଯାତ୍ରାରେ ମୋଟ ଚାରିଥର ରଥ ଟଣାଯାଇଥାଏ। ଏହି ଚାରିଥରର ରଥଟଣା ମଧ୍ୟରୁ, ପ୍ରଥମ ଥର ରଥଟଣା ହୁଏ ରଥଖଳାରୁ ଶ୍ରୀମନ୍ଦିରର ସିଂହଦ୍ବାରକୁ। କାରଣ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ଶ୍ରୀମନ୍ଦିରର ସିଂହଦ୍ବାର ସମ୍ମୁଖରୁ ହିଁ ଶ୍ରୀଗୁଣ୍ଡିଚାଯାତ୍ରାର ଅୟମାରମ୍ଭ ହୋଇଥାଏ। ‘ସ୍କନ୍ଦପୁରାଣ’ର ବର୍ଣ୍ଣନା ଏ ପ୍ରସଙ୍ଗରେ ସ୍ମରଣୀୟ। ତାହା ଅନୁସାରେ, ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ଚତୁର୍ଦ୍ଧା ବିଗ୍ରହଙ୍କର ଆବିର୍ଭାବ ପରେ,‌ ସେମାନଙ୍କୁ ରଥରେ ବସାଇ ପ୍ରଥମେ ଶ୍ରୀପୁରୁଷୋତ୍ତମ ପ୍ରାସାଦ (ସେଦିନର ଶ୍ରୀମନ୍ଦିର) ସମ୍ମୁଖକୁ  ଅଣାଯାଇଥିଲା। ସେହିି ଧାରା ଏହି ପ୍ରଥମ ରଥଟଣାରେ ଲକ୍ଷ୍ୟଣୀୟ। ଏଥିରେ ଶ୍ରୀଜଗନ୍ନାଥଙ୍କ ରଥ ପ୍ର‌ଥମେ ଟଣାଯାଇଥାଏ। ତାହାପରେ ଟଣା ହୁଏ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ। କିନ୍ତୁ ଶ୍ରୀଗୁଣ୍ଡିଚାଯାତ୍ରାରେ ରଥଟଣାର ଏହି କ୍ରମ ପୃଥକ୍‌। ଏଥିରେ ଶ୍ରୀବଳଭଦ୍ରଙ୍କ ରଥ ପ୍ରଥମେ ଟଣା ହୁଏ। ତାହା ପରେ ଟଣା ହୁଏ ଦେବୀ ସୁଭଦ୍ରାଙ୍କ ରଥ ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣାହୋଇଥାଏ। ଏହି କ୍ରମ ବାହୁଡ଼ା ଯାତ୍ରାରେ ମଧ୍ୟ ରକ୍ଷା କରାଯାଇଥାଏ।

ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥମାନଙ୍କୁ ଦକ୍ଷିଣମୋଡ଼ କରି ନାକଚଣା ଦ୍ବାର ସମ୍ମୁଖକୁ ଅଣାଯାଏ। ସେଥିରେ କିନ୍ତୁ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଏ। ତାହା ପରେ ଟଣାଯାଏ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ରଥ। ଏହିପରି ଭାବରେ, ଥରେ ପ୍ର‌ଥମେ ଶ୍ରୀଜଗନ୍ନାଥଙ୍କ ରଥ, ଦୁଇଥର ପ୍ରଥମେ ଶ୍ରୀବଳଭଦ୍ରଙ୍କ ରଥ ଏବଂ ଥରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଟଣାଯାଇଥାଏ। ରଥଯାତ୍ରା ସରିଗଲେ, ହୁଏ ରଥଭଙ୍ଗା। ଉଲ୍ଲେଖନୀୟ ଯେ ଏଥିରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଭଙ୍ଗା ହୋଇଥାଏ। ତାହା ପରେ ଶ୍ରୀଜଗନ୍ନାଥଙ୍କ ରଥ ଏବଂ ଶେଷରେ ଶ୍ରୀବଳଭଦ୍ରଙ୍କ ରଥ ଭଙ୍ଗାଯାଏ। ଏହା ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ‘ସର୍ବରଥ ସମଭାବ’ ତତ୍ତ୍ବକୁ ପୁଷ୍ଟ କରେ।