ଅ‌ାଜିକାଲି ହୃଦ୍‌ଘାତ ଜନିତ ମୃତ୍ୟୁ କାହିଁକି ବଢୁଛି?
ବର୍ତ୍ତମାନର ଜୀବନଶୈଳୀ, ଖାଦ୍ୟପେୟ, ମୋଟାପଣ ଓ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ କମ୍‌ ବୟସର ଲୋକଙ୍କୁ ହୃଦ୍‌ଘାତ ହେଉଛି। ଏହାର ଅନ୍ୟ ଏକ କାରଣ ହେଉଛି ବଂଶଗତ ରୋଗ। ଯଦି ଶରୀରରେ କୋଲେଷ୍ଟ୍ରଲ୍‌ ଅଧିକ ରହୁଛି ତେବେ ମଧ୍ୟ ହୃଦ୍‌ଘାତ ହୋଇଥାଏ। 
କାର୍ଡିଓ ପଲ୍‌ମୋନାରି ରିସସିଟେସନ୍‌(ସିପିଆର୍‌) କେତେବେଳେ ଆବଶ୍ୟକ ପଡ଼ିଥାଏ?
ସିପିଆର୍‌ ଏକ ଜୀବନ ରକ୍ଷାକାରୀ କୌଶଳ। ଯେଉଁମାନଙ୍କର ହଠାତ୍‌ ଶ୍ବାସପ୍ରଶ୍ବାସ ବନ୍ଦ ହୋଇଯାଇଥାଏ, ସେମାନଙ୍କ ପାଇଁ ଜରୁରିକାଳୀନ ଉପଚାର ଭାବେ ସିପିଆର ପ୍ରୟୋଗ ଆବଶ୍ୟକ ହୋଇଥାଏ। 
ସିପିଆର୍‌ ଦେବାବେଳେ କି କି ସାବଧାନତା ଅବଲମ୍ବନ କରିବା ଉଚିତ?
ସିପିଆର୍‌ ଦେବା ପୂର୍ବରୁ ରୋଗୀର ସ୍ଥିତି ପରଖିବା ଜରୁରି। ଅଚାନକ ଯଦି ଜଣେ ମୂର୍ଚ୍ଛା ଯାଇ ବିପଦପୂର୍ଣ୍ଣ ସ୍ଥାନରେ ଅଛନ୍ତି, ତେବେ ତାଙ୍କୁ ସୁରକ୍ଷିତ ସ୍ଥାନକୁ ଆଣି ତାଙ୍କ କାନ ପାଖରେ କ’ଣ ହୋଇଛି ବୋଲି ପଚାରିବା ଦରକାର। ଏହା ପରେ ତାଙ୍କ ଶ୍ବାସକ୍ରିୟାକୁ ପରଖିବା ଉଚିତ। ଏହାରି ମଧ୍ୟରେ ଆମ୍ବୁଲାନ୍ସକୁ ଫୋନ୍‌ କରିବା ବୁଦ୍ଧିମାନର କାମ। ରୋଗୀଙ୍କଠାରୁ ପ୍ରତିକ୍ରିୟା ନ ମିଳିଲେ, ତାଙ୍କ ହାତ ଓ ବେକର ନାଡ଼ି ଦେଖିବେ। ନାଡ଼ି ନ ପାଇଲେ, ଆଣ୍ଠେଇ ତାଙ୍କ ଛାତିର ମଧ୍ୟଭାଗ ଓ ବାମପାର୍ଶ୍ବକୁ ଜୋର ଜୋରରେ ଚାପିବାକୁ ହୋଇଥାଏ। ୩୦ ଥର ଚାପିବା ପରେ ଦୁଇଥର ରୋଗୀର ପାଟିରେ ପ୍ରଶ୍ବାସ ଦେବା ଦରକାର। ଏହି କ୍ରିୟା ଦ୍ବାରା ହୃତ୍‌ପିଣ୍ଡର ସ୍ପନ୍ଦନ ଓ ଶ୍ବାସପ୍ରଶ୍ବାସ ଫେରିଆସେ। ତେଣୁ ତୁରନ୍ତ ସିପିଆର ଦେଇ ଜଣଙ୍କ ଜୀବନ ବଞ୍ଚାଇ ହେବ।
ହାର୍ଟ ଆଟାକ୍‌ ଓ କାର୍ଡିଆକ୍ ଆରେଷ୍ଟ ମଧ୍ୟରେ ପାର୍ଥକ୍ୟ କ’ଣ?
ଯଦିଓ ହୃଦ୍‌ଘାତ ଓ କାର୍ଡିଆକ୍‌ ଆରେଷ୍ଟ ହୃଦ୍‌ସମ୍ବନ୍ଧୀୟ ସମସ୍ୟା; ଅନେକ ଏହାକୁ ସମାନ ବୋଲି ଭାବନ୍ତି। ରକ୍ତ ସଞ୍ଚାଳନ ବନ୍ଦ ହୋଇ ହୃଦ୍‌ଘାତ ହେଉଥିବା ବେଳେ କାର୍ଡିଆକ୍‌ ଆରେଷ୍ଟ ହେତୁ ହୃତ୍‌ପିଣ୍ଡର କାର୍ଯ୍ୟକ୍ଷମତା ଅଚାନକ ବନ୍ଦ ହୋଇଯାଇଥାଏ। କାର୍ଡିଆକ୍‌ ଆରେଷ୍ଟର ଚିକିତ୍ସା ସମ୍ଭବ; ହେଲେ ପ୍ରାୟ କ୍ଷେତ୍ରରେ ଏହା ବିଫଳ ହୋଇଥାଏ। ଅଚାନକ କାର୍ଡିଆକ୍‌ ଆରେଷ୍ଟ ହୋଇ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ମୁଣ୍ଡ ଘୂରାଇବା, ମୂର୍ଚ୍ଛା ଯିବା ଆଦି ଲକ୍ଷଣ ଦେଖାଯାଇଥାଏ। କାର୍ଡିଆକ୍‌ ଆରେଷ୍ଟର ପ୍ରାୟ ଘଣ୍ଟାକ ପୂର୍ବରୁ ବାନ୍ତି ଏବଂ ବିଚଳିତ ଲାଗିଥାଏ। ତେଣୁ ତୁରନ୍ତ ଏହାର ଲକ୍ଷଣ ଚିହ୍ନି ରୋଗୀଙ୍କୁ ସିପିଆର୍‌ ଦିଆଯିବା ଜରୁରି।
ହୃଦ୍‌ଘାତ ପରେ ହୃତ୍‌ପିଣ୍ଡର ଯତ୍ନ କିପରି ନେବା ଉଚିତ?
ଥରେ ହୃଦ୍‌ଘାତ ହେଲେ ଆମେ ପ୍ରତି କ୍ଷଣରେ ହୃତ୍‌ପିଣ୍ଡ ପ୍ରତି ଯତ୍ନବାନ ହେବା ଉଚିତ। ପ୍ରଥମେ ନିଜ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା, ନିୟମିତ ଔଷଧ ସେବନ କରିବା, ଖାଦ୍ୟପେୟ ପ୍ରତି ଯତ୍ନବାନ ହେବା ଓ ମାନସିକ ସନ୍ତୁଳନକୁ ବଜାୟ ରଖିବା ଉଚିତ। ଏଥିସହ ନିୟମିତ ଡାକ୍ତରୀ ପରୀକ୍ଷା ମଧ୍ୟ ଆବଶ୍ୟକ।