ଐତିହାସିକ ଭାବରେ ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରେ ‘ରେଫରେନ୍ସ ମ୍ୟାନ୍’ ମଡେଲ୍ ପ୍ରାଧାନ୍ୟ ପାଇଆସିଛି। ଯାହା ଏହି ଧାରଣା ଉପରେ ପ୍ରତିଷ୍ଠିତ ଯେ ପୁରୁଷର ଶରୀର ବିଜ୍ଞାନ ମାନବ ଅଭିଜ୍ଞତାକୁ ଉପଯୁକ୍ତ ଭାବରେ ପ୍ରତିନିଧିତ୍ୱ କରେ। ଏଥିପାଇଁ ବର୍ଷ ବର୍ଷ ଧରି ହର୍ମୋନ୍ଗୁଡ଼ିକର ଅନିୟମିତ ବୃଦ୍ଧି ଓ ହ୍ରାସ, ସମ୍ଭାବ୍ୟ ଗର୍ଭଧାରଣ ଏବଂ ମହିଳା ପ୍ରଜନନ ପ୍ରଣାଳୀର ଅନୁଭୂତ ଜଟିଳତା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ମହିଳାମାନଙ୍କୁ କ୍ଲିନିକାଲ୍ ପରୀକ୍ଷଣରୁ ବାଦ୍ ଦିଆଯାଉଛି। ଏପରି ଭାବେ ବାଦ୍ ଦେବା ଯୋଗୁଁ ଚିକିତ୍ସା ଓ ରୋଗର ବୃଦ୍ଧି ପ୍ରତି ମହିଳାମାନଙ୍କ ତାତ୍କାଳିକ ପ୍ରତିକ୍ରିୟା ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ଞାନର ଅଭାବ ପରିଲକ୍ଷିତ ହେଉଛି।
ଚିକିତ୍ସା ବିଜ୍ଞାନ ସମ୍ବନ୍ଧୀୟ ଗବେଷଣାରେ ମହିଳାମାନଙ୍କ ଅଂଶଗ୍ରହଣ ହ୍ରାସ ପାଉଛି। ଏହା ନକାରାତ୍ମକ ପ୍ରଭାବ ସୃଷ୍ଟି କରିଚାଲିଥିବା ଏପରି ଏକ ଅବହେଳା ଯାହାର ଉତ୍ପତ୍ତି ସାମାଜିକ ଓ ବୈଜ୍ଞାନିକ କାରଣରୁ ହୋଇଥିବାବେଳେ ଏହା ଆଜି ଏକ ଜଟିଳ ସମସ୍ୟାରେ ପରିଣତ ହୋଇଛି। ରଜୋନିବୃତ୍ତି ସମୟରେ ହେଉଥିବା ହର୍ମୋନ୍ ପରିବର୍ତ୍ତନରେ ହୃଦ୍ରୋଗର ପ୍ରଭାବ ସମ୍ପର୍କରେ ଯଥେଷ୍ଟ ଅଧ୍ୟୟନ କରାଯାଇନାହିଁ। ଯଦିଓ ସମସ୍ତେ ଜାଣନ୍ତି ଇଷ୍ଟ୍ରୋଜେନ୍ ଏକ ସୁରକ୍ଷିତ ଭୂମିକା ଗ୍ରହଣ କରେ, ତଥାପି ହର୍ମୋନ୍ ରିପ୍ଲେସ୍ମେଣ୍ଟ ଥେରାପିର ଜଟିଳତା ଓ ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ବିତର୍କିତ। ଯାହାର ଏକ କାରଣ ହେଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରୁ ମହିଳାମାନଙ୍କୁ ବାଦ୍ ଦିଆଯିବା। ହୃତ୍ପିଣ୍ଡର ଛୋଟ ଛୋଟ ରକ୍ତବାହୀ ନଳୀକୁ ପ୍ରଭାବିତ କରୁଥିବା ମାଇକ୍ରୋଭାସ୍କୁଲାର୍ ରୋଗ ମହିଳାମାନଙ୍କଠାରେ ବ୍ୟାପକ ଭାବରେ ଦେଖାଯାଉଥିଲେ ମଧ୍ୟ ତା’ର ସର୍ବୋତ୍ତମ ଚିକିତ୍ସା ରଣନୀତି ଓ ପ୍ରଣାଳି ଏପର୍ଯ୍ୟନ୍ତ ଠିକ୍ ଭାବେ ବୁଝାଯାଇ ପାରିନାହିଁ, ଯାହା ପରୀକ୍ଷଣକୁ ଐତିହାସିକ ଭାବରେ ପୁରୁଷ-କୈନ୍ଦ୍ରିକ କରିବାର ଏକ ସିଧାସଳଖ ଫଳାଫଳ ଅଟେ।
ଏହାସହିତ, ହୃଦ୍ରୋଗ ସମ୍ବନ୍ଧୀୟ ଗବେଷଣାରେ ଏହି ପକ୍ଷପାତିତା ବିଶେଷ ଭାବରେ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଦଶନ୍ଧି ଦଶନ୍ଧି ଧରି ହୃଦ୍ଘାତର ଲକ୍ଷଣ, ରୋଗ ନିର୍ଣ୍ଣୟ ମାନଦଣ୍ଡ ଓ ଚିକିତ୍ସା ପ୍ରୋଟୋକଲ୍ ବିଷୟରେ ବୁଝାମଣା ମୁଖ୍ୟତଃ ପୁରୁଷ ରୋଗୀଙ୍କ ଉପରେ ଆଧାରିତ ଥିଲା। ମହିଳାମାନେ ପ୍ରାୟତଃ ଅସ୍ୱାଭାବିକ ଲକ୍ଷଣଗୁଡ଼ିକ ପ୍ରଦର୍ଶନ କରିଥାଆନ୍ତି, ଯେପରିକି ଅଇ ଉଠେଇବା, ଶ୍ୱାସ କଷ୍ଟ ଓ ପିଠି ଯନ୍ତ୍ରଣା, ଯାହାକୁ ପ୍ରାୟତଃ ଅଣଦେଖା କରାଯାଏ କିମ୍ବା ନିଦାନ କ୍ଷେତ୍ରରେ ଭୁଲ୍ କରାଯାଏ। ପୁରୁଷ-କୈନ୍ଦ୍ରିକ ଗବେଷଣାରେ ନିହିତ ସଚେତନତାର ଅଭାବରୁ ନିର୍ଣ୍ଣୟରେ ଏହି ବିଳମ୍ବ ହୃଦ୍ଘାତ ପରେ ମହିଳାମାନଙ୍କ ମୃତ୍ୟୁହାର ତଥା ଜଟିଳତା ହାରରେ ବୃଦ୍ଧି ପାଇଁ ଆଂଶିକ ଭାବେ ଦାୟୀ ଅଟେ।
ମାତୃ ମୃତ୍ୟୁହାର ସମ୍ପର୍କିତ ଗବେଷଣାରେ ମଧ୍ୟ ଏହି ଧରଣର ଚାଲେଞ୍ଜ ରହିଛି। ଗର୍ଭଧାରଣ ଯୋଗୁଁ ବ୍ୟାପକ ଶାରୀରିକ ପରିବର୍ତ୍ତନ ହୋଇଥାଏ, ଯାହା ହୃଦ୍ରୋଗ, ବୃକ୍କଜନିତ ରୋଗ ସୃଷ୍ଟି କରିବା ସହିତ ମେଟାବୋଲିକ୍ ସିଷ୍ଟମ୍କୁ ମଧ୍ୟ ପ୍ରଭାବିତ କରିଥାଏ। ମାତ୍ର, ଏହି ପରିବର୍ତ୍ତନ ଓ ସେଗୁଡ଼ିକର ସମ୍ଭାବ୍ୟ ଜଟିଳତାର ଅଧ୍ୟୟନ ଉଲ୍ଲେଖନୀୟ ଭାବରେ ସୀମିତ ହୋଇଛି। ଗର୍ଭାବସ୍ଥାର ଏକ ଗମ୍ଭୀର ଉଚ୍ଚ ରକ୍ତଚାପ ରୋଗ ପ୍ରିଏକ୍ଲାମ୍ପସିଆ ବିଶ୍ୱବ୍ୟାପୀ ମାତୃ ମୃତ୍ୟୁହାରର ଏକ ପ୍ରମୁଖ କାରଣ ହୋଇଛି। ପ୍ରିଏକ୍ଲାମ୍ପସିଆର ପାଥୋଫିଜିଓଲୋଜି, ସର୍ବୋତ୍ତମ ପରିଚାଳନା ରଣନୀତି ଏବଂ ଏହାକୁ ଅନୁଭବ କରିଥିବା ମହିଳାମାନଙ୍କ ପାଇଁ ଦୀର୍ଘକାଳୀନ ହୃଦ୍ରୋଗର ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବୁଝାଯାଇନାହିଁ। ହୃଦ୍ରୋଗ ବ୍ୟତୀତ ଅଷ୍ଟିଓପୋରୋସିସ୍, ଲୁପ୍ସ ପରି ଅଟୋଇମ୍ମ୍ୟୁନ ରୋଗ ଓ ଡ୍ରଗ୍ ମେଟାବୋଲିଜିମ୍ ଭଳି ଅବସ୍ଥା ମଧ୍ୟ ମହିଳାମାନଙ୍କ ଅଂଶଗ୍ରହଣର ଅଭାବ ଯୋଗୁଁ ଦିଗହରା ହୋଇଛି। ଔଷଧ ମାତ୍ରାରେ ପରିବର୍ତ୍ତନ, ଔଷଧ ମଧ୍ୟରେ ପାରସ୍ପରିକ କ୍ରିୟା ଏବଂ ଚିକିତ୍ସାର ପ୍ରଭାବ ପୁରୁଷ ଓ ମହିଳାମାନଙ୍କ କ୍ଷେତ୍ରରେ ଯଥେଷ୍ଟ ପରିମାଣରେ ଅଲଗା ହୋଇଥାଏ।
ସୌଭାଗ୍ୟବଶତଃ, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ସ ଅଫ୍ ହେଲ୍ଥ (ଏନ୍ଆଇଏଚ୍) ପରି ନିୟାମକ ସଂସ୍ଥାଗୁଡ଼ିକ ବର୍ତ୍ତମାନ କ୍ଲିନିକାଲ୍ ପରୀକ୍ଷଣରେ ମହିଳାମାନଙ୍କୁ ସାମିଲ କରିବାକୁ ବାଧ୍ୟ କରୁଛନ୍ତି। ଗବେଷକମାନେ ମଧ୍ୟ ପୁରୁଷ ଓ ମହିଳାଙ୍କ ପାଇଁ ପୃଥକ ଭାବରେ ସଂଗ୍ରହ ତଥା ବିଶ୍ଳେଷଣ କରାଯାଉଥିବା ତଥ୍ୟର ଗୁରୁତ୍ୱ ଏବଂ ମହିଳାମାନଙ୍କ କ୍ଷେତ୍ରରେ ହେଉଥିବା ବିଶେଷ ସ୍ୱାସ୍ଥ୍ୟଗତ ସମସ୍ୟାକୁ ସମାଧାନ କରିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଅଧ୍ୟୟନର ଆବଶ୍ୟକତାକୁ ବହୁଳ ଭାବରେ ସ୍ୱୀକାର କରୁଛନ୍ତି।
ତେବେ, ଆଜି ମଧ୍ୟ ଚାଲେଞ୍ଜଗୁଡ଼ିକ ବିଦ୍ୟମାନ ରହିଛି; ଆଜି ମଧ୍ୟ ମହିଳା ସ୍ୱାସ୍ଥ୍ୟ ଗବେଷଣା ପାଇଁ ପାଣ୍ଠି ଯୋଗାଣ ଅନ୍ୟାନ୍ୟ କ୍ଷେତ୍ର ତୁଳନାରେ ଅନୁପାତହୀନ ଭାବରେ କମ୍। ଆମ ପାଇଁ ଏକ ଉଲ୍ଲେଖନୀୟ ମୌଳିକ ପରିବର୍ତ୍ତନ ଆବଶ୍ୟକ ଯାହା ମୌଳିକ ବିଜ୍ଞାନଠାରୁ ଆରମ୍ଭ କରି କ୍ଲିନିକାଲ୍ ପରୀକ୍ଷଣ ପର୍ଯ୍ୟନ୍ତ ଗବେଷଣାର ସମସ୍ତ ପର୍ଯ୍ୟାୟରେ ମହିଳାମାନଙ୍କୁ ସାମିଲ କରିବାକୁ ପ୍ରାଥମିକତା ପ୍ରଦାନ କରିବ। କେବଳ ସେତେବେଳେ ହିଁ ଆମେ ମହିଳା ଶରୀର ବିଜ୍ଞାନର ଜଟିଳତାକୁ ପ୍ରକୃତରେ ବୁଝିପାରିବା ଏବଂ ମହିଳାମାନଙ୍କର ଅନନ୍ୟ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ପୂରଣ କରୁଥିବା ପ୍ରଭାବଶାଳୀ ବ୍ୟକ୍ତିଗତ ଚିକିତ୍ସା ପଦ୍ଧତି ବିକଶିତ କରିପାରିବା। ଆମ ସମସ୍ତଙ୍କୁ ମାର୍ଗଦର୍ଶନ କରିବା ପାଇଁ ଗୋଟିଏ ଧ୍ରୁବ ତାରା ହେଉଛି ଭଲ ଔଷଧ ସମସ୍ତଙ୍କ ଚିକିତ୍ସା ପାଇଁ ଔଷଧ ହେବା ଆବଶ୍ୟକ।