ଗତ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ଦିବାରାତ୍ରି ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ବିଦ୍ୟୁତ୍‌ ବିଭ୍ରାଟ ହେତୁ ପାଖାପାଖି ପ୍ରାୟ ୨୦ ମିନିଟ୍‌ ଖେଳ ବନ୍ଦ ରହିଥିଲା। ଗୋଟିଏ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଚାଲୁଥିବା ସମୟରେ ବାରବାଟୀରେ ଫ୍ଲଡ୍‌ ଲାଇଟ୍‌ ଲିଭିଯିବାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଓ ପ୍ରଶ୍ନ ଉଠିଛି। ବାରବାଟୀକୁ ନେଇ ବିବାଦ ଓ ବିତର୍କ କିଛି ନୂଆ ଘଟଣା ନୁହେଁ। କିନ୍ତୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ମ୍ୟାଚ୍ ସମୟରେ ଏଭଳି ବିଦ୍ୟୁତ୍‌ ବିଭ୍ରାଟ ଘଟଣା ପ୍ରଥମ। ଏହି ଘଟଣାକୁ ନେଇ ଉଠିଥିବା ବାଦବିବାଦ, ସମାଲୋଚନା ଓ ପ୍ରଶ୍ନକୁ ନେଇ ସାମ୍ନାସାମ୍ନି ହୋଇ ଯୁକ୍ତି ତଥା ପ୍ରତିଯୁକ୍ତି ଉପସ୍ଥାପନ କରିଛନ୍ତି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏର ପୂର୍ବତନ କାଉନ୍‌ସିଲ୍‌ ସଦସ୍ୟ ବ୍ରଜ ନନ୍ଦ।

Advertisment

ଅନ୍ତର୍ଜାତୀୟ ମ୍ୟାଚ୍‌ ବେଳେ ବାରବାଟୀରେ ଫ୍ଲଡ୍‌ ଲାଇଟ୍ ଲିଭିବା ଘଟଣାକୁ ନେଇ ସମାଲୋଚନା ମୁଣ୍ଡ ଟେକିଛି। ଓସିଏର ଏହା ଦାୟିତ୍ବହୀନତା ବୋଲି କୁହାଯାଉଛି। ଏହାକୁ ନେଇ କ’ଣ କହିବେ?
ଏହି ଘଟଣା ମୋତେ ଗଭୀର ଆଘାତ ଦେଇଛି ଏବଂ ଏହାକୁ ନେଇ ମୁଁ ମର୍ମାହତ। ଭବିଷ୍ୟତରେ ଯେପରି ଏଭଳି ନ ଘଟିବ ସେଥିପାଇଁ ଆମେ ଦାୟିତ୍ୱବାନ୍‌ ହୋଇ କାର୍ଯ୍ୟ କରିବୁ। କିନ୍ତୁ ଏହି ଘଟଣାରେ ମୁଁ ଆପଣଙ୍କ ମାଧ୍ୟମରେ ଗୋଟିଏ କଥା ସମସ୍ତଙ୍କୁ ଜଣାଇବାକୁ ଚାହୁଛି, ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଯେପରି ନିନ୍ଦା କରାଯାଉଛି ସେସବୁ ବାସ୍ତବରେ ସତ୍ୟ ନୁହେଁ। ଏହା ଏକ ଯାନ୍ତ୍ରିକ ତ୍ରୁଟି ଥିଲା। ଆମେ ଆମ ତ୍ରୁଟିକୁ ମାନୁଛୁ, ଏହି ଭୁଲ୍‌ରୁ ଶିକ୍ଷାଗ୍ରହଣ କରି ଭବିଷ୍ୟତରେ ଏହାକୁ ସୁଧାରିବୁ। କିନ୍ତୁ କିଛି ବ୍ୟକ୍ତିବିଶେଷ ଘଟଣାକୁ ଅତିରଂଜିତ କରୁଛନ୍ତି। ଏହା ଠିକ୍‌ ନୁହେଁ। ବିସିସିଆଇ ପଦାଧିକାରୀ, ଆଇସିସି ମ୍ୟାଚ୍‌ ରେଫେରି ଓ ପଦାଧିକାରୀ  ଏବଂ କ୍ରିକେଟ୍‌ ସହିତ ଜଡ଼ିତ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ବହୁ ବିଶିଷ୍ଟ ଖେଳାଳି ଓ କର୍ମକର୍ତ୍ତା ମଧ୍ୟ ଷ୍ଟାଡିୟମ୍‌ରେ ଉପସ୍ଥିତ ଥିଲେ। ଏହାକୁ ନେଇ ସେମାନେ ଏତେ କଟୁ ସମାଲୋଚନା କରିନାହାନ୍ତି। ଆମେ ଆମ ଜେନେରେଟର୍‌କୁ ଉଚିତ ଭାବେ ବିଦ୍ୟୁତ୍‌ ବିଭାଗ ଦ୍ୱାରା ଯାଞ୍ଚ କରାଇଥିଲୁ ଏବଂ ଏହାର ଏନ୍‌ଓସି ମଧ୍ୟ ଆଣିଛୁ। ତେଣୁ ଏହାକୁ ନେଇ ଯେପରି ବିବାଦ କରାଯାଉଛି ମୋ ମତରେ ତାହା ଠିକ୍‌ ନୁହେଁ। ଦାୟିତ୍ବହୀନ ଘଟଣା ବୋଲି କହିବା ମଧ୍ୟ ଉଚିତ ନୁହେଁ।

ବାରବାଟୀ ଷ୍ଟାଡିୟମ୍‌ ଜମିକୁ ଓଡ଼ିିଶା ସରକାର ଅଲିମ୍ପିକ୍‌ ସଂଘକୁ ଲିଜ୍‌ସୂତ୍ରରେ ଦେଇଥିଲେ ଏବଂ ଏହାକୁ ସବ୍‌ଲିଜ୍‌ କିପରି ଦିଆଗଲା? ପୁନଶ୍ଚ ଅଭିଯୋଗ ହେଉଛି, କୌଣସି ସ୍ବୀକୃତି ନ ଥାଇ ବେଆଇନ ଭାବେ ଅନେକ ନିର୍ମାଣ ଓସିଏରେ କରାଯାଇଛି। ଏହାକୁ ନେଇ କ’ଣ କହିବେ?
ଏସବୁ ଅଭିଯୋଗ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଉଠାଇଛନ୍ତି। ଏହାକୁ ନେଇ ସେମାନେ ପ୍ରମାଣ ଉପସ୍ଥାପନ କରି ତଦନ୍ତ କରିବାକୁ ଦାବି କରୁନାହାନ୍ତି କାହିଁକି? ସରକାର କ୍ରୀଡ଼ା ବିକାଶ ପାଇଁ ଯଦି କିଛି କରିବାକୁ ଚାହୁଛନ୍ତି ଏବଂ ଓସିଏ ଦ୍ୱାରା ଏହା ହୋଇପାରୁଛି, ତେବେ ଏହାକୁ ନେଇ ବାଦବିବାଦ କାହା ସ୍ୱାର୍ଥରେ ସୃଷ୍ଟି ହେଉଛି? ବାରବାଟୀ ଷ୍ଟାଡିୟମ୍‌ର ଅନେକ ନିର୍ମାଣ ବହୁତ ପୁରୁଣା ହେଲାଣି। ଦର୍ଶକଙ୍କ ଚାହିଦା ବଢୁଛି। ଏହାକୁ ଆଖି ଆଗରେ ରଖି ନୂତନ ନିର୍ମାଣ ଓ ଦର୍ଶକଙ୍କ ସ୍ଥାନ ବୃଦ୍ଧି କରିବା କ’ଣ ଆବଶ୍ୟକ ନୁହେଁ? ନିର୍ମାଣ କରିଲେ ପ୍ରଶ୍ନ ଏବଂ ନ କରିଲେ ମଧ୍ୟ ପ୍ରଶ୍ନ।

ମ୍ୟାଚ୍‌ର ଟିକେଟ୍‌ ବିକ୍ରି ଓ ପାସ୍‌ ଆବଣ୍ଟନର ସ୍ବଚ୍ଛତା ଉପରେ ବି ପ୍ରଶ୍ନ ଉଠିଛି? ସମାଲୋଚକଙ୍କୁ କ’ଣ କହିବେ?
ଟିକେଟ୍‌ ବିକ୍ରି ଓ ପାସ୍ ବଣ୍ଟନ ବ୍ୟବସ୍ଥାରେ ଆମେ କ’ଣ ସୁଧାର ଆଣିନୁ? ସଂପୂର୍ଣ୍ଣ ସ୍ବଚ୍ଛତା ଭିତ୍ତିରେ କାମ ହୋଇଛି। ଫନି ବାତ୍ୟା ସମୟରେ ଯେତେବେଳେ ବାରବାଟୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ଏବଂ ଯେଉଁପରି ଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଓସିଏ ସବୁକିଛି ନିର୍ମାଣ କରି ମାତ୍ର ଏକ ମାସ ମଧ୍ୟରେ ଏକ ଅନ୍ତର୍ଜାତୀୟ ଏକଦିବସୀୟ ମ୍ୟାଚ୍‌ ଆୟୋଜନ କରି ପ୍ରସଂଶା ସାଉଁଟିଲା ତା’ର ଶ୍ରେୟ ଆଜିର ସମାଲୋଚକମାନେ କାହିଁକି ଦେଇ ନ ଥିଲେ? ଆଜି ବି ବାରବାଟୀରେ ବହୁ ଆବଶ୍ୟକତା ରହିଛି। ତେଣୁ ମିଳିମିଶି କାମକଲେ ଏହାକୁ ଏକ ଅତ୍ୟାଧୁନିକ ଷ୍ଟାଡିୟମ୍‌ ଭାବେ ଗଢ଼ି ତୋଳିହେବ। ଖାଲି ପରସ୍ପରକୁ ଦୋଷ ଦେଲେ ହେବନି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କଟକ ଓ ବାରବାଟୀର ଗୌରବ ଅକ୍ଷୁଣ୍ଣ ରଖିବାକୁ ମିଳିମିଶି କାମ କରିବାକୁ ଆଗେଇ ଆସନ୍ତୁ।

ବିସିସିଆଇ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବ: ବ୍ରଜ ନନ୍ଦ

ବାରବାଟୀ ଅନ୍ଧାର ହେବା ପ୍ରସଙ୍ଗକୁ ନେଇ ଆପଣଙ୍କ ପ୍ରତିକ୍ରିୟା କ’ଣ?
ଛି... ଶେଷରେ ଏଭଳି ଦିନ ଆସିବ ମ୍ୟାଚ୍‌ ବେଳେ ବାରବାଟୀ ଅନ୍ଧାର ହେବ ଏବଂ ଆମର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଆମକୁ ଛି ଛାକର କରିବ!  ଏଭଳି ଘଟଣାଠାରୁ ଆଉ ବେଶୀ ଲଜ୍ଜାଜନକ କ’ଣ ହୋଇପାରେ? ମୁଁ ଭାବୁଛି ବିସିସିଆଇ ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବ। କାରଣ ପାଖାପାଖି ୩୦ ମିନିଟ୍‌ ଖେଳରେ ବ୍ୟଘାତ ହେବା ଛୋଟ ଘଟଣା ନୁହେଁ। ମ୍ୟାଚ୍‌ର ପ୍ରାୟୋଜକମାନେ ନିଶ୍ଚିତ ଚାପ ପକାଇବେ। ମୁଁ ଗୋଟିଏ କଥା କହିବାକୁ ଚାହେ, ଯେଉଁ ଗୁରୁତର ତ୍ରୁଟି କାରଣରୁ ବାରବାଟୀ ଅନ୍ଧାର ହେଲା ଏବଂ ଆମର ସମ୍ମାନହାନି ହେଲା ସେଥିପାଇଁ କମିଟି ଗଠନ ହୋଇ ଏହାର ନିରାକରଣ ପାଇଁ ପଦକ୍ଷେପ ଗ୍ରହଣ ହୋଇଛି କି? ଟିକେଟ୍‌ ବିକିବାରୁ ନେଇ ଓ ପାସ୍‌ ବାଣ୍ଟିବା ପର୍ଯନ୍ତ ସବୁଠାରେ ଅନିୟମିତତା ହୋଇଛି। ଯେଉଁ ଆଧୁନିକ ବାରବାଟୀ ନିର୍ମାଣ କଥା କହି ପୁରୁଣା ନିର୍ମାଣକୁ ଭଙ୍ଗାଯିବାର କଥା ଉଠୁଛି ସେହି ନୂଆ ନିର୍ମାଣ କେବଳ ପୁରୁଣା ପାପ ଲୁଚାଇବାକୁ ହେଉଛି। କାରଣ ଏସବୁ ପୁରୁଣା ନିର୍ମାଣ ସମୟରେ ବିଭାଗୀୟ ପଦାଧିକାରୀଙ୍କଠାରୁ କୌଣସି ଅନୁମତି ନିଆଯାଇନାହିଁ। ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ତୁଷ୍ଟୀକରଣରେ ସମସ୍ତେ ରହିଛନ୍ତି। ଅନେକ ପ୍ରମାଣ ଦିଆହୋଇଛି ଏବଂ ତଦନ୍ତ କରିବାକୁ ଦାବି ହୋଇଛି।

ଓସିଏ ନିୟମ ଉଲ୍ଲଂଘନ କରୁଛି ବୋଲି ଆପଣ କହୁଛନ୍ତି। ଏହାକୁ ନେଇ ନିର୍ଦ୍ଦିଷ୍ଟ ଅଭିଯୋଗ କ’ଣ?
ଲୋଧା କମିଟି ଗାଇଡ୍‌ଲାଇନ୍‌ ବିଭିନ୍ନ କ୍ଷେତ୍ରରେ ଉଲ୍ଲଂଘନ ହେଉଛି। କ୍ରିକେଟ୍‌ ଖେଳାଳି ସଂଘ ଆଜି ପର୍ଯ୍ୟନ୍ତ କାହିଁକି ଗଠନ ହୋଇନି? ଏହାଦ୍ୱାରା କ୍ରିକେଟ୍‌ ଖେଳାଳିଙ୍କ ପ୍ରତିନିଧି ନିର୍ବାଚିତ ହେବା କଥା। କିନ୍ତୁ ଓସିଏ ପଦାଧିକାରୀ ମନଇଚ୍ଛା ପ୍ରତିନିଧି ମନୋନୀତ କରୁଛନ୍ତି କାହା ସ୍ୱାର୍ଥରେ? ନିୟମ ଅନୁଯାୟୀ ଜଣେ ୨୫ଟି ମ୍ୟାଚ୍‌ ଖେଳିଥିଲେ କୋଚ୍‌ ହେବେ, ଏହାକୁ କୋହଳ କରିବାକୁ କାହିଁକି ପ୍ରୟାସ ହେଉଛି? ଯଦିଓ ଉତ୍ତର-ପୂର୍ବ ରାଜ୍ୟରେ ୨୫ଟି ମ୍ୟାଚ୍‌ ଖେଳିଥିବା ଖେଳାଳି ସଂଖ୍ୟା କମ୍‌, କିନ୍ତୁ ଓଡ଼ିଶାରେ ବହୁତ ଖେଳାଳି ରହିଛନ୍ତି। ତେଣୁ ଏହି ସଂଖ୍ୟା କମାଇବାକୁ ଓସିଏ ବ୍ୟଗ୍ର କାହିଁକି? ଏହାଦ୍ବାରା କାହାର କ’ଣ ଲାଭ ହେବ ତାହା ସେମାନଙ୍କୁ ଜଣା।

ରାଜ୍ୟରେ କ୍ରିକେଟ୍‌ ଖେଳାଳି ସୃଷ୍ଟି ହୋଇପାରୁନାହାନ୍ତି ବୋଲି ଆପଣ ଅଭିଯୋଗ କରୁଛନ୍ତିି। କିନ୍ତୁ ଏହାର ବାସ୍ତବତା କ’ଣ?
କ୍ରିକେଟ୍‌ର ବିକାଶ ପାଇଁ ବିଭିନ୍ନ ସ୍କୁଲ୍‌, କ୍ଲବ୍‌ ଓ କଲେଜକୁ ଓସିଏ ଯେଉଁ ଅନୁଦାନ ଦେଉଛି ସେଥିରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ହେଉଛି। ବିସିସିଆଇ ଓସିଏକୁ ଅପର୍ଯ୍ୟାପ୍ତ ଟଙ୍କା ଦେଉଛି। ରାଜ୍ୟରେ କ୍ରିକେଟ୍‌ ଖେଳାଳି ସୃଷ୍ଟି କରିବାକୁ, କିନ୍ତୁ ସେହି ଅର୍ଥ ଅଳ୍ପ କେତେକ ସ୍କୁଲ୍‌, କଲେଜ ଓ କ୍ଲବ୍‌ ଭିତରେ ବାଣ୍ଟି ଦିଆଯାଉଛି। ବର୍ଷ ବର୍ଷ ଧରି ଏପରି ଚାଲିଛି ଏବଂ ଏହାର ସମୀକ୍ଷା ହେଉନି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏହିପରି ଅନେକ ସଂସ୍ଥା ଅର୍ଥ ନେଉଛନ୍ତି ଯାହାଙ୍କର କ୍ରିକେଟ୍‌ ପଡ଼ିଆଟିଏ ନାହିଁ କିମ୍ବା ସେଠାରେ କ୍ରିକେଟ୍‌ ଖେଳାଯାଉନି। ରାଜ୍ୟରେ କେତେ ଜାତୀୟସ୍ତରର କ୍ରିକେଟ୍‌ ଖେଳାଳି ଗତ ୨୫ ବର୍ଷରେ ଓସିଏ ତିଆରି କରିଛି ତାହା ସମସ୍ତଙ୍କୁ ଜଣା। କ୍ରୀଡ଼ା ପାଇଁ ବାରବାଟୀର ବିକାଶ ହେଉନି ବରଂ ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବ୍ୟବସାୟ ବିକାଶ ହେଉଛି। ଏସବୁ ଦେଖିଲା ପରେ ବୁଝାପଡୁଛି ଅନ୍ଧକାର ଭବିଷ୍ୟତ ଭିତରେ ବାରବାଟୀ ବାଟବଣା ହେବାକୁ ବସିଲାଣି।