ସଂପ୍ରତି ‘ଏଡିଟର୍ସ ଗିଲ୍ଡ୍ ଅଫ୍‌ ଇଣ୍ଡିଆ’ର ସଂପାଦକ ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବରିଷ୍ଠ ସାମ୍ବାଦିକ ତଥା ଲେଖକ ରୁବେନ୍ ବାନାର୍ଜୀ ଓଡ଼ିଆ ଭାଷାରେ ନିଜର ୟୁଟ୍ୟୁବ୍ ଚାନେଲ୍ ଆରମ୍ଭ କରିବାକୁ ଯାଉଛନ୍ତି। ଭୁବନେଶ୍ବରରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରୁ ସାମ୍ବାଦିକତା ଆରମ୍ଭ କରିଥିବା ରୁବେନ୍‌ ପରେ ଇଣ୍ଡିଆ ଟୁଡେ, ଅଲ୍-ଜଜିରା, ହିନ୍ଦୁସ୍ତାନ୍ ଟାଇମ୍‌ସ୍‌ ଓ ଆଉଟ୍‌ଲୁକ୍ ଭଳି ନାମୀ ଗଣମାଧ୍ୟମରେ ଶୀର୍ଷ ପଦବିରେ କାର୍ଯ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ଆଧାରିତ ପୁସ୍ତକ ରଚନା କରି ସେ ଏକଦା ବେଶ୍‌ ଚର୍ଚ୍ଚାରେ ଥିବା ବେଳେ ଏହି ପୁସ୍ତକର ଦ୍ବିତୀୟ ଭାଗ ଆସନ୍ତା ନଭେମ୍ବର ମାସରେ ପ୍ରକାଶ ପାଇବାକୁ ଯାଉଛି। ଏହି ପ୍ରେକ୍ଷାପଟ୍ଟରେ ତାଙ୍କର ଚାରି ଦଶନ୍ଧିର ସାମ୍ବାଦିକତା, ଗଣମାଧ୍ୟମର ସ୍ବାଧୀନତା ସଙ୍ଗକୁ ଓଡ଼ିଶାର ରାଜନୈତକ ଚିତ୍ରକୁ ନେଇ ରୁବେନ୍ ବାନାର୍ଜୀଙ୍କ ସହିତ ଆଲୋଚନା କରିଛନ୍ତି ‘ସମ୍ବାଦ’ର ଡେପୁଟି ଏଡିଟର୍‌ (ଫିଚର୍ସ) ଧୃତିକାମ ମହାନ୍ତି ଓ ବରିଷ୍ଠ ପ୍ରତିନିଧି ବିଭୂତି ପତି।

Advertisment

ଆପଣ ନିଜର ୟୁଟ୍ୟୁବ୍ ଚାନେଲ୍‌ ‘ମୁଁ ରୁବେନ୍ କହୁଛି’ ଆରମ୍ଭ କରୁଛନ୍ତି। ବୃତ୍ତିଗତ ଜୀବନ ଆପଣ ଜାତୀୟ ଗଣମାଧ୍ୟମରେ ବିତାଇଛନ୍ତି ଏବଂ ଇଂରାଜୀରେ ସାମ୍ବାଦିକତା କରିଛନ୍ତି। ତେବେ ନିଜର ୟୁଟ୍ୟୁବ୍ ଚାନେଲ୍‌କୁ ଇଂରାଜୀ କିମ୍ବା ହିନ୍ଦୀରେ ନକରି ଓଡ଼ିଆରେ କରିବାକୁ କାହିଁକି ନିଷ୍ପତ୍ତି ନେଲେ?
୨୦୨୪ ନିର୍ବାଚନ ସମୟରେ ଜଣେ ସ୍ବାଧୀନ ତଥା ନିରପେକ୍ଷ ସାମ୍ବାଦିକ ଭାବରେ ମୁଁ ପୂରା ଓଡ଼ିଶା ଗସ୍ତ କରିଥିଲି। ଏଥିସହ ଏଠାରେ ପୂର୍ବ ସରକାର ଯେଭଳି ଭାବେ ଗଣମାଧ୍ୟମର କଣ୍ଠରୋଧ କରୁଥିଲେ, ତାହା ଦେଖି ମୋର ହୃଦ୍‌ବୋଧ ହେଲା କି ଓଡ଼ିଶାରେ ନିରପେକ୍ଷ ସାମ୍ବାଦିକତାର ସର୍ବାଧିକ ଆବଶ୍ୟକତା ରହିଛି। କାରଣ ଏଠାରେ ଗଣମାଧ୍ୟମର ସ୍ବାଧୀନତା ଉପରେ ଆକ୍ରମଣ ହେଉଛି। ଯେପରି ଆପଣଙ୍କ ଅନୁଷ୍ଠାନରେ ତତ୍କାଳୀନ ସରକାର ପୁଲିସ୍ ପୂରାଇ ଦେଇଥିଲେ। ତା’ଛଡ଼ା ମୋ ସାମ୍ବାଦିକତା ଜୀବନର ଆଦ୍ୟ ସମୟ ଏଠାରେ ବିତିଛି। ତେଣୁ ଓଡ଼ିଶା ପ୍ରତି ମୋର ବିଶେଷ ଦୁର୍ବଳତା ରହିଛି। ଏହି କାରଣରୁ ମୁଁ ଓଡ଼ିଆରେ  ୟୁଟ୍ୟୁବ୍ ଚାନେଲ୍‌ ଆରମ୍ଭ କରୁଛି। ଏହା ନିଶ୍ଚିତ ଭାବେ ଏକ ଆହ୍ବାନ। ଦେଖାଯାଉ ମୋତେ କେତେ ସଫଳତା ମିଳୁଛି। 

ଅନେକ ଖ୍ୟାତିସଂପନ୍ନ ଜାତୀୟ-ଅନ୍ତର୍ଜାତୀୟ ଗଣମାଧ୍ୟମରେ ଶୀର୍ଷପଦବିରେ ରହିବା ପରେ ଓଡ଼ିଆ ସାମ୍ବାଦିକତାକୁ ନିଜର ନୂଆ ପରିସର ଭାବେ ଚୟନ କରିବା ପଛରେ ନିର୍ଦ୍ଦିଷ୍ଟ କାରଣ ଅଛି କି?  
ଓଡ଼ିଶା ମୋ ପାଇଁ ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। ଓଡ଼ିଶାରେ ନଥିଲେ ମଧ୍ୟ ମୁଁ ସବୁବେଳେ ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଆଦି ସମସ୍ତ ପ୍ରସଙ୍ଗ ଉପରେ ନଜର ରଖିଥାଏ। ୧୯୮୭ରେ ମୁଁ ଭୁବନେଶ୍ବରରେ ଇଣ୍ଡିଆନ୍ ଏକ୍ସପ୍ରେସ୍‌ରୁ  ସାମ୍ବାଦିକତା ଆରମ୍ଭ କରିଥିଲି। ତା’ ପରେ ଏଠାରେ ଇଣ୍ଡିଆ ଟୁଡେରେ କାମ କରିଥିଲି। ପାଖାପାଖି ଦୁଇ ଦଶନ୍ଧି ଓଡ଼ିଶାର ପ୍ରତିଟି ଘଟଣା ସହ ଯୋଡ଼ିହୋଇ ରହିଛି। ଜୀବନର ପ୍ରଥମ ବହି ୧୯୯୯ ମହାବାତ୍ୟାକୁ ନେଇ ଲେଖିଛି। ତା’ପରେ ନବୀନ ପଟ୍ଟନାୟକଙ୍କ ଉପରେ ବହି ଲେଖିଲି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମୋର ‘ଏଡିଟର୍‌ ମିସିଙ୍ଗ୍’ ଓ ‘ଦି ମିଡିଆ ଇନ୍‌ ଟୁଡେଜ୍‌ ଇଣ୍ଡିଆ’ ପୁସ୍ତକରେ ଓଡ଼ିଶା ଉପରେ ଗୋଟିଏ ଦୁଇଟି ପ୍ରସଙ୍ଗକୁ ନେଇ ମୁଁ  ବିଶ୍ଳେଷଣ ଲେଖିଛି। ତେଣୁ ଦୂରରେ ରହିଲେ ମଧ୍ୟ ଓଡ଼ିଶା ସହିତ ସାମ୍ବାଦିକତା ଜରିଆରେ ସବୁବେଳେ ଯୋଡ଼ିହୋଇ ରହିଥାଏ।  

ଆପଣ ନବୀନବାବୁଙ୍କ ଉପରେ ‌ବହି ଲେଖିଛନ୍ତି ଏବଂ ଖୁବ୍‌ଶୀଘ୍ର ଏହାର ଦ୍ବିତୀୟ ଭାଗ ମଧ୍ୟ ପ୍ରକାଶିତ ହେବାକୁ ଯାଉଛି। ପ୍ରଥମେ ପ୍ୟାରୀମୋହନ ମହାପାତ୍ର ଓ ପରେ ଭି. କେ. ପାଣ୍ଡିଆନ୍‌ଙ୍କ ଭଳି କ୍ଷମତା କେନ୍ଦ୍ରମାନ ସେ ସୃଷ୍ଟି କରିଛନ୍ତି। ଯେଉଁଥିପାଇଁ ତାଙ୍କୁ କ୍ଷତି ସହିବାକୁ ବି ପଡ଼ିଛି। ଏଥିପାଇଁ କ’ଣ ସେ ଦାୟୀ ନୁହଁନ୍ତି?
ନିଶ୍ଚିତ। ନବୀନ ହିଁ ଦାୟୀ। ଇଂରାଜୀରେ ଗୋଟିଏ ପ୍ରବାଦ ରହିଛି, ‘ଦ ବକ୍‌ ଷ୍ଟପ୍‌ସ୍‌ ଉଇଥ୍ ମି’ ଅର୍ଥାତ୍‌ ଜଣେ ଯାହା କରିବ ତା’ର ପରିଣାମ ପାଇଁ ସେ ହିଁ ଦାୟୀ ରହିବ, ଅନ୍ୟକୁ ଦାୟୀ କରି ପାରିବ ନାହିଁ। ଯଦି ଏହାକୁ ଅନୁଧ୍ୟାନ କରିବା ତେବେ ସ୍ପଷ୍ଟ ଦେଖିବା ଭି. କେ. ପାଣ୍ଡିଆନ୍‌ଙ୍କ କାର୍ଯ୍ୟଶୈଳୀ ପାଇଁ ନବୀନ ହିଁ ଦାୟୀ। କିନ୍ତୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ନବୀନ ପଟ୍ଟନାୟକ ଅତ୍ୟନ୍ତ ଚତୁର ରାଜନେତା। ନିର୍ବାଚନ ହାରିବା ପରେ ମଧ୍ୟ ସେ ନିଜ ଭାବମୂର୍ତ୍ତି ଓ ଲୋକପ୍ରିୟତା ବଜାୟ ରଖିଛନ୍ତି। ଲୋକେ କହୁଛନ୍ତି ପାଣ୍ଡିଆନ୍‌ଙ୍କ ଯୋଗୁଁ ବିଜେଡି ହାରିଲା। ନବୀନଙ୍କୁ କିଏ ଦୋଷାରୋପ କରୁଛନ୍ତି କି? ଯଦି ନବୀନ ନ ଚାହିଁଥା’ନ୍ତେ ତେବେ କ’ଣ ପ୍ୟାରୀବାବୁ ଓ ପାଣ୍ଡିଆନ୍‌ ଯାହା କରୁଥିଲେ ସେସବୁ କରିପାରିଥାନ୍ତେ? ତେଣୁ ପାଣ୍ଡିଆନ୍ ଓ ପ୍ୟାରୀ ଉଭୟଙ୍କ ସୃଷ୍ଟି ପଛରେ ନବୀନ ପଟ୍ଟନାୟକଙ୍କର ପ୍ରଚ୍ଛନ୍ନ ଭୂମିକା ରହିଛି।
 
ତେବେ ଆପଣଙ୍କ ଦୃଷ୍ଟିରେ ନବୀନଙ୍କ ଦୁଇ କ୍ଷମତା କେନ୍ଦ୍ର ପ୍ୟାରୀ ଓ ପାଣ୍ଡିଆନ୍‌ଙ୍କ ମଧ୍ୟରେ ପ୍ରଭେଦ କ’ଣ?
ନବୀନ ପ୍ୟାରୀବାବୁଙ୍କୁ ପରିଚାଳିତ କରୁଥିଲେ ମାତ୍ର ପାଣ୍ଡିଆନ୍‌ ନବୀନଙ୍କୁ ପରିଚାଳିତ କରୁଛନ୍ତି। ପାଣ୍ଡିଆନ୍‌ ପ୍ରବଳ ମାତ୍ରାରେ ଉଚ୍ଚାଭିଳାଷୀ। ପ୍ୟାରୀବାବୁ  କିନ୍ତୁ ସେଭଳି ନୁହନ୍ତି। ନବୀନବାବୁ ପ୍ୟାରୀବାବୁଙ୍କୁ ବ୍ୟବହାର କରୁଥିଲେ। ସେ ପ୍ରଶଂସା ନେଉଥିଲେ, ପ୍ୟାରୀଙ୍କ ଭାଗରେ ନିନ୍ଦା ପଡ଼ୁଥିଲା। ନିଜ ସୁବିଧା ପାଇଁ ପ୍ୟାରୀ ଓ ପାଣ୍ଡିଆନ୍‌ଙ୍କ ଭଳି କ୍ଷମତାକେନ୍ଦ୍ର ନବୀନ ହିଁ ସୃଷ୍ଟି କରିଥିଲେ।

ଭି. କେ. ପାଣ୍ଡିଆନ୍‌ଙ୍କ କାର୍ଯ୍ୟଶୈଳୀ ପାଇଁ ନବୀନ ହିଁ ଦାୟୀ। କିନ୍ତୁ ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ନବୀନ ପଟ୍ଟନାୟକ ଅତ୍ୟନ୍ତ ଚତୁର ରାଜନେତା। ନିର୍ବାଚନ ହାରିବା ପରେ ମଧ୍ୟ ସେ ନିଜ ଭାବମୂର୍ତ୍ତି ଓ ଲୋକପ୍ରିୟତା ବଜାୟ ରଖିଛନ୍ତି। ଲୋକେ କହୁଛନ୍ତି ପାଣ୍ଡିଆନ୍‌ଙ୍କ ଯୋଗୁଁ ବିଜେଡି ହାରିଲା। ନବୀନଙ୍କୁ କିଏ ଦୋଷାରୋପ କରୁଛନ୍ତି କି? ଯଦି ନବୀନ ନ ଚାହିଁଥା’ନ୍ତେ ତେବେ କ’ଣ ପ୍ୟାରୀବାବୁ ଓ ପାଣ୍ଡିଆନ୍‌ ଯାହା କରୁଥିଲେ ସେସବୁ କରିପାରିଥାନ୍ତେ? 

ନଭେମ୍ବରରେ ନବୀନଙ୍କୁ ନେଇ ପ୍ରକାଶ ପାଇବାକୁ ଯାଉଥିବା ନୂତନ ପୁସ୍ତକର ମୁଖ୍ୟ ଆକର୍ଷଣ କ’ଣ ଏବଂ ରୁବେନ୍ କେଉଁ ଅଜଣା କଥା ପାଠକଙ୍କୁ ଜଣାଇବାର ପ୍ରଚେଷ୍ଟା କରିଛନ୍ତି?
ଦେଖନ୍ତୁ, ୨୦୧୭ରେ ମୁଁ ନବୀନଙ୍କ ଉପରେ ପ୍ରଥମ ବହି ଲେଖିଥିଲି ଏବଂ ତାହା ୨୦୧୮ ମସିହାରେ ପ୍ରକାଶ ପାଇଥିଲା। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି ଏବଂ ଦୁଇଟି ସାଧାରଣ ନିର୍ବାଚନ ପାର ହେଲାଣି। ଏହି ୬ ବର୍ଷ ଭିତରେ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିଛି, ବହୁତ ପରିବର୍ତ୍ତନ ହୋଇଛି। ଏହାରି ଭିତରେ ପାଣ୍ଡିଆନ୍‌ଙ୍କ ଆଗମନ ହୋଇଛି ଏବଂ ସେ ବିବାଦୀୟ ହୋଇ ସାମ୍ନାରୁ ହଟି ପଛରେ ରହି ଗୋଟିଚାଳନା କରୁଛନ୍ତି। ଏହି ନୂତନ ପୁସ୍ତକରେ ନବୀନଙ୍କ ସହ ପାଣ୍ଡିଆନ୍‌ଙ୍କ ବିଷୟରେ ବହୁତ କିଛି ଲେଖା ରହିଛି। ପାଠକଙ୍କୁ ଏହା ଭଲ ଲାଗିବ।

କେତେକ ରାଜନୈତିକ ସମୀକ୍ଷକ ମତ ଦିଅନ୍ତି, ଭି. କେ. ପାଣ୍ଡିଆନ୍‌ ଓ ବିଜେପି ମଧ୍ୟରେ କେଉଁଠି ନା କେଉଁଠି ଗୋଟିଏ ବୁଝାମଣା ରହିଛି। ଆପଣ ଏକମତ?
ବୁଝାମଣା ଯଦି ନଥାନ୍ତା ତେବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ଗଲେ କିପରି? ଲୋକସଭାରୁ ନେଇ ରାଜ୍ୟସଭାରେ ସେତେବେଳେ ବିଜେଡି ବିଜେପିକୁ କାହାର ଇଙ୍ଗିତରେ ସମର୍ଥନ ଦେଇଆସୁଥିଲା? ସେମାନେ ଏହାକୁ ଅସ୍ବୀକାର କଲେ ମଧ୍ୟ ଏହାକୁ ଆମେ ଗ୍ରହଣ କରିପାରିବୁନାହିଁ। ହଁ, ବର୍ତ୍ତମାନ ହୁଏତ ସେହି ବୁଝାମଣା ଓ ଯୋଗାଯୋଗ କମ୍‌ ବେଶୀ ହୋଇଥାଇପାରେ, ମାତ୍ର ଏହା ନିଶ୍ଚିତ ରହିଛି ଏବଂ ଚାଲିଛି।

ରେଭେନ୍‌ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନକୁ ନେଇ ଚାଲିଥିବା ବିବାଦ ଓ ବିତର୍କ ପ୍ରସଙ୍ଗରେ ଆପଣଙ୍କର ମତ କ’ଣ?
ଦେଖନ୍ତୁ ନାଁ ପରିବର୍ତ୍ତନ କରିଦେଲେ କ’ଣ ହେବ? କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ନ’ଅଙ୍କ ଦୁର୍ଭିକ୍ଷ ପ୍ରସଙ୍ଗ ନେଇ ଏହାକୁ ଉଠାଇଛନ୍ତି ତା’ର ତର୍ଜମା ହେବା ଦରକାର। ବିତର୍କ ସବୁବେଳେ ସ୍ୱାଗତଯୋଗ୍ୟ। ଆପଣ ଯଦି ମୋତେ କହିବେ ରେଭେନ୍‌ସାଙ୍କ ପ୍ରକୃତ ମୂଲ୍ୟାୟନକୁ ନେଇ ଗୋଟିଏ ବିତର୍କ ହେବା ଦରକାର ତେବେ ମୁଁ ଏହାକୁ ସମର୍ଥନ ଦେବି। କିନ୍ତୁ ଇତିହାସକୁ ନେଇ ତର୍ଜମା ଏକପାଖିଆ ନହୋଇ ପ୍ରମାଣସିଦ୍ଧ ହେବା ଆବଶ୍ୟକ। ୧୮୬୭ର ସାମାଜିକ ଓ ଆର୍ଥିକ ସ୍ଥିତିର ପ୍ରମାଣଯୋଗ୍ୟ ସମୀକ୍ଷା ହେବା ଦରକାର। ଏହା ନିଶ୍ଚିତ ଯେ ନ’ଅଙ୍କ ଦୁର୍ଭିକ୍ଷ ଟି. ଇ. ରେଭେନ୍‌ସାଙ୍କ ସମୟରେ ହୋଇଥିଲା ଏବଂ ସେତେବେଳେ ଅଧିକାଂଶ ଜମିଦାର ବଙ୍ଗାଳୀ ଥିଲେ। ସର୍ବାଧିକ ଧାନ ଚାଉଳ ବଙ୍ଗାଳୀ ଲୋକଙ୍କ ଘରେ ଥିଲା। ଏସବୁ ସତ୍ୟାସତ୍ୟକୁ ଆମକୁ ମାନିବାକୁ ପଡ଼ିବ। କିନ୍ତୁ ବିତର୍କରୁ ସବୁବେଳେ ନୂଆ ତଥ୍ୟ ମିଳିଥାଏ। ମୋ ଜାଣିବାରେ ପ୍ରାୟ ୮ ମାସ ତଳୁ ରେଭେନ୍‌ସା ବାଳିକା ବିଦ୍ୟାଳୟରେ ଧର୍ମେନ୍ଦ୍ର ଏହି ପ୍ରସଙ୍ଗ ଉଠାଇଥିଲେ, କିନ୍ତୁ କୌଣସି କାରଣବଶତଃ ଏହା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରି ନଥିଲା। ଯେହେତୁ ସେ ଜଣେ ରାଜନେତା ହୁଏତ ସେ ସର୍ବସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରି ଚର୍ଚ୍ଚାରେ ରହିବାକୁ ଏଭଳି ବିତର୍କର ଆହ୍ବାନ କରିଥାଇପାରନ୍ତି।
 
ଆଜି ତାରିଖରେ ନବୀନ ପଟ୍ଟନାୟକ ଏବଂ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ସବୁଠାରୁ ସଫଳ ରାଜନେତା। ଉଭୟଙ୍କର ଦୁର୍ବଳତା ଓ ଶକ୍ତି କ’ଣ ବୋଲି ଆପଣ ଅନୁଧ୍ୟାନ କରିଛନ୍ତି?
ନବୀନବାବୁଙ୍କର ସବୁଠାରୁ ବଡ଼ ଶକ୍ତି ହେଉଛି ନିରବତା ଏବଂ ଚୁପ୍‌ଚାପ୍‌ ସ୍ବଭାବ। ଆଉ ତାଙ୍କର ସବୁଠାରୁ ବଡ଼ ଦୁର୍ବଳତା ହେଉଛି ସେ କାହାରିକୁ ବିଶ୍ୱାସ କରନ୍ତି ନାହିଁ, ଏପରିକି ନିଜ ଛାଇକୁ ମଧ୍ୟ ନୁହେଁ। ସେହିଭଳି ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ୱର ବଡ଼ ଶକ୍ତି ହେଉଛି ସେ କଠିନ ପରିଶ୍ରମୀ ଏବଂ ତୃଣମୂଳସ୍ତରରେ ଜନସମ୍ପର୍କ ଯୋଡ଼ିବାରେ ସିଦ୍ଧହସ୍ତ। ଯଦି ତାଙ୍କ ବ୍ୟକ୍ତିତ୍ୱର ଦୁର୍ବଳତା ଦିଗ କଥା କହିବା, ତେବେ ଏହା ତାଙ୍କର  କୁହାଳିଆ ସ୍ବଭାବ ଏବଂ ସେ କେବେ କେବେ ଅସ୍ଥିର ହୋଇପଡ଼ନ୍ତି।