କେବେ ସୀମା ସୁରକ୍ଷା, କେବେ ପୁଣି ଭୋଟରଙ୍କ ସେବାରେ ସମର୍ପିତ ଏହି ଯବାନ

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ୩ୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ଶେଷ ପର୍ଯ୍ୟାୟରେ ବିହାରରେ ୫୬.୦୨ ପ୍ରତିଶତ ମତଦାନ ହୋଇଛି | ୩ୟ ପର୍ଯ୍ୟାୟରେ ୭୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଇଛି । ତେବେ ଆଜି ମତଦାନ କେନ୍ଦ୍ର ବାହାରେ ମୁତୟନ ଥିବା ଯବାନଙ୍କ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକି ଆପଣଙ୍କୁ ଗର୍ବିତ କରାଇବ |

ମତଦାନ ସମୟରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପାଇଁ କାନ୍ଧରେ ବନ୍ଧୁକ ଧରି ମୁତୟନ ହୋଇଥିଲେ ଆଇଟିବିପିର ଯବାନ | ଆଇଟିଇବିପି(ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସ)ର ଯବାନ ମାନେ ବିହାରର ମୁଜାଫରପୁରର ଏକ ମତଦାନ କେନ୍ଦ୍ର ସାମ୍ନାରେ ମୁତୟନ ହୋଇଥିବାବେଳେ କିଛି ବୟସ୍କ ଭୋଟର ଆସିଥିଲେ | ଏହି ଭୋଟରମାନଙ୍କୁ ଆଣିଥିବା ଗାଡି ପଳାଇଯାଇଥିବାବେଳେ ଭୋଟଦାନ କେନ୍ଦ୍ରରେ ଥିବା ସହାୟକମାନେ ଆସିନଥିଲେ |

photo-ani

ଏହି ଦୃଶ୍ୟ ଦେଖି ଯବାନମାନେ ତୁରନ୍ତ ଗେଟ ସାମ୍ନାକୁ ଚାଲିଯାଇ ଶତାୟୁ ଭୋଟରମାନଙ୍କୁ ନିଜେ ବୋହି ଆଣି ମତଦାନ କେନ୍ଦ୍ରରେ ପହଞ୍ଚାଇଥିଲେ | ବୟସ୍କ ଭୋଟର ମତଦାନ କରିବା ପରେ ପୁଣି ସେମାନଙ୍କୁ ଟେକି ନେଇ ଗେଟ ବାହାରେ ଛାଡି ଆସିଥିଲେ | ସୂଚନା ଥାଉ କି ଭାରତ ଓ ଚୀନ ସୀମାରେ ମୁତୟନ ହେଉଥିବା ଏହି ଯବାନ, ଶତ୍ରୁ ଯେଭଳି ଭାରତରେ ପ୍ରବେଶ ନ କରିପାରିବେ ସେଥିପାଇଁ ଦିନ ରାତି ଏକ କରି ପହରା ଦେଇଥାନ୍ତି | ସିନୋ-ଭାରତ ଯୁଦ୍ଧ ପରେ ୧୯୬୨ ମସିହାରେ ଇଣ୍ଡୋ ତିବତିଆନ ବର୍ଡ଼ର ପୁଲିସର ଗଠନ କରାଯାଇଥିଲା |

ସମ୍ବନ୍ଧିତ ଖବର