ପ୍ରଗତି ସାହୁ
ମଦ ମଣିଷକୁ ବିପଥଗାମୀ କରାଉଛି। ପାରିବାରିକ ଶାନ୍ତି ଓ ସଂପର୍କ ମଧ୍ୟରେ ପାଚେରି ଛିଡ଼ା କରାଉଛି। ସମାଜର କ୍ଷତି କରୁଛି। ଆଜିକାଲି ଏହି ଡ୍ରଗ୍ ଓ ନିଶାସେବନ ଏକ ମୁଖ୍ୟ ସମସ୍ୟା ହୋଇ ଛିଡ଼ାହୋଇଛି। ଯଦିଓ କିଛି ଦେଶରେ ଆଲ୍କହଲ ଓ ଟବାକୋ ବ୍ୟବହାର ବୈଧ ତଥାପି ଏହା ଜନସମାଜର ତଥା ନିଜ ପରିବାରର ପ୍ରଭୁତ କ୍ଷତି କରୁଛି। ପ୍ରତିବର୍ଷ ଏହା କବଳରେ ପଡ଼ି ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ତେବେ ଖାଲି ମଦ ନୁହେଁ, କୋକେନ୍ ବା ହେରୋଇନ୍ ମଧ୍ୟ ଏକପ୍ରକାର ନିଶା। ଡାକ୍ତରଙ୍କ ଦ୍ବାରା ଲିଖିତ ଔଷଧ ଯେପରିକି ଯନ୍ତ୍ରଣାନିରାମକ ଔଷଧ, ନିଦ ବଟିକା ଏବଂ ଟ୍ରାଙ୍କୁଲାଇଜର୍ ମଧ୍ୟ ସମାନ ସମସ୍ୟା ସୃଷ୍ଟି କରିପାରେ। ଦିନକୁ ଦିନ ଏହା ଏତେ ମାତ୍ରାରେ ବଢ଼ୁଛି ଯାହାକି ଏବେ ଅସହ୍ୟ ହୋଇପଡ଼ିଲାଣି। ଏହାକୁ ରୋକିବାକୁ ଯାଇ କିଛି ବର୍ଷ ପୂର୍ବେ ଦଶହରାରେ ୫୦୦ରୁ ଊର୍ଦ୍ଧ୍ୱ ମହିଳା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପୋଡ଼ାଢିହି ଗାଁରେ ଥିବା ଦେଶୀ ମଦ ଭାଟିରେ ପଶି ଭଙ୍ଗାରୁଜା କରିଥିଲେ ଏବଂ ଦେଶୀ ମଦ ଓ ମଦ ତିଆରି ସରଞ୍ଜାମରେ ନିଆଁ ଲଗାଇ ଦେଇଥିଲେ। ଏହି ମଦଭାଟି ଉଚ୍ଛେଦ ପାଇଁ ବହୁ ଦିନରୁ ଅଭିଯୋଗ ହେଉଥିଲା। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ପୁଲିସଠାରୁ ନିରାଶ ହୋଇ ସେତେବେେଳ ମହିଳାମାନେ ମଦ ଦୋକାନରେ ପଶି ଭଙ୍ଗାରୁଜା କରିଥିଲେ। ରାଜ୍ୟରେ ଏବେ ମଦ୍ୟପଙ୍କ ସଂଖ୍ୟା ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି। ଗ୍ରାମାଞ୍ଚଳଗୁଡ଼ିକ କଥା ଯଦି ଦେଖିବା ସେଠାରେ ମଧ୍ୟ ଅବସ୍ଥା ତଦ୍ରୁପ। ମଦ ନିଶାରେ ସାରା ଯୁବସମାଜ କବଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଶାରେ ମଣିଷ ନିଜର ହିତାହିତ ଜ୍ଞାନ ହରାଇବସୁଛି। ଯାହାଦ୍ବାରା ନିଜର ତଥା ନିଜ ପରିବାରର କ୍ଷତି କରିବାକୁ ପଛାଉନାହିଁ। ଏପରି କିଛି ଘଟଣା ବିଷୟରେ ନଜର ପକାଇବା...
ନିଶା ନିବାରଣ କାର୍ଯ୍ୟକ୍ରମରେ ନାରୀଙ୍କ ଭୂମିକା
ନିଶାମୁକ୍ତ ଓଡ଼ିଶା ଗଠନରେ ମହିଳାମାନଙ୍କ ଭୂମିକା ପ୍ରଶଂସାଯୋଗ୍ୟ। ସ୍ବାଧୀନତା ସଂଗ୍ରାମ, ସମାଜବାଦ ଆନ୍ଦୋଳନ, ଚାଷୀ ଆନ୍ଦୋଳନ, ନିଶା ନିବାରଣ, ଶିଶୁ ଅଧିକାର, ନାଗରିକ ସୁରକ୍ଷା ଆଦି କ୍ଷେତ୍ରରେ ଆଜୀବନ ସକ୍ରିୟ ରହି ଓଡ଼ିଶାବାସୀଙ୍କୁ ସବୁ ପ୍ରକାର ଶୃଙ୍ଖଳାରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ ମହାନ ନାରୀ ନେତ୍ରୀ ମାଳତୀ ଚୌଧୁରୀ। ବ୍ରହ୍ମପୁରର କୃଷ୍ଣପ୍ରିୟା ଦେବୀଙ୍କ ନେତୃତ୍ବରେ ପରିଚାଳିତ ମହୁରୀ ବିଦ୍ରୋହ ଆଧୁନିକ ଭାରତ ଇତିହାସର ଏକ ଉଲ୍ଲେଖନୀୟ ଘଟଣା। ଚମ୍ପାଦେବୀ, ଦିଗପହଣ୍ଡିର ଶୋଭାବତୀ ପଣ୍ଡା, ଶ୍ରୀମତୀ ସୁଭଦ୍ରାମ୍ମୀ, ହେମଲତା ସାମନ୍ତ, କିଶୋରମଣି ଦେବୀ, ଲକ୍ଷ୍ମୀ ପଣ୍ଡା ପ୍ରମୁଖ ଦେଶ ସେବା ଓ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ନିରାଶ୍ରୟ ନାରୀମାନଙ୍କର ଥଇଥାନ, ନିଶା ନିବାରଣ, ବାଲ୍ୟ ବିବାହ ଉଚ୍ଛେଦ ଆଦି କାର୍ଯ୍ୟକ୍ରମରେ ସେମାନଙ୍କ ଯୋଗଦାନ ଅଧିକ ରହିଥିଲା। ଏପରିକି କସ୍ତୁରବା ଗାନ୍ଧୀ ମଧ୍ୟ ନିଶା ନିବାରଣ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ। ବା’ ସବୁବେଳେ ଅହିଂସାକୁ ନିଜର ବ୍ରତ କରିଥିଲେ ଏବଂ ଲୋକମାନେ କିପରି ନିଶା ସେବନରୁ ଦୂରେଇ ରହିବେ ସେ ଦିଗରେ ସେମାନଙ୍କୁ ସଚେତନ ମଧ୍ୟ କରୁଥିଲେ।
ନିଶା ସେବନରେ ମହିଳାଙ୍କ ସ୍ଥିତି
କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଓଡ଼ିଶାରେ ଯୁବସମାଜ ଓ ପିଲାଙ୍କ ମଧ୍ୟରେ ମାଦକଦ୍ରବ୍ୟ ସେବନହାର ବିପଜ୍ଜନକ ଭାବେ ବଢ଼଼ୁଛି। ତଥ୍ୟ ଅନୁସାରେ ଓଡ଼ିଶାରେ ୩.୮ ପ୍ରତିଶତ ପୁରୁଷ ଓ ୧୬.୪ ପ୍ରତିଶତ ମହିଳା ମଦ୍ୟପାନ କରୁଥିବାବେଳେ ଜାତୀୟସ୍ତରରେ ଏହି ହାର ଯଥାକ୍ରମେ ୨୭.୩% ଓ ୧୪.୬%। ପରିସଂଖ୍ୟାନ ସର୍ବଦା ଠିକ୍ ନ ହେଲେ ମଧ୍ୟ ଏହି ତଥ୍ୟକୁ ଅବିଶ୍ୱାସ କରାଯାଇପାରିବ ନାହିଁ। ଆହୁରି ମଧ୍ୟ ଓଡ଼ିଶା ଦେଶର ପ୍ରଥମ ୧୦ଟି ରାଜ୍ୟ ମଧ୍ୟରେ ରହିଛି, ଯେଉଁଠି ମୋଟ୍ ୨୧ ଲକ୍ଷ ଲୋକ ମଦ୍ୟପାନ ଜନିତ ସମସ୍ୟାରୁ ମୁକ୍ତି ପାଇଁ ସହାୟତା ଲୋଡୁଛନ୍ତି। ଏଭଳି ଲୋକଙ୍କ ସଂଖ୍ୟା ଓଡ଼ିଶାରେ ୫%ରୁ ୧୦% ବୋଲି କୁହାଯାଉଛି।
ତମାଖୁ ଓ ମଦରେ ବି ମହିଳା ପଛରେ ନାହାନ୍ତି। ରାଜ୍ୟରେ ୨୬% ମହିଳା ତମାଖୁ ସେବନ କରନ୍ତି। ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬% ହୋଇଥିବାବେଳେ ଗ୍ରାମାଞ୍ଚଳରେ ୨୮% ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪% ମହିଳା ଥିବାବେଳେ ଗ୍ରାମାଞ୍ଚଳର ୪.୯% ମହିଳା ଅଛନ୍ତି। ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ ମସିହା ସୁଦ୍ଧା ଜାତୀୟ ଔଷଧ ବ୍ୟବହାର ଏବଂ ସ୍ୱାସ୍ଥ୍ୟ ସର୍ଭେରେ ଲିଙ୍ଗଗତ ପାନୀୟ ଅଭ୍ୟାସରେ ୩:୧ ଅନୁପାତ ୧:୧ର ପାଖାପାଖି ଦେଖିବାକୁ ମିଳିଥିଲା। ଉଚ୍ଚବିଦ୍ୟାଳୟ ବୟସର ବାଳିକାମାନଙ୍କ ମଧ୍ୟରୁ ୩୨% ସେମାନଙ୍କ ୨୬% ପୁରୁଷ ସାଥୀଙ୍କ ତୁଳନାରେ ଅଧିକ ମଦ୍ୟପାନ କରୁଥିବାର ଏକ ଗବେଷଣାରୁ ଜଣାପଡ଼ିଛି। ମଦ୍ୟପାନଦ୍ବାରା ମହିଳାଙ୍କଠାରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। କିଛିଜଣ ଏହାକୁ ଏକ ସୋସିଆଲ୍ ଷ୍ଟାଟସ୍ ଭାବେ ନେଉଥିବାବେଳେ କିଛି ଅସଙ୍ଗତଙ୍କ ସହ ମିଶି କିମ୍ବା କୌଣସି ମାନସିକ ଦୁଃସ୍ଥିତି ଯୋଗୁ ଏହି ଅଭ୍ୟାସରେ ପଡ଼ିଥା’ନ୍ତି। ଯାହାଦ୍ବାରା ସେମାନଙ୍କର ଶରୀର ଦୁର୍ବଳ ହେବାସହ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ। ଏଣୁ ନିଜକୁ ଏସବୁରୁ ମୁକ୍ତ ରଖିବାକୁ ହେଲେ ମହିଳାମାନେ ଖାସ୍ କରି ଗର୍ଭବତୀମାନେ ମଦ୍ୟପାନରୁ ଦୂରେଇ ରହିବା ଉଚିତ।
ମାଲକାନାଗିରିର ଜଣେ ଯୁବକ ନୂଆ ବାହାହୋଇ ନବରଙ୍ଗପୁରରେ ରହୁଥିଲା। ହେଲେ ସ୍ବାମୀକୁ ମଦ ପିଇବାକୁ ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ଉକ୍ତ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଥିଲା।
ବାଲେଶ୍ୱର ଇରା ବ୍ଲକ୍ ମିରିପୁର ଖଇରା ଗାଁରେ ଜନୈକ ବ୍ୟକ୍ତି ମଦ ନିଶାରେ ଘରକୁ ଆସି ବାପା ମା’ ଓ ଭଉଣୀଙ୍କୁ ଆକ୍ରମଣ କରିଥିଲା। ବାପା, ଭଉଣୀ ଭୟରେ ଘରୁ ପଳାଇଥିବାବେଳେ ମାଆକୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲା।
ଗତ ଜୁଲାଇ ମାସରେ ଜମିବାଡ଼ି ବିବାଦକୁ ନେଇ ବଡ଼ଭାଇକୁ ସାନଭାଇ ଭୁବନେଶ୍ବର ଉପକଣ୍ଠ ଚନ୍ଦକା ଥାନା ବିଞ୍ଝଗିରି ଜଙ୍ଗଲରେ ହତ୍ୟା କରିଥିଲା।
୨୦୨୧, ଅଗଷ୍ଟ ମାସରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବନ୍ଦର ମେରାଇନ ଥାନା ଅଧିକାରୀ ଅଜୟ ଚନ୍ଦ୍ର ମୁଦୁଲି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ନିଶାଗ୍ରସ୍ତ ଅବସ୍ଥାରେ ଆକ୍ରମଣ କରିବା ସହ କ୍ୟାମେରାକୁ ଫୋପାଡ଼ିବାକୁ ଉଦ୍ୟମ କରିଥିବା ଓ ଜନସାଧାରଣଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ହୋଇଥିଲା। ସୂଚନା ମୁତାବକ ଆଇଆଇସି ବଜ଼ାର ନିକଟରେ ନିଶାଶକ୍ତ ଅବସ୍ଥାରେ ପଡ଼ିଥିବା ବେଳେ କାର୍ଯ୍ୟରତ ସାମ୍ବାଦିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭିଡିଓ ଉତ୍ତୋଳନ କରୁଥିବାବେଳେ ସାମ୍ବାଦିକଙ୍କୁ ସେ ଆକ୍ରମଣ କରିଥିଲେ।
ମଦ ପିଇବାକୁ ମାଆ ୨୦ ଟଙ୍କା ଦେଲାନି ବୋଲି ତା’ର ଭେଣ୍ଡିଆ ପୁଅ ନିଜକୁ ରଶି ଲଗାଇ ଆତ୍ମହତ୍ୟା କରିଥିଲା।
ବାଳକାଟିସ୍ଥିତ ଏକ ଇଟାଭାଟିରେ ଜଣେ ମଦ୍ୟପ ବାପାର ବର୍ବରକାଣ୍ଡ ଲୋକଙ୍କ ଛାତି ଥରାଇ ଦେଇଥିଲା। ୩ ବର୍ଷର ରୋଗିଣା ଝିଅ ବେକକୁ ମଦୁଆ ବାପା ବ୍ଳେଡ୍ରେ କାଟି ଦେଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି।
ଢେଙ୍କାନାଳ ଜିଲ୍ଲା ବେଢ଼ାପାଳ ଗ୍ରାମରେ ଜଣେ ପୁଅ ସମ୍ପତ୍ତି ଲୋଭରେ ରୋଗୀଣା ବାପାମାଆଙ୍କୁ ମାଡ଼ମାରି ଘରୁ ବାହାର କରିଦେଲା। କିଡ୍ନି ରୋଗ ଓ ହାର୍ନିଆ ଅପରେସନ ହୋଇଥିବା ବୃଦ୍ଧ ବାପାଙ୍କୁ ପୁଅ ମଦ ନିଶାରେ ମାଡ଼ ମାରିବା ସହ ଅପରେସନ୍ ହୋଇଥିବା ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଥିବା ଅଭିଯୋଗ ହୋଇଥିଲା। ଏବେ ଅସହାୟ ବାପାମାଆ ବୃଦ୍ଧାଶ୍ରମରେ ରହୁଛନ୍ତି।