କୁଚିଣ୍ଡା: ସମ୍ବଲପୁରଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଭେଡ଼େନ୍ ନଦୀ ଦିନେ ଚିରସ୍ରୋତା ଥିଲା। ଏବେ ଜଳଧାର ପ୍ରାୟତଃ ଶୁଖିଗଲାଣି। ଭେଡ଼େନ୍ ନଦୀ ଜଳକୁ ଭରସା କରି ଧାନ ଓ ପନିପରିବା ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଗରୁ ବର୍ଷର ପ୍ରାୟ ବାରମାସ ନଦୀରେ ଜଳ ପ୍ରବାହିତ ହେଉଥିଲା। ଏବେ ମାର୍ଚ୍ଚ ପହିଲାରୁ ଶୁଷ୍କ ହୋଇପଡ଼ିଛି। ନଦୀଗର୍ଭରେ ଥିବା ବିସ୍ତୀର୍ଣ୍ଣ ବାଲୁକା ରାଶି ଚୋରି ହୋଇଯାଇଛି। ବାଲି ସରିଯିବାରୁ ସଂପୂର୍ଣ୍ଣ ନଦୀ ଏବେ ଘାସ ବଣରେ ପରିଣତ ହୋଇଛି। ଏହି ନଦୀରୁ ଜଳସେଚିତ ହୋଇ କୁଚିଣ୍ଡା ସହର ନିକଟ କହ୍ନାର, କିରାଶାସନ, ସଇଡ଼ା, ସାତକମାରେ ଡାଳୁଆ ଧାନ ଚାଷ ହୋଇଥାଏ। ମାର୍ଚ୍ଚ ପ୍ରଥମ ସପ୍ତାହରୁ ଏଭଳି ଅବସ୍ଥା ଯୋଗୁ ନଦୀ ପାଣି ଭରସାରେ ଚିନାବାଦାମ, ପୋଟଳ, ତରଭୁଜ, ମାଖନ, ବିଲାତି ଆଦି ହୋଇଥିବା ଚାଷ ନଷ୍ଟ ହେବାକୁ ବସିଲାଣି।
ଏଭଳି ସ୍ଥିତିରେ ଚାଷୀମାନେ କେମିତି ଫସଲ ବଞ୍ଚାଇବା ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ପୂର୍ବରୁ ଭେଡ଼େନ୍ ନଦୀ ଗର୍ଭରେ ଅନେକ ଗଣ୍ଡ ରହିଥିଲା। ଖରାଦିନେ ଏହି ଗଣ୍ଡଗୁଡ଼ିକରେ ୧୦ ଫୁଟ୍ ପାଖାପାଖି ପାଣି ରହୁଥିଲା। ଏବେ ନଦୀ ପାଣି ଶୁଖିବା ଯୋଗୁ ଜଳସଙ୍କଟ ସୃଷ୍ଟି ହୋଇଛି। ନଦୀରେ ପାଣି ନଥିବା ବେଳେ ବାଲି ଜାଗାରେ ଏବେ ଘାସ ଦେଖିବାକୁ ମିଳୁଛି। କିଛି ବର୍ଷ ହେବ ଏହାର ଜଳଧାରଣ ଅଞ୍ଚଳରେ ବ୍ୟାପକ ଜଙ୍ଗଲ ଧ୍ବଂସ ଓ ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଫଳରେ ବର୍ଷା ପରିମାଣ ମଧ୍ୟ କମିଛି। ୯୦ ଦଶକରେ ଉକ୍ତ ଅଞ୍ଚଳରେ ହାରାହାରି ୧୮୦୦ ମିମିରୁ ୨୨୦୦ ମିମି ବର୍ଷା ହେଉଥିଲା।
ବର୍ତ୍ତମାନ ଏହା ୧୦୦୦ ମିଲିମିଟର ପର୍ଯ୍ୟନ୍ତ କମିଯାଇଥିବା ଜଣାପଡ଼ିଛି। ୧୯୭୫/୭୬ ମସିହାରୁ ଭେଡ଼େନ୍ ନଦୀ ଉପରେ ପ୍ରସ୍ତାବିତ ଚଇତ୍ରା ଡ୍ୟାମ ପ୍ରକଳ୍ପ ନାଲିଫିତା ତଳେ ଚାପି ହୋଇରହିଛି। ବାରମ୍ବାର ଦାବି ପରେ ଦୁଇ ବର୍ଷ ତଳେ ଭେଡ଼େନ୍ ନଦୀ ଉପରେ ଜନକଡ଼ିହି, ସଇଡ଼ା, କିରାଶାସନ ଓ ବୁଢାରଜା ନିକଟରେ ଇନ୍ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ (ଆନିକଟ) କାମ ଆରମ୍ଭ ହୋଇଛି। ମନ୍ଥର ଗତିରେ କାମ ଚାଲିଥିବାରୁ ନିର୍ଦ୍ଧାରିତ ୨୦୨୫ ମେ ସୁଦ୍ଧା ସଂପୂର୍ଣ୍ଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ନଦୀର ବୁଦୁଲାପାଲିଠାରେ ପୂର୍ବରୁ ଟେଣ୍ଡର ହୋଇ ବାତିଲ ହୋଇଥିବା ଇନ୍ଷ୍ଟ୍ରିମ୍ ବ୍ରିଜ୍ କମ୍ ବ୍ୟାରେଜ୍ କେବେ ନିର୍ମାଣ ହେବ, ତାହା ମଧ୍ୟ ଅନିଶ୍ଚିତତା ଭିତରେ ରହିଛି। ଭେଡ଼େନ୍ ନଦୀରେ ପୁନଃ ଜଳଧାରଣ କ୍ଷମତା ବଢ଼ାଇବା ପାଇଁ ଜଙ୍ଗଲ ସୃଷ୍ଟି ଏକମାତ୍ର ବିକଳ୍ପ ବୋଲି କୁହାଯାଉଛି। ମାତ୍ର ଏ ଦିଗରେ ଧ୍ୟାନ ଦିଆଯାଉ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/06/UKsKSOhPwOQfXewVGyVa.jpg)