ଭାଲୁ ପାଖରେ ବସିବାର ମଜା!

ସଭିଙ୍କୁ ଜଣା ଯେ ଭାଲୁ ଏକ ଆକ୍ରାମକ ଜଙ୍ଗଲୀ ଜନ୍ତୁ; ଏହା ସହିତ ମୁହାଁମୁହିଁ ହେବାର ପରିଣାମ ଅତ୍ୟନ୍ତ ବିପଜ୍ଜନକ। ତେବେ ଆଲାସ୍କାର ମ୍ୟାକ୍‌ନିଲ୍ ରିଭର୍‌ ଵାଇଲ୍‌ଡଲାଇଫ୍ ଅଭୟାରଣ୍ୟରେ ଭାଲୁ ପାଖରେ ବସି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାର ବିରଳ ସୁଯୋଗ କିଛି ସୌଭାଗ୍ୟବାନ୍ ଲୋକଙ୍କୁ ମିଳିଥାଏ। ଏହି ଅଭୟାରଣ୍ୟରେ ଥିବା ଭାଲୁଗୁଡ଼ିକର ବିଶେଷତ୍ବ ହେଲା ସେମାନେ ମଣିଷଙ୍କ ପ୍ରତି ହିଂସ୍ର ନୁହନ୍ତି। ବିଗତ ୫୦ ବର୍ଷ ହେଲା ଏମାନେ ମଣିଷଙ୍କ ସହିତ ଶାନ୍ତିପୂର୍ଣ୍ଣ ଭାବେ ସହାବସ୍ଥାନ କରିଆସୁଛନ୍ତି। ତେଣୁ ଅଭୟାରଣ୍ୟର କର୍ତ୍ତୃପକ୍ଷ ପ୍ରତି ବର୍ଷ ଏକ ଲଟେରି ଆୟୋଜନ କରିଥାନ୍ତି। ଏହି ଲଟେରିରେ ଭାଗ ନେବା ପାଇଁ ଯେ କେହି ୩୦ ଡଲାର୍‌ ଦେଇ ନିଜର ନାମ ପଞ୍ଜୀକରଣ କରିପାରିବେ। ଲଟେରି ବିଜେତାମାନଙ୍କୁ ଅଭୟାରଣ୍ୟ ଅଭ୍ୟନ୍ତରରେ ଥିବା ଏକ କ୍ୟାମ୍ପରେ ରହିବାର ସୁଯୋଗ ମିଳିଥାଏ।

ସାହସୀମାନେ ଚିତ୍ରରେ ପ୍ରଦର୍ଶିତ ନଦୀକୂଳରେ ବସି ଭାଲୁଙ୍କୁ ଅପେକ୍ଷା କରନ୍ତି। ଏଠାକୁ ନିୟମିତ ଭାବେ କିଛି ଭାଲୁ ଆସନ୍ତି, ଏମିତିକି ଲୋକଙ୍କ ପାଖରେ ଆସି ବସିବାର ନଜିର ମଧ୍ୟ ରହିଛି। ଜନ୍ମ ସମୟରୁ ସବୁ ଭାଲୁଙ୍କର ଆଚରଣ ନିରୀକ୍ଷଣ କରାଯାଇ ଆସୁଛି। ଜଙ୍ଗଲ ଅଧିକାରୀମାନେ ସେମାନଙ୍କୁ ‘ଅର୍ବ’, ‘ବିଅର୍ଡେଡ୍‌ ଲେଡି’, ‘ସିମ୍ବା’ ଆଦି ନାମ ମଧ୍ୟ ଦେଇଛନ୍ତି। ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ପାଖରେ ବନ୍ଧୁକଧାରୀ ଗାଇଡ୍‌ ମଧ୍ୟ ଉପସ୍ଥିତ ଥାଆନ୍ତି। ଉଲ୍ଲେଖନୀୟ ଭାବେ ଭାଲୁ ସହିତ ବସିବାର ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବାର ୫୦ ବର୍ଷ ଭିତରେ ଆଜି ଯାଏଁ କୌଣସି ଭାଲୁ ଆକ୍ରମଣ ଘଟଣା ଘଟିନାହିଁ କି ଗାଇଡ୍‌ଙ୍କୁ ଭାଲୁ ଉପରେ ବନ୍ଧୁକ ଚଳାଇବାକୁ ପଡ଼ିନାହିଁ।

ସମ୍ବନ୍ଧିତ ଖବର