ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁରର ପୁରୁଣା ପ୍ରାନ୍ତ ଚତ୍ରାରେ ଅବସ୍ଥିତ କୁଡ଼ିଆ-ସଦୃଶ କୋଠରିଟି ସ୍ଥାନୀୟ ଅଞ୍ଚଳରେ ନରେଶ ସୋମଙ୍କ ଚା ଦୋକାନ ନାମରେ ସୁପରିଚିତ। ଶତାଧିକ ବର୍ଷ ହେବ ଏ ଚା ଦୋକାନକୁ ଲୋକେ ଖାଲି ଚା ପିଇବା, ଫୂର୍ତ୍ତି କରିବା କି, ଗପସପ କରି ସମୟ ବିତାଇବାକୁ ଆସନ୍ତି ନାହିଁ। ଏ ଦୋକାନର ବିଶେଷତ୍ତ୍ବ ହେଉଛି- ଏଠାରେ ଗ୍ରାହକମାନେ କେବଳ ଚା ପିଅନ୍ତିନି, ଚା ତିଆରି କରି ପରିବେଷଣ କରନ୍ତି।
ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି କନ୍ଷ୍ଟ୍ରକ୍ସନ୍ କମ୍ପାନିରୁ ଅବସର ଗ୍ରହଣ କରିଥିବା ଆଶିଷ ଚକ୍ରବର୍ତ୍ତୀ। ୧୦ ବର୍ଷ ବୟସରୁ ସେ ଏହି ଚା ଦୋକାନର ଗ୍ରାହକ। ସେ ଦୋକାନର ମାଲିକ କି, କର୍ମଚାରୀ ନ ହେଲେ ବି ସପ୍ତାହକୁ ଥରେ ଦୋକାନ ଦାୟିତ୍ବ ତୁଲାନ୍ତି। ଖାଲି ସେ ନୁହନ୍ତି, ତାଙ୍କ ପରି ଆହୁରି ୧୦ଜଣ ଗ୍ରାହକ ସପ୍ତାହଯାକ ପାଳିକରି ଏ ଦୋକାନ ଚଳାନ୍ତି।
ପ୍ରତିଦିନ ସକାଳୁ ମାଲିକ ୬୦ ବର୍ଷୀୟ ଅଶୋକ ଚକ୍ରବର୍ତ୍ତୀ ଚା ଦୋକାନ ଫିଟାଇ ଦେଇ ତାଙ୍କ ଅଫିସ୍ କାମରେ ଚାଲିଯାଆନ୍ତି। ଆଶିଷ କହନ୍ତି, ‘‘ତା’ପରେ ସେ ସନ୍ଧ୍ୟାବେଳେ ଫେରିବାଯାଏ ଆମ ଭିତରୁ ଜଣେ ଦୋକାନ ଚଳାଇବା ଦାୟିତ୍ବ ନେଉ। ସମୁଦାୟ ୧୦ଜଣ ସ୍ବେଚ୍ଛାସେବୀ ଅଛନ୍ତି ଏବଂ ସେମାନେ ପାଳିକରି ସପ୍ତାହକ ୭ ଦିନ ଦୋକାନ ଦାୟିତ୍ବ ବହନକରନ୍ତି। ସମସ୍ତେ ସ୍ବେଚ୍ଛାସେବୀ-ଗ୍ରାହକ, ତେଣୁ କେହି ପାରିଶ୍ରମିକ ନିଅନ୍ତି ନାହିଁ। ସେମାନେ ନିଜ ନିଜ ଚାକିରିରୁ ଅବସର ନେଇସାରିଛନ୍ତି ଏବଂ ପେନ୍ସନ୍ ପଇସାରେ ଚଳୁଛନ୍ତି।
ଯେଉଁ ବାେର ଯାହା ପାଳି ସେଦିନ ସେ ସକାଳ ୯ଟାରେ ପହଞ୍ଚେ ଓ ମଧ୍ୟାହ୍ନରେ ଦୋକାନ ବନ୍ଦକରି ଖାଇବାକୁ ଯାଏ। ପୁନଶ୍ଚ ଖୋଲେ ଅପରାହ୍ଣ ୩ଟା ବେଳେ। ପାଳିରେ ବି ସେମିତି ନିର୍ଦ୍ଦିଷ୍ଟତା ନ ଥାଏ। ଯାହାର ଯେଉଁଦିନ ସୁବିଧା ସେ ଆସି ଦୋକାନ ସମ୍ଭାଳେ। ଥାକ ଉପରେ ଥିବା ଗୋଟାଏ କାଠବାକ୍ସରେ ଆମେ ଟଙ୍କାପଇସା ରଖୁ। ଦୁଧ ଓ ଚିନି କିଣିବାକୁ ଆବଶ୍ୟକ ପଇସା ସେଥିରୁ ନେଉ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ଅଶୋକ ତାଙ୍କ କିରାଣି ଚାକିରିରୁ ଫେରି ଦୋକାନ ଦାୟିତ୍ବ ଗ୍ରହଣ କରନ୍ତି। ରାତି ୯ଟା ବେଳକୁ ସେ ଦୋକାନ ବନ୍ଦ କରନ୍ତି।’’
ଯେଉଁ ପୁରାତନ କୋଠାଘରେ ଏ ଚା ଦୋକାନ ଚାଲିଛି ତା’ର ମାଲିକାଣୀ ହେଉଛନ୍ତି ଲକ୍ଷୀରାଣୀ ଦାକ୍ଷୀ। ଅଶୋକ ତାଙ୍କ ଜ୍ବାଇଁ। ନରେଶଙ୍କ ଅନ୍ତେ ସେ ଦୋକାନ ଦାୟିତ୍ବ ଗ୍ରହଣ କରିଛନ୍ତି। ୫ ଫୁଟ୍ରେ ୭ ଫୁଟ୍ ଆକାରର ଏଇ ଛୋଟ ଚା ଦୋକାନ ୧୦୦ ବର୍ଷ ଭିତରେ ସାମାନ୍ୟ ବଦଳିଛି। ତାହା ହେଲା ସିଲିଂ ମରାମତି ଓ ଚୂନଧଉଳା। ତା’ ସତ୍ତ୍ବେ କାନ୍ଥରେ କଳା ଓ ଧୂଆଁ ଦାଗ ପଡୁଛି। କାରଣ ଏଠାରେ ଚା ତିଆରି ହୁଏ କୋଇଲା ଆଞ୍ଚରେ। ପୋଡ଼ାମାଟି ପିଆଲା ଓ କାଗଜ ପିଆଲାରେ ଚା ପରିବେଷଣ କରାଯାଏ। ଗୋଟାଏ ପିଆଲା ଚା ଦାମ୍ ମାତ୍ର ୫ ଟଙ୍କା। ଗ୍ରାହକମାନଙ୍କ ଚାହିଦା ଅନୁଯାୟୀ ଏଠାରେ ଚିନି ପଡ଼ିଥିବା ଓ ନ ପଡ଼ିଥିବା ଦୁଧ ଚା, କାଗେଜି ଲେମ୍ବୁ ରସ ପଡ଼ିଥିବା ବା ନ ପଡ଼ିଥିବା ନାଲି ଚା ଆଉ ମସଲା ପଡ଼ିଥିବା କବିରାଜୀ ଚା ପରିବେଷଣ କରାଯାଏ। ବୟାମ୍ଗୁଡ଼ିକରେ ଭରାଥାଏ ବିସ୍କୁଟ୍। ଦୈନିକ ପ୍ରାୟ ୨୦୦ କପ୍ ଚା ବିକ୍ରିହୁଏ।
ଏ ଚା ଦୋକାନର ସଂସ୍ଥାପକ ହେଉଛନ୍ତି ବ୍ରୁକ୍ ବଣ୍ଡ୍ ଚା କମ୍ପାନିର କର୍ମଚାରୀ ନରେଶ ଚନ୍ଦ୍ର ସୋମ। ଅଶୋକ କହନ୍ତି ଯେ ସ୍ବାଧୀନତା ସଂଗ୍ରାମୀ ହେବାକୁ ନରେଶ ଚାକିରି ଛାଡ଼ି ଦେଇଥିଲେ। ଭାରତ ସ୍ବାଧୀନ ହେବା ପରେ ନରେଶ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ। ତା’ପରେ ସେ ଦଳରୁ ବିଚ୍ଛିନ୍ନ ହୋଇ ସୃଷ୍ଟି ହୋଇଥିବା ଭାରତୀୟ କମ୍ୟୁନିଷ୍ଟ୍ ପାର୍ଟି (ମାର୍କସ୍ବାଦୀ)ରେ ଯୋଗଦେଲେ। ୧୯୯୫ ମସିହାରେ ୭୭ ବର୍ଷ ବୟସରେ ମୃତ୍ୟୁହେବା ପର୍ଯ୍ୟନ୍ତ ସେ ସେହି ଦଳର ସକ୍ରିୟ ସଦସ୍ୟ ଥିଲେ। ତାଙ୍କ ଜୀବନ ସାରା ଏ ଚା ଦୋକାନ ଥିଲା କମ୍ରେଡ୍ମାନଙ୍କ ଆଡ୍ଡା। ସେମାନେ ଏଠାରେ ଏକତ୍ର ବସି ଚା ପିଇବା ସହିତ ମତ ବିନିମୟ କରୁଥିଲେ।
ଏ ଚା ଦୋକାନର ଭବିଷ୍ୟତ ନେଇ ଅଶୋକ ଚିନ୍ତିତ। ଆଗାମୀ ପିଢ଼ି ଏ ଭରସା ଓ ବିଶ୍ବାସ ସହିତ ସଶ୍ରଦ୍ଧ ଦୋକାନ ବଞ୍ଚାଇ ରଖି ପାରିବେ କି, ନାହିଁ ସେ ସନ୍ଦିହାନ। ତାଙ୍କ ପୁଅ ଇଞ୍ଜିନିୟର୍, କିନ୍ତୁ ଏ ଦୋକାନ ପ୍ରତି ତା’ର ବିଶେଷ ଆଗ୍ରହ ନାହିଁ। ଦୋକାନର ଭବିଷ୍ୟତ ଅନିଶ୍ଚିତ ହେଲେ ବି ଅଶୋକ ଆଶା କରନ୍ତି ଏହାକୁ ବଞ୍ଚାଇ ରଖିବାକୁ ଅନ୍ୟମାନେ ନିଶ୍ଚୟ ଆଗେଇ ଆସିବେ।
ଚା ନୁହେଁ, ଏଠି ବିକ୍ରିହୁଏ ବିଶ୍ବାସ!
ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ଶ୍ରୀରାମପୁରର ପୁରୁଣା ପ୍ରାନ୍ତ ଚତ୍ରାରେ ଅବସ୍ଥିତ କୁଡ଼ିଆ-ସଦୃଶ କୋଠରିଟି ସ୍ଥାନୀୟ ଅଞ୍ଚଳରେ ନରେଶ ସୋମଙ୍କ ଚା ଦୋକାନ ନାମରେ ସୁପରିଚିତ। ଶତାଧିକ ବର୍ଷ ହେବ ଏ ଚା ଦୋକାନକୁ ଲୋକେ ଖାଲି...
/sambad/media/media_files/2025/06/22/new-proje67-2025-06-22-13-33-12.jpg)