ପୁରୀ: ଶ୍ରୀମନ୍ଦିରରେ ଆଜି ବିଳମ୍ୱିତ ରାତିରେ ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି ହୋଇଛି। ତିନି ବାଡ଼ଙ୍କ ଶୁଦ୍ଧ ସୁଆରମାନେ ଏହି ନୀତି ସଂପନ୍ନ କରିଛନ୍ତି। ଅଣସରରେ ଥିବା ମହାପ୍ରଭୁଙ୍କୁ ଆଜି ପର୍ଯ୍ୟନ୍ତ ପଣାଭୋଗ ହୋଇ ଆସୁଥିଲା। ତେବେ ଶେଷ ପଣା ଭୋଗ ଭାବେ ଆଜି ମହାପ୍ରଭୁଙ୍କୁ ସର୍ପମଣୋହି ଲାଗି କରାଯାଇଛି। ଗତକାଲି ନିଜ ଘରେ ପ୍ରସ୍ତୁତ ଖଳି ଶ୍ରୀମନ୍ଦିର ବିଜେ (ଦିବ୍ୟ ପ୍ରଲେପ) ପରେ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ସୁଆର ସେବକ ରାମଚନ୍ଦ୍ର ସୁଆର, ବଳଭଦ୍ରଙ୍କ ମୁଖ୍ୟ ସୁଆର ସେବକ ଲୋକନାଥ ସୁଆର ଓ ମା’ସୁଭଦ୍ରାଙ୍କ ମୁଖ୍ୟ ସୁଆର ସେବକ ଶ୍ରୀଧର ସୁଆର ଆଜି ତିନି ଠାକୁରଙ୍କୁ ସର୍ପ ମଣୋହି ଲାଗି କରିଥିଲେ। ସେପଟେ ବିବାହରେ ବାଧା ସୃଷ୍ଟି କରୁଥିବା କାଳସର୍ପ ଦୋଷ ଖଣ୍ଡନ ପାଇଁ ଆଜି ଅବିବାହିତ ପୁଅଝିଅମାନେ ମହାପ୍ରଭୁଙ୍କ ଶରଣ ପଶିଛନ୍ତି। ବିଶ୍ୱାସ ରହିଛି, ତିନି ଠାକୁର ଆଜି ତିନି ପ୍ରକାର ସର୍ପ ବେଶ ଧାରଣ କରିଥାନ୍ତି। ବଡ଼ ଠାକୁର ବଳଭଦ୍ର ଶୁଭ୍ର ନାଗ ଅର୍ଥାତ୍ ଶେଷ ନାଗ, ଶ୍ରୀଜଗନ୍ନାଥ କଳାନାଗ ଅର୍ଥାତ କୃଷ୍ଣସର୍ପ ଓ ମା’ ସୁଭଦ୍ରା ହଳଦିଆ ରଙ୍ଗ ଅର୍ଥାତ୍ ହଳଦୀମୁଖୀ ନାଗୁଣୀ ବେଶ ଧାରଣ କରନ୍ତି। ମହାପ୍ରଭୁଙ୍କ ସୁସ୍ଥତା ପାଇଁ ସର୍ପମଣୋହି ଲାଗି ହୋଇଥାଏ। ମହାପ୍ରଭୁଙ୍କ ଗୁପ୍ତସେବାରେ ସେବାୟତଙ୍କ ସମେତ ଦିବ୍ୟଶକ୍ତିଙ୍କର ମଧ୍ୟ ସଂପୃକ୍ତି ରହିଛି। ଦିବ୍ୟଶକ୍ତିଙ୍କୁ ଏହି ସର୍ପମଣୋହି ଦିଆଯାଇଥାଏ। ବିଶ୍ୱାସ ରହିଛି, କାଳସର୍ପ ଦୋଷ ଯୋଗୁ ପୁଅଝିଅଙ୍କ ବିବାହ ହୋଇପାରେନି। ବିବାହ ପ୍ରସ୍ତାବ ଆସିଲେ ବି ଏହି ଦୋଷ ବିବାହକୁ ଭାଙ୍ଗିଦିଏ। କାଳସର୍ପ ଦୋଷରୁ ମୁକ୍ତି ପାଇଁ ବିବାହଯୋଗ୍ୟ ପୁଅଝିଅମାନେ ଯଦି ଆଜି ମହାପ୍ରଭୁଙ୍କ ଶରଣ ପଶନ୍ତି, ତେବେ ଏହି ରିଷ୍ଟ ଖଣ୍ଡନ ହୋଇଥାଏ। ଏଣୁ ଆଜି ବହୁ ପୁଅଝିଅ ସପରିବାର ମହାପ୍ରଭୁଙ୍କ ଶରଣ ପଶି କାଳସର୍ପ ଦୋଷରୁ ମୁକ୍ତି ପାଇଁ ପ୍ରାର୍ଥନା କରିଛନ୍ତି।
ମହାପ୍ରଭୁଙ୍କୁ ସର୍ପ ମଣୋହି ଲାଗି
/sambad/media/post_attachments/wp-content/uploads/2018/07/jayjaganath-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)