ଡାକ୍ତର ଜଗନ୍ନାଥ ମହାପାତ୍ର ବୋଲି କହିଲେ ରୂପାଲି ଛକ ନିକଟ ଡାକ୍ତର ଓ ଦୁଃଖୀରଙ୍କୀଙ୍କ ଡାକ୍ତରଙ୍କୁ ବୁଝାଏ। ଯେତେବେଳେ ଦେଖିବ ତାଙ୍କ ପାଖରେ ଅନେକ ଗରିବ, ଦୁସ୍ଥ, ଦୁଃଖୀଲୋକ ଚିକିତ୍ସା ପାଇଁ ତାଙ୍କୁ ଅପେକ୍ଷା କରିଥିବେ। ତାଙ୍କ ପାଖକୁ ଯିବାକୁ କିଛି ବାରଣ ନଥାଏ। ସ୍ବାସ୍ଥ୍ୟାବସ୍ଥା ସହ ଅନ୍ୟାନ୍ୟ ବିଷୟ ପଚାରି ରୋଗୀଙ୍କୁ ନିଜର କରିପାରନ୍ତି ସେଇ ଧଳା ଆପ୍ରୋନ ପିନ୍ଧା ଡାକ୍ତର। ଘରଦ୍ୱାର, ପଇସାପତ୍ର, ଲୁଗାପଟା, ଆୟବ୍ୟୟ ସକଳ ହିସାବ ନେଇ ସବୁମନ୍ତେ ସମସ୍ତଙ୍କୁ ସେ ସାହାଯ୍ୟର ହାତ ବଢାଇ ଦିଅନ୍ତି।

Advertisment

କିଏ କହେ ଆଧୁନିକ ଚିକିତ୍ସା ବିଜ୍ଞାନ ରୋଗୀ-ଡାକ୍ତର ମଧ୍ୟରେ ଦୂରତ୍ୱ ରଖେ, ବ୍ୟାବସାୟିକ ସମ୍ପର୍କ ରଖେ? ଡା. ଜଗନ୍ନାଥ ମହାପାତ୍ର ନିଜ ସମାଜ ଓ ଯତ୍ନଶୀଳତାରେ ଆଦର୍ଶ ସୃଷ୍ଟି କରିଛନ୍ତି। ପ୍ରତି ଲୋକକୁ ଗୋଟିଏ ସ୍ୱତନ୍ତ୍ର ନାମ ଓ ପରିଚୟରେ ସେ ସମ୍ବୋଧନ କରନ୍ତି। ସେ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ପାଖରେ ଛାଡ଼ି ଯାଇଛନ୍ତି ନିଜର ଆପଣାପଣ।

‘ଜଗା ଭାଇନା’ ଜଣେ ଅଭିଜ୍ଞ ଚିକିତ୍ସକ। ଅନ୍ୟୂନ ୫୦ ବର୍ଷର ରୋଗୀ ସେବାର ଲମ୍ବା ଜୀବନ। ରୋଗୀ ସେବା ପାଇଁ କେବେ ବି ଚାକିରି ଜୀବନରେ ପ୍ରଶାସନିକ ପଦକୁ ଆଦରି ନାହାନ୍ତି। ଏହି ମାନସିକତା ବହୁ ପରିମାଣରେ ତାଙ୍କର ଅପରିସୀମ ଦକ୍ଷତାର କେନ୍ଦ୍ରବିନ୍ଦୁ ହୋଇଛି। ସେ ରୋଗୀଟିଏ ଦେଖିଦେଲେ, ସବୁ ଦୃଷ୍ଟିକୋଣରୁ ତା’ର ସମସ୍ୟା ସମାଧାନ କରିବେ ହିଁ କରିବେ। କିଏ ସାହାଯ୍ୟ ଆବଶ୍ୟକ କରିବ ବା କିଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସାହାଯ୍ୟ ପାଇଁ ଦରଖାସ୍ତ କରିବ, ସବୁ ତାଙ୍କ କଲମ ମୁନର ଗାରରେ।

ଜଣେ ଅଭିଜ୍ଞ ଲୋକପ୍ରିୟ ଭେଷଜ ବିଶେଷଜ୍ଞ ଭାବରେ ଡା. ଜଗନ୍ନାଥ ମହାପାତ୍ରଙ୍କର ବହୁ ସୁନାମ ରହିଛି। ପ୍ରତ୍ୟେକ ତାଙ୍କ ପାଖରେ ଚିକିତ୍ସିତ ହେବାକୁ ଚିନ୍ତାକରନ୍ତି। ଦୂର ଦୂରାନ୍ତରୁ ତାଙ୍କ ପାଖକୁ ରୋଗୀ ଧାଇଁ ଆସନ୍ତି। କେବଳ ଚିକିତ୍ସା ନୁହେଁ, ସେ ଯାହାକୁ ଦେଖନ୍ତି, ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ଦିଅନ୍ତି। ଥରେ ତାଙ୍କର ସଂସ୍ପର୍ଶରେ ଆସିଲେ, ଯେ କେହି ତାଙ୍କୁ ଛାଡିବେ ନାହିଁ। ସରକାରୀ ଚାକିରି ଜୀବନରେ ହେଉ କି ଅବସର ପରେ ହେଉ, ରୋଗୀ ସେବା ପାଇଁ ସେ ସମର୍ପିତ। ନେତୃତ୍ୱ ଗୋଟିଏ ଜନ୍ମଗତ ପ୍ରବୃତ୍ତି। ସଭାସମିତି ବା ଜନଗହଳିରେ ପ୍ରଥମେ ସମର୍ଥନ ବା ବିରୋଧ କରିବାର ସେ ପ୍ରଥମ ବ୍ୟକ୍ତି। କାହାକୁ ପରବାୟ ନଥାଏ। ଏହି ଅନ୍ତର୍ନିହିତ ପ୍ରବୃତ୍ତି ତାଙ୍କୁ ଜୀବନର ପ୍ରତିଟି ସ୍ତରରେ ଜଣେ ନେତା ଭାବରେ ତିଆରି କରିଛି। ସ୍କୁଲ, କଲେଜ, ମେଡିକାଲ କଲେଜ, ଚାକିରି ଜୀବନ, ଅବସରକାଳୀନ ସମୟ, ସବୁବେଳେ ଡା. ମହାପାତ୍ର ଜଣେ ନେତା। କଲେଜ ଷ୍ଟୁଡେଣ୍ଟସ୍‌ ୟୁନିୟନ, ଓଡ଼ିଶା ମେଡିକାଲ ଆସୋସିଏସନ୍‌, ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌, ଘରୋଇ ଡାକ୍ତରଖାନା ସଙ୍ଗଠନ, ସବୁଠି ଡା. ଜଗନ୍ନାଥ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌ରେ ସେ ଅନେକ ପଦ ସମ୍ଭାଳିଛନ୍ତି, ଅନେକ ପୁରସ୍କାର ଲାଭ କରିଛନ୍ତି। ଭୁବନେଶ୍ୱର ଆଇଏମ୍‌ଏ ଅନୁଷ୍ଠାନର ନିର୍ମାଣ ତାଙ୍କରି ଯୋଗୁ ସମ୍ଭବ ହୋଇଛି। ଯୁକ୍ତିସଙ୍ଗତ ବିଚାର, ସବୁରି ଗ୍ରହଣୀୟ ନିଷ୍ପତ୍ତି। ସତରେ ଜଗନ୍ନାଥ!

ଜନସେବା ତାଙ୍କର କେବଳ ଚିକିତ୍ସାକ୍ଷେତ୍ରରେ ସୀମାବଦ୍ଧ ନୁହେଁ। କୌଣସି ଦୁର୍ଘଟଣା କଥା କାନରେ ପଡ଼ିଲେ ସେଠାରେ ହାଜର ହୋଇ ପ୍ରାଥମିକ ଚିକିତ୍ସା କରନ୍ତି। ଆହତକୁ ଡାକ୍ତରଖାନାରେ ପହଞ୍ଚାଇ ଦମ୍‌ ନିଅନ୍ତି। ଏହି ମନୋଭାବରୁ ହିଁ ରେଡକ୍ରସ୍‌ ଓ ସେଣ୍ଟ ଜନ୍‌ସ ଆମ୍ବୁଲାନ୍ସର ଉଚ୍ଚପଦବିରେ ଅବୈତନିକ କାର୍ଯ୍ୟ ସମ୍ପାଦନ କରିଛନ୍ତି। ବାତ୍ୟା, ବନ୍ୟା ସବୁଠି ଜଗନ୍ନାଥ। ଘର ନିକଟ ହାଟ ଓ ସହିଦନଗର ପୂଜାମଣ୍ଡପ ବସାଇଛନ୍ତି। ବହୁ ଆଡ଼ମ୍ବରରେ ଦୁର୍ଗାପୂଜା ହୁଏ। ଓଡ଼ିଆ ପରମ୍ପରାକୁ ବଜାୟ ରଖିବାକୁ ନିଜ ଗାଁର ସକଳ ବିଧି ଏଠାରେ ହୁଏ। ନିଜପରି ବିଖ୍ୟାତ ଏହି ସହିଦନଗର ଦୁର୍ଗାପୂଜା। ଚିକିତ୍ସା ସେବା କେବେ ବି ବ୍ୟାଘାତ ହୋଇନି। ଜୀବନଟା ଜନସେବାରେ ନିୟୋଜିତ କରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପଦାରବିନ୍ଦରେ ଆଶ୍ରିତ ହେଲେ। ତାଙ୍କ ଆତ୍ମାର ସଦଗତି ଆମର ପ୍ରାର୍ଥନା।

ସମ୍ପାଦକ, ଓଡ଼ିଶା ମେଡିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ