ଓଡ଼ିଆ ଚମ୍ପୂ ‘ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା’ ହିଁ ତାଙ୍କ ଓଡ଼ିଶୀ ନୃତ୍ୟ ପାଇଁ ପ୍ରେରଣା ସାଜିଥିଲା। ଏହି ଗୀତ ଶୁଣି ‌ଦିନେ ସେ ପଣ କରିନେଇଥିଲେ ଯେ, ସେ ଓଡ଼ିଶୀ ନୃତ୍ୟ ଶିଖିବେ। ପରିବାର ଲୋକ ବି ବାରଣ କଲେନି। ମୁସଲମାନ୍‌ ହୋଇ ବି ତାଙ୍କ ମାଆ ତାଙ୍କୁ ଓଡ଼ିଶୀ ଶିଖିବାକୁ ପ୍ରୋତ୍ସାହିତ କଲେ। କାରଣ ତାଙ୍କ ପୂରା ପରିବାର ଥିଲେ ଶ୍ରୀ ଜଗନ୍ନାଥଙ୍କ ଭକ୍ତିରେ ଉଦ୍‌ବୁଦ୍ଧ। ସିମ୍‌ରନ୍‌ ଜମାନ୍‌। ବାପାଙ୍କ ନାଁ ଜମାଲ୍‌, ମାଆ ସାହିଦା ତୟାବ୍‌। ମାତ୍ର ୫ ବର୍ଷ ବୟସରୁ ସିମ୍‌ରନ୍‌ ଓଡ଼ିଶୀ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ମାଆ ଜଣେ ଗାୟିକା ଥିବାରୁ ତାଙ୍କଠାରୁ ସାଲବେଗଙ୍କ ଭଜନ ଶୁଣି ସ୍ବତଃପ୍ରବୃତ୍ତ ଭାବେ ଓଡ଼ିଆ ସଂସ୍କୃତି ଓ ଓଡ଼ିଶୀ ନୃତ୍ୟ ପ୍ରତି ମନ ବଳାଇଥିଲେ। କାରଣ ତାଙ୍କ ମାଆ ‌େକବଳ ଜଗନ୍ନାଥଙ୍କ ପାଇଁ ଭକ୍ତ ସାଲବେଗଙ୍କ ଦ୍ବାରା ରଚିତ ଭଜନ ହିଁ ଗାଆନ୍ତି। ଏପରିକି ଓଡ଼ିଆ ଘର ଭଳି ତାଙ୍କ ଘରେ ମଧ୍ୟ ସରସ୍ବତୀ ପୂଜା, ଗଣେଶ ପୂଜା ଭଳି ପର୍ବପର୍ବାଣି ଅନୁଷ୍ଠିତ ହୁଏ। ପରୀକ୍ଷା ଥିଲେ ତାଙ୍କ ମାଆ ଘରେ ଆମିଷ ରାନ୍ଧନ୍ତି ନାହିଁ। ଦିଲ୍ଲୀ ଜଗନ୍ନାଥ ମନ୍ଦିର ଓ ମନ୍ଦିର କମିଟି ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନ ସହିତ ତାଙ୍କ ପରିବାର ଆଜିକୁ ୩୦ ବର୍ଷ ହେବ ଓତପ୍ରୋତ ଭାବେ ଜଡ଼ିତ। ତେବେ ଏପରି ପରିବାର ପାଇଲେ ଓ ମହାପ୍ରଭୁଙ୍କ ଆଶୀର୍ବାଦ ଥିଲେ ଜଣେ ଜଗନ୍ନାଥଙ୍କ ଭକ୍ତିରେ ନିମଗ୍ନ ହେବା ସ୍ବାଭାବିକ।

Advertisment

 ଜଗନ୍ନାଥ ସଂସ୍କୃତି ବିଷୟରେ ସାହିଦା କହନ୍ତି, ‘‘ଆମେ ପ୍ରଥମେ ହେଉଛୁ ଓଡ଼ିଆ ଏବଂ ଆମର ପରିଚୟ ହେଉଛନ୍ତି ସ୍ବୟଂ ଜଗନ୍ନାଥ। ‌େତଣୁ ଜଗନ୍ନାଥ ସଂସ୍କୃତିର ଧର୍ମ ହିଁ ଆମ ଓଡ଼ିଆଙ୍କର ପରିଚୟ ପ୍ରଦାନ କରିଥାଏ। ଯଦିଓ ଆମେ ମୁସଲମାନ୍‌, ଆମେ ଇସ୍‌ଲାମ୍‌ ଧର୍ମକୁ ସମ୍ମାନ କରୁ, ବିଶ୍ବାସ କରୁ; କିନ୍ତୁ ଓଡ଼ିଶାର ସଂସ୍କୃତିକୁ ନେଇ, ପାଥେୟ କରି ମୁଁ ମୋ ଝିଅକୁ ଓଡ଼ିଶୀ ନୃତ୍ୟ ଶିଖିବାକୁ ପ୍ରେରଣା ଦେଇଥିଲି। ସିମ୍‌ରନ୍‌ର ଛୋଟବେଳୁ ମନରେ ଜଗନ୍ନାଥଙ୍କୁ ନେଇ ଗୋଟେ ଆବେଗ ଥିଲା। ସେ ଜଗନ୍ନାଥଙ୍କୁ ଦେଖିଲେ ଭା‌ବବିହ୍ବଳ ହେଉଥିଲା ଏବଂ ମନ୍ଦିରରେ ଖୋଦିତ ନର୍ତ୍ତକୀ ପ୍ରତିମୂର୍ତ୍ତିଙ୍କୁ ଦେଖି ‌େସ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲା। ଆଜିକୁ ୨୦ ବର୍ଷ ଧରି ସେ ମଞ୍ଚରେ ପ୍ରଥ‌େମ ଜଗନ୍ନାଥାଷ୍ଟାକମ୍‌ରୁ ହିଁ ନୃତ୍ୟ ପରିବେଷଣ ଆରମ୍ଭ କରେ।’’

ଖାଲି ଓଡ଼ିଶା କିମ୍ବା ଭାରତରେ ନୁହେଁ ବିଦେଶରେ ମଧ୍ୟ ସିମ୍‌ରନ୍‌ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାର କଳାସଂସ୍କୃତିକୁ ବିଦେଶରେ ପରିଚିତି ଦେବାର ପ୍ରଚେଷ୍ଟା ସିମ୍‌ରନ୍‌ ଜାରି ରଖିଛନ୍ତି। ଜଣେ ଓଡ଼ିଆ ଝିଅ ଭାବେ ସିମ୍‌ରନ୍‌ ସଗର୍ବ ସବୁଠି ପରିଚୟ ଦିଅନ୍ତି। ଜଗନ୍ନାଥଙ୍କଠାରେ ସମର୍ପଣ ଭାବ ରଖି ଆଜିକୁ ୨୦ ବର୍ଷ ‌ହେବ ସିମ୍‌ରନ୍‌ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଆସୁଛନ୍ତି। ଓଡ଼ିଆ ତଥା ଓଡ଼ିଶାର ସଂସ୍କୃତି, ଓଡ଼ିଶାର ପରିଚୟ ଓ ଅସ୍ମିତା ହେଉଛନ୍ତି ଶ୍ରୀ ଜଗନ୍ନାଥ, ସେ ସବୁ ଧର୍ମଠୁ ଊର୍ଦ୍ଧ୍ବରେ। ଏଣୁ ତାଙ୍କର ପ୍ରଚାରପ୍ରସାର ପାଇଁ ସିମ୍‌ରନ୍‌ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇଛନ୍ତି। ଜଗନ୍ନାଥାଷ୍ଟକମ୍‌ ପ୍ରତି ତାଙ୍କର ଓ ତାଙ୍କ ପରିବାରର ଏକ ଆବିଳତା ରହିଛି। ପ୍ରତିଦିନ ସନ୍ଧ୍ୟାରେ ତାଙ୍କ ଘରେ ଜଗନ୍ନାଥାଷ୍ଟକମ୍‌ ମନ୍ତ୍ର ଉଚ୍ଚାରିତ ହୋଇଥାଏ ବୋଲି କହନ୍ତି ସିମ୍‌ରନ୍‌ଙ୍କ ମାଆ ସାହିଦା ତୟାବ୍‌।