ମଦନମୋହନଙ୍କୁ ଛୁଇଁଲେ ବିଦେଶୀ ଭକ୍ତ

ରଥଯାତ୍ରା ସମୟରେ ମହାପ୍ରଭୁ ଓ ରଥକୁ ଛୁଇଁବା ମନା ଥିଲା। କିନ୍ତୁ ଏହାକୁ ଆଜି କେହି ମାନିନାହାନ୍ତି। କଡ଼ା ସୁରକ୍ଷା ବଳୟ ଭାଙ୍ଗି ଠାକୁର ଓ ରଥକୁ ଛୁଇଁଛନ୍ତି। ଆଜି ଜଣେ ବିଦେଶୀ ଭକ୍ତ ବି ମଦନମୋହନଙ୍କୁ ସ୍ପର୍ଶ କରିବାକୁ ପଛାଇନାହାନ୍ତି। ଶ୍ରୀମନ୍ଦିରରୁ ସିଂହଦ୍ଵାର ଦେଇ ରଥପାଖକୁ ଆସିବା ସମୟରେ ଏହି ବିଦେଶୀ ଭକ୍ତ ଜଣକ ମଦନମୋହନଙ୍କୁ ସ୍ପର୍ଶ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ନୀତିର ଭିଡିଓ ରେକର୍ଡିଂ କରୁଥିବା ବେଳେ କେଉଁ ପରିସ୍ଥିତିରେ ବ୍ୟବସ୍ଥାବଳୀର ଉଲ୍ଲଂଘନ ହେଲା ତାର ବିଧିବଦ୍ଧ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି।

Advertisment

କର୍ଡନ୍‌ ହେଲା ସାହାଣମେଲା

ରଥଯାତ୍ରା ଅବସରରେ ପୁଲିସ କର୍ଡନ୍‌ ଆଜି ପ୍ରହସନ ପାଲଟିଥିଲା। ଯେଉଁଠି କଡ଼ା ସୁରକ୍ଷା ବ୍ୟବସ୍ଥା ହେବା କଥା ସେଠି ସୁରକ୍ଷାରେ ଗଳା ବାଟ ଦେଖାଦେଇଛି। ରଥଯାତ୍ରା କର୍ଡ଼ନ୍‌ ଆଜି ସାହାଣମେଲା ପାଲଟିଛି। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ କର୍ଡନ୍‌ ପାସ୍‌ଠାରୁ ଆରମ୍ଭ କରି ବାଇକ୍‌ ପାସ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିଥିଲା। ନିର୍ଦ୍ଦିଷ୍ଟ ଭାବେ ସାମ୍ବାଦିକ, କିଛି ଅଧିକାରୀ ଓ ରଥଯାତ୍ରାରେ ସଂପୃକ୍ତ କର୍ମଚାରୀଙ୍କୁ ଏହି ପାସ୍‌ ମିଳିଥିଲା। କିନ୍ତୁ ଆଜି ମାଳମାଳ ଲୋକଙ୍କ ପାଖରେ କର୍ଡନ୍‌ ପାସ୍‌ ଥିବା ଦେଖିବାକୁ ମିଳିଥିଲା। ଅନେକ ବିନା କର୍ଡନ୍‌ ପାସ୍‌ରେ ଭିତରେ ପ୍ରବେଶ କରି ରଥଯାତ୍ରାକୁ ବିଶୃଙ୍ଖଳା କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ ପ୍ରଶାସନ ଏହା ଦେଖୁଥିଲେ ବି ଭାଇବନ୍ଧୁ କୁଟୁମ୍ବ କରି ସମସ୍ତଙ୍କୁ ଛାଡ଼ି ଦେଇଥିଲା।