ବଳରାମ ଦାସ ‘ଜଗମୋହନ ରାମାୟଣ’ର ରଚୟିତା। ଏହା ଦାଣ୍ଡିବୃତ୍ତରେ ରଚିତ। ଏଣୁ ଏହାର ଅନ୍ୟନାମ ‘ଦାଣ୍ଡି ରାମାୟଣ’। ଏହା ଓଡ଼ିଆ ଭାଷାର ପ୍ରଥମ ରାମାୟଣ। ମୂଳ ସଂସ୍କୃତ ରାମାୟଣର ଅନୁସାରୀ ହୋଇଥିଲେ ହେଁ, ଏହା ଏକ ସ୍ୱାଧୀନ ଅନୁବାଦ ରୂପେ ସ୍ୱୀକୃତ। କିନ୍ତୁ ବଳରାମ ଦାସ ଭକ୍ତଭାବରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଏପରି ସମର୍ପିତ, ଯେ ସେ ନିଜକୁ ଏହାର କବି ବୋଲି କହି ନାହାନ୍ତି। କେବଳ ତାଙ୍କ ରଚିତ ରାମାୟଣରେ ଯେ ବଳରାମ ଦାସ ଏହା କହିଛନ୍ତି, ତାହା ନୁହେଁ। ତାଙ୍କ ନାମରେ ଭଣିତ ‘ବେଦାନ୍ତସାର ଗୁପ୍ତଗୀତା’ରେ ମଧ୍ୟ ସେ ଏହା କହିଛନ୍ତି। ପୁଣି, ‘ରାମାୟଣ’ ଶ୍ରୀଜଗନ୍ନାଥଙ୍କ ନିଜ ଚରିତ ବୋଲି ମଧ୍ୟ ସେ କହିଛନ୍ତି। ତାଙ୍କର ସେହି ପଦଟି ହେଉଛି, ଶ୍ରୀଜଗନ୍ନାଥ “କବି ହୃଦୟରେ ବିଜେ କରିଥାନ୍ତି, / ଆପଣା ଚରିତ ଆପଣେ ବଖାଣନ୍ତି।”
ଏହି ‘ରାମାୟଣ’ ରଚନାର ଆଦ୍ୟରେ ବଳରାମ ଦାସ ଏହାର ରଚନାକୁ ସାର୍ଥକ କରିବାପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି- “ମୁହିଁ ବଳରାମ ଦାସ ଅଟଇ ତୋହୋର / ତୁ ଦେବ ହୃଦରେ ବସସି ମୋହୋର। / ଶ୍ରୀରାମରୂପ ଜାନକୀପତି ମୂର୍ତ୍ତି। / ସପ୍ତମ ଅବତାର ହୋଇଲେ ଶ୍ରୀପତି।ା / ରାବଣର ଦର୍ପ ଧଂସିଲେ ଯେବଣ କୃତ୍ୟେ। / ତାହା ମୁଂ ବିଚାର ରଚିବଇଂ ଗୀତେ।ା / ୟେ ଜନ୍ମ ମୋହୋର ସାର୍ଥକ କରିବି ତୋତେ ସେବି। / ଯାହା ସେ ବଖାଣ କଲା ବାଲମ୍ବିକ ମହାକବି।ା / ତାହା ସୁମରିଣ ଧଂସିବି ପାପରାଶି। / କରସି କରୁଣା ମୋତେ ନୀଳଗିରିବାସୀ।”
ତେବେ ଏହି ‘ରାମାୟଣ’ରେ ବଳରାମ ଦାସ ଆଉ ଯେଉଁ କଥାଟି କହିଛନ୍ତି, ତାହା ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ। ସେ କହିଛନ୍ତି, ଏହାର କବି ସେ ନୁହନ୍ତି; ଏହାର କବି ସ୍ୱୟଂ ଶ୍ରୀଜଗନ୍ନାଥ। ସେ କେବଳ ଲୋଭରେ ପଡ଼ି ଏଥିରେ ତାଙ୍କର ନାମ ଦେଇ ଦେଇଛନ୍ତି। ତାଙ୍କ ‘ରାମାୟଣ’ର ସେହି ସୁପ୍ରସିଦ୍ଧ ପଦ ହେଉଛି- “ଭାବଗ୍ରାହୀ ପ୍ରଭୁ ମୋତେ ଦୟା କଲେ। / ହୃଦରେ ବସି ମୋତେ ରାମାଏଣ କହିଲେ।ା / ସେ ପ୍ରଭୁ କବିତ୍ୱ ଅଛଇ ଏଥିର। / ଲୋଭେ ମୋହୋର ନାମ ଜଣାଇଲି ଗ୍ରନ୍ଥର।।”