ନୂଆଦିଲ୍ଲୀ: ଅନେକ ଲୋକ ଚାକିରି ହରାଇବା ପରେ ଚିନ୍ତାରେ ପଡ଼ି ଯାଇଥାଆନ୍ତି। କ’ଣ କରିବ‌େ କ’ଣ ନାହିଁ କିଛି ସ୍ଥିର କରି ପାରି ନଥାଆନ୍ତି। ଆମେ ଆଜି ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି ଯିଏକି ଚାକିରି ଛାଡ଼ିବା ପରେ ନିଜ ଉପରେ ଥିବା ଆତ୍ମବିଶ୍ବାସ ବଳରେ  ଜଣେ ବଡ଼ ବ୍ୟବସାୟୀ ହୋଇପାରିଛନ୍ତି।

Advertisment

ଏହି ବ୍ୟକ୍ତିଙ୍କ ନାମ ହେଉଛି ଜୟଗୁରୁ ଆଚାର ହରିନ୍ଦର। ଯାହାଙ୍କ ବୟସ ୨୬ବର୍ଷ ରହିଛି। ସେ ଏକ ପ୍ରାଇଭେଟ କମ୍ପାନିରେ ସିଭିଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ଚାକିରି ଯିବା ପରେ ଗାଈର ଗୋବର ଓ ଦୁଗ୍ଧକୁ ନେଇ ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟରୁ ହରିନ୍ଦର ବହୁତ ଲାଭ କରୁଛନ୍ତି ।

ଜୟଗୁରୁ ଆଚାର ହରିନ୍ଦର ଦକ୍ଷିଣ କନ୍ନଡ଼ ଜିଲ୍ଲାର ପୁତୁର ଅଞ୍ଚଳର ମୁଣ୍ଡୁରୁ ଗ୍ରାମରେ ରହନ୍ତି। ସେ ପୁତୁର ବିବେକାନନ୍ଦ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ। ଏହା ପରେ ସେ ମାସକୁ ୨୨୦୦୦ ଟଙ୍କା ବେତନରେ ଏକ ଘରୋଇ କମ୍ପାନିରେ କାମ କରିବା ଆରମ୍ଭ କରିଥିଲେ। ଚାକିରିରେ ତାଙ୍କ ମନ ଲାଗିଲା ନାହିଁ। ଚାଷକାମ ପ୍ରତି ତାଙ୍କର ରହିଥିଲା ଦୁର୍ବଳତା। ତାଙ୍କ ଘରେ ୧୦ ଟି ଗାଈ ଥିଲେ। ପିଲାଦିନରୁ ହରିନ୍ଦର ପଶୁମାନଙ୍କ ସହିତ ସମୟ ବିତାଉଥିଲେ।

ତେଣୁ ସେ ୨ ବର୍ଷ ପୂର୍ବେ ୨୦୧୯ ରେ ଚାକିରି ଛାଡି ଦେଇଥିଲେ। ଏହାପରେ ସେ ତାଙ୍କ ପିତାଙ୍କ ସହ ଚାଷ ଆରମ୍ଭ କରିଥିଲେ। ଆୟ ବୃଦ୍ଧି ପାଇଁ ସେ ଅନେକ ଉପାୟ ବାହାର କରିଥିଲେ। ଇଣ୍ଟରନେଟରେ ଅନେକ ଭିଡିଓ ଦେଖିବା ପରେ ହରିନ୍ଦର ପଟିଆଲା ଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେ ଏକ ମେସିନ୍ କିଣିଥିଲେ। ଏହି ମେସିନ୍ ଗାଈ ଗୋବରକୁ ଶୁଖାଇଥାଏ । ବର୍ତ୍ତମାନ ପ୍ରତି ମାସରେ ୧୦୦ବ୍ୟାଗ ଶୁଖିଲା ଗୋବର ବିକ୍ରି କରି ସେଥିରୁ ଭଲ ରୋଜଗାର କରୁଛନ୍ତି ହିରିନ୍ଦର।

ହରିନ୍ଦର ତାଙ୍କ ଅଧ୍ୟୟନ ସମୟରେ ଦୁଗ୍ଧ ଏବଂ ଏହାର ଉତ୍ପାଦନ ବୃଦ୍ଧି କରିବାର ଅନେକ ଉପାୟ ବାହାର କରିଥିଲେ । ବର୍ତ୍ତମାନ ହରିନ୍ଦରଙ୍କ ପାଖରେ ୧୩୦ଟି ଗାଈ ଅଛନ୍ତି। ହରିନ୍ଦର ପ୍ରତିଦିନ ୭୫୦ ଲିଟର କ୍ଷୀର ଏବଂ ୩୦-୪୦ ଲିଟର ଘିଅ ବିକ୍ରି କରନ୍ତି । ୧୦ ଏକରରୁ ଅଧିକ ବ୍ୟାପିଥିବା ତାଙ୍କ ଫାର୍ମହାଉସରେ ସେ ଏହି ବ୍ୟବସାୟ କରନ୍ତି । ଏହି କାରଣରୁ ସେ ପ୍ରତି ମାସରେ ୧୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।