ଜହ୍ଲାଦ କୃଷ୍ଣଗର୍ତ୍ତ

କୃଷ୍ଣଗର୍ତ୍ତ କହିଲେ ଆମେ ସାଧାରଣତଃ ଏକ ଅଦୃଶ୍ୟ ମହାଜାଗତିକ ବସ୍ତୁକୁ ବୁଝିଥାଉ। ଏହାର ବସ୍ତୁତ୍ବ ଏତେ ଅଧିକ ଯେ ତାହାର ମାତ୍ରାଧିକ ମାଧ୍ୟାକର୍ଷଣ ବଳ ଯୋଗୁଁ କୌଣସି ବସ୍ତୁ ତାହା କବଳରୁ ଖସି ଯାଇପାରେନାହିଁ, ଏପରିକି ଆଲୋକ କଣିକା ମଧ୍ୟ। ସୂଚନାଯୋଗ୍ୟ, କୌଣସି ବସ୍ତୁ ଉପରେ ଆଲୋକ ରଶ୍ମି ପ୍ରତିଫଳିତ ହୋଇ ଫେରି ଆସିଲେ ଆମେ ସଂପୃକ୍ତ ବସ୍ତୁକୁ ଦେଖିଥାଉ। ତେଣୁ କୃଷ୍ଣଗର୍ତ୍ତରୁ କୌଣସି ଆଲୋକରଶ୍ମି ଫେରି ଆସିପାରୁନଥିବାରୁ ତାହା ଆମକୁ ଦୃଶ୍ୟମାନ ନହୋଇ ଅନ୍ଧକାର ସଦୃଶ ଜଣାପଡ଼ିଥାଏ। ସେହିପରି କୌଣସି ନକ୍ଷତ୍ରର ମୃତ୍ୟୁ ଘଟିଲେ ବା ତାହା ବିଲୀନ ହେଲେ ଏକ କୃଷ୍ଣଗର୍ତ୍ତ ସୃଷ୍ଟି ହୋଇଥାଏ ବୋଲି ଆମେ ଜାଣିଛନ୍ତି। ଭୀଷଣ ମାଧ୍ୟାକର୍ଷଣ ବଳ ଯୋଗୁଁ ଏହା ସମଗ୍ର ନକ୍ଷତ୍ରର ବସ୍ତୁତ୍ବକୁ ଏକ ସଂକ୍ଷିପ୍ତ ସ୍ଥାନରେ ସଂକୁଚିତ କରି ରଖିବା ଯୋଗୁଁ ତାହାର ମାଧ୍ୟାକର୍ଷଣ ବଳ ଆହୁରି ବଢ଼ିଯାଇଥାଏ।

ତେବେ ଏହି ଅଦୃଶ୍ୟ ବସ୍ତୁଟି ଅନ୍ୟ ନକ୍ଷତ୍ରମାନଙ୍କ ପାଇଁ ଜହ୍ଲାଦ ସାଜି ସେମାନଙ୍କ ମୃତ୍ୟୁର କାରଣ ପାଲଟିଥାଏ ବୋଲି ନିକଟରେ ଜ୍ୟୋତିର୍ବିଜ୍ଞାନୀମାନେ ଅନୁଧ୍ୟାନ କରି ଜାଣିପାରିଛନ୍ତି। ଆମ ବ୍ରହ୍ମାଣ୍ଡରେ ରହିଥିବା ଛାୟାପଥମାନଙ୍କ ମଧ୍ୟରୁ ଶହେରୁ ଅଧିକ ଛାୟାପଥ ବା ଗାଲେକ୍ସିକୁ ନିରୀକ୍ଷଣ କରି ସେମାନେ ଏପରି ନିଷ୍କର୍ଷରେ ପହଞ୍ଚିପାରିଛନ୍ତି। ଏହି କୃଷ୍ଣଗର୍ତ୍ତଗୁଡ଼ିକ ନିଜ ଆଖପାଖରେ ପହଞ୍ଚୁଥିବା ନକ୍ଷତ୍ରମାନଙ୍କୁ ଗର୍ଭସ୍ଥ କରି ନିଜର ବସ୍ତୁତ୍ବ ତଥା ମାଧ୍ୟାକର୍ଷଣ ବଳ ବଢ଼ାଇ ଚାଲିଛନ୍ତି। ପୂର୍ବରୁ ବସ୍ତୁତ୍ବ ଅନୁଯାୟୀ ଦୁଇ ପ୍ରକାରର କୃଷ୍ଣଗର୍ତ୍ତ ଠାବ ହୋଇଥିଲେ। ଗୋଟିଏ ଶ୍ରେଣୀ କୃଷ୍ଣଗର୍ତ୍ତର ବସ୍ତୁତ୍ବ ସୂର୍ଯ୍ୟ ବସ୍ତୁତ୍ବର ୫ରୁ ୩୦ ଗୁଣ ହୋଇଥିବା ବେଳେ ଛାୟାପଥମାନଙ୍କର ମଧ୍ୟଭାଗରେ ରହୁଥିବା ଅତିଭାରୀ କୃଷ୍ଣଗର୍ତ୍ତମାନଙ୍କର ବସ୍ତୁତ୍ବ ସୂର୍ଯ୍ୟ ବସ୍ତୁତ୍ବର କୋଟି କୋଟି ଗୁଣ ବୋଲି ଧରାଯାଇଥାଏ। ତେବେ ସଦ୍ୟ ଗବେଷଣାରୁ ଏହି ଦୁଇ ଶ୍ରେଣୀ ମଧ୍ୟରେ ଏକ ମଧ୍ୟବର୍ତ୍ତୀ କୃଷ୍ଣଗର୍ତ୍ତର କଳ୍ପନା କରାଯାଇଛି ଯାହା ଆଖପାଖର ନକ୍ଷତ୍ରମାନଙ୍କୁ ଶୋଷିନେଇ ସେମାନଙ୍କର ମୃତ୍ୟୁ ଘଟାଇବା ସହ ନିଜର ବସ୍ତୁତ୍ବ ବୃଦ୍ଧି ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର