କରୋନା ପ୍ରଭାବ: ସଚେତନତାର ବର୍ତ୍ତାବହ ସାଜିବାକୁ କେରଳ କଏଦୀଙ୍କ ନିଆରା ପ୍ରୟାସ

ତିରୁବନନ୍ତପୁରମ୍: ଦେଶରେ ଏବେ ଲୋକମାନଙ୍କ ମନରେ କରୋନା ଭାଇରସକୁ ନେଇ ଭୟ ସୃଷ୍ଟି ହୋଇଛି। ଦିନକୁ ଦିନ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲୋକଙ୍କୁ ଚିନ୍ତାରେ ପକାଇଥିବା ବେଳେ ବଜାରରେ ଫେସ୍ ମାସ୍କ ଓ ସାନିଟାଇଜର ନମିଳୁଥିବାରୁ ଲୋକେ ଏବେ ବ୍ୟସ୍ତ ‌ହୋଇପଡ଼ୁଥିବା ଦେଖାଯାଇଛି। ତେବେ ଦେଶରେ ଏବେ ଫେସ୍ ମାସ୍କର ଅଭାବ ଦେଖିବାକୁ ମିଳୁଥିବା ବେଳେ କେରଳରେ କଏଦୀମାନେ କରିଥିବା କାମ ଏବେ ଚର୍ଚ୍ଚାର ବିଷୟ ପ‌ାଲଟିଛି। କେରଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦେଖି ମାସ୍କର ଅଭାବ ଦେଖାଯାଉଥିବାରୁ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି ଜେଲରେ ବନ୍ଦୀଥିବା କଏଦୀ। କେରଳ ଜେଲରେ ଥିବା ଟେଲରିଂ ୟୁନିଟ୍ ଗୁଡ଼ିକ ମାସ୍କ ତିଆରି କରି ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି।

ସୂଚନା ମୁତାବକ, ବର୍ତ୍ତମାନ ତିରୁବନନ୍ତପୁରମ୍, କନ୍ନୁର ଏବଂ ଭିୟୁୟୁର କେନ୍ଦ୍ରୀୟ କାରାଗାରରେ ସିଲେଇ ୟୁନିଟ୍ ଫେସ୍ ମାସ୍କ ଉତ୍ପାଦନ ଆରମ୍ଭ କରିଛି ଏବଂ ଅନ୍ୟ ଜେଲଗୁଡିକ ଖୁବ୍ ଶୀଘ୍ର ଏହାକୁ ଅନୁସରଣ କରିବ ବୋଲି ଜଣା ପଡ଼ିଛି। ଏକ ଫେସବୁକ୍ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, ରାଜ୍ୟ ଏବେ ବିଶ୍ୱ ମହାମାରୀର ସମ୍ମୁଖୀନ ହେଉଥିବାରୁ ଜେଲର ଅନ୍ତେବାସୀମାନେ ଏହି ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ ହାତ ମିଳାଇଛନ୍ତି। କରୋନାଭାଇରସର ସଂକ୍ରମଣ ବଢ଼ିବା ପରେ କେରଳରେ ଏବେ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜରର ଅଭାବ ଦେଖାଯାଇଛି। କେରଳରେ ଏହି ରୋଗ ଆରମ୍ଭ ହେବା ପରଠାରୁ ରାଜ୍ୟ କରୋନାଭାଇରସର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇଛି।

ଗତ ସପ୍ତାହରେ, କରୋନାଭାଇରସ୍ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ କେରଳ ସରକାର କେରଳ ଷ୍ଟାର୍ଟଅପ୍ ମିଶନ୍ ସହ ସହଭାଗିତାରେ ଏକ ମୋବାଇଲ୍ ଆପ୍ ଲଞ୍ଚ କରିଥିଲେ। କରୋନାଭାଇରସକୁ ନେଇ ସଠିକ୍ ସୂଚନା ପ୍ରଦାନ କରିବା ଆପର ଉଦ୍ଦେଶ୍ୟ ହୋଇଥିବା ବେଳେ କରୋନାଭାଇରସ୍ ସମ୍ବନ୍ଧରେ ବିଭିନ୍ନ ଗୁଜବ ଆସୁଥିବାରୁ ଏହି ଆପକୁ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର