ଜୟପୁର: ଛୋଟ କାଶୀ ନାମରେ ଜଣାଶୁଣା ଜୟପୁରରେ ଏକ ଅଜବ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। କଳିଯୁଗର ମୀରା ରୂପୀ ପୂଜା ସିଂ ଏପରି କାର୍ଯ୍ୟ କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜନୀତି ବିଜ୍ଞାନରେ ଏମଏ କରିଥିବା ପୂଜା ସିଂ ଭଗବାନ ବିଷ୍ଣୁଙ୍କୁ ବିବାହ କରିବା ଖବର ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିବାହରେ ଗଣେଶ ପୂଜା ଠାରୁ ଆରମ୍ଭ କରି ମେହେନ୍ଦୀ, ସଙ୍ଗୀତ ଏବଂ ସାତ୍ ଫେରା ପର୍ଯ୍ୟନ୍ତ ସମସ୍ତ ରୀତିନୀତି କରାଯାଇଥିବା ଜଣାପଡ଼ିଛି। ବର ଭାବେ ସଜ କରାଯାଇ ଭଗବାନ ବିଷ୍ଣୁଙ୍କୁ ମନ୍ଦିରରୁ ପୂଜା ସିଂଙ୍କ ଘରକୁ ଅଣାଯାଇଥିଲା ଏବଂ ପରେ ମନ୍ତ୍ର ଜପ କରିବା ସହିତ ସାତ୍ ଫେରା ହୋଇଥିଲା।
ସୂଚନା ମୁତାବକ, ଡିସେମ୍ବର ୮ରେ ପୂଜା ଭଗବାନ ବିଷ୍ଣୁଙ୍କୁ ବିବାହ କରିଥିଲେ। ବିବାହ ପାଇଁ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଇଥିଲା। ହଳଦୀ ଓ ମେହନ୍ଦୀ ପରେ ପୂଜା କନ୍ୟା ବେଶରେ ସଜ ହୋଇଥିଲେ। ଭଗବାନ ବିଷ୍ଣୁଙ୍କୁ ବର ବେଶରେ ସଜ କରାଯାଇ ପୂଜାଙ୍କୁ ଅଣାଯାଇଥିଲା। ସେଠାରେ ୩୧୧ବରଯାତ୍ରୀ ତାଙ୍କୁ ସ୍ବାଗତ କରିଥିଲେ। ବର ପହଞ୍ଚିବା ପରେ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ସହ ପୂଜା ନିଜ ମଥାରେ ନିଜେ ଚନ୍ଦନ ଭରିଥିଲେ ବୋଲି ଜଣାପଡ଼ିଛି। ନିୟମ ଅନୁଯାୟୀ ବର କନ୍ୟା ମଥାରେ ସିନ୍ଦୂର ଭରିବା କଥା। ହେଲେ ଏହି ବିବାହରେ ପୂଜା ନିଜେ ଏହି କାମ କରିଥିଲେ। ସେ ସିନ୍ଦୂର ବଦଳରେ ଚନ୍ଦନ ଲଗାଇଥିଲେ।