ଆନ୍ତର୍ଜାତିକ ସାମୁଦ୍ରିକ ପରିବହନ ବ୍ୟୁରୋର ବାର୍ଷିକ ରିପୋର୍ଟ ମୁତାବକ ୨୦୨୩ ମସିହାରେ ଜଳଦସ୍ୟୁଙ୍କ ଦ୍ବାରା୧୨୦ଟି ଜାହାଜରେ ସଶସ୍ତ୍ର ଡକାୟତି ହୋଇଥିଲା। ୨୦୨୨ରେ ଏହି ସଂଖ୍ୟା ଥିଲା ୧୧୫। ଦିନକୁ ଦିନ ଜଳଦସ୍ୟୁ ଆକ୍ରମଣଜନିତ ବିପଦ ବଢ଼ି ବଢ଼ି ଚାଲିଛି। ଏହାକୁ ନିୟନ୍ତ୍ରଣ କରିବା ପ୍ରତ୍ୟେକ ରାଷ୍ଟ୍ର ପାଇଁ ଏକ ଆହ୍ବାନ ପାଲଟିଛି। ଭାରତ ମହାସାଗରୀୟ ଅଞ୍ଚଳରେ ବି ଜଳଦସ୍ୟାଙ୍କୁ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଯାହା ଭାରତ ଲାଗି ଚିନ୍ତାର ବିଷୟ।
ଗତ ମାର୍ଚ୍ଚ ମାସରେ ଭାରତୀୟ ନୌସେନାର ଯୁଦ୍ଧପୋତ ଉପରେ ସୋମାଲିଆ ଜଳଦସ୍ୟୁମାନଙ୍କର ଆକ୍ରମଣ ଘଟଣା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୋମାଲୀୟ ଜଳଦସ୍ୟୁ ବୁଲ୍ଗେରିଆର ମାଲବାହୀ ଜାହାଜ ଏମ୍.ଭି.ରୁଏନ୍କୁ ଅପହରଣ କରି ଜାହାଜ ଓ ନାବିକମାନଙ୍କର ମୁକ୍ତି ପାଇଁ ୬ କୋଟି ଡଲାର୍ ଦାବିକଲେ। ଏହାକୁ ପ୍ରତିହତ କରିବା ଲାଗି ଭାରତୀୟ ନୌସେନାର ଯୁଦ୍ଧପୋତ ଆଇ.ଏନ୍.ଏସ୍. କୋଲ୍କାତା ୪୦ ଘଣ୍ଟାର ଅଭିଯାନ ଚଳାଇ ୧୭ଜଣ ନାବିକଙ୍କୁ ମୁକ୍ତକଲେ ଏବଂ ଜଳଦସ୍ୟୁମାନଙ୍କୁ ଗିରଫ କଲେ। ୩୫ଜଣ ଜଳଦସ୍ୟୁଙ୍କୁ ମାର୍ଚ୍ଚ ୨୫ ତାରିଖରେ ମୁମ୍ବାଇ ପୋଲିସ ଅଦାଲତରେ ହାଜର କରାଇଲେ। ମାତ୍ର ଏହି ଜଳଦସ୍ୟୁମାନେ ନିଜକୁ ନାବାଳକ ଦର୍ଶାଇ ଆଇନ ପଞ୍ଝାରୁ ଖସିଯିବାକୁ ଅପଚେଷ୍ଟା କରିଥିଲେ।
ଜଳଦସ୍ୟଙ୍କୁ ଦମନ ଲାଗି ଆଇନ
୨୦୧୩ ମସିହାରେ କ୍ୟାପଟେନ୍ ଫିଲିପ୍ସ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ୨୦୦୯ରେ ସଂଘଟିତ ମର୍ସକ୍ ଆଲବାମା ଜାହାଜ ଅପହରଣ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟିରେ ନୌବାଣିଜ୍ୟ ନିରାପତ୍ତା ପାଇଁ ଆଇନକୁ ସୁଦୃଢ଼ କରିବା ଯେ କେତେ ଜରୁରି, ତାହା ଦର୍ଶାଯାଇଥିଲା।
ପ୍ରଥମ ବିଶ୍ୱଯୁଦ୍ଧ ପରେ ଜଳଦସ୍ୟୁଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନେକ ଅନ୍ତର୍ଜାତୀୟ ଆଇନ ପ୍ରଣୀତ ହୋଇଛି। ୧୯୫୮ମସିହାରେ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନକୁ ନେଇ ଜାତିସଂଘ ପକ୍ଷରୁ ଆୟୋଜିତ ପ୍ରଥମ ସମ୍ମିଳନୀରେ ଏକ ରାଜିନାମା ଗୃହୀତ ହୋଇଥିଲା। ଏହି ରାଜିନାମାର ଧାରା ୧୪ରେ ସାମୁଦ୍ରିକ ଡକାୟତିକୁ ଦମନ କରିବା ସକାଶେ ପୂର୍ଣ୍ଣ ରୂପେ ସହଯୋଗ କରିବା ସମସ୍ତ ରାଷ୍ଟ୍ରଙ୍କର କର୍ତ୍ତବ୍ୟ ବୋଲି ଉଲ୍ଲେଖ କରାଯାଇଥିଲା। ଏ ପ୍ରସଙ୍ଗରେ ନୌସେନା ପଦାଧିକାରୀ ରିତେଶ ପରିଡ଼ା କହନ୍ତି, “୧୯୮୨ ମସିହାର ସାମୁଦ୍ରିକ ଆଇନ ସମ୍ପର୍କିତ ମିଳିତ ଜାତିସଂଘ ସମ୍ମିଳନୀରେ ସ୍ୱୀକୃତ ରାଜିନାମା ଧାରା ୧୦୦, ଧାରା ୧୦୭ ଏବଂ ଧାରା ୧୧୦ ଅନୁଯାୟୀ ସାମୁଦ୍ରିକ ଡକାୟତିକୁ ନିୟନ୍ତ୍ରଣ କରିବା ସକାଶେ ଏକ ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଗଲା। ୧୯୮୮ ମସିହାରେ ସାମୁଦ୍ରିକ ନୌପରିବହନ ସମୟରେ ସଶସ୍ତ୍ର ଡକାୟତି ଓ ଅପହରଣ ଭଳି ବେଆଇନ କାର୍ଯ୍ୟର ଦମନ ଲାଗି ରାଜିନାମା ଏବଂ ନିୟମାବଳୀ ପ୍ରସ୍ତୁତ କରିବା ପାଇଁ ଆଇନଗତ ଢାଞ୍ଚା ବ୍ୟବସ୍ଥା ଥିବା ଆଉ ଦୁଇଟି ଆନ୍ତର୍ଜାତିକ ଦଲିଲ ପ୍ରସ୍ତୁତ ହୋଇଛି। ମାତ୍ର ଏହାର କାର୍ଯ୍ୟକାରିତା ଓ ସଫଳତାକୁ ନେଇ ପ୍ରଶ୍ନ ଉଠିଛି।”
ଏ ପ୍ରସଙ୍ଗରେ ମେରାଇନ୍ ଇଂଜିନିୟର୍ ଚିତ୍ତରଂଜନ ପଣ୍ଡା କହନ୍ତି, “ଜଳଦସ୍ୟୁମାନଙ୍କ ମଧ୍ୟରୁ ୮ଜଣ ଅଦାଲତରେ ଦାବି କଲେ ଯେ ସେମାନେ ନାବାଳକ। ଅଦାଲତ ଏହି ଜଳଦସ୍ୟୁମାନଙ୍କ ବୟସ ଯାଞ୍ଚ କରିବାକୁ ଡାକ୍ତରୀ ପରୀକ୍ଷା କରାଇଲେ। ପରୀକ୍ଷାରୁ ଜଣାପଡ଼ିଲା ଯେ, ୮ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କର ବୟସ ୨୧ବର୍ଷ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କ ବୟସ ୧୯ ବା ୨୦ ବର୍ଷ। ଜଳଦସ୍ୟୁମାନଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଅପହରଣ, ବଳପୂର୍ବକ ଅର୍ଥ ଆଦାୟ ଏବଂ ବେଆଇନ ଭାବେ ଏକତ୍ର ହେବାର ଦଫା ଲଗାଯାଇଛି। ଏହା ହେବ ଭାରତ ଦ୍ୱାରା ପ୍ରଣୀତ ନୂଆ ସାମୁଦ୍ରିକ ଜଳଦସ୍ୟୁ ନିରୋଧୀ ଆଇନ, ୨୦୨୨ ଆଧାରିତ ପ୍ରଥମ ମୋକଦ୍ଦମା।”
ଗିରଫ ହେବା ପରେ ନିଜକୁ ନାବାଳକ ବୋଲି ଦାବି କରିବା ଜଳଦସ୍ୟୁମାନଙ୍କ ସୁଚିନ୍ତିତ ଚାଲ୍। ଦାରିଦ୍ର୍ୟ, ଅପପୁଷ୍ଟି ଏବଂ ଦୁର୍ବଳ ଶାରୀରିକ ବିକାଶ ଯୋଗୁଁ ସୋମାଲୀୟଙ୍କର ଦାନ୍ତ ଓ ହାଡ଼ ବଳିଷ୍ଠ ହୋଇ ବଢ଼ିପାରେ ନାହିଁ। ଏହାର ସୁଯୋଗ ନେଇ ଧରାପଡୁଥିବା ଅନେକ ଜଳଦସ୍ୟୁ ନିଜକୁ ନାବାଳକ ବୋଲି ଦାବି କରି ବିଭିନ୍ନ ଦେଶରୁ ମୁକ୍ତି ପାଇଯାଉଛନ୍ତି। ଅନ୍ୟପକ୍ଷରେ ଦାରିଦ୍ର୍ୟ, ବେକାରି, ଖାଦ୍ୟାଭାବ କାରଣରୁ ସୋମାଲିଆରୁ ଅଧିକାଂଶ କିଶୋର ଓ ଯୁବକ ଜଳଦସ୍ୟୁ ବୃତ୍ତିକୁ ଆପଣାଉଛନ୍ତି। ଜଳଦସ୍ୟୁ କାର୍ଯ୍ୟରେ ଅର୍ଥ ଲଗାଉଥିବା ମାଫିଆମାନଙ୍କ ଦଳରେ ସାମିଲ ହେବାକୁ ବାଧ୍ୟ ହେଉଛନ୍ତି। ସାମୁଦ୍ରିକ ଡକାୟତିର ମୁଖ୍ୟ କାର୍ପଟଦାର ଏବଂ ଜଳଦସ୍ୟୁମାନଙ୍କୁ ଅର୍ଥ ଯୋଗାଉଥିବା ମାଫିଆମାନେ ଅନେକ କ୍ଷେତ୍ରରେ ଜୋର୍ ଜବରଦସ୍ତ ନାବାଳକମାନଙ୍କୁ ଦଳରେ ସାମିଲ କରିଥାଆନ୍ତି। ଅନ୍ୟପକ୍ଷରେ, ଅନେକେ ଦାରିଦ୍ର୍ୟ ଓ କ୍ଷୁଧାରୁ ମୁକ୍ତି ପାଇବା ପାଇଁ ସ୍ୱଇଚ୍ଛାରେ ଜଳଦସ୍ୟୁମାନଙ୍କ ଦଳରେ ସାମିଲ ହୋଇଥାଆନ୍ତି। ଜଳଦସ୍ୟୁମାନଙ୍କୁ ଅର୍ଥ ଯୋଗାଉଥିବା ମାଫିଆମାନଙ୍କୁ ଅଦାଲତ ଦଣ୍ଡବିଧାନ କରିପାରିବା ସକାଶେ ବ୍ୟବସ୍ଥା କରାଯିବା ଏକାନ୍ତ ଜରୁରି।