ଭାରତୀୟ ସ୍ବାଧୀନତା ସଂଗ୍ରାମର ଏକ ଐତିହାସିକ ମୋଡ଼ ଥିଲା ଜାଲିଆନୱାଲାବାଗ ଗଣହତ୍ୟା ଘଟଣା। ୧୯୧୯ ମସିହା ଏପ୍ରିଲ୍‌ ୧୩ ତାରିଖରେ ପଞ୍ଜାବର ଅମୃତସର ଅନ୍ତର୍ଗତ ଜାଲିଆନଵାଲାବାଗରେ ପବିତ୍ର ବୈଶାଖୀ ଉତ୍ସବ ଅବସରରେ ଲୋକେ ଏକତ୍ରିତ ହୋଇଥିଲେ। ବ୍ରିଟିସ୍‌ଙ୍କ ଦୃଷ୍ଟିରେ ଏହା ଥିଲା ଏକ ରାଜନୈତିକ ସମାବେଶ। ଏ ସମ୍ପର୍କରେ ଜାଣିବା ପରେ ପଞ୍ଜାବର ଲେଫ୍‌ଟନାଣ୍ଟ୍‌ ଗଭର୍ନର‌୍‌ ମାଇକେଲ୍‌ ଓ’ଡାୟର‌୍‌ ଉତ୍‌କ୍ଷିପ୍ତ ହୋଇଉଠିଥିଲେ ଏବଂ ‘ଭାରତୀୟଙ୍କୁ ଭଲ କରି ପାନେ ଦିଅ’ ବୋଲି ସେ ଅଧସ୍ତନ କର୍ମଚାରୀ କର୍ନେଲ୍‌ ରେଜିନାଲ୍‌ଡ ଏଡ୍‌ୱାର୍ଡ‌ ହାରି ଡାୟର‌୍‌ଙ୍କୁ ନିର୍ଦେଶ ଦେଇଥିଲେ। ଡାୟର୍‌ଙ୍କ ସେନା ଜାଲିଆନଵାଲାବାଗରେ ରୁଣ୍ତ ହୋଇଥିବା ନିରୀହ ଲୋକଙ୍କୁ ଘେରିଯାଇଥିଲେ। କୌଣସି ଚେତାବନୀ ଦିଆ ନ ଯାଇ ଅତର୍କିତ ଭାବେ ଲୋକଙ୍କ ଉପରକୁ ଗୁଳି ଚଳାଯାଇଥିଲା। ଏହି ବର୍ବର ଗଣହତ୍ୟାରେ ହଜାରେରୁ ଅଧିକ ନିରୀହ ଭାରତୀୟଙ୍କ ଜୀବନ ଯାଇଥିଲା, ସହସ୍ରାଧିକ ଆହତ ହୋଇଥିଲେ। ବ୍ରିଟିସ୍ ଶାସନର ବର୍ବରତା ଏବଂ ସ୍ବାଧୀନତାର ଆବଶ୍ୟକତାକୁ ବିଶ୍ବ ସମ୍ମୁଖରେ ଏହି ଘଟଣା ଉତ୍‌ଥାପନ କରିଥିଲା।

Advertisment

ସର୍ବଭାରତୀୟ ସ୍ତରରେ ବ୍ରିଟିସ୍ ବିରୋଧୀ ଆନ୍ଦୋଳନ ସଂଗଠିତ ହେଲା ଏବଂ ଏହା ପରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଥିଲା। ରବୀନ୍ଦ୍ରନାଥ ଠାକୁର ପ୍ରତିବାଦରେ ନାଇଟ୍‌ହୁଡ୍ ଉପାଧି ତ୍ୟାଗ କରିଥିଲେ। ୧୯୪୦ ମାର୍ଚ୍ଚ ୧୩ରେ ‘ସହିଦ-ଏ-ଆଜମ’ ଉଦ୍ଦାମ ସି˚ହ ଜାଲିଆନଵାଲାବାଗ ଗଣହତ୍ୟାର ପ୍ରତିଶୋଧ ନେଇଥିଲେ। ଲଣ୍ଡନ୍‌ର କାକ୍‌ସଟନ୍‌ ହଲ୍‌ରେ ଏକ ବୈଠକ ଚାଲିଥିବା ବେଳେ ସେ ଏକ ରିଭଲ୍‌ଭର‌୍‌ ସାହାଯ୍ୟରେ ଓ’ଡାୟର‌୍‌ଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ। ଉଦ୍ଦାମ ପଳାୟନ ପାଇଁ ସୁଯୋଗ ପାଇଥିଲେ ବି ସ୍ବେଚ୍ଛାରେ ଅଟକି ରହିଥିଲେ। ତାଙ୍କୁ ଗିରଫ କରାଯାଇଥିଲା ଏବ˚ ବିଚାର ପରେ ୧୯୪୦ ଜୁଲାଇ ୩୧ରେ ଫାଶୀ ଦିଆଯାଇଥିଲା।