ଗୁଜୁରାଟର ପୋରବନ୍ଦରଠାରୁ ସତର କିଲୋମିଟର ଦୂରରେ ରହିଛି ଏକ ବହୁ ପୁରାତନ ଗୁମ୍ଫା। ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି ଏହି ଚାରିଯୁଗକୁ ପ୍ରତ୍ୟକ୍ଷ କରିଥିବା ବ୍ରହ୍ମାପୁତ୍ର ଜାମ୍ବବାନଙ୍କର ଏହା ନିବାସସ୍ଥାନ ଭାବରେ ପ୍ରସିଦ୍ଧ। ଏହା ଏକ ଅନ୍ଧକାରମୟ ଗୁମ୍ଫା। ପ୍ରାକୃତିକ ଭାବରେ ପାହାଡ଼ର ଛିଦ୍ର ମଧ୍ୟଦେଇ ସ୍ୱଳ୍ପ ସୂର୍ଯ୍ୟାଲୋକ ଏହି ଗୁମ୍ଫା ମଧ୍ୟରେ ପ୍ରବେଶ କରିଥାଏ। ତାହା ଭିତରେ ବାଲିର ପଚାଶଟି ଶିବଲିଙ୍ଗ ରହିଛି- ଯାହାକୁ ଗୁମ୍ଫାର ଉପର ଭାଗରୁ ଝରୁଥିବା ବର୍ଷାଜଳ ଧୌତ କରେ। ଏହି ଗୁମ୍ଫା ବାହାରେ ଏକ ଶିବ ମନ୍ଦିର ଏବଂ ଗୁରୁ ରାମ ଦାସଙ୍କର ସମାଧି ଅଛି। ପଞ୍ଚଦ୍ୱାରକା ଯାତ୍ରା କାଳରେ, ପଥ ମଧ୍ୟରେ ଏହି ପାହାଡ଼ ପରିବେଷ୍ଟିତ ଗୁମ୍ଫା ପଡ଼େ। ଏହା ପୌରାଣିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। କାରଣ, ଜାମ୍ବବାନ ‘ରାମାୟଣ’ ଓ ‘ଭାଗବତ’ରେ ବର୍ଣ୍ଣିତ ଏକ ମହତ୍ତ୍ୱପୂର୍ଣ୍ଣ ଚରିତ୍ର।
ସବୁଠାରୁ ବଡ଼କଥା ହେଲା, ଏହି ଗୁମ୍ଫା ମଧ୍ୟକୁ ସ୍ୱୟଂ ଶ୍ରୀକୃଷ୍ଣ ଆଗମନ କରିଥିଲେ ଏବଂ ଜାମ୍ବବାନଙ୍କ କନ୍ୟା ଜାମ୍ବବତୀଙ୍କୁ ବିବାହ କରିଥିଲେ।
ଏହି ଗୁମ୍ଫା ବାହାରେ ଏକ ଶିବ ମନ୍ଦିର ଏବଂ ଗୁରୁ ରାମ ଦାସଙ୍କର ସମାଧି ଅଛି। ପଞ୍ଚଦ୍ୱାରକା ଯାତ୍ରା କାଳରେ, ପଥ ମଧ୍ୟରେ ଏହି ପାହାଡ଼ ପରିବେଷ୍ଟିତ ଗୁମ୍ଫା ପଡ଼େ। ଏହା ପୌରାଣିକ ଦୃଷ୍ଟିରୁ ମହତ୍ତ୍ୱପୂର୍ଣ୍ଣ। କାରଣ, ଜାମ୍ବବାନ ‘ରାମାୟଣ’ ଓ ‘ଭାଗବତ’ରେ ବର୍ଣ୍ଣିତ ଏକ ମହତ୍ତ୍ୱପୂର୍ଣ୍ଣ ଚରିତ୍ର।
ଜାମ୍ବବତୀଙ୍କର ପୁତ୍ର ଶାମ୍ବଙ୍କର ରୂପ ଥିଲା ଠିକ୍ ଶ୍ରୀକୃଷ୍ଣଙ୍କ ପରି। ସେହି କାହାଣୀଟି ଏହିପରି- ଯାଦବ ସତ୍ରାଜିତଙ୍କ ନିକଟରେ ଥିଲା ଏକ ଅପୂର୍ବ ସ୍ୟମନ୍ତକ ମଣି। ସେହି ମଣିର ଥିଲା ଆଶ୍ଚର୍ଯ୍ୟଜନକ ଶକ୍ତି। ଏକଦା ସତ୍ରାଜିତଙ୍କର ସାନ ଭାଇ ପ୍ରସେନଜିତ ସେହି ମଣିକୁ ପିନ୍ଧି ମୃଗୟା କରିବାକୁ ଯାଇ ବନ ମଧ୍ୟରେ ସିଂହଦ୍ୱାରା ମୃତ୍ୟୁ ବରଣ କଲେ। ମଣିକୁ ସିଂହଠାରେ ଦେଖି ଜାମ୍ବବାନ ତାହାକୁ ଉଦ୍ଧାର କରି ନେଇ ନିଜ ଗୃହରେ ରଖିଲେ। ଭାଇ ଓ ମଣିକୁ ନ ପାଇ ସତ୍ରାଜିତ ଦୋଷାରୋପ କଲେ ଯେ ଶ୍ରୀକୃଷ୍ଣ ସେହି ମଣିକୁ ଚୋରାଇ ନେଇଛନ୍ତି। ଶ୍ରୀକୃଷ୍ଣଙ୍କୁ ଏହା ଆଘାତ ଦେଲା। ତେଣୁ ସେ ମଣିର ସନ୍ଧାନରେ ଯାଇ ଜାମ୍ବବାନଙ୍କ ଗୁମ୍ଫାରେ ପ୍ରବେଶ କଲେ। ମଣି ପାଇଁ ଜାମ୍ବବାନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ୨୮ଦିନ କାଳ ଯୁଦ୍ଧ ହେଲା। ଜାମ୍ବବାନ ଜାଣିଥିଲେ ଯେ ସ୍ୱୟଂ ପ୍ରଭୁ ରାମଚନ୍ଦ୍ରଙ୍କ ବିନା ତାଙ୍କୁ ପରାଜିତ କରିବାର କ୍ଷମତା ଆଉ କାହାର ନାହିଁ ଏବଂ କୃଷ୍ଣ ହିଁ ରାମଚନ୍ଦ୍ର। ଏହା ଅନୁଭବ କରି ସେ ଶ୍ରୀକୃଷ୍ଣଙ୍କୁ କ୍ଷମାମାଗି ତାଙ୍କର ଶରଣାପନ୍ନ ହେଲେ ଏବଂ ସ୍ୟମନ୍ତକ ମଣି ସହିତ କନ୍ୟା ଜାମ୍ବବତୀଙ୍କୁ ଶ୍ରୀକୃଷ୍ଣଙ୍କୁ ଅର୍ପଣ କଲେ। ଏହି ଦୃଷ୍ଟିରୁ ଉକ୍ତ ଗୁମ୍ଫାକୁ ବୈଷ୍ଣବମାନେ ଅତି ପବିତ୍ର ବୋଲି ବିବେଚନା କରି, ତାହା ମଧ୍ୟରେ ପ୍ରବେଶ କରିଥାନ୍ତି। ପ୍ରାକୃତିକ ଭାବରେ ଗଢ଼ି ଉଠୁଥିବା ଶିବଲିଙ୍ଗଙ୍କ ଦର୍ଶନ କରି ସେମାନେ ସେଠାରେ ରାମ, କୃଷ୍ଣ ଓ ଜାମ୍ବବାନଙ୍କୁ ପୂଜା କରନ୍ତି।
-ଡକ୍ଟର ତୁଳସୀ ଓଝା