ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ସାଲବେଗଙ୍କୁ କିଏ ବା ନଜାଣେ! ତାଙ୍କ ରଚିତ ଭଜନଗୁଡ଼ିକ ଓଡ଼ିଶାର ଘରେ ଘରେ ବେଶ୍ ଜନପ୍ରିୟ। ଜାତିରେ ଯବନ ହେଲେ ମଧ୍ୟ ଭାବଭକ୍ତିରେ ସେ ପ୍ରଭୁଙ୍କର ଏକାନ୍ତ ଆତ୍ମୀୟ। ଥରେ ବୃନ୍ଦାବନ ଯାତ୍ରାରେ ଯାଇଥିବା ସମୟରେ ରଥଯାତ୍ରା ବେଳକୁ ପୁରୀ ଫେରି ରଥ ଉପରେ କାଳିଆ ସାଆନ୍ତଙ୍କ ଦର୍ଶନ କରିବାର ଆଶା ରଖିଥିଲେ ସେ। ମାତ୍ର ନଦୀନାଳଭରା ଦୁର୍ଗମ ପଥରେ ଠିକ୍ ସମୟରେ ଆସି ପହଞ୍ଚି ପାରୁ ନଥିବାରୁ ଠାକୁରଙ୍କୁ ଆକୁଳ ପ୍ରାର୍ଥନା କରିଥିଲେ- “ସାତଶ ପଞ୍ଚାଶ କୋଶ ଚାଲି ନପାରଇ, ମୋହ ଯିବା ଯାଏଁ ନନ୍ଦିଘୋଷେ ଥିବ ରହି”। ଭକ୍ତର ଆକୁଳ ନିବେଦନକୁ ଏଡ଼ାଇ ନପାରି ଭକ୍ତବତ୍ସଳ ମହାପ୍ରଭୁ ବଳଗଣ୍ଡିଠାରେ ନନ୍ଦିଘୋଷ ରଥକୁ ଅଟକାଇ ଦେଇଥିଲେ। ସାଲବେଗ ଆସି ଦର୍ଶନ କରିବା ପରେ ହିଁ ରଥ ଆଗକୁ ଗଡ଼ିଥିଲା ବୋଲି ବିଶ୍ୱାସ କରାଯାଏ। ଏବେ ସେହି ସ୍ଥାନରେ ସାଲବେଗଙ୍କ ସମାଧି ମନ୍ଦିର ରହିଛି। ପ୍ରତିବର୍ଷ ବାହୁଡ଼ା ଯାତ୍ରା ସମୟରେ ଏହିଠାରେ ଭକ୍ତ ସାଲବେଗଙ୍କ ସ୍ମୃତିରେ କିଛିକ୍ଷଣ ଅଟକି ରହେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ।
ଭକ୍ତ ସାଲବେଗଙ୍କ ଜୀବନ କାହାଣୀ ରହସ୍ୟାବୃତ। ସାଲବେଗଙ୍କ ନିଜ ରଚନା, କିଛି ପ୍ରଚଳିତ କିଂବଦନ୍ତି ତଥା ଭକ୍ତକବି ରାମଦାସକୃତ ‘ଦାର୍ଢ଼୍ୟତାଭକ୍ତି ରସାମୃତ’ରୁ ହିଁ ତାଙ୍କ ଜୀବନ ବିଷୟରେ ଯାହା କିଛି ସୂଚନା ମିଳେ। ମାତ୍ର ଅନେକେ ହୁଏତ ଜାଣି ନଥିବେ, ବାଲେଶ୍ବର ସହ ସାଲବେଗଙ୍କର ଘନିଷ୍ଠ ସମ୍ପର୍କ ରହିଛି ବୋଲି। ଏହି ସହର ଉପକଣ୍ଠରେ ଦାମୋଦରପୁରଠାରେ ଥିବା ଶ୍ରୀଶ୍ୟାମସୁନ୍ଦର ମନ୍ଦିର ସହ ଯୋଡ଼ି ହୋଇ ରହିଛି ସାଲବେଗଙ୍କ ଜୀବନର ଏକ ଅଭୁଲା ଅଧ୍ୟାୟ। ଦାର୍ଢ଼୍ୟତାଭକ୍ତିର ବର୍ଣ୍ଣନା ଅନୁସାରେ ଦୁର୍ଦ୍ଦାନ୍ତ ମୋଗଲ ସେନାପତି ଲାଲବେଗ ଘୋଡ଼ା ଝପଟାଇ ପୁରୀ ଯିବା ରାସ୍ତାରେ ଦାଣ୍ଡମୁକୁନ୍ଦପୁର ନିକଟରେ ସ୍ନାନରତା ଏକ ବିଧବା ବ୍ରାହ୍ମଣକନ୍ୟାଙ୍କୁ ହରଣ କରି ତାଙ୍କୁ ନିଜର ପତ୍ନୀ କରି ରଖିଥିଲା। ତାଙ୍କରି ଗର୍ଭରୁ ୧୫୯୨ ମସିହାରେ ସାଲବେଗଙ୍କ ଜନ୍ମ ବୋଲି ଗବେଷକମାନେ ନିର୍ଣ୍ଣୟ କରିଛନ୍ତି। କଟକଠାରେ ଥିବା ଲାଲବାଗ କୋଠିରେ ଲାଲବେଗ ନିଜ ପରିବାର ସହ ଅବସ୍ଥାନ କରୁଥିଲେ। ବୟସ ବଢ଼ିବା ସହିତ ସାଲବେଗ ପିତାଙ୍କଠାରୁ ଯୁଦ୍ଧବିଦ୍ୟା ଶିକ୍ଷା କରିଥିଲେ। ଦାର୍ଢ଼୍ୟତାଭକ୍ତି କହେ, ଥରେ ବାପାଙ୍କ ସହ ମିଶି ଏକାଠି ଯୁଦ୍ଧ କଲାବେଳେ ସେ ଶସ୍ତ୍ରାଘାତରେ ଗୁରୁତର ଭାବେ ଆହତ ହୋଇଥିଲେ। ଯଦିଓ ଏହି ଯୁଦ୍ଧର ସ୍ଥାନ, ସମୟକାଳ ବା ପ୍ରତିପକ୍ଷଙ୍କ ବିଷୟରେ ସ୍ପଷ୍ଟ ସୂଚନା ନାହିଁ, ବାଲେଶ୍ବରସ୍ଥିତ ପ୍ରାଚୀନ ଶ୍ୟାମସୁନ୍ଦର ମନ୍ଦିର ଓ ଲଣ୍ଡା ଗୋସେଇଁ ମଠର କିଂବଦନ୍ତିରେ ଏ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳେ। ଏହି କିଂବଦନ୍ତି ଅନୁସାରେ ସାଲବେଗ ଯେଉଁ ଯୁଦ୍ଧରେ ଲଢ଼ି ଗୁରୁତର ଆହତ ହୋଇଥିଲେ, ତାହା ବାଲେଶ୍ବର ମୋଗଲବନ୍ଦୀ ଅଞ୍ଚଳ ଓ ଗଡ଼ଜାତ ମୟୂରଭଞ୍ଜ ସୀମାନ୍ତବର୍ତ୍ତୀ ‘କଳମା’ ଅଞ୍ଚଳରେ ହୋଇଥିଲା। ଯୁଦ୍ଧକ୍ଷେତ୍ରରୁ ଅତ୍ୟନ୍ତ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ବାଉଁଶ ସଙ୍ଗାରେ ବୁହାଇ ବାଲେଶ୍ବରକୁ ଅଣାଯାଇଥିଲା। ଯେଉଁ ସ୍ଥାନରୁ ତାଙ୍କୁ ବାଉଁଶ ସଙ୍ଗାରେ ଅଣାଯାଇଥିଲା, କାଳକ୍ରମେ ତାହାର ନାମ ବଇଶିଙ୍ଗା ହେଲା ବୋଲି କୁହାଯାଏ।
ପୁଅର ଅସୁସ୍ଥତାର ଖବର ପାଇ କଟକରୁ ସାଲବେଗଙ୍କ ମା’ ଆସି ପହଞ୍ଚିବା ପରେ ତାଙ୍କୁ ବାଲେଶ୍ବର ମଠସାହିସ୍ଥିତ ଲଣ୍ଡା ଗୋସେଇଁ ମଠକୁ ନିଆଯାଇଥିଲା। ଗୋସେଇଁଙ୍କ ପରାମର୍ଶକ୍ରମେ ତାଙ୍କୁ ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତି ସମ୍ମୁଖରେ ଶୁଆଇ ଦିଆଯାଇଥିଲା ଏବଂ କୃଷ୍ଣନାମ ଜପକରି ସେ ଆରୋଗ୍ୟଲାଭ କରିଥିଲେ। କୁହାଯାଏ ସ୍ବପ୍ନରେ ନିଜେ ଶ୍ରୀକୃଷ୍ଣ ଆସି ତାଙ୍କୁ କିଛି ବିଭୂତି ଦେଇଥିଲେ, ଯାହାକୁ ସର୍ବାଙ୍ଗରେ ବୋଳିଦେବା ପରେ ତାଙ୍କର ସମସ୍ତ କ୍ଷତ ଶୁଖିଯାଇଥିଲା। ସେଇଦିନଠାରୁ ସେ ପାଲଟିଯାଇଥିଲେ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ। ସାଲବେଗ ବାଲେଶ୍ବର ସହରରେ ପ୍ରାୟ ଆଠବର୍ଷ ରହିଥିବାର ଜଣାଯାଏ। ସେହି ସମୟରେ ସେ ବୁଢ଼ାବଳଙ୍ଗ ନଦୀ ତୀରବର୍ତ୍ତୀ ଦାମୋଦରପୁରଠାରେ ଶ୍ୟାମସୁନ୍ଦର ମନ୍ଦିରକୁ ଯାଇ ପ୍ରତିଦିନ ଠାକୁରଙ୍କୁ ଦର୍ଶନ କରୁଥିଲେ। ମୁସଲମାନ ହୋଇଥିବାରୁ ତାଙ୍କୁ ମନ୍ଦିର ଭିତରକୁ ଯିବାର ଅନୁମତି ନଥିଲା। ମାତ୍ର ନିଜେ ଶ୍ରୀଶ୍ୟାମସୁନ୍ଦର ସ୍ବପ୍ନରେ ମନ୍ଦିର ପୂଜକଙ୍କୁ ଦର୍ଶନ ଦେଇ ସାଲବେଗଙ୍କୁ ପ୍ରତିଦିନ ନିଜର ଚରଣାମୃତ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ପୂଜାରୀ ଗରୁଡ଼ଖମ୍ବ ପଛପାଖରେ ଥିବା ପାଚେରିରେ ଏକ ବଡ଼ ଜଳା କରାଇ ସାଲବେଗଙ୍କର ଶ୍ରୀଜୀଉ ଦର୍ଶନ ଓ ଚରଣାମୃତ ପ୍ରଦାନର ବ୍ୟବସ୍ଥା କରାଇଥିଲେ। ଆଜି ମଧ୍ୟ ଶ୍ୟାମସୁନ୍ଦର ମନ୍ଦିର ପାଚେରିରେ ସାଲବେଗ ଦର୍ଶନ କରୁଥିବା ଏହି ସ୍ଥାନଟିକୁ ସୁରକ୍ଷିତ କରି ରଖାଯାଇଛି।
ପରେ ଭକ୍ତ ସାଲବେଗ ଶ୍ରୀକ୍ଷେତ୍ର ଚାଲିଆସିଥିବାର ଜଣାଯାଏ। ଶ୍ରୀଜଗନ୍ନାଥଙ୍କୁ ସେ ଶ୍ରୀକୃଷ୍ଣଙ୍କ ସ୍ବରୂପ ମଣୁଥିଲେ। ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ପାଖରେ ତାଳପତ୍ର ଛତା ତଳେ ବସି ନୀଳଚକ୍ରକୁ ଚାହିଁ ସ୍ବରଚିତ ଭଜନ ଗାଇ ଗାଇ ସେ କାଳାତିପାତ କରୁଥିଲେ। ବୃନ୍ଦାବନ ଯାଇ ଠିକ୍ ସମୟରେ ଫେରି ନପାରିବା ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିଯିବା ବୃତ୍ତାନ୍ତ ଏହି ସ୍ଥାନ ସହ ସଂପୃକ୍ତ। ୧୬୪୬ ମସିହାରେ ଭକ୍ତ ସାଲବେଗଙ୍କର ଦେହାବସାନ ହୋଇଥିଲା ବୋଲି ବିଶ୍ୱାସ କରାଯାଏ। ତତ୍କାଳୀନ ଗଜପତି ନରସିଂହ ଦେବଙ୍କ ଏକ ହୁକୁମନାମାରୁ ଜଣାଯାଏ ଯେ ସେହି ସ୍ଥାନରେ ସମାଧି ନିର୍ମାଣ ପାଇଁ ସେ ଚାରିଗୁଣ୍ଠ ସାତକଡି ଜମି ପ୍ରଦାନ କରିଥିଲେ। ତେବେ ବଙ୍ଗଳାରେ ଲିଖିତ ସୁନ୍ଦରାନନ୍ଦ ବିଦ୍ୟାବିନୋଦଙ୍କର ‘ଶ୍ରୀକ୍ଷେତ୍ର’ ପୁସ୍ତକରେ ବାଲେଶ୍ବରର ଜନୈକ ଜମିଦାର ଭାସ୍କର ପାତ୍ର ଏଠାରେ ସମାଧି ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଉଲ୍ଲେଖ ଅଛି। ଏବେ ଏହି ମନ୍ଦିରର ଜୀର୍ଣ୍ଣସଂସ୍କାର କରାଯାଇ ତାହାକୁ ଆଧୁନିକ ଢାଞ୍ଚା ଦିଆଯାଇଛି। ପ୍ରତିବର୍ଷ ବାହୁଡ଼ା ଯାତ୍ରାରେ ପରମଭକ୍ତ ସାଲବେଗଙ୍କ ସ୍ମୃତିରେ ଶ୍ରୀଜଗନ୍ନାଥଙ୍କର ରଥ ଏଠାରେ କିଛିକ୍ଷଣ ଅଟକି ଯାଉଛି। ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଗୋଟିଏ ଡୋରିରେ ବାନ୍ଧି ରଖୁଥିବା ଜଗନ୍ନାଥ ସଂସ୍କୃତିର ଏହା ହିଁ ସର୍ବୋତ୍କୃଷ୍ଟ ନିଦର୍ଶନ।