ସ୍ବରାଜ ମିଶ୍ର

Advertisment

୧୯୫୧ ଡିସେମ୍ବର ମାସ ୧୩ ତାରିଖର କଥା। ସ୍ବାଧୀନ ଭାରତର ପ୍ରଥମ ସାଧାରଣ ନିର୍ବାଚନ ଅବସରରେ ପଣ୍ଡିତ ନେହରୁ ସେଦିନ ବଲାଙ୍ଗୀର ଆସୁଥାନ୍ତି ଏକ ନିର୍ବାଚନୀ ସଭାରେ ଭାଷଣ ଦେବାଲାଗି। ଘଟଣାଚକ୍ରରେ ସେତେବେଳେ ସୁରେନ୍ଦ୍ର ମହାନ୍ତି ଥା’ନ୍ତି ବଲାଙ୍ଗୀରରେ। ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆଶୀର୍ବାଦରେ ସେ ଥା’ନ୍ତି ‘ଗଣତନ୍ତ୍ର ପରିଷଦ’ ଦଳର ସଂଗଠନ ସମ୍ପାଦକ ଏବଂ ‘ଗଣତନ୍ତ୍ର’ ସାପ୍ତାହିକ ଖବରକାଗଜର ମୁଖ୍ୟ ସମ୍ପାଦକ। ସେତେବେଳେ ସାରା ଓଡ଼ିଶାରେ ଗଣତନ୍ତ୍ର ପରିଷଦ କଂଗ୍ରେସ ଦଳକୁ କଡ଼ା ଟକ୍କର ଦେଉଥାଏ। ସୁରେନ୍ଦ୍ରବାବୁ ସ୍ଥିର କଲେ ନେହରୁଙ୍କ ଉଦ୍ଦେଶ୍ୟରେ ଖବରକାଗଜରେ ଏକ ‘ଖୋଲାଚିଠି’ ଲେଖିବା ପାଇଁ। ଦୁର୍ଭାଗ୍ୟକୁ ୧୨ ତାରିଖ ସନ୍ଧ୍ୟାରେ ମହାରାଜା କଣ୍ଟାବାଞ୍ଜି ଅଞ୍ଚଳକୁ ସଭା କରିବା ପାଇଁ ଯାଇଥାଆନ୍ତି। ଏଣୁ ତାଙ୍କ ସହ ଆଲୋଚନା କରିବାର ସୁଯୋଗ ନ ଥାଏ। ପୁଣି ସାପ୍ତାହିକ କାଗଜରେ ଲେଖାଟି ବାହାରିବା ବେଳକୁ ସଭା ସରିଯାଇଥିବ। ଏଣୁ ସହ-ସମ୍ପାଦକଙ୍କୁ ଲେଖାଟି ଦେଇ ସୁରେନ୍ଦ୍ର ବାବୁ ନିର୍ଦ୍ଦେଶ ଦେଲେ ତାହାକୁ ୫ରୁ ୧୦ ହଜାର ଛାପି ସକାଳ ସୁଦ୍ଧା ବାଣ୍ଟିଦେବାକୁ।
ଚିଠିଟି ଥିଲା ସଂକ୍ଷିପ୍ତ, ମାତ୍ର ଭାଷା ବେଶ୍‌ ଶାଣିତ। ସୁରେନ୍ଦ୍ର ମହାନ୍ତି ତାଙ୍କ ଆତ୍ମଜୀବନୀ ପୁସ୍ତକ ‘ପଥ ଓ ପୃଥିବୀ’ରେ ଯେତିକି ସୂଚାଇଛନ୍ତି, ସେ ଚିଠିରେ ‌ଠାଏ ଲେଖାଥିଲା “କଂଗ୍ରେସ ଆଜି ଦୁର୍ନୀତିରେ କୁଷ୍ଠବ୍ୟାଧିଗ୍ରସ୍ତ ରୋଗୀର ଅଙ୍ଗପ୍ରତ୍ୟଙ୍ଗ ପରି ଗଳିତ ହୋଇଗଲାଣି।” ପୁଣି ଚିଠିର ଶେଷ ବାକ୍ୟରେ ଥିଲା- “ଆପଣ ଭାରତର ଜବାହର ଥିଲେ, ଆଜି ଜହର ହୁଅନ୍ତୁ ନାହିଁ।”
ପରଦିନ ସକାଳେ ସୁରେନ୍ଦ୍ରବାବୁ ଉଠିବା ବେଳକୁ ଚିଠି ବଣ୍ଟା ହୋଇ ସାରିଲାଣି।
ସକାଳ ୯ଟାରେ କଲେକ୍ଟରଙ୍କ ପେସ୍କାର ତାଙ୍କ ଘରେ ପହଞ୍ଚି ଜଣାଇଲେ କଲେକ୍ଟର ଡାକୁଛନ୍ତି, ସଙ୍ଗେ ସଙ୍ଗେ ଯିବାକୁ ପଡ଼ିବ ବୋଲି। ସୁରେନ୍ଦ୍ରବାବୁ ସେତେବେଳେ ଯୁବକ। ବିରକ୍ତ ହୋଇ କହିଲେ, ‘‘ମୋର ବର୍ତ୍ତମାନ ସମୟ ନାହିଁ।’’ ତାଙ୍କୁ ଫେରାଇ ଦେବାର କିଛି ସମୟ ପରେ କିନ୍ତୁ ଦୁଆରେ ବ୍ରେକ୍ କଷିଲା ପୋଲିସ୍ ଜିପ୍। ସେଥିରୁ ଓହ୍ଲାଇ ଥାନାବାବୁ କହିଲେ- “କଲେକ୍ଟରଙ୍କ ପାଖକୁ ଚାଲନ୍ତୁ।”
“ଆପଣ ୱା‌‌ରଣ୍ଟ୍‌ ଆଣିଛନ୍ତି?” - ସୁରେନ୍ଦ୍ରଙ୍କ ପାଲଟା ପ୍ରଶ୍ନ। ସେ ମଧ୍ୟ ଫେରିଗଲେ। କିନ୍ତୁ ପାଲେସ୍‌ ଯାଇ ମହାରାଜାଙ୍କୁ ଭେଟିଲାବେଳକୁ ତାଙ୍କ ହାତରେ ବି ଥାଏ ସେଇ ଛପାଚିଠିଟି। ଧୀରଗଳାରେ ତାଙ୍କର ପ୍ରଶ୍ନ- “ଏଇଟା କ’ଣ କଲ?” ଏଥର ସୁରେନ୍ଦ୍ର ବାହାରିଗଲେ କଲେକ୍ଟର ରାମକୃଷ୍ଣାୟାଙ୍କ ପାଖକୁ। ସେଠାରେ ବାର୍ତ୍ତାଳାପ ଥିଲା ବେଶ୍‌ ସଂକ୍ଷିପ୍ତ। କଲେକ୍ଟର କହିଲେ, “ଏ ଖୋଲାଚିଠିର ଗୋଟାଏ ଇଂରାଜୀ ଅନୁବାଦ ମୋତେ ଦିଅନ୍ତୁ।” ସୁରେନ୍ଦ୍ର ପଚାରିଲେ, “କେଉଁ ଆଇନ ବଳରେ ଆପଣ ମୋ’ଠାରୁ ଏହା ଚାହୁଁଛନ୍ତି?”
‘‘ମୁଁ କହୁଛି। ଆପଣ ଏହାର ଗୋଟିଏ ଇଂରାଜୀ ଅନୁବାଦ ଆଣି ଦିଅନ୍ତୁ।” ସୁରେନ୍ଦ୍ର ବି ବେଶ୍ ସ୍ବାଭିମାନୀ। “ମୁଁ ଦୁଃଖିତ, ମୁଁ ଆପଣଙ୍କ ଟ୍ରାନ୍‌ସଲେଟର୍‌ ନୁହେଁ।” ଏତିକି କହି ଫେରିଆସିଥିଲେ ସେ।
ଆତ୍ମଜୀବନୀରେ ସୁରେନ୍ଦ୍ର ମହାନ୍ତି ପଶ୍ଚାତ୍ତାପ କରି ଲେଖିଛନ୍ତି- ମୁଁ ଅନୁବାଦ କରି ଦେଇଥିଲେ ବରଂ ଭଲ ହୋଇଥାନ୍ତା। କାରଣ ଅଣଓଡ଼ିଆ କଲେକ୍ଟରଙ୍କର ଅନଭିଜ୍ଞ ଅନୁବାଦକ ସେ ଚିଠିଟିର ଅନୁବାଦ କରିଥିଲେ ଅତି କଦର୍ଯ୍ୟ ଭାବରେ। ଯେମିତି ‘କଂଗ୍ରେସ ଇଜ୍‌ ଲେପର୍‌-ଷ୍ଟ୍ରିକେନ୍‌... ୟୁ ଆର୍‌ ପଏଜନ୍‌ ଫର୍‌ ଇଣ୍ଡିଆ’ ଇତ୍ୟାଦି ଇତ୍ୟାଦି।
ସେଦିନ ପଣ୍ଡିତ ନେହରୁଙ୍କ ସହ ମଞ୍ଚରେ ଥିଲେ ବିଜୟଲକ୍ଷ୍ମୀ ପଣ୍ଡିତ, ବଲାଙ୍ଗୀର ଗଡ଼ଜାତରୁ ରାଜ୍ୟ ବିଧାନସଭାକୁ ମନୋନୀତ ସଭ୍ୟ କପିଳ ପ୍ରସାଦ ନନ୍ଦ ଓ ରାଜ୍ୟ କଂଗ୍ରେସ ସଭାପତି ବିଶ୍ବନାଥ ଦାସ। ନେହରୁଙ୍କ ଆଚରଣରୁ ମନେ ହେଉଥିଲା, ସେ ଚିଠିଟି ପଢ଼ି ସାରିଥିଲେ ସେତେବେଳକୁ। ସେ ଥିଲେ ଖୁବ୍ ଉତ୍‌କ୍ଷିପ୍ତ। ଏତିକିବେଳେ ମଞ୍ଚରେ ଲାଗିଥିବା ଲାଇଟ୍‌କୁ ପୋକ ଆସୁଥିବାରୁ ତାହାକୁ ଘୁଞ୍ଚାଇ ଦେବା ପାଇଁ କପିଳବାବୁ ମାଇକ୍‌ରେ କହିଲେ- “ମା’ ଲକ୍ଷ୍ମୀ ଆସିଛନ୍ତି, ଲାଇଟ୍‌ ଘୁଞ୍ଚାଅ, ନ ହେଲେ ତାଙ୍କ ମୁହଁରେ ପୋକ ପଡ଼ିବେ।” ଏହା ଶୁଣି ଏକ ଅଦ୍ଭୁତ ଗୁଞ୍ଜରଣ ସୃଷ୍ଟି ହେଲା। ସରଳ ଲୋକେ ‘ପୋକ ପଡ଼ିବା’ କଥାକୁ ଗାଉଁଲି ଅର୍ଥରେ ବୁଝି ହସାହସି ହେଲେ। ପୁଣି ନେହରୁ ଯେବେ ଉର୍ଦ୍ଦୁମିଶା ହିନ୍ଦୀରେ ଭାଷଣ ଦେବାକୁ ଆରମ୍ଭ କଲେ, ସ୍ଥାନୀୟ ଜନତା କିଛି ବୁଝି ନ ପାରି ପରସ୍ପରକୁ ପଚାରୁଥାନ୍ତି କ’ଣ କହିଲେ ବୋଲି। ସଭାରେ କଳରୋଳ ଓ ବିଶୃଙ୍ଖଳା। ବିରକ୍ତ ହୋଇ ନେହରୁ କହିପକାଇଲେ, “ଯେଉଁମାନେ ଭାଷଣ ଶୁଣିବାକୁ ଚାହୁନାହାନ୍ତି ଏଠାରେ ଗୋଳମାଳ ନ କରି ଉଠି ଚାଲିଯାନ୍ତୁ।” ଏକଥା ସ୍ଥାନୀୟ ଭାଷାରେ ବୁଝାଇ ଦିଆଯିବା ପରେ ସଭାର ପ୍ରାୟ ଅଧାଲୋକ ଉଠି ଚାଲିଗଲେ। ଏବେ ଆହୁରି ବିଶୃଙ୍ଖଳା। ପଣ୍ଡିତ ନେହରୁ ଭୀଷଣ ଅପମାନିତ ଅନୁଭବ କରିଥିଲେ ସେ ସଭାରେ।
ନିର୍ବାଚନରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଆସନରେ କଂଗ୍ରେସ ପରାଜିତ ହୋଇଥିଲା। ନିଜେ ରାଜେନ୍ଦ୍ର ନାରାୟଣ ସିଂହଦେଓ ବହୁ ଭୋଟ୍‌ରେ ବଲାଙ୍ଗୀର ଲୋକସଭା ଆସନରେ ବିଜୟୀ ହେଲେ। ୧୯୫୨ରେ ସୁରେନ୍ଦ୍ର ମହାନ୍ତି ମଧ୍ୟ ଗଣତନ୍ତ୍ର ପରିଷଦ ତରଫରୁ ନିର୍ବାଚିତ ହୋଇ ଗଲେ ପ୍ରଥମ ରାଜ୍ୟସଭାକୁ। ସେତେବେଳକୁ ତାଙ୍କ ବୟସ ମାତ୍ର ୩୦ ଏବଂ ସେ ଥିଲେ ରାଜ୍ୟସଭାର ସର୍ବକନିଷ୍ଠ ସଦସ୍ୟ। ତାଙ୍କର ସୁନ୍ଦର ତଥ୍ୟପୂର୍ଣ୍ଣ ଭାଷଣ ଲାଗି ସେ ତତ୍କାଳୀନ ରାଜ୍ୟସଭା ଅଧ୍ୟକ୍ଷ ଉପରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି। ଥରେ ସୋଭିଏତ୍‌ ରୁଷ୍‌କୁ ଯାଉଥିବା ଏକ ପ୍ରତିନିଧିମଣ୍ଡଳ ପାଇଁ ସେ ମନୋନୀତ ହୋଇଥିଲେ ମଧ୍ୟ ଶେଷକୁ ତାଙ୍କ ନାଁ କଟିଯାଇଥିବାରୁ ସେ କ୍ଷୁବ୍‌ଧ ହୋଇ ଭେଟିଥିଲେ ଉପରାଷ୍ଟ୍ରପତିଙ୍କୁ। ରାଧାକ୍ରିଷ୍ଣନ୍‌ ତାଙ୍କୁ ଖୁବ୍‌ ଶ୍ରଦ୍ଧା କରୁଥିଲେ। ସେ ଜଣାଇଥିଲେ ତାଙ୍କ ନାଁ ପ୍ରଧାନମନ୍ତ୍ରୀ ହିଁ କାଟି ଦେଇଛନ୍ତି ବୋଲି। କାରଣ ‌ଓଡ଼ିଶାର କେଉଁ ସଭା ସମୟରେ ସେ ନେହରୁଜୀଙ୍କ ନାଁରେ କ’ଣ ସବୁ ଲେଖି ତାଙ୍କୁ ଅପମାନିତ କରିଥିଲେ। ତେବେ କୌତୂହଳୀ ହୋଇ ରାଧାକ୍ରିଷ୍ଣନ୍ ସେଇ ଲେଖାଟି ମାଗିଥିଲେ ପଢ଼ିବା ପାଇଁ।
ଏଥର ବାଧ୍ୟହୋଇ ସୁରେନ୍ଦ୍ରବାବୁ ନିଜେ ଅନୁବାଦ କରିଥିଲେ ଲେଖାଟି ଏବଂ ତାହାକୁ ପଢ଼ି ରାଧାକ୍ରିଷ୍ଣନ୍‌ କହିଥିଲେ, “କାହିଁ, ଏଥିରେ ସେପରି କିଛି କଥା ନାହିଁ ତ!”
ତା’ପରେ ସମ୍ଭବତଃ ରାଧାକ୍ରିଷ୍ଣନ୍‌ ନେହରୁଜୀଙ୍କୁ ଭେଟି କଥାଟି ବୁଝାଇ ଦେଇଥିବେ। କାରଣ ପରବର୍ତ୍ତୀ ସମୟରେ ଚୀନ୍‌ ଯାଉଥିବା ଅନ୍ୟ ଏକ ପ୍ରତିନିଧିମଣ୍ଡଳରେ ସୁରେନ୍ଦ୍ର ମହାନ୍ତିଙ୍କ ନାମ ଅନ୍ତର୍ଭୁକ୍ତ ହୋଇଯାଇଥିଲା।