ଅତୁଲ୍ୟ ଜନନାୟକ, ଅପ୍ରତିଦ୍ୱନ୍ଦ୍ବୀ ଦିଗ୍‌ଦ୍ରଷ୍ଟା

ଡାକ୍ତର ଶରତ ଚନ୍ଦ୍ର ମିଶ୍ର

୧୯୨୭ ମସିହା ଜାନୁଆରି ମାସ ୩ ତାରିଖ ଦିନ ପବିତ୍ର ରାମେଶ୍ବରରେ ଜନ୍ମଗ୍ରହଣ କରିଥିଲେ, ତେଣୁ ନାମ ଜାନକୀବଲ୍ଲଭ। ବାପା ଶ୍ରୀଯୁକ୍ତ ଗୋକୁଳାନନ୍ଦ ପଟ୍ଟନାୟକ ଥିଲେ ରାମଭକ୍ତ, ଶିକ୍ଷକ ଏବଂ କବି। ଜାନକୀ ବାବୁ ରାମେଶ୍ବରରୁ ପ୍ରାଥମିକ ଶିକ୍ଷା ପରେ ଖୋର୍ଦ୍ଧା ହାଇସ୍କୁଲ୍, ରେଭେନ୍‌ସା ମହାବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ଛାତ୍ର ଜୀବନରୁ ସେ ଖୋର୍ଦ୍ଧାରେ ଛାତ୍ର ସଂଘ, ରେଭେନ୍‌ସାରେ ୟୁନିଅନ୍ ଜ୍ୟାକ୍ ହଟାଅ ଆନ୍ଦୋଳନ ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଥିବା ସମୟରେ ସର୍ବୋଦୟ ସଂଘରେ ଯୋଗ ଦେଇ ନିଜର ନେତୃତ୍ବର ପରାକାଷ୍ଠା ଦେଖାଇଥିଲେ। ୧୯୫୩ ମସିହା ଜୁଲାଇ ୨୦ ତାରିଖରେ ସେ ସମାଜସେବୀ ସତ୍ୟାଗ୍ରହୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ କନ୍ୟା ଜୟନ୍ତୀ ପଟ୍ଟନାୟକଙ୍କୁ ବିବାହ କରିଥିଲେ। ୧୯୫୨ ମସିହାରେ ‘ପ୍ରଜାତନ୍ତ୍ର’ ଏବଂ ‘ଇଷ୍ଟର୍ନ ଟାଇମସ୍’ ସମ୍ପାଦକ ଦାୟିତ୍ବ ନେଇଥିଲେ। ତାଙ୍କର ସମ୍ପାଦକୀୟ ଲେଖାରେ ଓଡ଼ିଶାର ଭାଷା, ଆଦିବାସୀ କଲ୍ୟାଣ, ଦୁର୍ନୀତି ନିରାକରଣ, ଶିକ୍ଷା ପଦ୍ଧତିର ପରିବର୍ତ୍ତନ, ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ, ଶ୍ରମ ଶକ୍ତିର ଜାଗରଣ ଇତ୍ୟାଦି ଲେଖି ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ଚେଷ୍ଟା କରିଥିଲେ। ଭାରତର ଉପମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀ ଥିଲେ। ତରୁଣ ବୟସରୁ ଜାନକୀ ବଲ୍ଲଭ ଓଡ଼ିଶାର ଶାସନ, ରାଜନୀତି ଓ ସଂଗଠନ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ। ଲୋକସଭାରେ ଓଡ଼ିଶାର ଶିକ୍ଷା, ସଂସ୍କୃତି, ଭାଷା, ସାହିତ୍ୟ ଓ ପରମ୍ପରା ଆଦିର ସମୃଦ୍ଧ ଚିତ୍ରକୁ ଜାତୀୟ ଦରବାରରେ ଉପସ୍ଥାପନ କରିଥିଲେ।
ତାଙ୍କର ମୁଖ୍ୟମନ୍ତ୍ରିତ୍ବ ସମୟରେ ହଜାର ଦିନରେ ହଜାର ଶିଳ୍ପ ପାଇଁ ଇଡ୍‌କୋ ପ୍ରତିଷ୍ଠା କରିଥିଲେ। ତାଙ୍କ ସମୟରେ ନାଲ୍‌କୋ, ପାରାଦୀପ ଫସ୍‌ଫେଟ୍‌ କାରଖାନା ନିର୍ମିତ ହୋଇଥିଲା। ଜାନକୀ ବାବୁ ତାଙ୍କରି ସମୟରେ ଓଡ଼ିଶାରେ କ୍ରୀଡ଼ା ନିର୍ଦ୍ଦେଶାଳୟ ଓ ଗଣଦୌଡ଼ ପ୍ରବର୍ତ୍ତନ କରାଇଥିଲେ। ମହାନଦୀରେ ଦ୍ବିତୀୟ ନଦୀବନ୍ଧ କରିବା ପାଇଁ ପ୍ରଚେଷ୍ଟା କରିଥିଲେ। ସେ ୩ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା ସଙ୍ଗେ ସଙ୍ଗେ ଓଡ଼ିଶାର କଂଗ୍ରେସ ସଂଗଠନରେ ୩ ଥର ସଭାପତି ଥିଲେ। ତାଙ୍କରି ସାଂଗଠନିକ ଦକ୍ଷତା ଯୋଗୁଁ ଓଡ଼ିଶା କଂଗ୍ରେସ ପ୍ରତିଷ୍ଠା ଲାଭ କରିଥିଲା। ବିଜୁ ବାବୁଙ୍କୁ ଗାଦିଚ୍ୟୁତ କରି ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ମାତ୍ର ଶେଷ ଜୀବନରେ ତାଙ୍କୁ ଆସାମର ରାଜ୍ୟପାଳ କରି ଓଡ଼ିଶା କଂଗ୍ରେସରୁ ଦୂରେଇ ଦିଆଯାଇଥିଲା।
ଜାନକୀ ବାବୁଙ୍କର ଅସାଧାରଣ ସାରସ୍ବତ ପ୍ରତିଭାର ପ୍ରମାଣ ତାଙ୍କ ଲିଖିତ ସିନ୍ଧୁ ଉପତ୍ୟକା, ସ୍ବପ୍ନ ସଂକଳ୍ପ, ରାମାୟଣ, ମହାଭାରତ, ଗୌତମବୁଦ୍ଧ ଓ ଅନ୍ୟାନ୍ୟ ଲେଖାରୁ ପ୍ରତିପାଦିତ ହୁଏ। ଶୃଙ୍ଖାର ଶତକ, ନୀତି ଶତକ, ବୈରାଗ୍ୟ ଶତକ ଇତ୍ୟାଦି ଅନୁବାଦର ଶ୍ରେଷ୍ଠ ନମୁନା। ଜାନକୀ ବାବୁଙ୍କ ଭଳି ଜଣେ ବିଚକ୍ଷଣ, ଧୈର୍ଯ୍ୟବାନ, ସମୟାନୁବର୍ତ୍ତୀ, ନିଃସ୍ବାର୍ଥପର ଦକ୍ଷ ଜନନାୟକ ମିଳିବା କଷ୍ଟକର। ତାଙ୍କର ଦୈନନ୍ଦିନ ନିତ୍ୟକର୍ମରୁ ସେ ଜଣେ ସିଦ୍ଧପୁରୁଷ ଥିଲେ ବୋଲି ପ୍ରମାଣିତ। ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଆଶୀର୍ବାଦରୁ ଆସିଥିଲେ ଏବଂ ଭଗବାନ ତିରୁପତି ତାଙ୍କୁ କୋଳାଗ୍ରତ କରି ନେଇଗଲେ।
ଅଭିଜ୍ଞ ଡାକ୍ତର ଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ବ୍ୟକ୍ତଗତ ଚିକିତ୍ସକ

ସମ୍ବନ୍ଧିତ ଖବର